ପୁଅ

News Story - Posted on 2016-11-01

ରବି କାନୁନ‌୍‍ଗୋ

 

ପିଲାଟିକୁ ରେଳଷ୍ଟେସନ‌୍‍ ପାଖାପାଖି ଅଞ୍ଚଳରେ ଦେଖିବାକୁ ମିଳୁଥିଲା। ତା’ ବୟସ ସାତ କି ଆଠ। ପଚାରିଲେ କହେ, ଆମର ବାପା ନଥା’ନ୍ତି।

 

ମା’ କିଏ? ସେ ଟିକିଏ ଭାବେ। ତା’ ମୁହଁରୁ ଜଣାଯାଏ, ଯେମିତି ସେ ଭୁଲିଯାଇଛି। ନାରୀ ଚିତ୍ରର ଅସଂଖ୍ୟ ବିଜ୍ଞାପନ ଭିତରୁ ସେ କେତେବେଳେ କାହା ସାମ୍ନାରେ ଠିଆ ହୋଇ ଚିତ୍ରକୁ ଅନାଏ। ଗହଳିକୁ ପରବାଏ କରେନା। ଠେଲାବାଲା ବା ମୋଟିଆଙ୍କ ପାଟି ଶୁଣିଲେ ସେମାନଙ୍କ ବାଟ ଛାଡ଼ିବାକୁ ଯେତିକି ଦରକାର, ସେତିକି ଘୁଞ୍ଚିଯାଏ।

 

ଧୀରୁ ସାଉ ଦିନେ ତାକୁ କତିକି ଡାକିଲା। ଶୁଣିଲା ପରିକା ଟିକେ ତା’ର ଗରଜ ଥିଲା। ତାକୁ ଭୋକ ଲାଗୁଥାଏ। ଭୋର ପାଞ୍ଚଟା ଟ୍ରେନ‌୍‍ ଅଧଘଣ୍ଟା ଲେଟ‌୍‍। ଷ୍ଟେସନ‌୍‍ରେ ଗହଳି। ଧୀରୁ କହିଲା, ‘ବେ ଛୁଆ, ତୁ ମୋ ଠେଲାରେ ରହିବୁ? ଟ୍ୟାପ‌୍‍ରୁ ପାଣି ଆଣିବୁ। ପଦାରେ କୋଇଲା ଭାଙ୍ଗି ଚୁଲା ପାଇଁ ଆଣିବୁ। ବୋଲହାକ କରିବୁ। ତତେ ଖାଇବାକୁ ଦେବି, କପଡ଼ାଲତା ଦେବି। ରହିବୁ?’

 

ଠିକ‌୍‍ ତିନି ଦିନ ଆଗରୁ ସେ ଏକ ନିଯୁକ୍ତି-ପ୍ରସ୍ତାବ ପ୍ରତ୍ୟାଖାନ କରିଥିଲା। ଅବଶ୍ୟ ସେ ପ୍ରସ୍ତାବଟି ଥିଲା ଜଣେ ସମବୟସ୍କର। ‘ଯେତିକି ଆମେ ପାଇବା, ଓସ୍ତାତ ମୋଟେ ଟଙ୍କାରେ ପଚିଶି ପଇସା ନେବ। ଟି.ଟି, ଗାର୍ଡ଼, ପୁଲିସ ସବୁ କଥା ସିଏ ବୁଝିବ। ଭଲ ଲୋକଟେ। ଆଉଗୁଡ଼ାକ ତ ପଚାଶ ପଇସା ନେଇ ଯାଉଛନ୍ତି।’

 

ଧୀରୁ ସାଉ କଥାରେ ସେ ରାଜି ହେଲା। ତା’ ନାଁ ହେଲା, ମୁନା। ନାଁଟିଏ ଯେ ଜଣକ ପାଇଁ ନିହାତି ଦରକାର - ଅଳ୍ପଦିନ ଅଭ୍ୟାସରେ ପଡ଼ିଗଲା ପରେ, ତାହାର ଗୁରୁତ୍ୱ ସେ ଜାଣିପାରିଲା।

 

ଦୁଇ ତିନି ଦିନ ପରେ ମୁନା ପଚାରିଲା, ‘ମଁୁ ତୁମକୁ କ’ଣ ବୋଲି ଡାକିବି?’

 

‘ବାବୁ ଓ ମାଲିକ‌୍‍ ଛାଡ଼ି ଯାହା ଡାକିଲେ ବି ଚଳିବ।’

 

‘ବାପା ଡାକିବି?’

 

ଧୀରୁ ସାଉ ଏମିତିକା ଅସମ୍ଭବ ପ୍ରସ୍ତାବରେ ଚମକି ପଡ଼ିଲା। କହିଲା, ‘ହଉ ଡାକ।’

 

ପାର୍ସଲ ଗୋଦାମ କଡ଼ରେ ଧାଡ଼ି ହୋଇ ଥୁଆ ହୋଇଥିବା ହମାଲ‌୍‍ମାନଙ୍କ ବାକ୍ସ ପଛରେ ବାରମ୍ୱାର ସ୍ଥାନ ପରିବର୍ତ୍ତନ କରି ଲୁଚାଇ ରଖୁଥିବା ନିଜର କିଛି ଜିନିଷ ସେ ନିର୍ବିଘ୍ନରେ ସାଉର ଖାବାର ଠେଲାକୁ ନେଇ ଆସିଲା। ବିଶେଷତ୍ୱ ନଥିବା ତିନି ଚାରି ଖଣ୍ଡ ପୋଷାକ ଭିତରେ ଥିଲା, ଫୁଙ୍କିଲେ ପବନ ପଶି ବଢ଼ି ଯାଉଥିବା ଗୋଟିଏ ନରମ ପ୍ଳାଷ୍ଟିକ‌୍‍ର ବଡ଼ ଠେକୁଆ।

 

ସାଉ ପଚାରିଲା, ‘ଏଇଟା ତୁ କୋଉଠୁ ଚୋରି କରିଚୁ କି ବେ?’

 

‘ନାଇଁ। ବହୁତ ଦିନ ହେଲାଣି। ଓଭର ବ୍ରିଜ‌୍‍ ଉପରୁ ଛୁଆଟେ ପକେଇଦେଲା। ସେମାନଙ୍କ ଗାଡ଼ି ପ୍ଳାଟ‌୍‍ଫର୍ମ ଛାଡ଼ିବା ଛାଡ଼ିବା ହେଉଥାଏ। ବଡ଼ମାନେ ତଳକୁ ଟିକେ ଅନେଇଲେ। ତରତର ହୋଇ ଚାଲିଗଲେ। ମୁଁ ଲାଇନ‌୍‍ରୁ ଗୋଟେଇ ଆଣିଲି। ତଳେ ଗୋଟେ ଠିପି ଅଛି। ଖୋଲିଦେଲେ ପବନ ବାହାରିଯାଏ। ଫୁଙ୍କି ଦେଲେ, ଠେକୁଆ ହୋଇଯାଏ। ଦେଖିବ?’

 

‘ଭାକ‌୍‍, ଥାଉ। ରାକୁ ମିଆଁ ଦେଖିଲେ କହିବ, ତୁ ତା’ ଠେଲାରୁ ଚୋରି କରିଚୁ। ରଖି ଦେ।’

 

କିଛି ଦିନ ଭିତରେ ମୁନା ଜାଣି ପାରିଲା, ରେଳ ଷ୍ଟେସନ ହେଲେ ବି ଖାବାର ଠେଲାର କିଛି ପର‌୍‍ମାନେଣ୍ଟ‌୍‍ ଗରାଖ ଅଛନ୍ତି। ଷ୍ଟେସନ ମାଷ୍ଟର ଅଫିସ‌୍‍, ରେଳବାଇ ଥାନା, ଗାର୍ଡ଼ ରୁମ‌୍‍, ହୁଇଲର ଦୋକାନ ଇତ୍ୟାଦି। ଚା’ କପ‌୍‍ ଦି’ ଟଙ୍କା। ବାବୁମାନଙ୍କ ପାଇଁ ବେଶୀ ଦୁଧ ଦେଇ ସାଉ ଗୁଜୁରାତି ପକେଇ  ଚା’ କରେ। କପ‌୍‍ ଟଙ୍କାଏ। ବରାଦ ଅନୁଯାୟୀ ମୁନା ବାବୁମାନଙ୍କ ଅଫିସ‌୍‍ରେ ପହଞ୍ଚାଏ। ପରେ ଯାଇ ଝୁଠା ଗିଲାସ ଆଣେ।

 

ଦିନେ ଭୋରରୁ ସାଉ ପହଞ୍ଚି ଦେଖିଲା ମୁନା ସକେଇ ସକେଇ କାନ୍ଦୁଛି।  ନିଜ କାମ ବି ସାରିନି। ସେ ଚିଡ଼ିଗଲା। ଆଞ୍ଚ ଲାଗିବ କେତେବେଳେ? ବମ୍ୱେ ଏକ୍ସପ୍ରେସ‌୍‍ ଆସିବ। ସବୁଦିନେ ରାତିରେ ଦି’ ଜଣଯାକ ସାଉର ଝୁମ୍ପୁଡ଼ିକୁ ଯାଆନ୍ତି। ରୋଷେଇବାସ କରନ୍ତି। ଖାଇ ସାରି ମୁନା ଫେରିଆସେ ଷ୍ଟେସନ‌୍‍କୁ। ଠେଲାରେ ତାଲା ପଡ଼ିଥାଏ। ପାଖ ପ୍ଳାଟଫର୍ମ ବେଞ୍ଚରେ ସେ ଗଡ଼ି ପଡେ଼। ଟି.ଭି. ଆଡ଼କୁ ଅନେଇ ଅନେଇ ନିଦ ଆସିଯାଏ ତାକୁ। ସାଉ ଆସିବା ଆଗରୁ ମୁନା କୋଇଲା ଆଞ୍ଚଟା ସଜାଡ଼ି ରଖିଥାଏ।

 

‘କାଇଁ କାନ୍ଦୁଚୁ ବେ? କ’ଣ ହେଇଚି ତୋ’ର?’

 

ସାଉ ବେଶି ଚିଡ଼ିଲା। ମୁନା ନିଜ ପକେଟରୁ ମଇଳା ପାଞ୍ଚ ଟଙ୍କିଆ ନୋଟ‌୍‍ ଖଣ୍ଡିଏ କାଢ଼ି ସାଉ ହାତକୁ ବଢ଼େଇ ଦେଲା। କହିଲା, ‘ପାର୍ସଲ ବାବୁ... ହରି ଦାସ।’ ପୁଣି କାନ୍ଦିଲା।

 

ଧୀରୁ ମୁନାକୁ ନିଜ କତିକି ଟାଣି ନେଲା। ତା’ ପିଠି ଆଉଁଶି ଦେଲା। କହିଲା, ‘ଆଜିଠୁଁ ଘରେ ତୁ ଘରେ ଶୋଇବୁ।’

 

ସାଉର ଜୀବନ ସ୍ରୋତ ଏକ ବିଚ୍ଛିନ୍ନ ଜଳରାଶି। ଅଚଳ, ବଦ୍ଧ, ସ୍ଥବିର। ଲହଡ଼ି ଦେଖିବାକୁ  ଇଚ୍ଛା। ସେଥିପାଇଁ  ନିଜ ପରିଧି ନାହିଁ ବା ସେଠାକୁ ଆସେନା ପ୍ରକୃତିର କୌଣସି ଲୀଳା। ଅତି ନୁଆଁଣିଆ ଜୀବନ ଭିତରେ ଇଚ୍ଛାମାନଙ୍କର ଉଞ୍ଚା ଉଞ୍ଚା ଡାଳ। ଦେଖିପାରିଲେ ଅବଶ୍ୟ ତାକୁ ଭଲ ଲାଗନ୍ତା ଯେ ... ଥାଉ।

 

ଯାହାକୁ ନେଇ ସେ ଏକଦା ଘର ବସେଇଲା ତା’ ରୂପ-ରାସକୁ ଘେରି ଆଉରି କେତେ ଭଅଁର ଉଡ଼ିଲେ। ସିଏ ବି ଦିନେ ନୀଡ଼ ଛାଡ଼ି ଉଡ଼ିଗଲା। ଜୀବନଟା ତାକୁ ଛି ଲାଗିଲା। ସେ ମାଇକିନା କହିଲା କ’ଣ ନା, ‘ଏ ପୁଅ ତୋ’ ଆଡ଼ୁ ନୁହେଁ।’ ସେତେବେଳକୁ ପ୍ରାୟ ଦେଢ଼ ବର୍ଷ ହୋଇଥିବା ଛୁଆଟିକୁ ସେ ଖୁବ‌୍‍ ଗେହ୍ଳା କରୁଥିଲା। ବାପପଣିଆର ଏକ ଉଦ୍ଧତ ପତିଆରା ସାବ୍ୟସ୍ତ କରିବାକୁ ସେ ଯଥାସମ୍ଭବ ବସ୍ତିଟା ସାରା ପିଲାଟିକୁ କାନ୍ଧରେ ବସେଇ ବୁଲାଉଥିଲା।

 

ସେତେବେଳେ ଧୀରୁ ସାଉ ପାଗଳପ୍ରାୟ ହୋଇଯାଇଥିଲା। ଖର୍ଚ୍ଚବାର୍ଚ୍ଚ କରି ସେ ନିଲଠଙ୍କ ପରି ପଞ୍ଚାୟତ ଡାକିଲା। କିଛି ହେଲାନି। ବରଂ ପଞ୍ଚାୟତ ବାଣୀ ଶୁଣାଗଲା : ପାଣ୍ଡବମାନେ କାହା ପୁଅ ସେ କଥା ବୁଝେଇ ସୁଝେଇ ବ୍ୟାସଦେବ କହିଲେ ବୋଲି ସିନା, ନ ହେଲେ ମା’ର ପ୍ରମାଣବଚନ ଠାରୁ ସନ୍ତାନର ଅଧିକ ପିତୃ-ପରିଚୟ କ’ଣ?

 

ସେ ଖାନିକୀ ଏବେ ଡିଜେଲ କଲୋନୀରେ ରହୁଛି ଯେ। ବୁଢ଼ୀ ହେଲାଣି। ଡେଣାରେ ବଳ ନାହିଁ। ଆଉ ଉଡ଼ି ପାରୁନି। ପ୍ରଚୁର ଗେହ୍ଲା କରିଥିବା ଧୀରୁର ପୂର୍ବତନ ପୁତ୍ର, ଏବେ କୁଆଡେ଼ ଗୋଟେ ବଡ଼ ପକେଟ‌୍‍ମାର ହୋଇଛି। ଧୀରୁ ସାଉ ନିଜ ଜୀବନର ଏଇ ଅଧ୍ୟାୟଟିକୁ ଯଥା ସମ୍ଭବ ଭୁଲି ଯାଇଛି।

 

ସାଉ ଓ ମୁନା ଗପସପ ହୁଅନ୍ତି।

 

‘ବାପ କିଏ ଜାଣି ନ ଥିବୁ, ଠିକ‌୍‍ ଅଛି। ମା’ କଥା ମନେ ନାହିଁ, ତାହେଲେ ତୁ ବଢ଼ିଲୁ କେମିତି? ତୋ’ ମା କାହା ସାଙ୍ଗରେ ପଳେଇଲା କି?’

 

ମୁନା ବୋକା ଭଳି ଅନାଇ ରହିଲା। ଯେମିତି, ତା’ ବୟସରେ ସିଏ ଯେତିକି ଜାଣେ ବା ଯେତିକି ମନେ ରଖିପାରିଛି ବା ଯେତିକି କହି ପାରିବ, ତାହା ଧୀରୁ ସାଉ ପ୍ରଶ୍ନର ପର୍ଯ୍ୟାପ୍ତ ଉତ୍ତର ହୋଇ ନ ପାରେ। କହିଲା, ‘ମୋର ଗୋଟେ ବଡ଼ ଭାଇ ଥିଲା। ମନେ ପଡ଼ୁଛି, ସିଏ ମୋ କଥା ବୁଝୁଥିଲା। ମୁଁ ତା’ ସାଙ୍ଗରେ ବୁଲୁଥିଲି। ଗୋଟେଇ କରି ଆଣୁ କି ଚୋରି କରୁ, ମୋ ଖାଇବା ଖବର ସିଏ ବୁଝୁଥିଲା। ମୋତେ ଗୋଧୋଇ ଦେଉଥିଲା.....।’ କଥା କହୁ କହୁ ମୁନାର ଆଖି ଜକେଇ ଆସିଲା। ସେ କହିଲା, ‘ବମ୍ୱେ ମେଲ‌୍‍ରେ ତାକୁ ଟି.ଟି. ଠେଲିଦେଲା। ଲାଇନ‌୍‍ ଉପରେ ପଡ଼ିଗଲା। ଗାଡ଼ି ଚଢ଼ିଗଲା। ତୁମେ ଶୁଣିନ?’

 

‘ତୁମେ ଶୁଣିନ?’ - ଏଇ କଥାଟିକୁ ମୁନା ଏମିତି କହୁଥାଏ, ସତେ ଯେମିତି ତା’ ଭାଇ ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ଅଳିଅଳ ପୁଅ ଏବଂ ସେଇ ଦୁର୍ଘଟଣା ଯୋଗୁ ପ୍ରଚାର ହୁଲସ୍ତୁଲ ହୋଇଯାଇଥିଲା!

 

ରେଳ ଦୁର୍ଘଟଣାରେ ନିଜ ଭାଇର ଚିରା ଶରୀରଟି ବିଷୟରେ ବର୍ଣ୍ଣନା କରୁଥାଏ ସେ। ବିଭତ୍ସ ତଥା କରୁଣ। ତଥାପି ନିର୍ଲିପ୍ତ। ଭାଇ ନ ଥିବା ସମୟର ଦୁଃଖ ବି କହିଲା। ‘ଆଉ ସେ ଷ୍ଟେସନ‌୍‍ ଭଲ ଲାଗିଲାନି। ଗଲା ଶୀତଦିନେ ଏଠିକି ପଳେଇ ଆସିଲି। ତୁମେ ନ ଡାକିଥିଲେ କୋଉ ଓସ୍ତାଦ ଦଳରେ ମିଶି ଭିକ ମାଗୁଥା’ନ୍ତି। ମୋଟେ ଚୋରି କରି ନ ଥାନ୍ତି।’

 

ଚୋରି ନକରିବାର ମୌଳିକ ମାନସିକତା ମୁନାର ରହିଛି। ତା’ ବାପା ଡ଼ାକ ସହିତ ସାଉ ଅଭ୍ୟସ୍ତ ହୋଇଗଲାଣି। ତାକୁ ଖୁସୀ ଲାଗୁଥାଏ। ବେଉଆରିସ‌୍‍ ବାପ ପଦ ଠାରୁ ମୁନାର ଉପସ୍ଥିତି କୋଉ ବାଟେ ଯେ ଖରାପ? ସ୍ମୃତି ବା ସ୍ଥିତି, କେଉଁ ଗୋଟିକ ଅଧିକ ଆଦରଣୀୟ, ଏମିତିକା ତତ୍ତ୍ୱ ସାଧାରଣତଃ ଧୀରୁ ସାଉମାନଙ୍କ ଜୀର୍ଣ୍ଣ ଜୀବନ ପ୍ରଣାଳୀରେ ଖାସ‌୍‍ କିଛି ବିପିାତ ସୃଷ୍ଟି କରେ ନାହିଁ।

 

‘ତୋ ଭାଇ କୋଉ ନାଁରେ ଡ଼ାକୁଥିଲା?’

 

‘ଛୁଟ‌୍‍କା।’

 

‘ତୁ ମତେ ସେକଥା କହିଲୁନି କାହିଁକି?’

 

‘ଭାଇ ପରେ ମୋତେ ଆଉ କେହି କିଛି ଡାକି ନ ଥିଲେ। ତୁମେ ମୁନା ଡ଼ାକିଲ। ଭାରି ଭଲ ଲାଗିଲା।’

 

ସାଉ ନିଜ ଅତୀତ ସଂପର୍କରେ ସଜାଡ଼ି ସଜାଡ଼ି କହେ। ଖାଲି ଦେହ ପାଇଁ ନୁହେଁ, ମନ ପାଇଁ ବି ଖୁବ‌୍‍ ଆଶ୍ରା ଦରକାର। ଦୁଇଜଣଙ୍କ ମିଳାମିଶା ଭିତରେ ଏଇ ସୂତ୍ରଟି ସହଜରେ ବାରି ହୋଇ ପଡ଼ୁଥାଏ।

 

‘ତୁ ଟିକେ ବଡ଼ ହୋଇ ଯା’, ଦୋକାନଟା ଦିନ-ରାତି କରିଦେବା। ରାତିରେ ଚା’-କଫି ଭଲ ବିକ୍ରି ହୁଏ। କୋଲ‌୍‍ଡ‌୍‍ଡ୍ରିଙ୍କ‌୍‍ ବାଲା ବି କହୁଚି ହପ୍ତାକିଆ ବାକି ଦବ। ହେଲେ, ଏତେ ଝାମେଲା କ’ଣ ମୁଁ ଏକା ପାରିବି?’

 

ଥରେ, ଲାଇସେନ୍ସ ପୋର୍ଟରେ ରାମ ସହାୟ ନିଜର ବିଲା ହଜିବା ଏବଂ ତାକୁ ମୁନା ଚୋରି କରିଥିବା ଅଭିଯୋଗ ସେ କଲା। ପିତଳ ଖଣ୍ଡେ। ଧାତୁ ମୂଲ୍ୟ ଯାହା ହୋଇଥାଉ ନା କାହିଁକି, ତା’ ସହିତ ଲାଇସେନ୍ସ ନମ୍ୱର। ଗୋଟେ ପ୍ରକାର ମର୍ଯ୍ୟାଦା।

 

ସେ କହିଲା - କାହିଁକି ହଜିବ ନା? ଏପରି ବେଅକଲ ଯୁକ୍ତି ଠାରୁ ପୋର୍ଟରମାନଙ୍କ ଅଭିଯୋଗ ଥିଲା ଆହୁରି ବଳବତ୍ତର : ସେ ଶଳା ହାରାମୀ ବଚ୍ଚା କାହିଁକି ଚୋରି କଲା ନା?

ଷ୍ଟେସନ‌୍‍ରେ ସାଉର ଓଜନ ରହିଥାଏ। ମୁନା ସପକ୍ଷରେ ସେ ଧାଡ଼ି ଧାଡ଼ି ସତ୍ୟପାଠ ପରି ହୃଦୟ ବଚନ କହି ଚାଲିଲା। ସାଥୀ ଅନ୍ୟ ଠେଲାବାଲା ତା’ କଥାକୁ ବିଶ୍ୱାସ କଲେ ସିନା କେହି କାନ୍ଧଭିଡ଼ି ପୋର୍ଟରଙ୍କ ବିରୁଦ୍ଧରେ ଠିଆ ହେବାକୁ ଭରସିଲେ ନାହିଁ। ଡୁପ୍ଳିକେଟ‌୍‍ ବିଲା ପାଇଁ ସାଉ ରାମ ସହାୟକୁ ପଚାଶ ଟଙ୍କା ଦେଇଦେଲା।

 

ମୁନା ପାଇଁ ନିଜ ମନରେ ମାୟା ଘେରି ଥବା କାରଣରୁ ସେ ଏପରି ପରାଜୟ ବରଣ କଲା କି? ବା ତାକୁ ସନ୍ଦେହ କଲା କି? ଯେଉଁ ସାଉ ମୁନାକୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଘୋଷଣା କରୁଥିଲା, ସିଏ ନିଜକୁ ନିଜ ବୁଦ୍ଧି ବିଷୟରେ ପ୍ରଶ୍ନ କଲା। 

 

ସେଠି ମୁନା ରହିବା ଦୁଇ ବର୍ଷରୁ ବେଶି ହେଲାଣି। ଦୋକାନ ଦିନ-ରାତି ଖୋଲା ହେଉନଥିଲେ ବି ବ୍ୟବସାୟରେ ଯଥେଷ୍ଟ ଉନ୍ନତି ହେଲାଣି। ଠେଲାର କାୟା ବଦଳି ଯାଇଛି। ତିନି କଡ଼ରେ ଦୁଇ ଥାକ ହୋଇ ସଜାଡ଼ି ରଖାଯାଇଛି ନାନା ପ୍ରକାର ବେକେରି ଆଇଟମ‌୍‍। ଧଳାଧଳା ପ୍ଳାଷ୍ଟିକ‌୍‍ ଜାର‌୍‍ ଭିତରୁ କେତେ ରଙ୍ଗର ପାଉଁରୁଟି, ସ୍ୟାଣ୍ଡଉଇଚ‌୍‍, ବିସ୍କୁଟ, ଚକୋଲେଟ‌୍‍ ଦେଖାଯାଉଛି। ଏବେ ମୁନାର ଠେକୁଆଟି ପବନରେ ଫୁଲି ସୁତାରେ ଝୁଲୁଛି ଠେଲା ଭିତରେ। ଗୋଟିଏ କଡ଼ରେ ଆଇସ‌୍‍-ବକ୍ସ ଓ ନାନା ପ୍ରକାରର କୋଲ‌୍‍ଡଡ୍ରିଙ୍କ‌୍‍ ବୋତଲ। କମର‌୍‍ସିଆଲ‌୍‍ ଇନିସ‌୍‍ପେକ୍ଟର ପାଞ୍ଚ ସାତ ଥର କହି ସାରିଲେଣି, ‘ଧୀରୁ, ତୋ ଲାଇସେନ୍ସ ଫି ବଢ଼ିବ। କାଠ କୋଇଲାରୁ ଗ୍ୟାସ‌୍‍ ଲଗେଇଲୁଣି। ସେଇ ତିରିଶ ଟଙ୍କାରେ ଚଳେଇବୁ ନା?’

 

ଅବଶ୍ୟ କିଛି କରିନାହାନ୍ତି। ଧୀରୁ ନାଳଛେଇ ହୁଏ। ‘ବାବୁ, ରେଳବାଇର କେତେ କୁଆଡେ଼ ପଡ଼ିଚି, କେତେ କୁଆଡେ଼ ଯାଉଚି। ଏ ଗରିବଠୁଁ ଆଉ ପଚାଶ ଷାଠିଏ ନ ହେଲେ କ’ଣ ରେଳବାଇ ବନ୍ଦ ହୋଇଯିବ?’

 

ସାଉ ଦେବାକୁ ସମର୍ଥ, ମାତ୍ର ମୁଲାଇଜା ତାକୁ ଉଦ୍ଧତ କଥା କହିବା ଶିଖାଇ ନାହିଁ। ଆଉରି ବି, ବାବୁମାନଙ୍କ ଅହମିକା ଆଉଁଶିବା ପାଇଁ ନିଜକୁ ଗରିବ ଘୋଷଣା କରିବା ଏକ ଚମତ୍କାର ଉପାୟ, ଏମିତିକା ଢଙ୍ଗ ସାଉମାନେ ଜାଣନ୍ତି।

 

ବୟସ ତୁଳନାରେ ମୁନା ବେଶ‌୍‍ ସିଆଣିଆ ଜଣାପଡ଼ୁଥାଏ। ସେ ମାଲ‌୍‍ଗୋଦାମ ଯାଇପାରୁଚି। ଷ୍ଟେସନ‌୍‍ ପରି ଜାଗାରେ ଗରାଖଙ୍କଠୁଁ ପଇସା ହିସାବ କରି ରଖିପାରୁଛି। ତଥାପି ସାଉର ଏକାକୀ ମନ ଦୁଇ ପରସ୍ତ ହୋଇଯାଏ। ଗୋଟିଏ ଆରଟିକୁ ମଇଳା କରିଦିଏ।

 

ଯେତେହେଲେ ମୁନା ତା’ର ପୁଅ ନୁହେଁ।

 

ଦିନେ ଷ୍ଟେସନ‌୍‍ରେ ନାଇଁ ନ ଥିବା ଅବସ୍ଥା। ସବୁ ଗୁମ‌୍‍ସୁମ‌୍‍। ଆତଙ୍କ ମାଡ଼ି ବସିଥାଏ। ଏ ସହରରେ ଏତେ ପୁଲିସ? ସ୍ୱଚକ୍ଷୁରେ ନ ଦେଖିଲେ କେହି ବିଶ୍ୱାସ କରି ପାରି ନଥା’ନ୍ତେ। ଷ୍ଟେସନ‌୍‍ଟା କାହିଁକି କେଜାଣି ସୈନ୍ୟ ଛାଉଣୀ ପରି ହୋଇଥାଏ।

 

ଘଟଣାଟି ଥିଲା ଏହିପରି। ରେଳବାଇ ବୋର୍ଡ଼ର ଜଣେ ବଡ଼ ହାକିମଙ୍କ ପନିୀ ହାଓଡ଼ା ଯିବାପାଇଁ ଷ୍ଟେସନ‌୍‍ରେ ପହଞ୍ଚନ୍ତି। ସମସ୍ତ ସଜିଲ ସହ ଭଦ୍ରମହିଳା ବିଶ୍ରାମ ନେଉଥା’ନ୍ତି। ଗାଡ଼ି ପହଞ୍ଚିବା ସମୟ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ୱ ବିଳମ୍ୱ ହୁଅନ୍ତେ ସେ ଶୀତଳ ପାନୀୟ ପିଇବାକୁ ପ୍ଳାଟଫର୍ମକୁ ଗଲେ। ଅତିଥି କକ୍ଷକୁ ଫେରିବାର ଅନେକ ମସୟ ପରେ ଭଦ୍ରମହିଳା ଅତ୍ୟନ୍ତ ବିଚଳିତ ହୋଇ ନିଜ ଭ୍ୟାନିଟିବ୍ୟାଗଟି ହଜି ଯାଇଥିବା ବିଷୟ ଘୋଷଣା କଲେ। ତାଙ୍କ ବ୍ୟସ୍ତତା ହିଁ ସୂଚେଇ ଦେଉଥାଏ - ଟଙ୍କା ବ୍ୟତୀତ ଏପରି ଆଉ କିଛି ସେଥିରେ ଥିଲା, ଯାହା ସେ କହିବାକୁ ଇଚ୍ଛା ପ୍ରକାଶ କରୁନାଁହାନ୍ତି।

 

ଭଦ୍ରମହିଳା କହିଲେ, ‘ଆପଣମାନେ ଯଦି ଖୋଜି ପାଉନାହାନ୍ତି ମୁଁ ଟିକେ ମିଷ୍ଟରଙ୍କୁ ଫୋନ‌୍‍ କରେ।’ ରେଳବାଇ ତଥା ପୁଲିସ ପ୍ରଶାସନର ନାନାବିଧ ଉଦ୍ୟମ ଜାହିର‌୍‍ ଥାଇ ସୁଦ୍ଧା ବ୍ୟାଗ ମିଳୁ ନ ଥାଏ। ଖୋଜିବା ଉଦ୍ୟମ ତୀବ୍ରତର କରାଗଲା। ଅଘୋଷିତ ଭାବେ ବିଳମ୍ୱିତ ରେଳଗାଡ଼ିକୁ ଆଉରି ଘଣ୍ଟାଏ ରଖି ଦିଆଗଲା। ଭଦ୍ରମହିଳା ରେଳଯାତ୍ରା ବାତିଲ କରିଦେଲେ ପଛେ, ବ୍ୟାଗ ମିଳିଲା ନାହିଁ।

 

ଅଫିସରମାନେ ଚାହୁଁଥା’ନ୍ତି, ସେ ସ୍ୱାମୀଙ୍କୁ ଜଣାଇବା ପୂର୍ବରୁ ବ୍ୟାଗଟି ମିଳିଯାଉ। ତାହା ଆଦୌ ହେଉ ନ ଥାଏ।

 

ରେଳବାଇ ପୁଲିସ ଏବଂ ଅଫିସରମାନେ ଇତସ୍ତତଃ ହେଉଥିବା ଅବସ୍ଥାରେ ଭଦ୍ରମହିଳା ମନେ ପକାଇ ପାରିଲେ ଯେ ସେ ନିଜ ବ୍ୟାଗଟିକୁ ଶୀତଳ ପାନୀୟ ପିଉଥିବା ବେଳେ ସମ୍ଭବତଃ ସେଇ ଦୋକାନରେ ଛାଡ଼ି ଦେଇଛନ୍ତି। ପ୍ରାୟ ଏକାପରି ଦେଖା ଯାଉଥିବା ପାଞ୍ଚ ସାତଟି ଷ୍ଟଲ‌୍‍ରୁ ସେ କେଉଁଠି ପିଇଛନ୍ତି ତାହା ହୁଏତ ମନେ ପକାଇ ପାରି ନ ଥାନ୍ତେ, ମାତ୍ର ସେଇ ଦୋକାନରେ ଗୋଟିଏ ଛୋଟ ପିଲା ବିଷୟ ତାଙ୍କର ମନେ ପଡ଼ିଯିବାରୁ, ଭଦ୍ର ମହିଳାଙ୍କ ବିବରଣୀ ସହିତ ସାଉ ହିଁ ଏକା ଯୋଡ଼ି ହୋଇଗଲା।

 

ଜି.ଆର.ପି. ହାଜତରେ ସାଉ ଓ ମୁନା। ଭ୍ୟାନିଟି ବ୍ୟାଗ‌୍‍ ଖୋଜିବାର ତନ୍ମୟ ନିଷ୍ଠା ଯୋଗୁ ତା’ ଘର ଓ ଦୋକାନକୁ ନାରଖାର କରି ଦିଆଗଲା। ମୁନାର ଠେକୁଆଟିକୁ ମଧ୍ୟ ସେମାନେ ଦି’ ଫାଳ କରି ଚିରି ଫୋପାଡ଼ିଦେଲେ। ଥାନା ବାବୁଙ୍କ କୁର୍ସିରେ ଏବେ ଆଉରି ବଡ଼ ବଡ଼ ପୁଲିସ ବାବୁମାନେ ବସୁଥା’ନ୍ତି। ଥାନାବାବୁ ବୁଲୁଥା’ନ୍ତି ବାତଚକ୍ର ପରି।

 

ଏହିପରି ସ୍ତବ‌୍‍ଧ ବାତାବରଣ ଭିତରେ ପ୍ରାୟ ତିନି ଦିନ ଶେଷ ହେବାକୁ ବସିଛି। ଭଦ୍ରମହିଳା ନିଜ ଯାତ୍ରା ବାତିଲ କରି ସହରରେ ରହିଛନ୍ତି। ଖବର ମିଳିଲା, ତାଙ୍କ ସ୍ୱାମୀ ଖୋଦ‌୍‍ ଆସୁଛନ୍ତି। ଷ୍ଟେସନ‌୍‍ ଅଞ୍ଚଳରେ ତଦାରଖ ଠାରୁ ସତର୍କତା ପର୍ଯ୍ୟନ୍ତ ସବୁ କଥା କେତେ କାହିଁ ବଢ଼ିଗଲା। ମାତ୍ର ଭ୍ୟାନିଟି ବ୍ୟାଗ‌୍‍ ମିଳୁ ନ ଥାଏ।

 

ଜଣେ ଜଣେ ମଣିଷଙ୍କ ପାଇଁ ବିଭୀଷିକାର ସ୍ତୂପ-ସ୍ତର ନିଆରା ନିଆରା। କିଏ ଜନ୍ଦା-ବାଲିରେ ପୋତି ହୋଇ ଅଣନିଃଶ୍ୱାସୀ ହୋଇପଡୁଛି ତ ଆଉ କିଏ ପାହାଡ଼ ଲଂଘି ଯାଏ ଅନାୟସରେ। 

ଜୀବନ ଓ ଯାତନାର ପୌନଃପୁନିକ ଗଣିତମାନ କଷିବାକୁ ବଅସ ହୋଇ ନ ଥିଲା ମୁନା ମନର। ସାଉ ଶରୀରର ଅସଂଖ୍ୟ କ୍ଷତକୁ ଆଉଁଶିବା ପାଇଁ ହାତ ବୁଲେଇବାକୁ ତା’ ମନ ହେଉଥିଲା। ସେ କହିଲା, ‘ବାପା, ଆମେ କ’ଣ ଆଉ ଏଠୁ ଯିବାନି?’

 

‘ଦୂର ଶଳା। ମତେ ବାପା ଡ଼ାକିବୁନି।’

 

ମୁନାର ଦୁଃଖୀ ମନ। ନିଜ କ୍ଷତ ଆଉଁଶିବାକୁ ସେ ଇଚ୍ଛା କରୁ ନ ଥାଏ। ଟ୍ରେନ‌୍‍ ତଳେ ବରଂ ତା’ ଭାଇର ଦୁଇ ଫାଳ ହୋଇ ଚିରି ଯାଇଥିବା ଦେହଟା ତାକୁ ଖୁବ‌୍‍ ସାନ୍ତ୍ୱନା ଦେଉଥିଲା।

କାଲି ବୋର୍ଡ଼ ସାହେବ ଆସିବେ। ସମଗ୍ର ଷ୍ଟେସନ‌୍‍ଟା ସଫା ସୁତୁରା ହୋଇ ଦେଖାଯାଉଚି କ୍ୟାମେରାକୁ ନିଘା ନ ଥାଇ ବାଥ‌୍‍ରୁମ‌୍‍ରୁ ଗୋଧୋଇପାଧୋଇ ଦେହ ପୋଛି ପୋଛି ବାହାରି ଆସୁଥିବା ରୂପସୀ ଚିତ୍ରତାରକାଟିଏ ପରି। ଅସଲ ସଙ୍କଟର ନିରାକରଣ-ଓରଫ‌୍‍-ମୁକାବିଲା କେମିତି ହେବ ସେଥିପାଇଁ ରେଳବାଇ ଥାନାରେ ହାକିମମାନଙ୍କ ମିଟିଙ୍ଗ‌୍‍ ବସିଛି। ଡିଭିଜନ‌୍‍ ଅଫିସରୁ ବଡ଼ ସାହେବ ଏବଂ ରାଜ୍ୟ ପ୍ରଶାସନର ଦୁଇ ତିନି ଜଣ ଅଫିସର ମଧ୍ୟ ସେଇଠି। ଥାନାବାବୁଙ୍କ ସମେତ ଅନ୍ୟାନ୍ୟ ଅଧସ୍ତନ ଅଫିସର ସୂତ୍ର ସନ୍ଧାନ କାର୍ଯ୍ୟରେ ଅସ୍ଥିରପ୍ରାୟ ବୁଲୁଥା’ନ୍ତି।

 

ଥାନାରେ ଏକଦମ‌୍‍ ଗମ୍ଭୀର ନିସ୍ତବ‌୍‍ଧ ବାତାବରଣ। ରାତି ଏଗାରଟା ସରିକି। ଷ୍ଟେସନରେ ଖାସ‌୍‍ ଗହଳି ନଥାଏ।

 

ସିଧାସଳଖ ଥାନା ଭିତରକୁ ପଶି ଯାଉଥିବା ସ୍ତ୍ରୀ ଲୋକଟିକୁ ପହରା ଅଟକାଇ ଦେଲା। ହସି କହିଲା, ‘କୁଆଡେ଼ ଯାଉଚୁ? ବଡ଼ ବାବୁ ନାହାନ୍ତିଁ। ସାହେବମାନେ ମିଟିଙ୍ଗ‌୍‍ କରୁଛନ୍ତି?’

 

ସ୍ତ୍ରୀ ଲୋକଟି କିନ୍ତୁ ପହରା କଥା ମାନିଲାନି। ସାହେବମାନେ ଚକିତ ହୋଇଗଲେ। ଜଣେ ପଚାରିଲା, ‘କିଏ ତୁମେ? ଏଠି କ’ଣ କାମ?’

 

ତା’ ସାଙ୍ଗରେ ଦୁଆର ମୁହଁ ପର୍ଯ୍ୟନ୍ତ ଚାଲି ଯାଇଥିବା ପହରା ଚଉକସ‌୍‍ ସ୍ୟାଲୁଟ‌୍‍ଟାଏ ମାରି କହିଲା, ‘ଥାନାବାକୁଙ୍କ ଚାକରାଣୀ। ସବୁଦିନେ ମିଲ‌୍‍ ଆଣେ। ମୁଁ ମନା କରୁଚି ସେ ପଶି ଆସିଲା. ହଜୁର।’

 

ଦମ୍ଭିଲା ହୋଇ ମାଇକିନାଟା ଠିଆ ହୋଇଥାଏ। ରେଳବାଇ ପୁଲିସ ଅଧ୍ୟକ୍ଷ ପଚାରିଲେ, ‘କ’ଣ ହେଲା?’

 

ସ୍ତ୍ରୀ ଲୋକଟି କହିଲା, ‘ଯୋଉ ବେଗ‌୍‍ ପେଇଁ ଏତେ କଥା, ତାକୁ ମୁଁ ପାଇଚି।’

 

ବମ‌୍‍ ଫୁଟିଗଲା ଯେମିତି! ସମସ୍ତେ ଠିଆ ହୋଇପଡ଼ିଲେ। ହାଜତ ଭିତରେ ମୁନା ଆଉ ସାଉ ବି।

 

ଅଧ୍ୟକ୍ଷ କହିଲେ, ‘କାଇଁ, ଦେଖେଇଲୁ?’

 

ସ୍ତ୍ରୀ ଲୋକଟି ପେଟ ପାଖରୁ ବ୍ୟାଗ‌୍‍ଟି କାଢ଼ି ଟେବୁଲ‌୍‍ ଉପରେ ଥୋଇଦେଲା। ସାହେବମାନେ ଖୋଲି ଦେଖିଲେ। ଭିତରେ ଯାଇତାଇ କାଗଜ ଚାରି ପାଞ୍ଚଟା, ରିଜର‌୍‍ଭେସନ‌୍‍ ରେଳ ଟିକେଟ ଛଡ଼ା ଆଉ କିଛି ନ ଥାଏ। ଏହା ମ୍ୟାଡ଼ାମ‌୍‍ଙ୍କ ବ୍ୟାଗ। ନିଶ୍ଚିତ ହୋଇ ସୁଦ୍ଧା, ତାଙ୍କୁ ସ୍ଥାନୀୟ ଠିକଣାରୋ ଫୋନ‌୍‍ କରାଗଲା। ସେ କହିଲେ : ହଁ ଖଇରିଆ ରଙ୍ଗ ବ୍ୟାଗର ବାମ କୋଣରେ ଇଂଲିଶ‌୍‍ ମେଟାଲ‌୍‍ ଇନିସିଆଲ‌୍‍ ‘ଏମ‌୍‍’। ବନ୍ଦ କରିବାକୁ ଥିବା ବୋତାମରୁ ଟିକେ ରଙ୍ଗ ଛାଡ଼ି ଯାଇଛି।

 

‘ୟା ଭିତରେ ଆଉ କ’ଣ ସବୁ ଥିଲା?’ ଚଢ଼ା ଗଳାରେ ଅଧ୍ୟକ୍ଷ ପଚାରିଲେ ସ୍ତ୍ରୀ ଲୋକଟିକୁ। ବେପରୁଆ ଭାବେ ସେ ଉତ୍ତର ଦେଲା, ‘ମୁଁ ଦେଖିନି।’

 

‘ତୁ ଏଇଟା ପାଇଲୁ କୋଉଠୁ?’

 

‘ମା ଆଜି ସକାଳେ ଫୋପାଡ଼ିବାକୁ ଦେଇଥିଲେ ଅଳିଆ ସହିତ। ମୁଁ ଏଇଟାକୁ ଲୁଚେଇ ରଖି ଦେଇଥିଲି।’

 

‘ଏ ବ୍ୟାଗ ଖୋଜା ହେଉଛି ବୋଲି ତୁ କେମିତି ଜାଣିଲୁ?’

 

‘ଦିନକୁ ଦୁଇ ତିନି ଥର ଷ୍ଟେସନକୁ ଆସେନି କି?’

 

‘ତୋ ନାଁ କ’ଣ?’

 

‘କିଛି ଠିକ‌୍‍ ନାହିଁ। ଏବେ ବାସନ୍ତୀ।’

 

‘ୟା ଭିତରେ ଗୋଟେ ହୀରା ହାର, ଦୁଇଟା କାନଫୁଲ ଓ ଟଙ୍କା ଥିଲା?’

 

‘ଦେଖିନି।’

 

‘ଏଠି ଆସି କହିବାକୁ ତତେ କିଏ କହିଲା?’

 

‘ଆଉ କ’ଣ ତମେ ବାଡେ଼ଇ ବାଡେ଼ଇ ବୁଢ଼ାଟାକୁ, ଛୁଆଟାକୁ ମାରି ଦବ?’

 

‘ସେମାନେ ତୋ’ର କିଏ?’

 

‘ମୁଁ ବାବୁଙ୍କର କିଏ କି?’

 

ଅଧ୍ୟକ୍ଷ ବିରକ୍ତ ହୋଇ କହିଲେ, ‘ଏଇ ମାଇକିନାକୁ ହାଜତରେ ପୂରେଇ ଦିଅ।’

 

ସାଉ ନାରୀ ମୂର୍ତ୍ତିଟିକୁ ଅନେଇଥାଏ। ସବୁଯାକ ଅବୁଝା ଚାହାଣି ତା’ ଆଖିରେ ବସା ବାନ୍ଧିଥାଏ ଯେମିତି। ଟିକିଏ ଆଗରୁ ଖୋଦ‌୍‍ ସାହେବଙ୍କୁ ରୋକ‌୍‍ଠୋକ‌୍‍ ଜବାବ ଦେଉଥିବା ସ୍ତ୍ରୀ ଲୋକଟା ଏ ଭିତରେ ଡରୁଛି କାହାକୁ? କାହିଁକି ସ୍ତ୍ରୀ ଲୋକଟା ମାୟା ଲଗେଇ ଦେଉଚି। ଖୋଲି ଯାଉଚି ଅତୀତର ଅସରନ୍ତି ଫରୁଆ!

 

ମୁନା ବଲ‌୍‍ବଲ‌୍‍ ହୋଇ ୟା ମୁହଁକୁ, ତା’ ମୁହଁକୁ ଚାହୁଁଥାଏ। ଧୀରୁ ସାଉ କତିକି ଆଉଜି ଡ଼ରି ଡ଼ରି ଆଉ ଥରେ ପଚାରିଲା, ‘ବାପା, ଏବେ ଆମକୁ କ’ଣ ଏମାନେ ଛାଡ଼ିବେନି?’

ଧୀରୁ ସାଉ ପିଲାଟିର ମୁଣ୍ଡକୁ ଆଉଁଶୁଥାଏ ଜାକି ଧରି।

 

(ରଚନା - ୧୯୯୭)

ମୋବାଇଲ: ୦୯୪୩୭୧-୯୪୬୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top