ଅର୍କକ୍ଷେତ୍ରର ଅଧିଷ୍ଠାତ୍ରୀ ମା’ ରାମଚଣ୍ଡୀ

News Story - Posted on 2016-09-19

ଅଜିତ କୁମାର ମଲ୍ଲିକ

 

ପ୍ରାଚୀନ ସୂର୍ଯ୍ୟକ୍ଷେତ୍ରର ରକ୍ଷାକର୍ତ୍ତୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ରାମଚଣ୍ଡୀ ଶ୍ରେଷ୍ଠ ଓ ଅଗ୍ରପୂଜ୍ୟା ଦେବୀ। ସେ ଅର୍କକ୍ଷେତ୍ର କୋଣାର୍କର ଅଧିଷ୍ଠାତ୍ରୀ। ମା’ ରାମଚଣ୍ଡୀଙ୍କ ଅବସ୍ଥିତି ଓ ମାହାତ୍ମ୍ୟ ସଂପର୍କରେ ସାରଳା ମହାଭାରତ, ପୁରୁଷୋତ୍ତମ ମାହାତ୍ମ୍ୟ, ମାଦଳା ପାଞ୍ଜି ତଥା ବିଭିନ୍ନ ଐତିହାସିକ ବିବରଣିରୁ ସୂଚନା ମିଳିଥାଏ। ଏତଦବ୍ୟତୀତ କୋଣାର୍କ ଅଞ୍ଚଳର ଲୋକମୁଖରେ ରାମଚଣ୍ଡୀଙ୍କ ସଂପର୍କରେ ଅନେକ କିମ୍ୱଦନ୍ତୀ ପ୍ରଚଳିତ ଅଛି। ଅପୂର୍ବ ପ୍ରାକୃତିକ ଶୋଭାର ଗନ୍ତାଘର ମଧ୍ୟରେ ପବିତ୍ର ମହୋଦଧି କୂଳରେ ମାଆଙ୍କ ପୀଠଟି ରହିଥିବାରୁ ବିଭିନ୍ନ କାବ୍ୟକବିତାରେ ମଧ୍ୟ ଏହାର ବର୍ଣ୍ଣନା ଦେଖିବାକୁ ମିଳେ।

 

ସାରଳା ମହାଭାରତରେ କବିଙ୍କ  ମତାନୁଯାୟୀ ରାମଚନ୍ଦ୍ର ସୀତାଙ୍କ ସନ୍ଧାନରେ ବାହାରି କୋଣାର୍କଠାରେ ସମୁଦ୍ରରେ ଲଙ୍କାକୁ ସେତୁବନ୍ଧ ବାନ୍ଧିବାର କଳ୍ପନା କରି ଏକ ଶୁଭଶିଳା ସ୍ଥାପନ କରିଥିଲେ। ଏହି ଶିଳାକୁ ସେ ଦେବୀ ମନ୍ତ୍ରରେ ପୂଜାର୍ଚ୍ଚନା କରିଥିଲେ। କିନ୍ତୁ ବିଭୀଷଣଙ୍କ ପରାମର୍ଶକ୍ରମେ ସେ କୋଣାର୍କଠାରୁ ସେତୁବନ୍ଧ ନ ବାନ୍ଧି ଦାକ୍ଷିଣାତ୍ୟର ରାମେଶ୍ୱରଠାରୁ ଲଙ୍କାକୁ ସେତୁବନ୍ଧ ବାନ୍ଧିଥିଲେ।

 

ପ୍ରଥମେ ବନ୍ଦଇ ମାଗୋ କୋଣାରକ ଚଣ୍ଡୀ

ମୁଖଗୋଟି ଶୋଭା ତୋର ସିନ୍ଧୁରରେ ମଣ୍ଡି।

ମାଡ଼ିବସିଲୁ  ଦକ୍ଷିଣ ସମୁଦ୍ରର ତୀର

ଉତ୍ତରକୁ ଦ୍ୱାର ମାଗୋ ଅତ୍ୟନ୍ତ ବିସ୍ତାର। 

ଯେଉଁ ଶୁଭଶିଳାଗୋଟି ପୋତିଲେ ଶ୍ରୀରାମ

ଦେବୀମଷ୍ତେ ପୂଜାକଲେ ରାମଚଣ୍ଡୀ ନାମ।

ଶ୍ରୀରାମ ପୂଜନ୍ତେ ରାମଚଣ୍ଡୀ ନାମ ହେଲା

ରାଜନିଯୋଗ ହିଁ ମାଗୋ କିଛି ନ ସ୍ଫୁରିଲା।

(ସାରଳା ମହାଭାରତ- ମଧ୍ୟପର୍ବ ଓ ବନପର୍ବ)

 

ମହୋଦଧି ତୀରେ ଦେବୀ ହରଚଣ୍ଡୀ ମହୋତ୍କଟା,

ଚନ୍ଦ୍ର ଭାଗା ତଟେ ସାକ୍ଷାତ  ରାମଚଣ୍ଡୀ ଶୁଭାନନା।

(ତନ୍ତ୍ରସାର ଗ୍ରନ୍ଥ)

 

ଏରାଜା ସମସ୍ତ ଗୋସାମଣୀଙ୍କୁ ବନ୍ଦୀକଲେ। ଗୋସାମଣୀ, ବିରଜା, କାଳିକା, ରାମଚଣ୍ଡୀ ଓ ସର୍ବମଙ୍ଗଳା ଏ ପାଞ୍ଚଜଣଙ୍କୁ ବନ୍ଦୀ କରିପାରିଲେ  ନାହିଁ। ( ମାଦଳା ପାଞ୍ଜି)

 

ଭଲା ରାମଚଣ୍ଡୀ ଭଲାରେ, କଳାପାହାଡ଼କୁ ଦୁଆରେ ବସାଇ ଭଲା ପାଣି ଆଣି ଗଲାରେ।  (ଲୋକ କବିତା)

 

ରାମଚଣ୍ଡୀ ପୀଠାର ପ୍ରାକୃତିକ ଦୃଶ୍ୟ ଅତୀବ ମନୋହର। ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ, ସାଧକ ତଥା କବି ନୀଳକଣ୍ଠ ବିଦ୍ୟାର୍ଥମାନଙ୍କୁ ବହୁ କଣ୍ଟକିତ ପଥ ଅତିକ୍ରମ କରାଇ ପାଦରେ ଚାଲି ଚାଲି ରାମଚଣ୍ଡୀ ପୀଠରେ ପହଞ୍ଚି ରାତ୍ରୀ ଯାପନ କରିବା ସମୟରେ ଗାଇ ଉଠିଛନ୍ତି :-

 

କି କରାଳ ଆଜି ରଜନୀ ବହେ ଝାଞ୍ଜିପବନ,

ତରା ନ ଦିଶଇ ଗଗନେ ଶୁଭେ ଘନ ଗର୍ଜନ।

କେଉଁ କାଳୁ ମାତା ଆସିଛୁ ରାମଚଣ୍ଡୀ ତୁ ଏଥି,

ରାମଚନ୍ଦ୍ର ପରା ଦଣ୍ଡକେ ହେଲେ ତୋର ଅତିଥି।

 

ମା’ ରାମଚଣ୍ଡୀଙ୍କ ମନ୍ଦିର ଅତି ପ୍ରାଚୀନ। କୁଶଭଦ୍ରା ନଦୀ ଓ ବଙ୍ଗୋପସାଗର ସଂଗମ ସ୍ଥଳରେ ଅବସ୍ଥିତ ଥିବାରୁ ସମୟ କ୍ରମେ ମୁହାଁଣ ମୁହଁର ଗତିପଥ ପରିବର୍ତ୍ତନରେ ମନ୍ଦିରଟି ପୋତି ହୋଇପଡ଼ିଥିଲା। ପରବର୍ତ୍ତୀ ସମୟରେ ପ୍ରାଚୀର ନିର୍ମାଣ ଉଦ୍ଦେଶ୍ୟରେ ଖନନ ବେଳେ ରାମେଶ୍ୱରଙ୍କ ଶିବଲିଙ୍ଗ, କାର୍ତ୍ତିକେଶର, ପାର୍ବତୀ  ଓ ୪ଟି ବୃଷଭ ମୂର୍ତ୍ତି ୧୯୮୨ ମସିହାରେ ବାଲିତଳୁ ମିଳିଥିଲା। ସଂପ୍ରତି ରାମେଶ୍ୱରଙ୍କ ମନ୍ଦିର ନିର୍ମିତ ହୋଇ ତାଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ କାର୍ତ୍ତିକେଶ୍ୱରଙ୍କ ମୂର୍ତ୍ତିଟି ଇତିମଧ୍ୟରେ ଚୋରି ହୋଇଯାଇଛି।

 

ରାମଚଣ୍ଡୀ ମନ୍ଦିର ସମ୍ମୁଖ ଓ ବହିଃ ପାର୍ଶ୍ୱରେ ଅଷ୍ଟଭୂଜା ଦୁର୍ଗା, ବରାହ, ବାମନ ପ୍ରଭୃତି ମୂର୍ତ୍ତିସବୁ ରହିଛି। ପଶ୍ଚିମ ପଟ ବେଢ଼ାରେ ପାର୍ଶ୍ୱଦେବତା ରୂପେ ଗୋଟିଏ ବୁଦ୍ଧମୂର୍ତ୍ତି ରହିଛି। ଯେଉଁଥିରେ ପାଲିଭାଷାରେ ଶିଳାଲେଖ ରହିଛି। ଏହି ଶିଳାଲେଖ ସମ୍ୱନ୍ଧରେ ଏଯାବତ କୌଣସି ଗବେଷଣା ହୋଇନାହିଁ।

 

ମା’ଙ୍କ ଦୈନନ୍ଦିନ ପୂଜାନୀତି ଓ ପର୍ବପର୍ବାଣୀ

 

ମା’ ରାମଚଣ୍ଡୀ  ହେଉଛନ୍ତି ଦଶଭୁଜା ମହିଷମର୍ଦ୍ଦିନୀ ମା’ ଦୁର୍ଗା। ପୂର୍ବକାଳରେ ମା’ଙ୍କ ଏହି ପୀଠ ଏକ ପ୍ରସିଦ୍ଧ ତନ୍ତ୍ରପୀଠ ରୂପେ ଖ୍ୟାତିଲାଭ କରିଥବା କେତେକ ମତ ଦିଅନ୍ତି। ଏହି ପୀଠରେ ମାଆଙ୍କୁ ବନଦୁର୍ଗା ମନ୍ତ୍ରରେ ଦୈନଦିନ ପୂଜା କରାଯାଏ। ଭୋର ୪ ଟାରେ ପହଡ଼ ଖୋଲା ହୁଏ। ମାଆଙ୍କୁ ସୁବାସିତ ଜଳରେ ସ୍ନାନ ଓ ମାଜଣା କରାଯିବା ପରେ ସକାଳ ୫ଟାରେ ବଲ୍ଳଭ ଭୋଗ ଓ ପିଠାଲାଗି କରାଯାଏ। ଏହି ସମୟରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ନିମନ୍ତେ ପହଡ଼ ଖୋଲା ରୁହେ। ମଧ୍ୟାହ୍ନରେ ଅନ୍ନଭୋଗରେ ଖେଚୁଡ଼ି, ଅନ୍ନ, ଡ଼ାଲି, ମାଛଭଜା, ମାଛପୋଡ଼ାବଳି, ମାଛ ତରକାରୀ, ଏଣ୍ଡୁରୀ ପିଠା, ଖଟା ଓ ଖିରି ଭୋଗ ଲାଗି ହୁଏ। ଏହାପରେ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ପହଡ଼ ପଡେ଼। ୧ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଲାଗିରୁହେ। ସଂଧ୍ୟା ୬ଟାରେ ଆଳତି, ୬ଟା ୩୦ରେ ସ୍ନାନ ଓ ବାଳଭୋଗ, ରାତି ୧୦ଟାରେ ରାତ୍ର ଭୋଗରେ ମଧ୍ୟାହ୍ନର ଅନ୍ନଭୋଗ ଖିରି, ଖଟା ଓ ଏଣ୍ଡୁରିପିଠା ପରିବର୍ତ୍ତେ ଦହିପଖାଳ, ପଣା, କାକରା ଆଦି ଭୋଗ ହୋଇଥାଏ। ରାତ୍ର ଭୋଗ ଶେଷରେ କଂସାପାତ୍ରରେ ପଇଡ଼ପାଣିକୁ ମଦ୍ୟ ରୂପେ ମା’ଙ୍କୁ ସମର୍ପଣ କରାଯାଏ। ରାତ୍ର ୧୧ଟାରେ ବଡ଼ସିଂହାର ଧୂପ ଓ ଆଳତି ପରେ ପହଡ଼ ପଡେ଼। ସକାଳ ମଙ୍ଗଳ ଆଳତି ଓ ରାତିରେ ବଡ଼ସିଂହାର ଧୂପ ଆଳତିକୁ  ମିଶାଇ ମାଆଙ୍କ ନିକଟରେ ମୋଟ ୫ଥର ଆଳତି ହୋଇଥାଏ। 

 

ଆଶ୍ୱିନ ମାସର ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମାଆଙ୍କ ନିକଟରେ ଷୋଳପୂଜା ଅନୁଷ୍ଠିତ ହୁଏ। ଏହି ସମୟରେ ଷୋଳଦିନ ବ୍ୟାପି ଦୁଇବେଳା ଚଣ୍ଡୀ ପାଠ ଓ ଷୋଡ଼ଶ ଉପଚାରରେ ପୂଜାନୀତି ସଂପନ୍ନ ହୁଏ। ମହାଷ୍ଟମୀ ରାତି ୩ଟାରେ ପାଞ୍ଚ ପା ଘିଅ ସହିତ ୧୦୮ ବେଲପତ୍ର ହୋମାଗ୍ନିରେ ପୋଡ଼ା ହେବା ( ଆହୁତି) ପରେ ସ୍ଥାନୀୟ ଜମିଦାରଙ୍କ ପ୍ରଦତ୍ତ ଏକ ମେଣ୍ଢାାକୁ ବଳି ପକାଇ ତାର ରକ୍ତ ମା’ଙ୍କୁ ସମର୍ପଣ କରାଯାଇଥାଏ। ପୂର୍ବେ ପ୍ରତ୍ୟହ ଶହଶହ ସଂଖ୍ୟାରେ ଛେଳି ଓ ମେଣ୍ଢାା ବୋଦାଙ୍କୁ ଏଠାରେ ବଳି ଦିଆଯାଉଥିଲା। ଏବେ ତାକୁ ବନ୍ଦ କରିଦିଆଯାଇଛି। ପୌଷମାସ କୃଷ୍ଣପକ୍ଷ ଷଷ୍ଠୀ ତିଥିରେ ଓଢ଼ଣୀ ଷଷ୍ଠୀ, ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ମାଆଙ୍କ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ ହୁଏ। ଚୈତ୍ର ମାସ କୃଷ୍ଣ ପ୍ରତିପଦାଠାରୁ ଅଶୋକାଷ୍ଟମୀ ଓ ରାମନବମୀ ପର୍ଯ୍ୟନ୍ତ ନବଦିନବ୍ୟାପୀ ଚଣ୍ଡୀପାଠ ହୁଏ। ଏହାକୁ ବାସନ୍ତୀ ପୂଜା ବା ନବପତ୍ରିକା ପୂଜା କୁାହଯାଏ।

 

ମା’ଙ୍କ ନିଆରାପର୍ବ ହାଣ୍ଡିଭଙ୍ଗା ଯାତ 

 

ବୈଶାଖ ମାସ ଶୁକ୍ଳ ପକ୍ଷ ଶେଷ ଗୁରୁବାର ମାଙ୍କ ପୀଠରେ ଏକ ନିଆରା ପର୍ବ ହାଣ୍ଡିଭଙ୍ଗା ଯାତ ଅନୁଷ୍ଠିତ ହୁଏ। ନିକଟସ୍ଥ ଟିକନା ଓ ଖାଲକଟାପାଟଣା ଗ୍ରାମର କୁଳବଧୂମାନେ ଏହି ଦିନ ଉପବାସ ବ୍ରତ କରିଥାନ୍ତି। କୁଳବଧୂମାନେ ମା’ଙ୍କ ମନ୍ଦିର ବେଢ଼ାରେ ନୂଆ ମାଟିହାଣ୍ଡିରେ  ଅରୁଆଚାଉଳ, ମୁଗ, ଚିନି, ଘିଅ ଓ ପରିବା ମିଶା ଖେଚୁଡ଼ି ପ୍ରସ୍ତୁତ କରିଥାନ୍ତି। ପ୍ରସ୍ତୁତ ଖେଚୁଡ଼ିର ସିଂହଭାଗକୁ କଦଳିପତ୍ରରେ ବାଢ଼ି ବାଘ ଓ ବାଘୁଣୀଙ୍କ ନିମନ୍ତେ ଦୁଇଟିବାଟୁଳା ରଖିଥାନ୍ତି। ମନ୍ଦିରର ପୂଜକ ଓ ମାଳି ହାଣ୍ଡିରନ୍ଧା କାର୍ଯ୍ୟରେ ସହଯୋଗ କରିଥାନ୍ତି। ପୂଜକ, ମାଳି ଓ କୁଳବଧୂମାନେ ନିଜ ନିଜ ହାଣ୍ଡିକୁ ନେଇ ମାଙ୍କ ପୀଠସଂଳଗ୍ନ ହାଣ୍ଡିଭଙ୍ଗା ବନ୍ତରେ କଚାଡ଼ି  ଭାଙ୍ଗିଥାନ୍ତି। ଏହାପରେ ହାଣ୍ଡିଭଙ୍ଗା ବନ୍ତଠାରୁ ୩୦୦ ମିଟର ଦୂର ହାତଧୂଆ ଝରଣାରେ ହାତଧୋଇ ଆନନ୍ଦ ମନରେ ଘରକୁ ଫେରିଥାନ୍ତି। ଯାହାର ହାଣ୍ଡିର ମୁଣ୍ଡୁଳି ନ ଭାଙ୍ଗିଲା, ବର୍ଷତମାମ ତାର ପରିବାରରେ କୌଣସି ନା କୌଣସି ଅମଙ୍ଗଳ ଲାଗି ରୁହେ ବୋଲି ଦୃଢ଼ ବିଶ୍ୱାସ ରହିଛି। ଗତ ୨୦୦୬ ମସିହାରୁ ହାଣ୍ଡିଭଙ୍ଗା ଯାତକୁ ଆକର୍ଷଣୀୟ ତଥା ସରସ ସୁନ୍ଦର କରିବା ପାଇର୍ ରାମଚଣ୍ଡୀ ଉନ୍ନୟନ କମିଟି ପକ୍ଷରୁ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ,  ତ୍ରିଦିବସୀୟ ଚଣ୍ଡୀଯଜ୍ଞ  ଓ ସାଧାରଣ ସଭାର ଆୟୋଜନ କରାଯାଇ ଆସୁଅଛି।

 

ମା’ ରାମଚଣ୍ଡୀଙ୍କୁ ଦର୍ଶନ କରି ଅଭୀଷ୍ଟ ସିଦ୍ଧି ଉଦ୍ଦେଶ୍ୟରେ ଓଡ଼ିଶାର କୋଣ ଅନୁକୋଣରୁ ବର୍ଷସାରା ଶ୍ରଦ୍ଧାଳୁଙ୍କ ଆଗମନ କୋଣାର୍କକୁ ହୋଇଥାଏ। ପୁରୀ ଓ କୋଣାର୍କ ମନ୍ଦିର ଦର୍ଶନ ଏବଂ ବେଳାଭୂମିର ପ୍ରାକୃତିକ ଶୋଭା ଉପଭୋଗ କରିବାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନେ ପୁରୀ-କୋଣାର୍କ ବେଳାମାର୍ଗ ସଂଲଗ୍ନ ରାମଚଣ୍ଡୀ ପୀଠକୁ (କୋଣାର୍କଠାରୁ ୯ କିମି ଓ ପୁରୀଠାରୁ ୨୭ କିମି ଦୂର) ଅବଶ୍ୟ ଟାଣି ହୋଇ ଆସିଥାନ୍ତି। ବର୍ଷ ତମାମ ପର୍ଯ୍ୟଟକମାନେ ଏଠାରେ ବଣଭୋଜି, ରାମଚଣ୍ଡୀ ନଦୀରେ ନୌକାବିହାର ଓ ବଙ୍ଗୋପସାଗରରେ ସ୍ନାନ କରିବାର ମଜା ଉଠାଇଥାନ୍ତି।

 

ମୋ-୯୨୩୭୫୫୮୮୫୦/୯୦୪୦୬୦୦୨୩୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top