ଉଲମ ବିଲମ୍‌

image

ପ୍ରଶାନ୍ତ ଭୂୟାଁ

 

‘ସତ’ ପାଇଁ ଦୁଇଜଣଙ୍କର ଆବଶ୍ୟକତା ରହିଅଛି, ଜଣେ ‘ସତ’ କହିବା ଲୋକ ଆଉ ଜଣେ ‘ସତ’ ଶୁଣିବା ଲୋକ...!

ଆଉ ତା’ଠାରୁ ତାତ୍ପର୍ଯ୍ୟପୂର୍ଣ୍ଣ ହେଲା, ଏ ଦୁହେଁ ‘ସତ’କୁ ବୁଝିବା ଲୋକ ମଧ୍ୟ ହୋଇଥିବେ । କାରଣ, ‘ସତ’କୁ ଯଦି ‘ସତ’ରେ ‘ସତ’ ଭଳି ସତସତିଆ କହିଦିଆ ଯାଇ ପାରୁଥାଆନ୍ତା, ତେବେ ‘ସତ’ କ’ଣ ‘ସତ’ରେ ‘ସତ’ ହୋଇ ରହିନଥାନ୍ତା ...???

ଆଜ୍ଞା ଆପଣେ; ଏଇ କଥାକୁ ମଥାନରେ ରଖି, ମୋ କଥା ନେଖି ବସିଛି। ପଢ଼ି ବୁଝନ୍ତୁ ଅବା ବୁଝି ପଢ଼ନ୍ତୁ; ହେଲେ ବୁଝନ୍ତୁ!

ରଜାଟିଏ । ଉଆସରେ ଶାନ୍ତିରେ ଶୋଇଥାଏ । ଦୁଆରୀ ଧାଇଁ ଆସି ରଜାକୁ ଉଠେଇଲା । ଛାନିଆ ହୋଇ ରଜା ଉଠିଲେ । ବାଉଳି ବିତାଳିଆରେ ଗୁରାଳି କଲେ ।

“କି କଥା ! କିସ ପେଇଁ ଉଠେଇଲୁ ପାମର।”

ଦୁଆରୀ ଠାରିଲା ପ୍ରହରୀ ଆଡ଼େ। ପ୍ରହରୀ ଧଇଁ ପେଲିଲା ପେରିକା ହୋଇ କଇଲା, “ମଣିମା, ପଡ଼ିଶା ରାଜ୍ୟର ରଜା ଚଢ଼ଉ କରିଛି । ଘେରି ହେଇଗଲାଣି ଆମ ରାଇଜ । କିସ କରିବା କୁହ । ଏଥକୁ କିଛି କୁଆଯାଉ ମଣିମା । ନହେଲେ ସବୁ ଭାସିଯିବ; ଛାରଖାର ହୋଇଯିବ ରାଇଜ ।”

ରଜାର ବାଉଳି ଆଉ ନିଦର ଅକଲ ଗୁଡ଼ୁମ୍‌ । ସବୁ ସେନାନୀକୁ ଏକାଠି କରି ନେଢ଼େଇ କଲା । ଗୁଣ୍ଡିଆକୁ ପାଣି କରି ପକେଇଲା । ରକତ ସବୁ ପାଣି ପରି ବୋହିଗଲା । ଏଇ ଭଳି ଅଚାନକ ନେଢ଼େଇକୁ ଆଉ ପାରିଲାନି ବାପୁଡ଼ା । ହାରିଗଲା । ତାକୁ ବାନ୍ଧି ନେଇଗଲେ ପଡ଼ିଶା ରାଇଜର ନୋକେ । ଜିତାଣିଆ ରଜା ଆଗରେ ତାକୁ ହାଜିର କରାଗଲା । ସେଇ ରଜା କହିଲା, “ଇଏ ବି ରଜା ଥିଲା। ୟାକୁ ଅବା କି ଦଣ୍ଡ ଦେବି ! ଏଣୁ ୟାକୁ ନିର୍ବାସନ ଦଣ୍ଡ ଦିଆଯାଉ ।”

ଏହା କହି ତାକୁ ସେନାପତି ଦ୍ୱାରା ରାଇଜରୁ ତଡ଼ିଘୋଡ଼ି ଦେଲା । ତହୁଁ ଏଇ ରାଜା ଏଣେତେଣେ ପାଗଳ ପ୍ରାୟେକ ବୁଲିଲା । ଅବସ୍ଥା ଏପରି ହେଲା ଯେ ଭୋକଶୋଷରେ ହାତ ପତାଇଲେ ଆପଣା ଲୋକ ମଧ୍ୟ ଜିତାଣିଆ ରଜା ଡରରେ ପାଣି ଆଞ୍ଜୁଳାଏ ମଧ୍ୟ ଦେଲେ ନାହିଁ । କରମ ଆଦରି ରହିଲା ବିଚରା ।

ଦିନକର କଥା ରାଜା ଶୁଣିବାକୁ ପାଇଲା ଯେ, ଜଣେ ଧନୀଲୋକ ରଙ୍କି ଭୋଜନ ଦେଉଛି । ଅନେକ ଦୁଃଖୀରଙ୍କିଙ୍କ ସହ ସେ ମଧ୍ୟ ଯାଇ ଲମ୍ବାଧାଡ଼ିରେ ଠିଆ ହେଲା ମୁଠାଏ ଖାଇବାକୁ । କରମହୀନ ତାର; ଧାଡ଼ି ତା ନିକଟକୁ ଆସିଲା ବେଳକୁ ଅନ୍ନଛତ୍ର ସରିଗଲା । ଅନ୍ନ ପରଷୁଥିବା ମଣିଷର ରଜାର ଭୋକଶୋଷରେ ଆଉଟୁପାଉଟୁ ହେବା ଅବସ୍ଥା ଦେଖି, ହଣ୍ଡାହାଣ୍ଡି ତଳେ ଥିବା ପେଜ ମନ୍ଦେ ତା ଗିନାରେ ଢାଳିଲା । ସେଇ ହାଣ୍ଡିତଳିଆ ପେଜ ମୁନ୍ଦେ ପାଇ ଅତି ହରଷରେ ତାକୁ ନେଇ ଗଛ ମୂଳକୁ ଯିବା ବାଟରେ ଛଞ୍ଚାଣଟିଏ ସେଇ ଗିନାକୁ ଝାମ୍ପିବାକୁ ଉଡ଼ି ଆସନ୍ତେ ରାଜା ହଡ଼ବଡ଼େଇ ଗଲା । ଏଇ ଗିନାଏ ପେଜକୁ ଘୋଡ଼େଇବାକୁ ଯାଇ ନିଜେ ବିଚରା ପଡ଼ିଲା କାଦପଙ୍କରେ । ଭାଗ୍ୟର ତାଡ଼ନାରେ ରଜା କାନ୍ଦକାନ୍ଦୁଣିଆ ହେଲା ।

ଚାଇଁକିନା ନିଦ ଭାଙ୍ଗିଗଲା ରଜାର । କି କଥା !! ସପନ ଦେଖୁଥିଲା ସେ । ଆଶିର୍ଯ୍ୟର କଥା । ଝାଳନାଳ ହେଇ ଯାଇଛି ସାରା ଦିହ । ଧଁସଁ ହୋଇ ବସିଲା ହାତୀଦାନ୍ତ ପଲଙ୍କ ଉପରେ ।

ସତସତିକା ଦୁଆରୀ ଧାଇଁ ଆସିଲା ରଜାର ଏ ଦଶା ଦେଖି । ରଜା ରାଜୁଡ଼ା ଲୋକ । ବସି ଥରୁଛି ମାଘ ପାହାନ୍ତିଆରେ ଜାଡ଼ିଲା ପରି । ଡରିମରି ପଚାରିଲା ରଜାକୁ, “ମଣିମା! କଣ ଗନ୍ଧିଆ ସପନ ଦେଖିଲେ କି ମାହାପୁରୁ !”

ରଜାର ମନ ଚଇତନରେ ଗଲାନି ଏଇ କଥା ଦୁଆରୀର । ସେ ଲମ୍ବା ନିଃଶ୍ୱାସ ନେଇ ଝରକା ବାହାରକୁ ଅନେଇ ବାଉଳି ହେଲା ଭଳିଆ ବୋଲିଲା, “ସେଇଟା ସତ ନା ଏଇଟା ସତ ?”

ଏଇ କଥାକୁ ଘୋଷା ଲଗେଇଲା ରଜା । ଏହା ଦେଖି ଦୁଆରୀ ଛାନିଆଁ । ତାର ମୁଣ୍ଡରେ କିଛି ଢ଼ୁକିଲାନି, ଏଣୁ ସେ ଡକା ପକେଇଲା ମନ୍ତ୍ରୀ ସାଆଁନ୍ତ ସଭିଙ୍କୁ । ଯିଏ ଆଇଲା; ରଜା ତାକୁ ସେଇ ଏକା କଥା ଘୋଷା ଲଗେଇଲା, “ସେଇଟା ସତ ନା ଏଇଟା ସତ ?”

ଚାଲିଲା ତ ଏଇ ଘୋଷା। ମନ୍ତ୍ରୀ, ସେନାପତି, ସାଆଁନ୍ତ, ରାଣୀ, ଦାସୀ ପୋଇଲି, ଅଗେରା ସମସ୍ତେ ରଜାର ହାଲହୁକୁମ ଦେଖି କାନ୍ଦବୋବାଳି ଛାଡ଼ିଲେ । ଏଇମତେ ଚାଲିଲେ ଘଡ଼ି କେତେ । ରଜାର କଣ୍ଟା ଖାଲି ସେଇ ଘୋଷାରେ ଅଟକି ଗଲା ।

“ସେଇଟା ସତ ନା ଏଇଟା ସତ ?”

ସମସ୍ତେ ଭଳି ଭଳି କଥା ଭାବିଲେ । କିଏ କହିଲା ରାଜାର ମୁଣ୍ଡଦହି ଚହଲି ଯାଇଚି ତ କିଏ କହିଲା ଗୁଣୀଗାରେଡ଼ିର ପରଭାବ । ରାଇଜ ସାରା ଚହଳ ପଡ଼ିଗଲା। ରାଇଜର ମୁଣ୍ଡିର ଏଇ ଅବସ୍ଥା । ଏବେ ରାଇଜ କଥା କିଏ ବୁଝିବ ।

ସେଇ ରାଇଜରେ ସେତେବେଳେ ଜଣେ ଜ୍ଞାନୀସାଧୁ ଥିଲେ । ସେ ରଜାର ଏଇ କଥା ଶୁଣି ଧାଇଁଲେ ନଅରକୁ । କହିଲେ ଏହାର ଗଦ ତାଙ୍କ ପାଖରେ ଅଛି । ସଭିଏଁ ହାଁ କରି ଅନେଇଲେ । ହେଉ; ଏଇଟା ମଧ୍ୟ ଦେଖାଯାଉ। କେଜାଣି; ହୁଏତ ଏମିତିରେ କିଛି ଠିକ୍ ହୋଇପାରେ ।

ବାବାଜୀ ରଜା ପାଖରେ ଠିଆ ହେଇଛି କି ନାଇଁ; ରଜା ସେଇ କଥା ଫେରେ ଆଉଟେଇଲା ।

“ସେଇଟା ସତ ନା ଏଇଟା ସତ ?”

ବାବାଜୀ ପଚାରିଲା ରଜାଙ୍କୁ, “ଆପଣ ଯେତେବେଳେ ଯୁଦ୍ଧରେ ଘାଇଲା ହୋଇ ଭୋକ ଶୋଷରେ ଆଉଟୁ ପାଉଟୁ ଅବସ୍ଥାରେ କଷ୍ଟ ପାଉଥିଲେ; ସେତେବେଳେ ଏଇ ରାଣୀ, ମନ୍ତ୍ରୀ, ଭାଇ-ବନ୍ଧୁ-କୁଟୁମ୍ବ, ଏଇ ସିଁହାସନ, ରାଜନଅର ସବୁ ସେଇଠି ଥିଲା କି ?”

ରଜା ହାଁ କରି ଅନେଇଲା । କିଛି ଘଡ଼ି ଭାବିଲା । ତାପରେ କହିଲା, “ନାଇଁତ ଏଇ ସବୁ ସେଇଠି ନଥିଲେ।”

ଏବେ ବାବାଜୀ ସାହସର ସହ ପୁଣି ପଚାରି ବସିଲେ, “ଆପଣ ଏବେ ଏଇଠି ରାଣୀ, ମନ୍ତ୍ରୀ, ଭାଇ-ବନ୍ଧୁ-କୁଟୁମ୍ବ, ଏଇ ସିଁହାସନ, ରାଜନଅରର ସୁଖ ସବୁ ଭୋଗରେ ବସିଛନ୍ତି; ଏବେ ଏଇଠି ସେହି ଯୁଦ୍ଧ, ଭୋକ, ଶୋଷ, କଷ୍ଟ , ଅପମାନ ଅଗେରା ଅଛି କି ?”

ରଜା ଏବେ ଆଖିକୁ ତାଳୁକୁ ନେଇ କହିଲା, “ବିଲକୁଲ ନାଇଁ।”

ଏବେ ବାବାଜୀ ପଚାରିଲା ସେଇ କଥା । “ଏବେ କଅରେ ରଜାପୁଅ, ସେଇଟା ସତ ନା ଏଇଟା ସତ???”

ସେଇଠି ରଜାର ଅକଲ ଗୁଡ଼ୁମ୍‌ । ସେଇ ଆଚମ୍ବିତ ହୋଇ କହିଲା, “ତାହେଲେ ଏ ସବୁ କଣ କିଛି ସତ ନାହିଁ !”

ବାବାଜୀ ଏବେ ହସି ହସି ରଜାକୁ କହିଲେ, “ହେ ରଜାପୁଅ; ଯେତେବେଳେ ତୁ ସପନରେ ଲଢ଼ୁଥିଲୁ ସେତେବେଳେ ସେଇ ହରା, ଦୁଃଖ, ଭୋକ ଶୋଷ ସବୁ ତୁଇ ଅନୁଭବ କରିଥିଲୁ । ସେତେବେଳେ ତୁ ସେଇଠି ଥିଲୁ।”

ରଜା କଇଲା, “ହଁ ସେଇକଥା। ଏବେ ମେତେ ବୁଝା ପଡୁଛି ଯେ ଯେହେତୁ ଏଇଟା ସପନ କଥା ସେଇଟା ହୁଏତ ଭରମ ହୋଇପାରେ ହେଲେ ମୁଁ ଅଙ୍ଗେଅଙ୍ଗେ ସେଇକଥା ଅନୁଭବ କରିପାରିଛି ।”

ବାବାଜୀ କହିଲେ, “ହେଲେ ସତସତିଆ ଏବେ ତୁମେ ତୁମ ନିଜ ଲୋକଙ୍କ ଭିତରେ ରହି ସୁଖ ଭୋଗୁଛ। ନୁହଁ କି ?”

“ହଁ, ତ୍ରିବାର ସତ୍ୟ ଏଇକଥା ।” ପୁଣି ଏକ ଦୀର୍ଘ ନିଃଶ୍ୱାସ ନେଇ ରଜା ନିଜକୁ ବୁଝେଇଲା ଭଳିଆ କହିଲେ।

ଏବେ ବାବାଜୀ କହିଲେ, “ହେ ରାଜା, ନା ସେଇଟା ସତ ନା ଏଇଟା ସତ; କେବଳ ତୁ ହିଁ ସତସତିଆ ସତ।”

ଏଇ କଥା ସବୁ ଘଟିଥିଲା ରାଜା ଜନକ ଆଉ ଋଷି ଅଷ୍ଟବକ୍ରଙ୍କ ସମୟରେ । ଆଜି ଏଇ କଥାକୁ ମୁଁ ଉଖୁରେଇବାର ଅର୍ଥ ହେଉଛି ସତସତିଆ ସତକୁ ସତସତିକା ସତ ଭଳି ବୁଝେଇବାକୁ । ସବୁ ମୁଣ୍ଡରେ ଢ଼ୁକେଇ ଦେଖୁଚି ଦୂରଦର୍ଶନରେ, ପଢ଼ୁଚି କାଗଜପତ୍ରରେ ଆଉ ଏଇ ମଗଜରେ ସେଇ ଜନମ ସାରା ଦୁଃଖ ଆଉଟୁପାଉଟୁ ହେଉଚି। ଯାହା ଚାଲିଚି ଇସ୍କୁଲ, କାଲେଜ, ଗଳିକନ୍ଦି, ନଗରଡଗର, ରାଇଜ ଓ ରାଷ୍ଟ୍ରରେ; ଅତି ଆଚମ୍ବିତ ବେପାର ଇଏ। ସତର ନାଁରେ ଯେତେ ନାଟତାମସା ।

ମୁଁ ମାଟି ଛୁଇଁ ଶତବାରେ କଇବି, ଯେଦି ଗୋଟିଏ ସୁଆଲରେ ଅନେକେ ଜବାବ ମିଳେ; ତାହା ହେଲେ ଗୋଟିକୁ ଛାଡ଼ି ଆଉ ସବୁ ଫମ୍ପା ।

ଏଇ ଗୋଟିଏ କଥା ବୁଦ୍ଧିଆ ସବୁଙ୍କ ମୁଣ୍ଡରେ ଢୁକୁନି କିଆଁ !!!

ଏଇ ଦେଶରେ କିସ ନହେଉଛି । ସଭିଏଁ କଉଚେତି ସେମାନେ ଠିକି, ସେମାନ ହିଁ ସତିଆ । ସେଇଠି ତ ଗୋଳମାଳିଆ ହେଉଚି ସବୁ । ଧନ ମୋର ଶୁଣେ କଉଚି; ଏଇଠି ମନୁଆ ସିଂହ ଚୁପ୍‌ ରଇଲା ବୋଲି ତାକୁ ଶୋଦିଲେ, ଏବେ ନରିଆ ପାଟି ମୁଦି ବସୁନି ବୋଲି ପଣେ ଶୋଦୁଚେତି । ଆଗେ ଦିଲ୍ଲୀ ସଭା ବିଧାନରେ ପଦୁଅଁବାଲା ହାଲହୁରି ପକୋଉଥିଲେ, ଏବେ ଗାଇବାଛ୍ରୁରୀରୁ ହାତ ହେଇଥିବା ପଣେ ସେଇ ହାଲହୁରି ପକୋଉଚେତି । ଆରେ ବାପ ଦେଖୁନୁ ! ପିଲାଟା ଅକାଳରେ ପରାଣ ହାରିଦେଲା ସେଥିକି ନିଘା ନାଇଁ କାହାରି; ତା ମଢ଼ ନାଁରେ ଆଉ ଜଣଙ୍କୁ ଭବିଷତର ନେତା କରି ଠିଆ କରୋଉଚେତି । ଏଇ କଥାକୁ ନୋକସବୁ ତାତେଲା ଚା ପେରିକା ସୁଡ଼ୁସୁଡ଼ୁ କରି ପିଉଚେତି ଖଟିରେ, ଦାଣ୍ଡରେ ଘାଟରେ। ଆଉ ଦଳେ ଟିଭିବାଲା କହ୍ନେଇଆକୁ କୃଷ୍ଣଅବତାର କରି ବଇଚେତି ତ ଆଉ ଦଳେ ସୁମରତିକୁ ମା କାଳୀ ବୋଲି ମନ୍ଦାରମାଳ ପିନ୍ଧେଇ ସାରିଲେଣି । ଏଇ ବାକ୍‌ବିତଣ୍ଡାରେ ସତ ପାଇଁ କାହାର ନିଘା ନାଇଁ । ଖାଲି କଥାରେ ଭୁଇଁ ଯାଉଚେତି । ଘୋର ଅନର୍ଥ ହେବ; ଆହେ ହେବ କଣ ହେଉଚି ପରା । ଚାଲିଛି ସେଇୟା। ଆରନବ ଗୋସାଇଁ ପେରା ଟିଭି ଫଟେଇ ପକୋଉଚି । ରାଉଳ ବାପୁଡ଼ାଟାକୁ ପପୁ କରି ଦେଲେଣି । ସେଇ ବିଚରାଟା ଇଆଡ଼ର ହେଉନି କି ସିଆଡ଼ର ହେଉନି । କଣ କଉଚି ତାକୁ ମଧ୍ୟ ସମିଅରେ ବୁଝା ପଡୁନି । ତାକୁ ଦେଖି ବିଧାନଘରେ ସବିଏଁ ହସୁଚେତି । ହେଲେ ନିଜ ଆଡ଼ର ତିନି ଆଙ୍ଗୁଠିକୁ କାହାରି ନିଘା ନାଇଁ ପରା । କିହୋ ସାରା ଦେଶ ଦେଖୁଛି । ଯାହା ହେଉଚ ସେଇ ବିଧାନଘରେ ! ଧାତା ଦଇବ ସମ୍ଭାଳିବ କି ଆଉ।

ସେଥିରୁ ଜଣେ କଇଲା, ଦେଶର ଜନତା ଆଡକୁ କାହାରି ନିଘା ନାଇଁ । କେଇ କରତବ କରୁନାହାନ୍ତି । ମୁହଁରେ ହାତ ଦେଇ କାନ୍ଦିବି କି ହସିବି ଭାବି ନପାରିଲି । ହରିବୋଲ । ହଇଓ ବାବୁ ଦେଶର ଜନତା ଯେତେବେଳେ ନିଜେ ନିଜ କଥା ଭାବୁ ନାହାନ୍ତି; କିଏ କାହିଁକି ଭାବିବ । ଆଜି ହାତ କଇଲେ ହଁ କାଲି ପଦୁଅଁ କଇଲେ ହଁ । ଆଜି ପିଆଜ ଅଶୀଏ ହେଲେ ପଦୁଅଁକୁ ମା-ଭଉଣୀ, କାଲି ତେଲ ୧୦୦ ହେଲେ ହାତକୁ ଟେକା ପଥର । କି କଥା ଇଏ । ସେଇଥି ପାଇଁ ଅବନାବନା ପଢ଼ୋଉଚେତି ସବୁ ଦଳ ଆମ ଦେଶବାସୀଙ୍କୁ ।

“ସେଇଟା ସତ ନା ଏଇଟା ସତ”ର ଭୂତ ଏବେ ଦେଶବାସୀଙ୍କୁ ଘାରିଛି । ହେଲେ ଓଲଟା ମନ୍ତ୍ରରେ । ସେମାନେ ଆଉ ପଚାରୁନାହାନ୍ତି ଯେ “ସେଇଟା ସତ ନା ଏଇଟା ସତ”; ବରଂଚ ଦିଟା ଯାକ ସତ ବୋଲି ଘିନିଛନ୍ତି । ଯୁଆଡ଼େ ଦେଖ ସେଇ କଥା । ଦେଶରେ କିଛି ବି ପରସଙ୍ଗ ହେଉ ତାକୁ ନେଇ ଦିଫାଟ। ଦେଶବାସୀରେ, କାଗଜପତ୍ରରେ, କଥାସମ୍ବାଦରେ, ଜାତିଗୋତ୍ରରେ । ଆଗ ଖାଲି ଫିରିଙ୍ଗି ଏଇ ଦେଶକୁ ଡିଭାଇଡି ଆଉ ରୁଲୁରେ ଚଲୋଉଥିଲା, ହେଲେ ଏବେ ଆପଣା ହାତେ ଜିଭ ଛେଦିରେ ଧନ । ଅର୍ଜୁନ ଗାଣ୍ଡୀବ ଟେକିଥିଲା ନ୍ୟାଇରେ ସ୍ୱଜାତି ନିଧନ ନିମନ୍ତେ ହେଲେ ଆଜି ଆଜି ସବୁ ନିଜକୁ ଅର୍ଜୁନ ଭାବି ଦୁର୍ଯ୍ୟୋଧନ ଭଳି ଏଇ ଦେଶ ଦ୍ରୌପଦୀକୁ ସବୁଠି ବିବସ୍ତ୍ର କରୁଚେତି । ତେଣେ ନ୍ୟାୟ କୃଷ୍ଣର ହାତ କାଟି ବସେଇ ଦେଉଚନ୍ତି । ଏଇୟା ହେଲା କଥା । ହେଜୁଚି କିଏ, ଗୁଣ ସୁମରୁଚି କିଏ !

ଏବେବି ସମିଅ ଅଛି । ରାତିର ଭୂଲା ସକାଲେ ଫେରିଲେ ବି ଗତି ଅଛି । ସେଇ ଫେରନ୍ତା ବାଟ ଖୋଲା ମେଲା ପଡ଼ିଚି ସାତସାହାଣ ପେରିକା । ଫେରିଆସ ହେ ମୋ ଦେଶବାସୀ ମୋ ରାଇଜକୁ । ସେଇ ସପନ ରାଇଜରୁ । ଦେଶ ଏଇଠି ସଢ଼ୁଛି । ତେଣେ ସଭିଏଁ ତତେ ଭୁଆଁ ବୁଲୋଉଚେତି ୪୭ରୁ; ଏଇଠି ସତ ହେଉଚୁ ତୁ ନିଜେ। ଏଣୁ ମୁଁ ବି ସେଇକଥା କଇବି, “ନା ସେଇଟା ସତ ନା ଏଇଟା ସତ; କେବଳ ତୁ ହିଁ ସତସତିଆ ସତ।”

( ବିଶ୍ୱବିଦ୍ୟାଳୟର ନିୟାମକ ଉଲଂଘନ ପ୍ରସଙ୍ଗ ନେଇ୨୦୧୫ ଜୁଲାଇରେ ଆରମ୍ଭ ହୋଇଥିବା ମତଭେଦ ହେତୁ୧୭ ଜାନୁଆରୀ ୨୦୧୬ରେ ଛାତ୍ର ରୋହିତ ଚକ୍ରବର୍ତ୍ତୀ ଭେମୁଲାଙ୍କ ଆତ୍ମହତ୍ୟାର ପରବର୍ତ୍ତୀ କାଳରେ ଘଟିଥିବା ରାଷ୍ଟ୍ରୀୟ ବିଶୃଙ୍ଖଳା ସମୟରେ ଜଣେ ପାଠକ ଲେଖକଙ୍କ ସହ ଏଇ ସମ୍ପର୍କରେ ଆଲୋଚନା କରିଥିଲେ। ସେଇ ଆଲୋଚନାର କିୟଦଂଶ ଏଠାରେ ପ୍ରଦତ୍ତ ହୋଇଅଛି।)

[ଅନେକ ସାହିତ୍ୟବନ୍ଧୁଙ୍କ ସରାଗ ହେତୁ ଏଇ କଥାଟି ଓଡ଼ିଶାର ଗାଁ ଗହଳିରେ ବୋଲା ଯାଉଥିବା ପ୍ରକାରେ ଲେଖା ହୋଇଅଛି;ଏଇ କଥା ହୁଏତ କେଉଁ ଶବ୍ଦକୋଷରେ ନମିଳିପାରେ ଅଥବା ଗାଁ ବାହାରେ ଶୁଣିବାକୁ ସ୍ୱପ୍ନହୋଇଥାଇପାରେ; ହେଲେ ଏଇ କଥା ଏବେବି ମୋ କର୍ଣ୍ଣଗହ୍ୱରରେ ଗୁଞ୍ଜେ। ଅତିମଧୁର ଲାଗେ ସେଇ କଥାସବୁ । ଜଣେ ମଫସଲିଆ ମଣିଷର ମୁହଁରୁ ଇଂରାଜୀ ଶବ୍ଦଗୁଡ଼ିକ ଶୁଣିଲେ ଠିକ୍‌ ସେହିପରି ଲାଗେ ଯେପରିକି କୁନିପିଲାଟିଏ ପ୍ରଥମଥର ପାଇଁ କଥା କହୁଛି। ଠିକ୍‌ ଏଇ ଭାବ ନେଇ ପାଠକେ ଏହାକୁ ଗ୍ରହଣ କରିବେ । ଅଳମତିବିସ୍ତରେଣ...!!!]

-ପ୍ରଭୂ, ଜ୍ଞାତାର୍ଥ , ଉଲମ୍ବିଲମ୍‌ - ପୂର୍ବାପର ସମ୍ବନ୍ଧରହିତ ଅବସ୍ଥା, ଗୋଳମାଳିଆ, ଓଲଟପାଲଟ, ଅଶୃଙ୍ଖଳ

© 2015. Samanya Kathan All Rights Reserved | Editor : Debendra Prusty     

To Top