ମହାତ୍ମା ଗାନ୍ଧୀଙ୍କ ଦୁଇ ଶିଷ୍ୟ- ମୋଦି ଓ ଓବାମା

image

ହା ଦ୍ବାରା ବାସ୍ତବରେ ସ୍ବଚ୍ଛ ଭାରତ ସମ୍ଭବ କି ? ମୋଦି ସାଧାରଣ ଲୋକଙ୍କ ଅଳିଆ ସଫା କରିବାକୁ ବାଟ ବତାଇଛନ୍ତି | ମାତ୍ର, ପୁଞ୍ଜିପତିଙ୍କ ଅଳିଆ ସଫା କରିବ କିଏ ? କାରଖାନାର ମଳ ଓ ଆବର୍ଜନା ସଫା କରିବାକୁ ତ’ ସେ ବାଟ ବତାଇ ନାହାନ୍ତି ! କେଉଁ ଅଳିଆ ବେଶୀ କ୍ଷତିକାରକ ? ରାସ୍ତାରେ ପଡ଼ିଥିବା କାଗଜ ଟୁକୁରା ନା କାରଖାନାର ବିଷାକ୍ତ ଆବର୍ଜନା? ପୁଣି ରାସ୍ତାଘାଟର ଅଳିଆଠାରୁ ସରକାରୀ ଅଳିଆ କ’ଣ କାହିଁ କେତେ ଗୁଣରେ ଅଧିକ ମାରାତ୍ମକ ନୁହେଁ ? ରାସ୍ତାର ସ୍ବଚ୍ଛତାଠାରୁ ଶାସନ ଓ ପ୍ରଶାସନରେ ସ୍ବଚ୍ଛତା କ’ଣ ଅଧିକ ଜରୁରୀ ନୁହେଁ ? ଶାସନ ଓ ପ୍ରଶାସନରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ଦୂର କରିବା ଦିଗରେ ମହାତ୍ମା ଗାନ୍ଧୀଙ୍କର କେଉଁ ପରାମର୍ଶ କାର୍ଯ୍ୟକାରୀ କରିଛନ୍ତି ନରେନ୍ଦ୍ର ମୋଦି ?

 

 

ବାରାକ୍ ହୁସେନ୍ ଓବାମା | ଆମେରିକାର ରାଷ୍ଟ୍ରପତି | ୨୦୦୯ ମସିହାରେ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ୪ ବର୍ଷ ପାଇଁ | ବୁଲି ବୁଲି କହିଲେ ମହାତ୍ମା ଗାନ୍ଧୀ ହେଉଛନ୍ତି ତାଙ୍କର ଆଦର୍ଶ, ନାୟକ | ମହାତ୍ମା ଗାନ୍ଧୀ ହେଉଛନ୍ତି ଆଧୁନିକ ପୃଥିବୀର ରାଜନୀତିକ ଗୁରୁ | ତାଙ୍କ ପ୍ରଦର୍ଶୀତ ଶାନ୍ତି, ଅହିଂସା ଓ ସରଳ ଜୀବନଯାପନ କରିବାର ମାର୍ଗ ଅନୁସରଣ କରିଛନ୍ତି ପୃଥିବୀର ଅନେକ ସ୍ବାଧୀନତା ସଂଗ୍ରାମୀ ଓ ରାଷ୍ଟ୍ରନାୟକ | ଏହି କଥା ବାରମ୍ବାର କହି କହି ବାରାକ୍ ହୁସେନ୍ ଓବାମା ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଲେ ଓ ୨୦୧୩ ମସିହାରେ ଦ୍ବିତୀୟ ଥର ପାଇଁ ବି ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ |

ଗାନ୍ଧୀଙ୍କୁ ନିଜର ରାଜନୀତିକ ଆଦର୍ଶ ମାନୁଥିବା ବାରାକ୍ ଓବାମା ଆମେରିକା ରାଷ୍ଟ୍ରପତି ହେବା ଇତିମଧ୍ୟରେ ୭ ବର୍ଷ ହେଲାଣି | ଏଇ ୭ ବର୍ଷ ଭିତରେ ସେ ଗାନ୍ଧୀଙ୍କ ନୀତି ଓ ଆଦର୍ଶ କେତେ ପାଳନ କରିଛନ୍ତି ତାହା କେହି ଜାଣନ୍ତିନି | କିନ୍ତୁ ପୃଥିବୀର ଶାନ୍ତି ଓ ଅହିଂସା ଆଦର୍ଶ ନଷ୍ଟ କରିବାକୁ ସେ ଯେ ଅନେକ ପଦକ୍ଷେପ ନେଇଛନ୍ତି ତାହା ବିଶ୍ବବାସୀ ଅନୁଭବ କରିଛନ୍ତି | ଇରାକ୍, ଆଫଗାନିସ୍ଥାନ, ସିରିଆ, ଲିବ୍ୟା, ପାକିସ୍ଥାନ ଆଦି ରାଷ୍ଟ୍ରରେ ଓବାମାଙ୍କର ଗାନ୍ଧୀବାଦର ପ୍ରତ୍ୟକ୍ଷ ଅନୁଭୂତି ଅର୍ଜନ କରିଛନ୍ତି କୋଟିକୋଟି ଜନତା | ବୋମା, ବନ୍ଧୁକ ଓ ଟ୍ୟାଙ୍କ କେଉଁ ଗାନ୍ଧୀଙ୍କ ନୀତି ଓ ଆଦର୍ଶ ବହିରେ ଅଛି ତାହା ଭାରତବାସୀ ଜାଣନ୍ତି ନାହିଁ | ବୋଧହୁଏ ବାରାକ୍ ଓବାମା ତାହା ଜାଣିଥିବେ |

ମହାତ୍ମା ଗାନ୍ଧୀଙ୍କ ଆର୍ଥନୀତିକ ଆଦର୍ଶ ଥିଲା ନିର୍ଲୋଭ ସରଳ ଜୀବନ | ତାଙ୍କର ଏକ ପ୍ରଖ୍ୟାତ ବାଣୀ ହେଲା, ମଣିଷର ଆବଶ୍ୟକତା ପୂରଣ ପାଇଁ ଏ ପୃଥିବୀରେ ଭରପୂର ସଂପଦ ରହିଛି | କିନ୍ତୁ ମଣିଷର ଲୋଭ ପୂରଣ ପାଇଁ ସବୁ କିଛି ନିଅଣ୍ଟ | ସେଥିପାଇଁ ଗାନ୍ଧୀ ଚାହୁଁଥିଲେ ସମସ୍ତେ ପରିଶ୍ରମ କରି ବଞ୍ଚନ୍ତୁ, ଆବଶ୍ୟକତାରୁ ଅଧିକ ଜିନିଷ ଦରବ ଆହରଣ କରନ୍ତୁ ନାହିଁ | ଭାରତର ବୈଦିକ ସଂସ୍କୃତି ଅନୁସାରେ ଏ ବିଶ୍ବ ବ୍ରହ୍ମାଣ୍ଡ ଉପରେ ସମସ୍ତ ପ୍ରାଣୀଙ୍କର ସମାନ ଅଧିକାର ରହିଛି | ସମସ୍ତେ ଏ ବିଶ୍ବର ସମ୍ବଳ ବ୍ୟବହାର କରି ବଂଚିବା ଆବଶ୍ୟକ | ଯଦି ଅଳ୍ପ କିଛି ଲୋକ କୌଣସି ଉପାୟରେ ବିଶ୍ବର ପ୍ରାକୃତିକ ସମ୍ବଳକୁ ଅକ୍ତିଆର କରି ନିଅନ୍ତି ତେବେ ଅନେକ ମଣିଷ ଉପାସରେ ରହିବା ନିଶ୍ଚିତ | ଅନେକ ଜନ୍ତୁ ନିର୍ବଂଶ ହେବା ଅବଧାରିତ |

କିନ୍ତୁ ବାରାକ୍ ଓବାମା ଯେଉଁ ଅର୍ଥନୀତିରେ ବିଶ୍ବାସ କରନ୍ତି ତାହା ମହାତ୍ମା ଗାନ୍ଧୀଙ୍କର କେଉଁ ଆର୍ଥିକ ଉପଦେଶ ଉପରେ ଆଧାରିତ? ପୁଞ୍ଜିବାଦର ପ୍ରସାରଣ, ସାମ୍ରାଜ୍ୟବାଦ, ଆମେରିକାର ସାମରିକ ଶିଳ୍ପର ଅଭିବୃଦ୍ଧି ପାଇଁ ଆତଙ୍କବାଦର ସର୍ଜନା ଓ ପୁଣି ତାହାର ବିଲୋପ ବାହାନାରେ ବିଭିନ୍ନ ଦେଶ ଉପରେ ଆକ୍ରମଣ ଆଦି ମହାତ୍ମା ଗାନ୍ଧୀଙ୍କର କେଉଁ ନୀତି ଓ ଆଦର୍ଶ ତାହା ଓବାମା ଜାଣିଥିବେ |

ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ପରି ମହାତ୍ମା ଗାନ୍ଧୀଙ୍କର ଆଉ ଜଣେ ପଟ୍ଟଶିଷ୍ୟ ହେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ସେ ନିଜେ ଗାନ୍ଧୀଭୂମିର ଲୋକ | ଗୁଜରାଟ ହେଉଛି ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଜନ୍ମସ୍ଥାନ | ସେଇଠି ରହି ସେ ଆଶ୍ରମ ଜୀବନଯାପନ କରୁଥିଲେ ଓ ଭାରତୀୟ ସ୍ବାଧୀନତା ସଂଗ୍ରାମର ନେତୃତ୍ବ ନେଉଥିଲେ | ସେଇ ମାଟିର ମହାଶୟ ହେଲେ ନରେନ୍ଦ୍ର ମୋଦି | ଗାନ୍ଧୀ ଦର୍ଶନ ବିରୋଧରେ ସୃଷ୍ଟି ହୋଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘର କର୍ମୀ ଓ ପ୍ରଚାରକ ଭାବେ କାର୍ଯ୍ୟ କରିଥିବା ମୋଦି ଏବେ ନିଜକୁ ମହାତ୍ମା ଗାନ୍ଧୀଙ୍କର ଜଣେ ପଟ୍ଟଶିଷ୍ୟ ଭାବେ ଉପସ୍ଥାପିତ କରିବାରେ ଲାଗିଛନ୍ତି | ୨୦୧୪ ଗାନ୍ଧୀ ଜୟନ୍ତୀରେ ସେ ସ୍ବଚ୍ଛ ଭାରତ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲେ | ମହାତ୍ମା ଗାନ୍ଧୀ ସ୍ବଚ୍ଛତା ବା ନିର୍ମଳତା ଉପରେ ଅଧିକ ଗୁରୁତ୍ବ ଦେଉଥିଲେ | ପରିବେଶ ନିର୍ମଳ ରଖିବାକୁ ସେ ସବୁବେଳେ ନିଜ ଶିଷ୍ୟମାନଙ୍କୁ ପରାମର୍ଶ ଦେଉଥିଲେ | ନିଜେ ମଧ୍ୟ ପରିବେଶ ନିର୍ମଳ ରଖିବା ଦିଗରେ ଯାହା କିଛି କରିବା ଦରକାର କରୁଥିଲେ |

ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଅକ୍ଟୋବର ୨ ତାରିଖରେ ଝାଡ଼ୁ ଧରି ରାସ୍ତାଘାଟ ସଫେଇ କରିଥିଲେ | ତାଙ୍କ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଦେଶର ଅନେକ ସ୍ଥାନରେ ଏହାକୁ ଅନୁକରଣ କରାଯାଇଥିଲା | ଅନେକ ସ୍ଥାନରେ ବିଜେପିର ନେତା ଓ କର୍ମୀମାନେ ସ୍ବଚ୍ଛ ଭାରତର ସ୍ଲୋଗାନ ଦେଇ ରାସ୍ତାଘାଟ ସଫା କରିଥିଲେ | ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ଆରମ୍ଭ କରି ଅନେକ ନେତା ଏଥିରେ ସାମିଲ ହୋଇଥିଲେ | ରାସ୍ତାଘାଟ, ସମୁଦ୍ର ବେଳା, ପର୍ଯ୍ୟଟନ ସ୍ଥଳ, ସାହିବସ୍ତି ଓ ସହରୀ କଲୋନି ଇତ୍ୟାଦି ସଫା ରଖିବା ଦିଗରେ ମୋଦିଙ୍କର ଏହି ଆହ୍ବାନ ଓ ଅଭିଯାନ ନିଶ୍ଚୟ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ |

କିନ୍ତୁ ଏହା ଦ୍ବାରା ବାସ୍ତବରେ ସ୍ବଚ୍ଛ ଭାରତ ସମ୍ଭବ କି ? ମୋଦି ସାଧାରଣ ଲୋକଙ୍କ ଅଳିଆ ସଫା କରିବାକୁ ବାଟ ବତାଇଛନ୍ତି | ମାତ୍ର, ପୁଞ୍ଜିପତିଙ୍କ ଅଳିଆ ସଫା କରିବ କିଏ ? କାରଖାନାର ମଳ ଓ ଆବର୍ଜନା ସଫା କରିବାକୁ ତ’ ସେ ବାଟ ବତାଇ ନାହାନ୍ତି ! କେଉଁ ଅଳିଆ ବେଶୀ କ୍ଷତିକାରକ ? ରାସ୍ତାରେ ପଡ଼ିଥିବା କାଗଜ ଟୁକୁରା ନା କାରଖାନାର ବିଷାକ୍ତ ଆବର୍ଜନା? ପୁଣି ରାସ୍ତାଘାଟର ଅଳିଆଠାରୁ ସରକାରୀ ଅଳିଆ କ’ଣ କାହିଁ କେତେ ଗୁଣରେ ଅଧିକ ମାରାତ୍ମକ ନୁହେଁ ? ରାସ୍ତାର ସ୍ବଚ୍ଛତାଠାରୁ ଶାସନ ଓ ପ୍ରଶାସନରେ ସ୍ବଚ୍ଛତା କ’ଣ ଅଧିକ ଜରୁରୀ ନୁହେଁ ? ଶାସନ ଓ ପ୍ରଶାସନରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ଦୂର କରିବା ଦିଗରେ ମହାତ୍ମା ଗାନ୍ଧୀଙ୍କର କେଉଁ ପରାମର୍ଶ କାର୍ଯ୍ୟକାରୀ କରିଛନ୍ତି ନରେନ୍ଦ୍ର ମୋଦି ?

ମହାତ୍ମା ଗାନ୍ଧୀ ଏକ ସ୍ବାବଲମ୍ବୀ ଭାରତ ଗଠନ ପାଇଁ କୁଟିର ଶିଳ୍ପ ଓ ଗ୍ରାମୋଦ୍ୟୋଗ ଉପରେ ସର୍ବାଧିକ ଗୁରୁତ୍ବ ଦେଉଥିଲେ | ପ୍ରଧାନମନ୍ତ୍ରୀ ମୋଦି ଭାରତବର୍ଷରେ କ’ଣ ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ଚୀନ୍, ଜାପାନ୍ ଓ ଆମେରିକାର ଶିଳ୍ପୋଦ୍ୟୋଗୀଙ୍କ ପାଇଁ ଲାଲ ଗାଲିଚା ବିଛାଇ ଦେଇଛନ୍ତି? ମହାତ୍ମା ଗାନ୍ଧୀ ସାଂପ୍ରଦାୟିକ ସଦଭାବ ଓ ସର୍ବଧର୍ମ ସମଭବ କଥା କେବଳ କହୁ ନଥିଲେ ଜୀବନରେ ପ୍ରୟୋଗ କରିଥିଲେ | ମୋଦି ଓ ତାଙ୍କ ଦୀକ୍ଷାନୁଷ୍ଠାନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଯେଉଁ ହିନ୍ଦୁତ୍ବର ପ୍ରସାରଣ କରିବାକୁ କୂଟକୌଶଳ ଚଳାଇଛନ୍ତି ତାହା ସଦଭାବ ପାଇଁ ବିଭେଦ ପାଇଁ ଉଦ୍ଦିଷ୍ଟ? ମୋଦି ଆସିବା ପରେ ଘଟିଛି କ’ଣ? ବିଭେଦ ଓ ବିଦ୍ବେଷର ବାତାବରଣ ହ୍ରାସ ପାଇଛି ନା ସଂପ୍ରସାରିତ ହୋଇଛି?  

© 2015. Samanya Kathan All Rights Reserved | Editor : Debendra Prusty     

To Top