ଜରା ନିବାସର ସମୀକ୍ଷା ହେଉ!

image

ହେମାଙ୍ଗ ପ୍ରସାଦ ରାଉଳ

 

ପିଲାଛୁଆଙ୍କ ଅବହେଳାରୁ ଓଡ଼ିଶାର ଅକେ ଅସହାୟ ଲୋକଙ୍କ ଜରାଗ୍ରସ୍ତ ଜୀବନ ଏବେ ବନ୍ଧା ପଡ଼ିଛି ଅନେକ ଜରା ନିବାସରେ । ଜରା ନିବାସର ଦୟନୀୟ ଚିତ୍ରକୁ ନେଇ ସରକାରୀ ପ୍ରଶାସକ ନୀରବ । ଏମିତି ଅନେକ ଜରା ନିବାସ ଗଢ଼ି ଉଠୁଛି । ଏଠାକାର ହତାକର୍ତ୍ତା ଦଇବ ବିଧାତାମାନେ ସମାଜସେବାର ପର୍ଦ୍ଦା ପଛରେ ଜରା ନିବାସକୁ ଆୟୁଧ କରି ବହୁ ସାଂଘାତିକ କାମ କରୁଥିବା ସମୟରେ ଜିଲ୍ଲା ପ୍ରଶାସନ ଏହା ଉପରେ ତଦନ୍ତ କରେ ନାହିଁ । ପ୍ରତି ମାସରେ ନହେଲା ନାହିଁ ଅନ୍ତତଃ ପ୍ରତି ୩ ମାସକୁ ଥରେ ଗୋଟିଏ ସସୀକ୍ଷା ବୈଠକ ମାଧ୍ୟମରେ ଜରାନିବାସ ଚିତ୍ର ଆଲୋଚନା ହେବା ଜରୁରୀ ।

 

ଭାରତରେ ମାତାପିତାଙ୍କୁ ଦେବତା ଆସନରେ ପୂଜା କରାଯିବାର ପରମ୍ପରା ରହିଛି । ମାତୃଦେବୋ ଭବ, ପିତୃଦେବୋ ଭବ ମହାବାକ୍ୟରେ ଝୁମି ଉଠନ୍ତି ସ୍କୁଲରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଗୁରୁ ଓ ଶିଷ୍ୟ । ପ୍ରଥମ ଅକ୍ଷରରେ ଗୁରୁ ଶିଖାନ୍ତି ପିତାମାତାଙ୍କୁ ଭକ୍ତି କରିବ । ସେଇ ପିତାମାତା ତୁମର ପ୍ରଥମ ଦେବତା । କ୍ରମଶଃ ଭୋଗବାଦ ସଭ୍ୟତାରେ ମଣିଷର ଜୀବନ ଶୈଳୀର ପରିବର୍ତ୍ତନ ସହ ମାନସିକତା ବଦଳିଯାଇଛି । ପିତାମାତା ସହ ସନ୍ତାନର ସଂପର୍କ ଆଜିି ଅନେକ ଦୁର୍ବଳ । ମଣିଷ ନିଜ ସ୍ୱପ୍ନରେ ବିଭୋର ହୋଇ ଉଚ୍ଚ ଶିକ୍ଷା ଉଚ୍ଚଦୀକ୍ଷା ସମ୍ମାନ ଓ ପଦପଦବୀ ପାଇ ଅର୍ଥ ରୋଜଗାର ଉଦ୍ଦେଶ୍ୟରେ ବାସରୁ ପ୍ରବାସ ହୋଇ ଚାଲିଯାଆନ୍ତି । ଘରେ ଅସହାୟ ଅବସ୍ଥାରେ ପଡ଼ିରହେ ବୃଦ୍ଧ ମାତାପିତାଙ୍କ ଜୀବନ । ଘରକୁ ପିଲାମାନେ ଛୁଟିହେଲେ ଆସନ୍ତି । ପିତାମାତାଙ୍କର ପାଖରେ ବସି ବୋଉର ହାତରନ୍ଧା ଖାଇବା, ବାପାଙ୍କ ଚଷମା ବଦଳାଇବା ଦେହ ପରୀକ୍ଷା କରି ପୁଣି ଫେରିଯିବାର ଦୃଶ୍ୟ ପ୍ରାୟ ମଉଳିଗଲାଣି ।

 

ଏପରି କେତେ ଦିନ ନିଃସଙ୍ଗତାର ଜୀବନ କାଟିବେ? କିଏ ସୁଖଦୁଃଖ ବୁଝିବ? ପେନସନ୍ ପାଉଥିବା ଲୋକର ଜୀବନ ଟିକେ ଚଳନୀୟ । ଯେଉଁମାନଙ୍କର ଏଇ ବ୍ୟବସ୍ଥା ନାହିଁ ସେମାନେ ପୁଅଝିଅଙ୍କ ଉପରେ ସଂପୂର୍ଣ୍ଣ ଆଶ୍ରିତ । ଏହାର ଫାଇଦା ଉଠାଇବାକୁ ଜରା ନିବାସର ଦ୍ୱାର ଖୋଲିଦିଅନ୍ତି ସମାଜର ତଥାକଥିତ ସମାଜସେବୀମାନେ । ଆମର ଜରା ନିବାସ ଅଛି । ଆମେ ଭଲ ଖାଇବାକୁ ଦେବୁ, ପିନ୍ଧିବାକୁ ଦେବୁ, ଔଷଧ ଦେବୁ, ପଥି ଦେବୁ, ସ୍ୱାସ୍ଥ୍ୟ ସେବା ଦେବୁ କହି ସେପରି କିଛି ଅସହାୟ ବୃଦ୍ଧବୃଦ୍ଧାଙ୍କୁ ପ୍ରଲୋଭନ ଦେଖାଇ ତାଙ୍କର ମାୟାଜାଲରେ ଫସାଇ ଦିଅନ୍ତି ଏବଂ ପିତାମାତାଙ୍କ ଦାୟାଦମାନଙ୍କ ମୁଖରୁ ଚିନ୍ତା ହଟାଇବାର ଛଳନାପୂର୍ଣ୍ଣ ଅଭିନୟ କରି ରୋଚକ କାହାଣୀ ଶୁଣାଇ ଦିଅନ୍ତି । ଶେଷରେ ଅସହାୟ ପିତାମାତାଙ୍କୁ ଟେକି ଦିଆଯାଏ ମୁଖା ପିନ୍ଧା ସମାଜସେବୀ ଦଲାଲଙ୍କ ହାତରେ । ଏପରି ଅନେକ ଦରଦ ଭରା କାହାଣୀର ମୂକସାକ୍ଷୀ ଜରା ନିବାସ । ଅତି ସୁନ୍ଦର ନାମର ବୃଦ୍ଧାଶ୍ରମରେ ଅନ୍ଧାରୀ କକ୍ଷରେ ଜରା ଜୀବନ ଯନ୍ତ୍ରଣାଭରା କାହାଣୀ ଯଦି ଶୁଣିବେ ବା ଦେଖିବେ ରୋମ ଟାଙ୍କୁରୀ ଉଠିବ ।

 

କି ଅସହାୟତା! କି ଦୈନ୍ୟ! କି ନିର୍ଦ୍ଦୟ ଭାବରେ ବୃଦ୍ଧାଶ୍ରମରେ ମାତାପିତାଙ୍କ ଶେଷ ନିଃଶ୍ୱାସ କଟେ! ପେନସନଧାରୀଙ୍କ ପେନସନ୍ ଟଙ୍କା ଛଡ଼ାଇ ନିଆଯାଇ ଅଖାଦ୍ୟକୁ ଖାଦ୍ୟ ରୂପରେ ଥାଳିରେ ଦିଆଯାଏ । ଔଷଧ ଠିକ ସମୟରେ ମିଳେ ନାହିଁ । ରୋଗର ଅବସ୍ଥା ବେଳକୁ ବେଳ ଗମ୍ଭୀର ରୂପ ଧାରଣ କରେ । ଶୀତରେ ଶୀତବସ୍ତ୍ର ମିଳେ ନାହିଁ । ପାଚିଲା ଫଳମୂଳ ନ ମିଳିଲେ କାହାର ଘରକୁ ଯାଇ ଆର୍ଥକ ସ୍ୱଚ୍ଛଳ ବର୍ଗକୁ ନିମନ୍ତ୍ରଣ କରାଯାଏ ।

 

ଏମିତି ଦୈନ୍ୟଭରା କାହାଣୀ ଅନେକ ଜରାନିବାସରେ ଦେଖିବାକୁ ମିଳେ ।

© 2015. Samanya Kathan All Rights Reserved | Editor : Debendra Prusty     

To Top