ନାଟକର ନାଁ ଗଣତନ୍ତ୍ର

 

image

ଦେବେନ୍ଦ୍ର ପୃଷ୍ଟି

 

ସମ୍ବିଧାନ କହିଛି ନିଶା ନିବାରଣ କରିବା | ଆଜି ପ୍ରତ୍ୟେକ ସରକାରର ଲକ୍ଷ୍ୟ ହେଉଛି ନିଶା ପ୍ରସାରଣ ଜରିଆରେ ରାଜସ୍ବ ଅର୍ଜନ |

ସମ୍ବିଧାନ କହିଛି ଗୋହତ୍ୟା ନିଷେଧ କରିବା | ଏବେକାର ପରିସ୍ଥିତିରେ କୌଣସି ସରକାର ତାହା କରିବେ ବୋଲି ଆଶା କରିବା ବୃଥା |

ସମ୍ବିଧାନ କହିଛି ଜଣେ ଲୋକ ଗୋଟିଏ ଭୋଟ୍ | ଆଜିର ନିର୍ବାଚନୀ କୌଶଳ ହେଉଛି ହଜାରେ ଟଙ୍କା ଗୋଟିଏ ଭୋଟ୍ |

ସମ୍ବିଧାନ କହିଛି ମୁକ୍ତ ଓ ଅବାଧ ନିର୍ବାଚନ | ଆଜି ଭୋଟ କେନ୍ଦ୍ର ଚାରିପାଖେ ବନ୍ଧୁକଧାରୀ ଅର୍ଦ୍ଧସାମରିକ ବାହିନୀର ଦୁମଦୁମ ଚାଲି |

ଏହା କି ପ୍ରକାର ଗଣତନ୍ତ୍ର ? ନାଟକ ନା ନାଟକବାଜୀ ? ଜୁମ୍ଲା ନା ଫମ୍ପା ଆବାଜ୍ ?

 

ଦେବେନ୍ଦ୍ର ପୃଷ୍ଟି

ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏର ଏକ ଗୁରୁତ୍ବପୂର୍ଣ୍ଣ ଅଂଶୀଦାର ଥିଲା ଜାମ୍ମୁକାଶ୍ମୀରର ନ୍ୟାସନାଲ୍ କନଫରେନ୍ସ | ଏହାର ନେତା ଓମାର୍ ଅବ୍ଦୁଲ୍ଲା ବାଜପେୟୀ ସରକାରରେ ମନ୍ତ୍ରୀ ବି ହୋଇଥିଲେ | କିନ୍ତୁ ଉପା ସରକାରରେ ମନ୍ତ୍ରୀ ହେଲେ ଓମାରଙ୍କ ବାପା ଫାରୁକ୍ ଅବ୍ଦୁଲ୍ଲା | ଏହା ପରେ ନରେନ୍ଦ୍ର ମୋଦିଙ୍କ ଏନଡିଏରରେ ନ୍ୟାସନାଲ କନଫରେନ୍ସର ସ୍ଥାନ ନେଲା ଏହାର ଚରମ ଶତ୍ରୁ ମୁଫତି ମହମ୍ମଦ ସୟଦଙ୍କ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି| 

ଏହା ଗଣତନ୍ତ୍ର ନା ନାଟକ ?

ଆଗରୁ ମମତା ବାନାର୍ଜୀ ଥିଲେ ବାଜପେୟୀଙ୍କର ପ୍ରିୟ ରେଳମନ୍ତ୍ରୀ | ଏବେ ପଶ୍ଚିମ ବଙ୍ଗରେ ମମତାଙ୍କୁ ହରାଇବା ଉଦ୍ୟମର ନେତୃତ୍ବ ନେଉଛି ମୋଦିଙ୍କ ନେତୃତ୍ବାଧୀନ ବିଜେପି | ଫାରୁକଙ୍କ ନ୍ୟାସନାଲ କନଫରେନ୍ସ ପରି ମମତାଙ୍କ ତୃଣମୂଳ କଂଗ୍ରେସ ଏନଡିଏ ଓ ଉପା ଉଭୟ ମେଣ୍ଟର ଅଂଶୀଦାର ଥିଲେ |

ଏହା ଗଣତନ୍ତ୍ର ନା ନାଟକ ?

ଏବେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି ରାମବିଳାସ ପାଶ୍ବାନ | କୁହାଯାଏ କେନ୍ଦ୍ରରେ ଯେଉଁ ଦଳ ବା ମେଣ୍ଟ ସରକାର ଗଢ଼ୁ ନା କାହିଁକି ପାଶ୍ବାନ୍ ସେଥିରେ ଜଣେ ସ୍ଥାୟୀ ସଦସ୍ୟ| ସେ ଜନତା ପରିବାରର ଜଣେ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ଭାବରେ ଜନତା ସରକାରରେ ମନ୍ତ୍ରୀ ଥିଲେ | ପରେ ବାଜପେୟୀଙ୍କ ଏନଡିଏରେ ଯୋଗଦେଇ ମନ୍ତ୍ରୀ ହେଲେ | ପୁଣି ଉପାରେ ମିଶି ମନ୍ତ୍ରୀ ପଦ ପାଇଲେ | ଏବେ ପୁଣି ଏନ୍ଡିଏ ସରକାରରେ ମନ୍ତ୍ରୀ ଅଛନ୍ତି |

ଏହା କି ପ୍ରକାର ଗଣତନ୍ତ୍ର ? ନାଟକ ନା ସିନେମା ?

ଭାରତୀୟ ଗଣତନ୍ତ୍ରରେ ଏମିତି ଉଦାହରଣ ଆଦୌ ବିରଳ ନୁହେଁ | ବରଂ ପୁଞ୍ଜାପୁଞ୍ଜା | କେତେବେଳେ ନାଟକର ନାଁ ବଦଳି ଯାଉଛି, କିନ୍ତୁ ଚରିତ୍ର ସମାନ | ପୁଣି କେତେବେଳେ ଚରିତ୍ର ବଦଳୁଛନ୍ତି, କିନ୍ତୁ ନାଟକ ସମାନ |

ଆଜି ଯେଉଁ ନେତାଙ୍କୁ ଜନବିରୋଧୀ, ଦେଶଦ୍ରୋହୀ, ଦୁର୍ନୀତିଗ୍ରସ୍ତ ବୋଲି ସମାଲୋଚନା କରାଯାଉଛି କାଲି ତାଙ୍କ ସହିତ ହାତ ମିଳାଇ ହସହସ ବଦନରେ ଫଟୋ ଉଠାଇବାକୁ ଧାଡ଼ି ବି ଲାଗୁଛି |

2014 ମସିହା ଯାଏଁ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ କଂଗ୍ରେସ ନେତା ଭୂପିନ୍ଦର ସିଂହ | ବିରୋଧୀ ଦଳ ନେତା ହିସାବରେ ଓଡ଼ିଶାର ବିଜେଡି ସରକାରଙ୍କୁ ସୁଯୋଗ ପାଇଲାମାତ୍ରେ ସମାଲୋଚନା କରୁଥିଲେ | କିନ୍ତୁ ଠିକ୍ 2014 ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ | ଏବେ ସେ ବିଜେଡିର ରାଜ୍ୟସଭା ସଦସ୍ୟ| 

ଇଏ କି ପ୍ରକାର ଗଣତନ୍ତ୍ର ? ନାଟକ ନା ନାଟକବାଜୀ ?

କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା ଥିଲେ ଗିରିଧର ଗମାଙ୍ଗ | ସେ କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭାକୁ 9 ଥର ନିର୍ବାଚିତ ହୋଇଥିଲେ | ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ବି ପାଇଥିଲେ | ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ଥାଇ ମଧ୍ୟ ଲୋକସଭା ପଦରୁ ଇସ୍ତଫା ଦେଇ ନଥିବାରୁ 1999 ଏପ୍ରିଲ 17 ତାରିଖରେ ବାଜପେୟୀ ସରକାର ବିରୋଧରେ ଲୋକସଭାରେ ଭୋଟ୍ ଦେଇଥିଲେ ଏବଂ ତାଙ୍କରି ଗୋଟିଏ ଭୋଟ୍ ଯୋଗୁଁ ବାଜପେୟୀ ସରକାର ଆସ୍ଥା ଭୋଟରେ ହାରି ଯାଇଥିଲେ | ଏବେ କିନ୍ତୁ ସେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ବିଜେପିର ଜଣେ ସମ୍ମାନୀତ ସଦସ୍ୟ|

ଏହା କି ପ୍ରକାର ଗଣତନ୍ତ୍ର ? ଏହା ଉପନ୍ୟାସ ନା କବିତା ? ଗଳ୍ପ ନା ନାଟକ ? ଇତିହାସ ତ’ ନିଶ୍ଚୟ | କିନ୍ତୁ କି ପ୍ରକାର ଇତିହାସ ? ରଜାଘର ଖେଳ କଥା ? ଝିମିଟି ଖେଳ ନା ପଶାପାଲି ? ଟେଷ୍ଟ କ୍ରିକେଟ୍ ନା ଫୁଟବଲ ମ୍ୟାଚ୍ ?

ଗଣତନ୍ତ୍ର ଏକ ଖେଳ ବି | କ୍ରୀଡ଼ା ପ୍ରତିଯୋଗିତାରେ ଯେମିତି ମ୍ୟାଚ୍ ପୂର୍ବରୁ ଓ ମ୍ୟାଚ ଶେଷରେ ଉଭୟ ଦଳର ଅଧିନାୟକ ଓ ଖେଳାଳିମାନେ ହାତ ମିଳାନ୍ତି ଠିକ୍ ସେମିତି ଗଣତନ୍ତ୍ର | ଏହା ଏକ ରାଜନୀତିକ ଖେଳ | ଏଥିରେ ହାରଜିତ୍ ଲାଗି ରହିଥାଏ | ଅହରହ ଚାଲିଥାଏ କ୍ଷମତାର କନ୍ଦଳ | ତା’ରି ଭିତରେ ଲୁଚି ରହିଥାଏ ଭିତିରି ବୁଝାମଣା, ଶତ୍ରୁସୁଲଭ ଷଡ଼ଯନ୍ତ୍ର ଓ ପ୍ରକାଶ୍ୟରେ ସହାସ୍ୟ ଆଲିଙ୍ଗନ |

ସତରେ କ’ଣ ଏହା ଖେଳ ? ନା ଏକ ପରିବର୍ତ୍ତନଶୀଳ ନାଟକର ଅପରିବର୍ତ୍ତନୀୟ ବିଭ୍ରାନ୍ତିକର ଦୃଶ୍ୟ ?

ନିର୍ବାଚନ ସମୟରେ ଦିଆଯାଉଥିବା ପ୍ରତିଶ୍ରୁତି ଓ ନିର୍ବାଚନ ପରେ ନିଆଯାଉଥିବା ନିଷ୍ପତ୍ତି ମଧ୍ୟରେ ରହିଯାଉଥିବା ବ୍ୟବଧାନ ନାଟକୀୟ ନା ଗଣତାନ୍ତ୍ରିକ ? କାବ୍ୟିକ ନା ରାଜନୀତିକ ? ବିଦେଶରୁ କଳାଧନ ଫେରାଇ ଆଣି ଲୋକଙ୍କୁ ବାଣ୍ଟିବାର ପ୍ରତିଶ୍ରୁତିକୁ ବିଜେପି ସଭାପତି ଅମିତ ଶାହା ତ’ ପୁଣି ଜୁମ୍ଲା ବୋଲି କହିଲେ ! ଏ ପ୍ରତିଶ୍ରୁତି ଦେଇଥିଲେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦି, ଯିଏ ଏବେ ପ୍ରଧାନମନ୍ତ୍ରୀ ତଥା ବିଜେପିର କର୍ଣ୍ଣଧାର !

ତେବେ ଗଣତନ୍ତ୍ର କ’ଣ ଏକ ଜୁମ୍ଲା ?

ଆମ ସମ୍ବିଧାନର ମୁଖବନ୍ଧରେ ଘୋଷଣା କରାଯାଇଛି:

ଆମେ ଭାରତର ଲୋକମାନେ ଭାରତକୁ ଏକ ସାର୍ବଭୌମ ଗାଣତନ୍ତ୍ରିକ ସମାଜବାଦୀ ଧର୍ମନିରପେକ୍ଷ ସାଧାରଣତନ୍ତ୍ରରେ ପରିଣତ କରିବା ସହିତ ଏହାର ସମସ୍ତ ନାଗରିକଙ୍କୁ

ସାମାଜିକ, ଆର୍ଥନୀତିକ ଓ ରାଜନୀତିକ ନ୍ୟାୟ,

ଭାବନା, ଭାବ ପ୍ରକାଶ, ବିଶ୍ବାସ ଓ ଉପାସନାର ସ୍ବତନ୍ତ୍ରତା,

ସ୍ଥିତି ଓ ସୁଯୋଗର ସମାନତା ପ୍ରଦାନ କରିବା

ଏବଂ ବ୍ୟକ୍ତିଗତ ମର୍ଯ୍ୟାଦା ଓ ରାଷ୍ଟ୍ରର ଏକତା ଓ ସଂହତି ନିଶ୍ଚିତ କରିବା ସହିତ ସେମାନଙ୍କ ମଧ୍ୟରେ ଭ୍ରାତୃଭାବ ପ୍ରସାରଣ କରିବାକୁ ପବିତ୍ର ସଂକଳ୍ପ ଗ୍ରହଣ କରି ଏହି ସମ୍ବିଧାନକୁ ଅନୁମୋଦନ, ପ୍ରଣୟନ କରିବା ସହିତ ଆମେ ଆମ ନିଜକୁ ପ୍ରଦାନ କରିଅଛୁ |

ଏହି ସମ୍ବିଧାନ ଗୃହୀତ ହେବା ପରେ ବିତି ଗଲାଣି 66 ବର୍ଷ | କିନ୍ତୁ ଆମକୁ ସାମାଜିକ ଓ ଆର୍ଥନୀତିକ ନ୍ୟାୟ ମିଳି ସାରିଛି କି ? ଭାବନା ଓ ଭାବ ପ୍ରକାଶ କ୍ଷେତ୍ରରେ କିଛିଟା ସ୍ବାଧୀନତା ମିଳିଥିଲେ ବି ବିଶ୍ବାସ ଓ ଉପାସନାର ସ୍ବାଧୀନତାକୁ ଉପଯୁକ୍ତ ସମ୍ମାନ ଦିଆଯାଉଛି କି ? ସ୍ଥିତି ଓ ସୁଯୋଗର ସମାନତା ମିଳିଛି ଯଦି ଖାପ୍ ପଂଚାୟତ ବସୁଛି କାହିଁକି ? ସଂରକ୍ଷଣ କଥା ଉଠଉଛି କିଏ ? ଶିଳ୍ପପତି ଓ ପୁଂଜିପତିଙ୍କ ଆଗରେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ସ୍ଥିତି କ’ଣ ? ସାମାଜିକ ମର୍ଯ୍ୟାଦାରେ ସମାନତା ଆସିଛି କି ?

ସମ୍ବିଧାନର ପ୍ରତିଶ୍ରୁତି ତେବେ କ’ଣ ? ଜୁମ୍ଲା ନା ନାଟକବାଜୀ ?

ସମାଜବାଦ କୁଆଡ଼େ ଗଲା ? 1991 ପରଠୁଁ ନରସିଂହ ରାଓ ଓ ମନମୋହନ ସିଂହଙ୍କ ସଂସ୍କାର ଭିତ୍ତିରେ ଭାରତବର୍ଷ ହୋଇଯାଇଛି ପୁଂଜିବାଦୀ ରାଷ୍ଟ୍ର ! ସେମାନଙ୍କୁ ଦେଶର ସବୁଠୁ ଦୁର୍ବଳ ଓ ଦୁର୍ନୀତିଗ୍ରସ୍ତ ପ୍ରଧାନମନ୍ତ୍ରୀ ଭାବେ ଉପସ୍ଥାପନ କରିଥିବା ଭାରତୀୟ ଜନତା ପାର୍ଟି ମଧ୍ୟ ରାଓ ଓ ସିଂହଙ୍କ ପ୍ରଦର୍ଶୀତ ଆର୍ଥନୀତିକ ମାର୍ଗ ନବଦଳାଇ ସେଇ ରାସ୍ତାରେ ଆଉ ଟିକେ ଜୋରରେ ଦୌଡ଼ିବାକୁ ଚେଷ୍ଟା ଚଳାଇଛି | ସେଇଥିପାଇଁ ଖୋଦ ପ୍ରଧାନମନ୍ତ୍ରୀ ମୋଦି ବି ଘନଘନ ବିଦେଶ ଗସ୍ତ କରୁଛନ୍ତି| ପୁଂଜି ଓ ପୁଂଜିପତିଙ୍କୁ ଆମନ୍ତ୍ରଣ ଓ ଦେଶର ଆର୍ଥନୀତିକ ସାର୍ବଭୌମତ୍ବକୁ କତିପୟ କୋଟିପତିଙ୍କ ନିକଟରେ ବନ୍ଧକ ରଖିବା ଦିଗରେ ତାଙ୍କର ଅଦମ୍ୟ ଉତ୍ସାହ ଭିତରେ କେଉଁଠି ଦେଖାଯାଉଛି ସମାଜବାଦ ? ଟଙ୍କିକିଆ ଚାଉଳରେ ? ନା ଏନ୍ଆରଇଜିଏ ମଜୁରୀରେ ? ସାମ୍ବିଧାନିକ ଧର୍ମନିରପେକ୍ଷତାକୁ ଛଦ୍ମଧର୍ମନିରପେକ୍ଷତା ବା ଇଂରାଜୀ ଶବ୍ଦ ସେକୁଲାରକୁ ସିକୁଲାର୍ ଭାବେ ବର୍ଣ୍ଣନା କରୁଥିବା ମୋଦିଭକ୍ତ ଏବେ ଶାସନରେ |

ଏହା କି ପ୍ରକାର ଗଣତନ୍ତ୍ର ? ନାଟକ ନା ଜୁମ୍ଲା ?

ସମ୍ବିଧାନ କହିଛି ନିଶା ନିବାରଣ କରିବା | ଆଜି ପ୍ରତ୍ୟେକ ସରକାରର ଲକ୍ଷ୍ୟ ହେଉଛି ନିଶା ପ୍ରସାରଣ ଜରିଆରେ ରାଜସ୍ବ ଅର୍ଜନ |

ସମ୍ବିଧାନ କହିଛି ଗୋହତ୍ୟା ନିଷେଧ କରିବା | ଏବେକାର ପରିସ୍ଥିତିରେ କୌଣସି ସରକାର ତାହା କରିବେ ବୋଲି ଆଶା କରିବା ବୃଥା |

ସମ୍ବିଧାନ କହିଛି ଜଣେ ଲୋକ ଗୋଟିଏ ଭୋଟ୍ | ଆଜିର ନିର୍ବାଚନୀ କୌଶଳ ହେଉଛି ହଜାରେ ଟଙ୍କା ଗୋଟିଏ ଭୋଟ୍ |

ସମ୍ବିଧାନ କହିଛି ମୁକ୍ତ ଓ ଅବାଧ ନିର୍ବାଚନ | ଆଜି ଭୋଟ କେନ୍ଦ୍ର ଚାରିପାଖେ ବନ୍ଧୁକଧାରୀ ଅର୍ଦ୍ଧସାମରିକ ବାହିନୀର ଦୁମଦୁମ ଚାଲି |

ଏହା କି ପ୍ରକାର ଗଣତନ୍ତ୍ର ? ନାଟକ ନା ନାଟକବାଜୀ ? ଜୁମ୍ଲା ନା ଫମ୍ପା ଆବାଜ୍ ?

ଖ୍ରୀଷ୍ଟାବ୍ଦ 800 ପାଖାପାଖି ଲାଟିନ୍ ଭାଷାରେ ଲେଖାଯାଇଥିଲା ଗଣତନ୍ତ୍ର ସଂପର୍କରେ ଗୋଟିଏ ଧାଡ଼ି: ନେସ୍ ଅଡିଏଣ୍ଡି କୂଇ ସୋଲେଣ୍ଟ ଡିସେରେ, ଭକ୍ସ ପପୁଲି, ଭକ୍ସ ଡେଇ, କୁଉମ୍ ଟ୍ୟୁମୋଲ୍ଟୋସିଟାସ୍ ଭଲ୍ଗି ସେମ୍ପର୍ ଇନ୍ସାନିଆ ପ୍ରକ୍ସିମା ସିଟ୍| ଓଡ଼ିଆର ଏହାର ଅର୍ଥ ହଉଛି: ଯେଉଁମାନେ କହନ୍ତି ଯେ ଜନଗଣଙ୍କ କଥା ହେଉଛି ଈଶ୍ବରଙ୍କ କଥା ସେମାନଙ୍କ କଥା କେହି ଶୁଣିବା ଉଚିତ ନୁହେଁ କାରଣ ଭିଡ଼ ଭିତରର ଭାଷା ପାଗଳର ପ୍ରଳାପଠାରୁ ବେଶି ଦୂର ନୁହେଁ|

1681 ମସିହାରେ ଠିକ୍ ଏଇ କଥା ବି କହିଥିଲେ ଇଂରାଜୀ କବି ଜନ୍ ଡ୍ରାଇଡେନ୍ | ତାଙ୍କ ରଚିତ ଆବସାଲୋମ୍ ଆଣ୍ଡ ଆଚିଟୋଫେଲ୍ର ଦୁଇଟି ଧାଡ଼ି: ନର୍ ଇଜ୍ ଦ ପିପୁଲ୍’ସ ଜଜମେଣ୍ଟ ଅଲ୍ବେଜ୍ ଟ୍ରୁ, ଦ ମୋଷ୍ଟ ମେ ଏର୍ ଆଜ୍ ଗ୍ରସ୍ଲି ଆଜ୍ ଦ ଫିଉ | ଏହାର ଅର୍ଥ ହେଲା ଲୋକମାନଙ୍କ ରାୟ ସବୁବେଳେ ସତ ନୁହେଁ, ଅଳ୍ପ ଲୋକ ଯେମତି ଭୁଲ୍ କରନ୍ତି ବେଶି ଲୋକ ବି ସେମିତି ଭୁଲ୍ କରନ୍ତି |

ଏହାର 200 ବର୍ଷ ପରେ ଫ୍ରେଡରିକ୍ ଏଙ୍ଗଲେସ୍ ବି ଏଇ କଥାକୁ ଅନ୍ୟ ଭାବରେ କହିଥିଲେ| 1891 ମସିହାରେ ପ୍ରକାଶିତ କାର୍ଲ ମାର୍କ୍ସଙ୍କ ଦି ସିଭିଲ ଉଆର୍ ଇନ୍ ଫ୍ରାନ୍ସ ପୁସ୍ତକର ମୁଖବନ୍ଧରେ ଏଙ୍ଗେଲସ୍ ଲେଖିଥିଲେ: ଲୋକମାନେ ଭାବି ନେଇଛନ୍ତି ଯେ ସେମାନେ ବଂଶାନୁକ୍ରମିକ ରାଜତନ୍ତ୍ର ଉପରୁ ବିଶ୍ବାସ ହରାଇ ଗାଣତନ୍ତ୍ରିକ ସାଧାରଣତନ୍ତ୍ରରେ ବିଶ୍ବାସ କରିବା ଏକ ଅସାଧାରଣ ପଦକ୍ଷେପ | ତେବେ ବାସ୍ତବରେ ରାଷ୍ଟ୍ର ହେଉଛି ଗୋଟିଏ ବର୍ଗର ଲୋକଙ୍କ ଦ୍ବାରା ଅନ୍ୟ ଏକ ବର୍ଗର ଲୋକଙ୍କ ଉପରେ ଅତ୍ୟାଚାର କରିବାର ଏକ ଯନ୍ତ୍ର ଏବଂ ଗଣତନ୍ତ୍ରରେ ଏହା ରାଜତନ୍ତ୍ର ତୁଳନାରେ କିଛି କମ୍ ନୁହେଁ |

ଗଣତନ୍ତ୍ର ତେବେ କ’ଣ ? ନାଟକ ନା ନାଟକବାଜୀ ?

© 2015. Samanya Kathan All Rights Reserved | Editor : Debendra Prusty     

To Top