ଦୁର୍ନୀତିର ବ୍ୟଥା

image

ଭବାନୀ ନନ୍ଦ

 

ପୃଥିବୀର ଅନେକ ଦେଶର ସାଧାରଣ ଜନତା ସେମାନଙ୍କର ପ୍ରାଥମିକ ଆବଶ୍ୟକତାରୁ ବଂଚିତ ହେଉଛନ୍ତି ଏବଂ କ୍ଷୁଧା ଭଳି ମର୍ମନ୍ତୁଦ ବ୍ୟଥା ସମ୍ଭାଳିବାକୁ ବାଧ୍ୟ ହେଉଛନ୍ତି। ତାହା ସବୁ ଦେଖି ଶୁଣି ଜାଣି ନଜାଣିଲା ପରି ଶକ୍ତିଶାଳୀ ପ୍ରଭାବଶାଳୀ ଦୁର୍ନୀତିଗ୍ରସ୍ତ କତିପୟ ବ୍ୟକ୍ତି ପ୍ରଚୁର ବିଳାସ ବ୍ୟସନରେ ମଜ୍ଜି ରହିଛନ୍ତି।

 

ନିଜର ବ୍ୟକ୍ତିଗତ ଲାଭ ବା କାର୍ଯ୍ୟ ହାସଲ ପାଇଁ ମିଳିଥିବା ଶକ୍ତିକୁ ଅପବ୍ୟବହାର କରିବା ହିଁ ଦୁର୍ନୀତି। ଏହା ନୀତି ନିୟମ ଅନ୍ତର୍ଭୁକ୍ତ ନୁହେଁ। ଦୁର୍ନୀତିର ଭୟାବହତା ଗ୍ରାସ କରିଛି ସାରା ଦୁନିଆକୁ। ଟ୍ରାନ୍ସପ୍ୟାରେନସି ଇଣ୍ଟରନେଶନାଲ ଦୁର୍ନୀତି ଅନୁଭୂତିର ଆକଳନ କରି ଅନୁକ୍ରମଣିକା ପ୍ରକାଶ କରନ୍ତି। ଯେଉଁ ଦେଶ ଶୂନ୍ୟ (୦) କ୍ରମାଙ୍କରେ ରହେ ତାହା ସର୍ବାଧିକ ଦୁର୍ନୀତିଗ୍ରସ୍ତ ଓ ଯେଉଁ ଦେଶ ୧୦୦ କ୍ରମରେ ରହେ ତାହା ଦୁର୍ନୀତି ରହିତ ବା ସ୍ବଚ୍ଛ ଦେଶ। ଏହି ଆକଳନ ଅନୁଯାଇ ୧୭୬ ଦେଶ ମଧ୍ୟରୁ ୨୦୧୬ ମସିହା ରେ ୫୪ଟି ଦେଶ ଶତକଡା ୫୦ ଭାଗ ବା ତତ-ନିମ୍ନ  ଦୁର୍ନୀତି ଗ୍ରସ୍ତ ଥିବା ବେଳେ ବାକି ୧୨୬ ଦେଶ ୫୦ ପ୍ରତିଶତ ବା ତଦୁର୍ଦ୍ଧ ଦୁର୍ନୀତିଗ୍ରସ୍ତ। ସର୍ବନିମ୍ନ ଦୁର୍ନୀତିଗ୍ରସ୍ତ ଦେଶଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ହିସାବରେ ଆମ ଦେଶର ସ୍ଥାନ  ଦୁର୍ନୀତିରେ ୭୯ତମ ଦେଶ ଅର୍ଥାତ ୭୯ ଦୁର୍ନୀତିଗ୍ରସ୍ତ ଦେଶମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ।

 

ଯେତେବେଳେ ରାଜନୈତିକ ଲୋକେ, ଦୁର୍ନୀତିଗ୍ରସ୍ତ ଲାଭଖୋର ବ୍ୟବସାୟୀ, ଦଲାଲ ଓ ଗଣମାଧ୍ୟମ, କିଛି ଦୁର୍ନୀତିଗ୍ରସ୍ତ ଆଇଏଏସ, ଆଇପିଏସ ଅଫିସର ମିଳିମିଶି କୌଣସି ନୀତି ନିୟମକୁ ବିକୃତ ବା ବକ୍ର କରି ବା ଆଇନକୁ ସମ୍ପୂର୍ଣ ଅମାନ୍ୟ କରି ଗଳାବାଟ ତିଆରି କରି ସର୍ବସାଧାରଣଙ୍କ ଧନ ଲୁଟିନେଇ ଚାଲନ୍ତି ତାହା ମହାଦୁର୍ନୀତି। କୋଇଲା, ସ୍ପେକ୍ଟରମ  ଆଦି  ଦୁର୍ନୀତି, ଜମି ଆବଣ୍ଟନ ଦୁର୍ନୀତି କାହାକୁ ଅଛପା ନାହିଁ। ବିଭିନ୍ନ ତଥାକଥିତ ଜନହିତକର ଯୋଜନା କରି ଯୋଜନାବଦ୍ଧ ଭାବରେ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କାରୁ ବାଟମାରଣା କଥା  ସମସ୍ତେ ଜାଣନ୍ତି ଏବଂ ଏଇଭଳି ବ୍ୟବସ୍ଥାରେ ପ୍ରତି ମୁହୂର୍ତ୍ତରେ ଦାରୁଣ ମାନସିକ ଆଘାତପ୍ରାପ୍ତ ହୋଇ ସମୟ ଅତିବାହିତ କରିବା ପାଇଁ ଜନ୍ମ ହୋଇଛେ ବୋଲି ଭାବି ଅନେକ ନିରବ ରହନ୍ତି। କିଛି ବିଦ୍ରୋହ କରି ବାଟେ ଘାଟେ, ଖଟିରେ ଦୁଃଖ କହି ବୁଲନ୍ତି, କିଛି ଆନ୍ଦୋଳନ କରନ୍ତି, କିଛି ଲୋକେ ମଦୁଆ ହୋଇ ବୁଲନ୍ତି ଏବଂ ନୈରାଶ୍ୟର କଷାଘାତରେ ଆତ୍ମହତ୍ୟା କରନ୍ତି ମଧ୍ୟ। ମାତ୍ର ଫଳ ଶୂନ।

 

ଦେଶର ଶାସନ ବ୍ୟବସ୍ଥାରେ ହସ୍ତକ୍ଷେପ କରି ନିଜର ଉଦ୍ଦେଶ୍ୟ ସାଧନ ପାଇଁ ବ୍ୟବସ୍ଥାକୁ ବ୍ୟବହାର କରି ଏଇଭଳି ଏକାଠି ମିଳିମିଶି ଦୁର୍ନୀତି କରି ଦେଶର ଧନ ଲୁଟ କରି ମାଲେ ମାଲ  ହୋଇଛନ୍ତି ସେଇମାନେ ସର୍ବସାଧାରଣଙ୍କର ପେଟରେ ଗୋଇଠା ମାରି ଚାଲିଛନ୍ତି। କଥାରେ ଅଛି ତୁନିକୁ ମୁନି ସରି ନୁହେଁ। ସେଇଭଳି ଆଚରଣ କରୁଛନ୍ତି ସେମାନେ। ସେମାନଙ୍କୁ ଚୋର, ଡକାୟତ ବୋଲି କହିଲେ ମଧ୍ୟ ସବୁ ଶୁଣି ଚୁପ ରହୁଛନ୍ତି। ସରକାରୀ ବ୍ୟବସ୍ଥାଟିକୁ ଏପରି ସଜାଡି ରଖିଛନ୍ତି ଯେ ଦୁର୍ନୀତି ଏହି ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି। ଲାଞ୍ଚ, ପ୍ରିୟାପ୍ରୀତି ତୋଷଣ ଆଦି ଏହି ବ୍ୟବସ୍ଥାରେ ଗୁରୁତ୍ବ ଲାଭ କରିଛି ଓ ସାମାଜିକ ସ୍ତରରେ ଅଙ୍ଗାଅଙ୍ଗୀ ଭାବେ ଜଡିତ ହୋଇଯାଇଛି। 

 

ଯେଉଁ ଦେଶଗୁଡିକ ଅଧିକ ଦୁର୍ନୀତିଗ୍ରସ୍ତ ସେ ଦେଶଗୁଡିକରେ ବିଶେଷ କରି ପୋଲିସ ଓ ନ୍ୟାୟିକ ବ୍ୟବସ୍ଥା ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ବୋଲି କହନ୍ତି ଟ୍ରାନ୍ସପାରେନ୍ସି ଇଣ୍ଟେରନେଶନାଲ। ଭ୍ରଷ୍ଟାଚାର ବିରୋଧୀ ଆଇନ ଓ ନିୟମଗୁଡିକ କେବଳ ନଥିପତ୍ରରେ ଥାଏ। ମାତ୍ର ପ୍ରତି ମୁହୂର୍ତ୍ତରେ ଲୋକେ ଉତ୍କୋଚ ଦିଅନ୍ତି। ଜବରଦସ୍ତି ଅସୁଲି ଏକ ସାଧାରଣ ପ୍ରକ୍ରିୟା ଭାବରେ କାର୍ଯ୍ୟ କରେ। ଆମ ଦେଶର ଅବସ୍ଥା ସେଇଆ।

 

ଆମ ଦେଶରେ ଗଣାମାଧ୍ୟମ ପରାଧୀନ। ରାଜନେତା ଓ ସରକାରୀ ବାବୁମାନଙ୍କର ସତ୍ୟନିଷ୍ଠା ନାହିଁ। ଓକିଲମାନେ କେତେ ଟଙ୍କା ନେଇ କେଶ ଲଢ଼ିବେ ତାହା କହନ୍ତି ନାହିଁ, ମାତ୍ର ମହକିଲମାନଙ୍କଠାରୁ ଯେତେ ଟାଣିବା କଥା ତାହା ନେଇ ଚାଲନ୍ତି। ଲାଞ୍ଚ ନଦେଲେ କେଶ ପଡେ ନାହିଁ, ତାରିଖ ଜାଣିହୁଏ ନାହିଁ, ନକଲ ମିଳେନାହିଁ ଇତ୍ୟାଦି ଇତ୍ୟାଦି। ଡାକ୍ତରମାନେ ରୋଗୀ ଦେଖୁ ଦେଖୁ କମିଶନ ପାଇଁ ନିଜ ନିଜର ପରୀକ୍ଷକଙ୍କ ପାଖକୁ ପଠାନ୍ତି। ରୋଗ ନଥିଲେ ମଧ୍ୟ ପରୀକ୍ଷାରେ ରୋଗ ବାହାର କରନ୍ତି। ବ୍ୟାଙ୍କ ବାଲାଙ୍କ କଥା କହିବା କ’ଣ? ବ୍ୟାଙ୍କଗୁଡିକର ମୁଖ୍ୟମାନେ ସର୍ବସାଧାରଣଙ୍କ ପାଣ୍ଠିକୁ କେଇଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଋଣ ଦେଇ ବସିପଡ଼ନ୍ତି। ଉଦାହରଣ ସ୍ବରୂପ ୮୧୮୪ ଖାତାରେ ମାର୍ଚ୍ଚ ୨୦୧୬ ସୁଦ୍ଧା ୧,୨୯,୪୮୦ କୋଟି ଟଙ୍କା ବାକି ରହିଛି। କେତେ ଏନପିଏ ପଚାରିଲେ ଉତ୍ତର ମିଳେ ସେଗୁଡିକ ଗୁପ୍ତ କଥା। ସର୍ବସାଧାରଣ ହିତ ପାଇଁ ଉଦିଷ୍ଟ ତଥ୍ୟ ଲୁଚାଇବାରେ ସମସ୍ତ ସରକାରୀ କର୍ତ୍ତୃପକ୍ଷ ଧୂରନ୍ଧର। 

 

ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ସାମିଲ ହେବାପାଇଁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ସର୍ବସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ନିଃଶୁଳ୍କ ଫୋନ ନମ୍ବର ୧୮୦୦-୧୧-୦୧୮୦ ଓ ଶୁଳ୍କ ସହିତ ସହାୟକ ନମ୍ବର ୦୧୧-୨୪୬୫୧୦୦୦କୁ ଫୋନ ଯୋଗେ ଅଭିଯୋଗ କରିବା ପାଇଁ ପ୍ରତ୍ୟେକ ସୋମବାରରୁ ଶୁକ୍ରବାର ୯.୩୦ଠାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ପରାମର୍ଶ ଦେଉଛନ୍ତି। ସେଥିରେ ମଧ୍ୟ ଲେଖାଅଛି, ହେଲ୍ପ ରିୟଲାଇଜିଂ ଡ୍ରିମ ଅଫ୍‌ କରପ୍ସନ ଫ୍ରି ଇଣ୍ଡିଆ। ଏହା ଅତ୍ୟନ୍ତ ଆନନ୍ଦ ଦାୟକ। ମାତ୍ର ଫୋନ କରି କେଉଁଠି କାଁ  ଭାଁ ଗୋଟିଏ ଯୋଡିଏ ଦୃଷ୍ଟାନ୍ତ ସିନା କହି ହେବ। ୟେ କମଳ ଯାକ ବାଳ ପରି ସାରା ବ୍ୟବସ୍ଥାରେ ଯେଉଁ ଦୁର୍ନୀତି ଅନୁଭବ କରି ହେଉଛି ତାହା କ’ଣ ଗମ୍ଭୀର ତଦନ୍ତର ପରିସର ଭୁକ୍ତ ନୁହେଁ ?

 

ସେ ଯାହା ହେଉ ଦୁର୍ନୀତିମୁକ୍ତ ସ୍ବପ୍ନକୁ ସାକାର କରିବା କଥା ତୁଣ୍ଡରେ ଧରୁଛନ୍ତି ତାହା ବୋଧହୁଏ ଆମପାଇଁ ବଡ଼କଥା। ଏ ପରିପ୍ରେକ୍ଷୀରେ ସାମାଜିକ ସଂସ୍ଥାମାନେ ଅତ୍ୟନ୍ତ ତତ୍ପର ହୋଇ ଉଠିଛନ୍ତି। ଓଡିଶା ସୂଚନା ଅଧିକାର ଅଭିଯାନ ଆସନ୍ତା ୧.୪.୨୦୧୭ଠାରୁ ୭ ଦିନ ରାଜ୍ୟ ବ୍ୟାପି ଦୁର୍ନୀତି ନିବାରଣ ପାଇଁ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିଛନ୍ତି ତାହା ସର୍ବସାଧାରଣ ହିତ ପାଇଁ ଉଦ୍ଦିଷ୍ଟ ଥିବାରୁ ସରକାରଙ୍କର ଭିଜିଲାନ୍ସ ବିଭାଗ ହୁଅନ୍ତୁ ବା ସିବିଆଇ ହୁଅନ୍ତୁ ବା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ହୁଅନ୍ତୁ ବା ରାଜ୍ୟ ପୋଲିସ ଯଦି ସେମାଙ୍କର ସମର୍ଥନ ଜଣାନ୍ତେ ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ଦିଗଦର୍ଶନ ଦିଅନ୍ତେ ବୋଧହୁଏ ଦେଶର ବୃହତ୍ତର ସ୍ବାର୍ଥ ସାଧିତ ହୋଇପାରନ୍ତା। 

 

ସଂପର୍କ- ୯୯୩୭୧୦୫୦୦୬

© 2015. Samanya Kathan All Rights Reserved | Editor : Debendra Prusty     

To Top