ଓଡ଼ିଆ ମିଡିଆ-ଏବେ ଓ ଆଗକୁ

image

ଡ. ମୃଣାଳ ଚାଟାର୍ଜୀ

 

୧୮୬୬ ଅଗଷ୍ଟ ୪ ତାରିଖରେ ଆରମ୍ଭ ହୋଇଥିଲା ପ୍ରଥମ ଓଡ଼ିଆ ସମ୍ବାଦପତ୍ର ଉତ୍କଳ ଦୀପିକା। ସେବେଠାରୁ ବର୍ତ୍ତମାନ- ଓଡ଼ିଆ ସାମ୍ବାଦିକତାକୁ ୧୫୧ ବର୍ଷ ହେଲାଣି। ଏବେ ଓଡ଼ିଆ ସାମ୍ବାଦିକତାର ଅବସ୍ଥା କ’ଣ, ଏ ଦୀର୍ଘ ଦେଢ଼ ଶତାବ୍ଦୀ ଭିତରେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ କି ପରିବର୍ତ୍ତନ ହୋଇଛି ଆଉ ଏହାର ଭବିଷ୍ୟତ କ’ଣ- ଏହାରି ବିଷୟରେ ଆଲୋଚନା ଏ ନିବନ୍ଧ।

 

ଓଡ଼ିଆ ସାମ୍ବାଦିକତା ଓ ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଚାର୍ଲସ ଡ଼ିକେନ୍ସଙ୍କ ଗୋଟିଏ ବାକ୍ୟକୁ ଧାର କରି କହିହେବ : ଏହା ହେଉଛି ସବୁଠାରୁ ଭଲ ସମୟ, ଏହା ହେଉଛି ସବୁଠାରୁ ଖରାପ ସମୟ (ଇଟ ଇଜ ଦ ବେଷ୍ଟ‍୍‌ ଅଫ ଦ ଟାଇମ୍ସ, ଇଟ ଇଜ ଦ ଓର୍ଷ୍ଟ ଅଫ ଦ ଟାଇମ‍୍‌ସ। ଏଟା ତାଙ୍କ ଉପନ୍ୟାସ ଏ ଟେଲ୍‌ ଅଫ ଟୁ ସିଟିସର ପ୍ରଥମ ଧାଡ଼ି)।

 

ଗୋଟିଏ ଦିଗରୁ ଦେଖିଲେ ଓଡ଼ିଆ ଗଣମାଧ୍ୟମ ଚିତ୍ରଟି ଅତ୍ୟନ୍ତ ଉଜ୍ଜ୍ବଳ। ଖବରକାଗଜ କଥା ଦେଖନ୍ତୁ। ଏବେ କେବଳ ଦୈନିକ ଓଡ଼ିଆ ଖବରକାଗଜର ସଂଖ୍ୟା ୬୦ ଉପରେ। ୮୦ ଦଶକରେ ଏହା ୨୦ ପାଖପାାଖି ଥିଲା। ଓଡ଼ିଆ ଖବରକାଗଜ ଗୁଡ଼ିକର ପାଠକ ସଂଖ୍ୟା ବଢ଼ିବାକୁ ଲାଗିଛି। ଓଡ଼ଶାର ମୁଖ୍ୟ ସମ୍ବାଦପତ୍ର ଗୁଡ଼ିକର ପ୍ରସାର ବଢ଼ିଥିବାର ଲକ୍ଷ୍ୟ କରାଯାଉଛି। ସଂପ୍ରତି ଅଧିକାଂଶ ଖବରକାଗଜ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସଂସ୍କରଣମାନ ପ୍ରକାଶିତ କରୁୁଛନ୍ତି। ଟେଲିଭିଜନରେ ଅନେକ ଚ୍ୟାନେଲ ହେଲାଣି। ଅଶୀ ଦଶକ ଶେଷ ଯାଏଁ ମାତ୍ର ଦୁଇଟି ଚ୍ୟାନେଲ‍୍‌ ଥିଲା। ଦୂରଦର୍ଶନ। ଏବେ ୧୩ଟି। ଟେଲିଭିଜନ କାର୍ଯ୍ୟକ୍ରମରେ ମଧ୍ୟ ନୂତତତ୍ବ ଦେଖାଯାଉଛି।  ଆକାଶବାଣୀର ୨୬ଟି କେନ୍ଦ୍ର ଓ ରିଲେକେନ୍ଦ୍ର ଅଛି। ୩ଟି ବେସରକାରୀ ରେଡିଓ ଷ୍ଟେସନ‍୍‌ ଆଉ ୬ଟି ଗୋଷ୍ଠୀ ବେତାର କେନ୍ଦ୍ର ରହିଛି। ଓଡ଼ିଶାରେ ଇଣ୍ଟରନେଟ‍୍‌ର  ବ୍ୟବହାର ବଢିବା ସହିତ େୱବ ପବ୍ଲିକେସନ ମଧ୍ୟ ବୃଦ୍ଧି ପାଇବାକୁ ଲାଗିଛି। ଗଣମାଧ୍ୟମ ଗୁଡ଼ିକ ନୂଆ ଟେକ୍ନୋଲୋଜିକୁ ଆଦରି ନେଇଛନ୍ତି। ମୋବାଇଲ‍୍‌ ଫୋନ ମାଧ୍ୟମରେ, ସୋସିଆଲ‍୍‌ ମିଡିଆ ମାଧ୍ୟମରେ ସମ୍ବାଦ ସଂଗ୍ରହ ଓ ପରିବେଷଣ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ବି ପହଞ୍ଚି ଗଲାଣି। ତଥ୍ୟ ସମ୍ପ୍ରସାରଣ କ୍ଷେତ୍ରରେ ଟେକ୍ନୋଲୋଜିର ବିକାଶ, ସାକ୍ଷରତା, ପାଠକ ସଂଖ୍ୟା, ବଢୁଥିବା ପ୍ରତିଦ୍ବନ୍ଦିତା ଏବଂ ବଜାରମୁଖୀ ମନୋଭାବ ଓଡ଼ିଶାରେ ପାରମ୍ପାରିକ ଗଣମାଧ୍ୟମର ଭିତ୍ତିଭୂମିକୁ ବଦଳାଇ ଦେଇଛି। ଏଣୁ ଏହାକୁ ସବୁଠାରୁ ଭଲ ସମୟ କହିହେବ।

 

ଅନ୍ୟପକ୍ଷରେ ଦେଖିବାକୁ ଗଲେ ସାମ୍ବାଦିକମାନଙ୍କର ଅର୍ଥନୈତିକ ସ୍ଥିତି, ସେମାନଙ୍କ ସୁରକ୍ଷା, ନିରପତ୍ତା, ଆଚରଣବିଧି ଓ ସ୍ବାଧୀନତାକୁ ଦେଖିଲେ ଅବସ୍ଥା ସେଭଳି ଭଲ ନୁହେଁ। ୨୫ ବର୍ଷ ପୂର୍ବେ ସ୍ଥିତି ଯାହା ଥିଲା ବର୍ତ୍ତମାନର ସେଥିରେ ଅବନତି ହୋଇଛି ବୋଲି ଅନେକ ମତ ଦିଅନ୍ତି। ସଂପ୍ରତି ଗଣମାଧ୍ୟମରେ ବିପୁଳ ପୁଞ୍ଜି ବିନିଯୋଗର ଆବଶ୍ୟକତା ଓ ବଜାରମୁଖୀ କାରବାର ଯୋଗୁଁ ଛୋଟ କାଗଜଗୁଡ଼ିକ ବଞ୍ଚି ରହିବା କଷ୍ଟକର ହେଉଛି ବୋଲି ଅନେକ ମତପୋଷଣ କରନ୍ତି। ବର୍ତ୍ତମାନ ଖବରର ବଜାରିକରଣ ତଥା ଚାଞ୍ଚଲ୍ୟକର ଖବର ପ୍ରକାଶନର ମାତ୍ରାÿ ବଢ଼ିଯାଇଛି। ଖବରକାଗଜରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଯଥେଷ୍ଟ ସମୟ ଓ ସ୍ଥାନ ଦିଆଯାଉ ନାହିଁ। ଅଧିକାଂଶ ଗଣମାଧ୍ୟମ ସଂସ୍ଥାର ମାଲିକାନା ଜଣଙ୍କ ହାତରେ ରହୁଥିବାରୁ ଗଣମାଧ୍ୟମର ସ୍ବାଧୀନତା ଉପରେ ମଧ୍ୟ ପ୍ରଶ୍ନବାଚୀ/ବିପଦ ସୃଷ୍ଟି ହୋଇଛି। ସଂପ୍ରତି ସାମ୍ବାଦିକମାନେ ସୁରକ୍ଷିତ ନାହାନ୍ତି। ସାମ୍ବାଦିକମାନଙ୍କ ଦ୍ବାରା ପ୍ରକାଶିତ ଖବରକୁ ନେଇ ବାହ୍ୟ ଶକ୍ତିର ଧମକ, ଭୟ ସେମାନଙ୍କ ନିରାପତ୍ତାକୁ ବିପନ୍ନ କରିଛି। ସଂପ୍ରତି ଅଧିକରୁ ଅଧିକ ସାମ୍ବାଦିକ କଣ୍ଟ୍ରାକ୍ଟ ବା ଚୁକ୍ତି ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ନିଯୁକ୍ତିର ବିଶେଷ ସୁଯୋଗ ନଥିବାରୁ ସେମାନେ ମାଲିକକୁ ସୁହାଇଲା ଭଳି ଚୁକ୍ତି ମୁତାବକ କାର୍ଯ୍ୟ କରୁଛନ୍ତି। ଲଫପାା ସାମ୍ବାଦିକତା (ଏନ୍ଭଲପ‍୍‌ ଜର୍ଣାଲିସମ) ଅବା ଅର୍ଥ ବଦଳରେ ଖବର ପ୍ରକାଶ କରିବାର ପ୍ରବଣତା ବଢ଼ିବାରେ ଲାଗିଛି। ସାମ୍ବାଦିକତା କ୍ଷେତ୍ରରେ ଦୁର୍ନୀତି ଏବଂ ବ୍ଲାକମେଲିଂ ବଢୁଥିବାର ବହୁ ବୟୋଜ୍ୟେଷ୍ଠ ସାମ୍ବାଦିକ ମତ ପ୍ରକାଶ କରନ୍ତି। ତେଣୁ ଏହାକୁ ସାମ୍ବାଦିକତା ପାଇଁ ସବୁଠାରୁ ଖରାପ ସମୟ ବୋଲି ବି କୁହାଯାଇପାରେ।

 

ଏମିତି ପରସ୍ପର ବିରୋଧୀ ଚିତ୍ର ସମ୍ପର୍କରେ ଅଧିକ ଆଲୋଚନା ପୂର୍ବରୁ ଚାଲନ୍ତୁ ୧୫୧ ବର୍ଷର ଓଡ଼ିଆ ସାମ୍ବାଦିକତାର ଇତିହାସ ଉପରେ ଏକ ନଜର ବୁଲେଇ ଆଣିବା। 

 

ଓଡ଼ିଆ ସାମ୍ବାଦିକତାର ଇତିହାସ

ମଧ୍ୟ-ଉନ୍ନବିଂଶ ଶତାବ୍ଦୀରେ ମିଶନାରୀମାନଙ୍କ ଦ୍ବାରା ପ୍ରକାଶିତ ସାମୟିକ ପତ୍ରିକା, ତା’ ପୂର୍ବରୁ ହାତଲେଖା କୁଜିବର ପତ୍ର ଇତ୍ୟାଦିକୁ ବାଦ ଦେଲେ ଓଡ଼ିଶାରେ ଆଧୁନିକ ସାମ୍ବାଦିକତାର ଆରମ୍ଭ ହୁଏ ୧୮୬୬ରେ ଗୌରୀଶଙ୍କର ରାୟଙ୍କ ପ୍ରଥମ ସାପ୍ତାହିକ ଓଡ଼ିଆ ଖବରକାଗଜ ଉତ୍କଳଦୀପିକାର ପ୍ରକାଶନରୁ। ଓଡ଼ିଶାର ସାମାଜିକ ତଥା ରାଜନୈତିକ ଜୀବନରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

 

ଉନ୍ନବିଂଶ ଶତାବ୍ଦୀର ତିନି ଦଶନ୍ଧି ମଧ୍ୟରେ ଅନେକ ଗୁଡ଼ିଏ ଓଡ଼ିଆ ଖବରକାଗଜ ପ୍ରକାଶିତ ହୋଇଥିଲା। ଏଥିମଧ୍ୟରୁ କଟକରୁ ଉତ୍କଳ ଦୀପିକା, ଉତ୍କଳପାତ୍ର ଏବଂ ଉତ୍କଳ ହିତୈଷିଣୀ, ବାଲେଶ୍ବରରୁ ଉତ୍କଳ ଦର୍ପଣ ଏବଂ ସମ୍ବାଦ ବାହିକା, ଦେବଗଡ଼ରୁ ସମ୍ବଲପୁର ହିତୈଷିଣୀ ଆଦି ପ୍ରମୁଖ।

 

୧୯୨୮ରେ ଶଶୀ ଭୂଷଣ ରଥ ବ୍ରହ୍ମପୁରରୁ ପ୍ରଥମ ଓଡ଼ିଆ ଦୈନିକ ଖବରକାଗଜ ଦୈନିକ ଆଶା ପ୍ରକାଶିତ କରିଥିଲେ। ଓଡ଼ିଆ ସାମ୍ବାଦିକତା ଇତିହାସରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ସମୟ ଥିଲା। ଲୋକଙ୍କୁ ଏକତ୍ରିତ କରିବାରେ ଗଣମାଧ୍ୟମର ଭୂମିକା ଏଥିରୁ ଜଣପାଡ଼ିଥିଲା। 

 

ଜନସେବା ଏବଂ ଦେଶର ସ୍ବାଧୀନତା ସଂଗ୍ରାମ ଉଦ୍ଦେଶ୍ୟରେ ପଣ୍ଡିତ ଗେପାବନ୍ଧୁ ଦାସ ୧୯୧୯ ମସିହାରେ ସାପ୍ତାହିକ ଖବରକାଗଜ ରୂପେ ସମାଜର ପ୍ରକାଶନ ଆରମ୍ଭ କରିଥିଲେ। ୧୯୩୦ରେ ଏହା ଦୈନିକ ଖବରକାଗଜ ହୋଇଥିଲା। ଓଡ଼ିଶାର ସ୍ବାଧୀନତା ସଂଗ୍ରାମରେ ସମାଜ ଓ ପ୍ରଜାତନ୍ତ୍ର ଭଳି ଖବରକାଗଜର ଗୁରୁତ୍ବପୂର୍ଣ ଭୂମିକା ରହିଛି।

 

ସ୍ବାଧୀନତାÿପରବର୍ତ୍ତୀ ସମୟରେ ଓଡ଼ିଶାରେ ଗଣମାଧ୍ୟମର ପ୍ରସାର ଦେଖିବାକୁ ମିଳିଥିଲା। ଉଭୟ ଖବରକାଗଜର ସଂଖ୍ୟା ତଥା ପ୍ରସାରଣ ବଢ଼ିବାକୁ ଲାଗିଥିଲା। ଗଣମାଧ୍ୟମକୁ ନେଇ ଦୃଷ୍ଟିକୋଣରେ ମଧ୍ୟ ପରିବର୍ତ୍ତନ ଆସିଥିଲା। ଧୀରେ ଧୀରେ ଏହା ଏକ ମିଶନ ବା ଲକ୍ଷ୍ୟରୁ ପ୍ରଫେସନ ବା ପେସାକୁ ପରିବର୍ତ୍ତନ ହୋଇଥିଲା।

 

ଓଡ଼ିଶାରେ ସାମ୍ବାଦିକତା ଓ ଗଣମାଧ୍ୟମ କ୍ଷେତ୍ରରେ ନୂଆ ମୋଡ଼ ଆସିଥିଲା ୮୦ ଏବଂ ୯୦ ଦଶକରେ। ମଧ୍ୟ-୮୦ ଦଶକରେ ଓଡ଼ିଶାରେ ଫଟୋ ଟାଇପ ସେଟିଂ ଏବଂ ଅଫ ସେଟ‍୍‌ ପ୍ରିଣ୍ଟିଂ ଆରମ୍ଭ ହୋଇଥିଲା। ଖବରକାଗଜ ପ୍ରକାଶନର କାରିଗରୀ ଏବଂ ରୂପଗତ ଦିଗରେ ସମ୍ବାଦ ଏକ ବଡ଼ ପରିବର୍ତ୍ତନ ଆଣିଥିଲା। ବିଷୟ ଓ ଉପସ୍ଥପାନା କ୍ଷେତ୍ରରେ ମଧ୍ୟ ଏକ ପରିବର୍ତ୍ତନ ଆଣିଥିଲା। ଓଡ଼ିଶାରେ ସାମ୍ବାଦିକତା ଆରମ୍ଭରୁ ଲୋକାଭିମୁଖୀ ଥିଲା, ହେଲେ ୮୦ ଦଶକରୁ ଏହା ସଚେତନ ଭାବେ ଲୋକଂକ ପାଖରେ ପହଞ୍ଚିବାକୁ ଚାହିଁଲା। ସେମାନଂକ ଆବଶ୍ୟକତା ସହିତ ଚାହିଦାକୁ ମଧ୍ୟ ପୂରଣ କରିବାକୁ ଚେଷ୍ଟା କଲା। ଓଡ଼ିଶାରେ ଯଦିଓ ୭୬ରେ ସାଇଟ‍୍‌ କାର୍ଯ୍ୟକ୍ରମ ମାଧ୍ୟରେ ଟେଲିଭିଜନ ଆସିଯାଇଥିଲା, ହେଲେ ଏହାର ବ୍ୟାପକ ପ୍ରସାର ୮୦ ଦଶକରୁ ଆରମ୍ଭ ହୋଇଥିଲା।

 

୯୦ ଦଶକରେ ଓଡ଼ିଶାରେ ସାମ୍ବାଦିକତା କ୍ଷେତ୍ରରେ ପେସାଦାର ମନୋବୃତ୍ତି ବା ପ୍ରଫେସନାଲିଜମ‍୍‌ର ଅଧିକ ବିକାଶ ଦେଖାଯାଏ। ଏ ସମୟରେ ପ୍ରମୁଖ ଦୈନିକ ଖବରକାଗଜ ରାଜ୍ୟର ବିଭିନ୍ନ ସ୍ଥାନରୁ ନିଜ ସଂସ୍କରଣ ପ୍ରକାଶନ କଲେ। ଟେଲିଭିଜନରେ ଅନେକ ଚ୍ୟାନେଲ ଆସିବା ଆରମ୍ଭ ହେଲା। ତେଣୁ ଦକ୍ଷ ସାମ୍ବାଦିକଙ୍କ ଚାହିଦା ବଢ଼ିଲା।

 

ନୂତନ ଶତାବ୍ଦୀର ପ୍ରଥମ କେତୋଟି ବର୍ଷରେ ଓଡ଼ିଆ ଗଣମାଧ୍ୟମ କ୍ରମଶଃ ଅଧିକ ଲୋକାଭିମୁଖୀ ହେବାର ଚେଷ୍ଟା କରୁଥିବାର ଦେଖିବାକୁ ମିଳୁଛି। ଲୋକ ଯାହା ଚାହଁୁଛନ୍ତି ସେ ପ୍ରକାର ଖବର ଦେବାର ଏକ ପ୍ରବଣତା ଦେଖିବାକୁ ମିଳୁଛି। ଆଉ ଏକ ବିଷୟ ହେଲା ଆଞ୍ଚଳିକୀକରଣ। ପ୍ରାୟ ସବୁ ବଡ଼ ଖବରକାଗଜ ବିଭିନ୍ନ ସ୍ଥାନରୁ ସଂସ୍କରଣମାନ ବାହାର କରି ସେ ଅଞ୍ଚଳର ଖବରକୁ ଅଧିକ ଦେବାର ଚେଷ୍ଟା କରୁଛନ୍ତି। ଟେଲିଭିଜନ ଚ୍ୟାନେଲଗୁଡ଼ିକ ମଧ୍ୟ ଏ ଚେଷ୍ଟା କରୁଛନ୍ତି। ଆଞ୍ଚଳିକ ସ୍ତରରେ ଅନେକ େୱବ‍୍‌ସାଇଟ‍୍‌ ଏବଂ ସୋସିଆଲ‍୍‌ ମିଡିଆ-କୈନ୍ଦ୍ରିକ ଖବର ପ୍ରସାରଣ/ସରବରାହ ସଂଗଠନ ଆରମ୍ଭ ହେଲାଣି।

 

ବିଗତ କେଇ ଦଶନ୍ଧିରେ ଓଡ଼ିଆ ଗଣମାଧ୍ୟମ କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ:

 

ବିଷୟର ବିବିଧତା- ବିଗତ ଦଶନ୍ଧି ତୁଳନାରେ ସଂପ୍ରତି ଖବରକାଗଜ ଗୁଡ଼ିକର ବିଷୟ ଏବଂ ଉପସ୍ଥପାନାରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି। ବିଭିନ୍ନ କ୍ଷେତ୍ରରେ ଖବରକାଗଜର ବିବିଧତା ବୃଦ୍ଧି ପାଇଛି। ସଂପ୍ରତି ଗଳ୍ପ, ପ୍ରବନ୍ଧ, ଫିଚର, କୌଣସି ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଇତ୍ୟାଦି ଖବରକାଗଜରେ ସ୍ଥାନ ପାଇଛି। ପୂର୍ବରୁ ଏସବୁକୁ ପାଠକଙ୍କ ପାଇଁ ଅଦରକାରୀ ଅବା ଏକ ନିର୍ଦ୍ଦିଷ୍ଟବର୍ଗଙ୍କ ପାଇଁ ଉପଯୋଗୀ ବୋଲି ବିବେଚନା କରାଯାଉଥିଲା। ବର୍ତ୍ତମାନ ପ୍ରତ୍ୟେକ ଖବରକାଗଜରେ ଖେଳପୃଷ୍ଠା (୮୦ ପୂର୍ବରୁ ନଥିଲା), ବାଣିଜ୍ୟପୃଷ୍ଠା (୮୦ ପୂର୍ବରୁ ଚିନ୍ତା ବାହାରେ) ପ୍ରକାଶିତ ହେଉଛି। ଏହାକୁ ଖବରକାଗଜ କ୍ଷେତ୍ରରେ ସକରାତ୍ମକ ବିକାଶ କୁହାଯାଇ ପାରେ। କିନ୍ତୁ କେତେକ ନକାରାତ୍ମ ଚିତ୍ର ବି ରହିଛି। ଖବରକାଗଜରେ ପେଜ୍‌-୩ ସଂସ୍କୃତିର ବିକାଶ ଏହାର ଅଂଶବିଶେଷ। ଏହାଦ୍ବାରା ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଖବରକାଗଜରେ ଉପଯୁକ୍ତ ସ୍ଥାନ ପାଉ ନାହିଁ ବୋଲି ଗଣମାଧ୍ୟମର ଅନେକ ପୁରୋଧା ମତ ଦିଅନ୍ତି। ସମାନ କଥା ଟେଲିଭିଜନ କ୍ଷେତ୍ରରେ ମଧ୍ୟ କୁହାଯାଇପାରେ। ନିର୍ଦ୍ଦିଷ୍ଟ ବିଷୟ କୈନ୍ଦ୍ରିକ ସାମ୍ବାଦିକତା ମଧ୍ୟ ବୃଦ୍ଧି ପାଇଛି। କେବଳ ଖେଳ ବା ସିନେମା ଉପରେ ଓଡ଼ିଆ ଭାଷାରେ/ଓଡ଼ିଶା-କେନ୍ଦ୍ରିକ େୱବ‍୍‌ସାଇଟ‍୍‌ ହେଲାଣି।

 

ଦିଶିବା ଉପରେ ଗୁରୁତ୍ବ- ନିଜର ଉପସ୍ଥିତି ଜାହିର ପାଇଁ ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦିତା ଓ ଟିଭି ମିଡିଆର ପ୍ରଭାବ ସ୍ବରୂପ ଖବରକାଗଜ ଓ ପତ୍ରିକା ଗୁଡ଼ିକର ଚେହେରା ଓ ଅଳଙ୍କରଣରେ ପରିବର୍ତ୍ତନ ଆସିଥିଲା। ସଂପ୍ରତି ଓଡ଼ିଆ ଖବରକାଗଜରେ ଅଧିକ ଚିତ୍ର(ଭିସୁଆଲ) ଦେଖିବାକୁ ମିଳୁଛି। ବଡ ବଡ ଫଟୋ, ବ୍ୟଙ୍ଗଚିତ୍ର, ଚିତ୍ର, କମ୍ପ୍ୟୁଟର ଦ୍ବାରା କରାଯାଇଥିବା ଇନଫୋଗ୍ରାଫ‍୍‌ ଇତ୍ୟାଦିର ବହୁଳ ବ୍ୟବହାର କରାଯାଉଛି।

 

ସାଧାରଣ ଲୋକଙ୍କ ଭାଷା ବ୍ୟବହାରରେ ଗୁରୁତ୍ବ- ବିଗତ ଦୁଇ ଦଶନ୍ଧି ମଧ୍ୟରେ ଖବରକାଗଜରେ ବ୍ୟବହୃତ ଭାଷାରେ ଯଥେଷ୍ଟ ପରିବର୍ତ୍ତନ ଆସିଛି। ସାଧାରଣ ଲୋକ କଥାବାର୍ତ୍ତା ସମୟରେ ବ୍ୟବହାର କରୁଥିବା ସରଳ ଭାଷା ଖବରକାଗଜ ଏବଂ ପତ୍ରିକା ଗୁଡ଼ିକରେ ବ୍ୟବହୃତ ହେଉଛି। ପୂର୍ବରୁ ସମ୍ବାଦପତ୍ରରେ ବ୍ୟବହୃତ ହେଉଥିବା ପାରମ୍ପରିକ ଭାଷା ବଦଳିଯାଇଛି। ଟେଲିଭିଜନରେ ମଧ୍ୟ ଭାଷାର ଅଭୂଦପୂର୍ବ ପରିବର୍ତ୍ତନ ଦେଖାଯାଇଛି। ଦୂରଦର୍ଶନରେ ବ୍ୟବହୃତ ହେଉଥିବା ଶୁଦ୍ଧ ଓଡ଼ିଆ ଭାଷାରୁ ଓଟିଭିରେ ବ୍ୟବହୃତ ହେଉଥିବା ଇଂରାଜୀ ମିଶା ଭାଷା- ଏହି ପରିବର୍ତ୍ତନ ଅନେକ ପଥ ଅତିକ୍ରାନ୍ତ କରିସାରିଛି।

 

ମାଲିକାନା-ଓଡ଼ିଶା ରେଫରେନ୍ସ ଆନୁଆଲ ୨୦୦୪ରେ ଦର୍ଶାଯାଇଛି ଯେ ଓଡ଼ିଶାରୁ ୪୨ଟି ଦୈନିକ ଖବରକାଗଜ ପ୍ରକାଶିତ ହେଉଛି ଯାହାକୁ ସୂଚନା ଏବଂ ଲୋକସଂପର୍କ ବିଭାଗ ଦ୍ବାରା ସ୍ବୀକୃତି ମିଳିଛି। ଏହି ୪୨ଟି ଦୈନିକ ଖବରକାଗଜ ମଧ୍ୟରୁ ୫ଟି ଟ୍ରଷ୍ଟ‍୍‌, ୭ଟି କମ୍ପାନି ଏବଂ ଅନ୍ୟ ୩୦ଟି ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ମାଲିକାନାରେ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ ସମସ୍ତ ବଡ଼ ଖବରକାଗଜ ଟ୍ରଷ୍ଟ‍୍‌ ଏବଂ କମ୍ପାନି ମାଲିକାନାରେ ରହିଛି। ୨୦୧୬ ବେଳକୁ ଏ ଢାଞ୍ଚାର ବିଶେଷ କିଛି ପରିବର୍ତ୍ତନ ହୋଇନି।


ଓଡ଼ିଆ ଖବରକାଗଜର ଦୁଇଟି ବୈଶିଷ୍ଟ୍ୟ ରହିଛି। ପ୍ରଥମତଃ ଅଧିକାଂଶ ବଡ଼ ଖବରକାଗଜର ମାଲିକାନା ତଥା ନିୟନ୍ତ୍ରଣ ରାଜନେତାଙ୍କ ହାତରେ ରହିଛି। ଦ୍ବିତୀୟରେ ଖବରକାଗଜ ଉପରେ ମାଲିକ, ପ୍ରକାଶକ ତଥା ସମ୍ପାଦକ (କ୍ରମଶଃ ଏ ତିନି ଜଣିଏ)ଙ୍କର କ୍ରମବର୍ଦ୍ଧମାନ ନିୟନ୍ତ୍ରଣ।

 

ଓଡ଼ିଶାରେ ରାଜନେତାମାନେ ଖବରକାଗଜ ଗୁଡ଼ିକୁ ନିୟନ୍ତ୍ରଣ କରୁଥିଲେ ବୋଲି ରବିନ୍ ଜେଫରୀ ବହୁବର୍ଷ ପୂର୍ବେ ଅନୁଧ୍ୟାନ କରିଥିଲେ। ବର୍ତ୍ତମାନ ମଧ୍ୟ ସ୍ଥିତି ପୂର୍ବପରି ରହିଛି। ଏବେ ମଧ୍ୟ ଅଧିକାଂଶ ବଡ ବଡ ଖବରକାଗଜ ତଥା ଗଣମାଧ୍ୟମ ସଂସ୍ଥାର ମାଲିକାନା ରାଜନେତାମାନଙ୍କ ହାତରେ ରହୁଛି ଅବା ସେମାନେ ଏହାକୁ ନିୟନ୍ତ୍ରଣ କରୁଛନ୍ତି।

 

ଜଣେ ରାଜନେତା ଖବରକାଗଜ ପ୍ରକାଶନ କରିବା ଅବା ଏହାର ସଂପାଦନା କରିବାରେ କୌଣସି ଆପତ୍ତି/ଭୁଲ ନାହିଁ। ସ୍ବାଧୀନତା ପୂର୍ବରୁ ମଧ୍ୟ ଅନେକ ରାଜନେତା ଖବରକାଗଜର ପ୍ରକାଶନ ତଥା ନିୟନ୍ତ୍ରଣ କରୁଥିଳେ। ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ନେହରୁ ପର୍ଯ୍ୟନ୍ତ ବହୁ ରାଜନେତା ପ୍ରତ୍ୟକ୍ଷ ଭାବେ ଖବରକାଗଜରେ ଜଡ଼ିତ ଥିଲେ। ମାତ୍ର ଓଡ଼ିଶାରେ ଏହାର ମାତ୍ରା ଅଧିକ। ସାମ୍ବାଦିକ ଶ୍ରୀମୟ କର ଲେଖିଛନ୍ତି, ଏହି କାରଣ ଯୋଗୁଁ ଓଡ଼ିଆ ଗଣାମଧ୍ୟମର ବିକାଶ ହୋଇପାରୁ ନାହିଁ। ଯଦିଓ ଏହାର ଲେଖନୀ ଶୈଳୀ, ଆକାର ଓ ବଜାରନୀତିରେ ଯଥେଷ୍ଟ ପରିବର୍ତ୍ତନ ଆସିଛି। ଏହା ରହିଥିବା ପର୍ଯ୍ୟନ୍ତ ଆଞ୍ଚଳିକ ଖବରକାଗଜ ବର୍ଦ୍ଧିତ ଶିକ୍ଷିତ ପାଠକଙ୍କ ଚାହିଦା ମେଣ୍ଟାଇବାରେ ବିଫଳ ରହିଛି।

 

ସାମ୍ବାଦିକମାନଙ୍କ କାର୍ଯ୍ୟ ପରିବେଶ

ସାରା ବିଶ୍ବରେ ସାମ୍ବାଦିକମାନେ ଅନ୍ୟମାନଙ୍କ ତୁଳନାରେ କମ‍୍‌ ବେତନ ପାଇଥାନ୍ତି। ଭାରତରେ ସେମାନେ ଆହୁରି କମ‍୍‌ ଦରମା ପାଇଥାନ୍ତି। ଓଡ଼ିଆ ଗଣମାଧ୍ୟମରେ ସ୍ଥିତି ଆହୁରି ସଂଗୀନ। ଓଡ଼ିଶାରେ ସାମ୍ବାଦିକତା ଗୋଟିଏ ପେସା ଭାବରେ ବିକଶିତ ନହେବାର ଏହା ହେଉଛି ମୁଖ୍ୟ କାରଣ। ଓଡ଼ିଶାରେ ସାମ୍ବାଦିକତା ଆଜି ମଧ୍ୟ ଲକ୍ଷ୍ୟ, ଉତ୍ସାହ, ବ୍ୟବସାୟ ଅବା ରାଜନୈତିକ ଉଦ୍ଦେଶ୍ୟ ତଥା ସମାଜରେ ପ୍ରତିପତ୍ତି ବିସ୍ତାର କରିବାର ମାଧ୍ୟମ ରୂପେ ପରିଗଣିତ। ଏହା ପଛରେ ଦୁଇଟି କାରଣ ରହିଛି। ପ୍ରଥମତଃ ଗଣମାଧ୍ୟମରେ ପୁଞ୍ଜିର ଅଭାବ, ଦ୍ବିତୀୟତଃ ସାମ୍ବାଦିକମାନଙ୍କୁ ଅଧିକ ବେତନ ଦେବାର ମାନସିକତାର ଅଭାବ। ଅବଶ୍ୟ ଏଥିରେ ବ୍ୟତିକ୍ରମ ରହିଛି। ଆଉ ମୋଟ‍୍‌ ଉପରେ ୮୦ ଦଶକ ପୂର୍ବେ ଥିବା ଅବସ୍ଥାରେ ଆଖି ଦୃଶିଆ ପରିବର୍ତ୍ତନ ଆସିଛି। କିନ୍ତୁ ଅନ୍ୟ ପେସାରେ ମିଳୁଥିବା ବେତନ ଦେଖିଲେ, ଅବସ୍ଥାଟା ଆଦୌ ସନ୍ତୋଷଜନକ ନୁହେଁ। ଖବରକାଗଜ ଅବା ଟେଲିଭିଜନରେ କାର୍ଯ୍ୟ କରୁଥିବା ଜଣେ ସହ ସଂପାଦକ ଅବା ରିପୋର୍ଟର ବୁଦ୍ଧିମାନ ହେବା ସହିତ କମ୍ପ୍ୟୁଟର ଜ୍ଞାନ, ଓଡ଼ିଆ ଭାଷାରେ ଦକ୍ଷତା ତଥା ଭଲ ଇଂରାଜୀ ଜ୍ଞାନ ଆବଶ୍ୟକ କରିଥାଏ। ଏସବୁ ସତ୍ତ୍ବେ ଗୋଟିଏ ବଡ ଓଡ଼ିଆ ଖବରକାଗଜ/ଟେଲିଭିଜନ ଚ୍ୟାନେଲ‍୍‌ରେ କାର୍ଯ୍ୟ କରୁଥିବା ବ୍ୟକ୍ତିଟିର ପ୍ରାରମ୍ଭିକ ବେତନ ଖୁବ ବେଶିରେ ୮୦୦୦-୧୦,୦୦୦ରୁ ଆରମ୍ଭ ହୋଇଥାଏ। ଯାହାକି ଜଣେ ବ୍ୟାଙ୍କ କିରାଣୀ ଅବା କନିଷ୍ଠ ଅଧ୍ୟପାକଙ୍କ ପ୍ରାରମ୍ଭିକ ବେତନର ଏକ ତୃତୀୟାଂଶ ହେବ। ବିଭିନ୍ନ କ୍ଷେତ୍ରରେ ଅନେକ ସାମ୍ବାଦିକ ଭାରତ ସରକାରଙ୍କ ଦ୍ବାରା ଅକୁଶଳୀ କାରିଗରଙ୍କ ନିମନ୍ତେ ନିର୍ଦ୍ଧାରିତ ନ୍ୟୁନତମ ଦରମାରୁ ମଧ୍ୟ କମ‍୍‌ ଟଙ୍କା ପାଇଥାନ୍ତି। ଖୁବ୍ କମ‍୍‌ ସାମ୍ବାଦିକ େୱଜ‍୍‌ ବୋର୍ଡ ମୁତାବକ ଦରମା ପାଇଥାନ୍ତି। ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଅଧିକାଂଶ ସାମ୍ବାଦିକ ସେମାନଙ୍କ କାର୍ଯ୍ୟ ପାଇଁ କୌଣସି ପାରିଶ୍ରମିକ/ପାରିତୋଷିକ ପାଆନ୍ତି ନାହିଁିଁ।

 

ଏପରି ଅବସ୍ଥା କାହିଁକି ହେଉଛି- ତା’ର ଅନେକ କାରଣ ରହିଛି। ତେବେ ସେ କାରଣ ସମ୍ପର୍କରେ ଆଲୋଚନା ଏ ପ୍ରବନ୍ଧର ପରିସୀମା ବାହାରେ। ଅନ୍ୟତ୍ର କେତେବେଳେ ସେ ଆଲୋଚନା କରିବି।

 

ବହୁସଂସ୍କରଣ ଖବରକାଗଜ

ବର୍ତ୍ତମାନ ବହୁ-ସଂସ୍କରଣ (ମଲ୍‌ଟି ଏଡିସନ୍) ଖବରକାଗଜର ଯୁଗ ଆରମ୍ଭ ହୋଇଛି। ଅନେକ ଓଡ଼ିଆ ଖବରକାଗଜଗୁଡ଼ିକର ବହୁବିଧ  ସଂସ୍କରଣ ରହିଛି ଯାହାକି ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ପ୍ରାନ୍ତରୁ ପ୍ରକାଶିତ ହୋଇଛି। ବହୁବିଧ ସଂସ୍କରଣର ଏହି ଧାରା ପଛରେ କିଛି କାରଣ ରହିଛି-

୧. ଖବରକୁ ଶୀଘ୍ର ପ୍ରସାର କରିବା

୨. ଖବର କାଗଜରେ ଅଧିକ ସ୍ଥାନୀୟ ଖବର ଦେଇ ଏହାକୁ ସ୍ଥାନୀୟ ଲୋକଙ୍କ ଉଦ୍ଦେଶ୍ୟରେ ପରିବେଷଣ କରିବା।

୩. ସ୍ଥାନୀୟ ବିଜ୍ଞପାନ ଯୋଗାଡ କରିବା।

୪.ସଂପ୍ରତି ବିଭିନ୍ନ ଅଞ୍ଚଳରୁ ଖବରକାଗଜ ପ୍ରକାଶିତ କରିବା ଶସ୍ତା ଓ ସୁବିଧାଜନକ ହୋଇଯାଇଛି।

୫. ଅଧିକ ପ୍ରସାରଣ ନିମନ୍ତେ ତୀବ୍ର ପ୍ରତିଯୋଗିତା ଅନେକ ଖବରକାଗଜକୁ ବହୁ-ସଂସ୍କରଣ ପ୍ରକାଶନ କରିବାରେ ବାଧ୍ୟ କରିଛି।

 

ଏକାଧିକ ପ୍ରସାର ମାଧ୍ୟମ ପ୍ରକ୍ରିୟା ଓ ମାଲିକାନା (ମଲଟି ମିଡିଆ ଅପରେସନ ଏବଂ କ୍ରସ‍୍‌ ମିଡିଆ ଓନରସିପ‍୍‌)

ସଂପ୍ରତି ଗଣମାଧ୍ୟମର ସମଷ୍ଟିକରଣ ଦେଖାଯାଇଛି। ଗଣମାଧ୍ୟମର ପ୍ରତିଷ୍ଠାତାମାେନ ଏକାଧିକ ପ୍ରସାର ମାଧ୍ୟମ ପ୍ରକ୍ରିୟା ଆଡ଼କୁ ଢଳୁଥିବାର ଦେଖାଯାଉଛି। ଏହାଫଳରେ କ୍ରସ‍୍‌ ମିଡ଼ିଆ ମାଲିକାନା ଜରୁରୀ ହୋଇଯାଇଛି। ଏହା ସେମାନଙ୍କୁ କାର୍ଯ୍ୟକାରୀ ତଥା ଅର୍ଥନୈତିକ ସହାୟତା ପ୍ରଦାନ କରୁଛି। ଓଡ଼ିଶାରେ କ୍ରସ‍୍‌ ମିଡିଆ ଓ ମଲଟି ମିଡିଆ ଧାରା ବଢିବାକୁ ଲାଗିଛି। ଓଡ଼ିଶାର ସମସ୍ତ ପ୍ରମୁଖÿଖବରକାଗଜ ନିଜର େୱବ ସଂସ୍କରଣ ବାହାର କରୁଛନ୍ତି। କିଛି ଖବରକାଗଜ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଯୋଜନାରେ ମଧ୍ୟ ଆଗେଇ ଆସିଛନ୍ତି। ଧରିତ୍ରୀ ଦୂରଦର୍ଶନରେ ବିଜନେସ‍୍‌ ଧରିତ୍ରୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଇଷ୍ଟର୍ଣ ମିଡିଆ ଥିଲେ ଦୈନିକ ସମ୍ବାଦର ପ୍ରକାଶକ । ପରେ ପରେ ଏହାÿଟେଲିଭିଜନ (କନକ ଟିଭି), ରେଡିଓ (ରେଡିଓ ଚକ‍୍‌ଲେଟ‍୍‌) ଛଡ଼ା ପୁସ୍ତକ ପ୍ରକାଶନ ଏବଂ ଅପେରା ଏବଂ ଚଳଚ୍ଚିତ୍ର ପ୍ରଯୋଜନା (ମଂଜରୀ ମୁଭିଜ‍୍‌) କ୍ଷେତ୍ରରେ ମଧ୍ୟ ଆଗେଇ ଆସିଛି ।ÿସମାଜ ଓ ପ୍ରଜାତନ୍ତ୍ରର ପୁସ୍ତକ ପ୍ରକାଶନ ସଂସ୍ଥା ରହିଛି।

 

କାରିଗରୀ ଜ୍ଞାନକୌଶଳ ଅଭିମୁଖୀ (ଟେକ୍ନୋ ସେଭି)

ଓଡ଼ିଆ ପ୍ରେସ‍୍‌ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଟିକେ ବିଳମ୍ବରେ ଆରମ୍ଭ ହୋଇଥିଲା। ହେଲେ ବର୍ତ୍ତମାନ ଅବସ୍ଥାଟା ସମ୍ପୂର୍ଣ୍ଣ ଭିନ୍ନ। ଓଡ଼ିଆ ଗଣମାଧ୍ୟମ କାରିଗରୀ ଆଧୁନିକ ଜ୍ଞାନକୌଣଳକୁ ବେଶ ଆପଣେଇ ନେଇଛି। ବର୍ତ୍ତମାନ ପ୍ରତ୍ୟେକ ଦୈନିକ ଖବରକାଗଜ ଆଧୁନିକ ରୋଟାରୀ ଅଫ୍ସେଟ‍୍‌ରେ ପ୍ରକାଶିତ ହେଉଛି। ପ୍ରେସ‍୍‌କୁ ଯିବା ପୂର୍ବରୁ ହେଉଥିବା କାର୍ଯ୍ୟଗୁଡ଼ିକରେ ବ୍ୟବହୃତ ଟେକ୍ନୋଲୋଜିରେ ମଧ୍ୟ ବିକାଶ ହୋଇଛି।ÿସମସ୍ତ ଖବରକାଗଜ କମ୍ପ୍ୟୁଟର ଓ ଇଣ୍ଟରନେଟ‍୍‌ ବ୍ୟବସ୍ଥା ମାଧ୍ୟମରେ ନିଜ ସାମ୍ବାଦିକଙ୍କ ଠାରୁ ଖବର ସଂଗ୍ରହ କରୁଛନ୍ତି। ଓଡ଼ିଶାର ସୁଦୃଢ ଦୂରସଂଞ୍ଚାର (ଟେଲିକମ‍୍‌) ନେଟୱର୍କ ରହିଛି ଏବଂ ଏହାକୁ ସାମ୍ବାଦିକତା କ୍ଷେତ୍ରରେ ବହୁଳ ଭାବେ ବ୍ୟବହାର କରାଯାଉଛି। ଓଡ଼ିଶାର ପ୍ରମୁଖ ଖବରକାଗଜ ଗୁଡ଼ିକର ନିଜସ୍ବ େୱବସାଇଟ‍୍‌ ରହିଛି। କିଛି ଖବରକାଗଜର ଇ-ପେପର ମଧ୍ୟ ରହିଛି । ଓଡ଼ିଶାରେ ଅନେକ ଗୁଡ଼ିଏ ଓଡ଼ିଆ ଭାଷା ବ୍ୟବହାର କରୁଥିବା େୱବ୍ସାଇଟ‍୍‌ ମଧ୍ୟ ହେଲାଣି।

 

ବଜାର କାରବାର(ବଜାରିକରଣ)ÿଉପରେ ଗୁରୁତ୍ବ

ବଢୁଥିବା ପ୍ରତିଦ୍ବନ୍ଦିତାକୁ ନଜରରେ ରଖି ଗଣାମଧ୍ୟମର ପ୍ରମୁଖମାନେ ବଜାରରେ ନିଜ ସାମଗ୍ରୀର ସ୍ଥାୟୀତ୍ବ ପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି। ରାସ୍ତା କଡ଼ରେ ବଡ ବଡ ବ୍ୟାନର, ହୋର୍ଡିଂ ଲଗାଇବା ଠାରୁ ଆରମ୍ଭ କରି ଅନ୍ୟ ମିଡିଆଗୁଡ଼ିକରେ ବିଜ୍ଞାପନ ଦେବା ସହିତ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରି ଏଥିରେ କୃତି ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରୁଛନ୍ତି।

 

ସେମାନେ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଜଡ଼ିତ ରହୁଛନ୍ତି। ଧରିତ୍ରୀ ମହିଳାମାନଙ୍କ ପାଇଁ ଆୟୋଜନ କରୁଥିବା ଉର୍ଜା ସମାବେଶ ଏହାର ଏକ ଉଦାହରଣ। କିଛି ମିଡିଆ ସଂସ୍ଥା ଜନହିତକାରୀ କାର୍ଯ୍ୟରେ ମଧ୍ୟ ଜଡ଼ିତ ଅଛନ୍ତି। ସମାଜ ବିଭିନ୍ନ ସମୟରେ ରିଲିଫ ପ୍ରଦାନ କରିଥାଏ। ଶିକ୍ଷା କ୍ଷେତ୍ରରେ ଗରିବ ଛାତ୍ରମାନଂକୁ ଆର୍ଥିକ ପ୍ରୋତ୍ସାହନ ଦେବାରେ ଏହାର ଯୋଗଦାନ ରହିଛି। ସମ୍ବାଦ ରକ୍ତଦାନ, ଶୁଦ୍ଧ ଓଡ଼ିଆ ଲିଖନ ଆଦି କାର୍ଯ୍ୟକ୍ରମରେ ସାମିଲ ରହିଛି।

 

ଖର୍ଚ କାଟ ଉଦ୍ୟମ

ବିଗତ କେଇ ଦଶନ୍ଧି ମଧ୍ୟରେ ଖବରକାଗଜ ମୂଲ୍ୟରେ ସେପରି କିଛି ଅଭିବୃଦ୍ଧି ହୋଇନାହିଁ। ଖବରକାଗଜ ପ୍ରସାରଣ ମୂଲ୍ୟ ଏହାର ପ୍ରକାଶନ ମୂଲ୍ୟର ଏକ ଚତୁର୍ଥାଂଶ ମଧ୍ୟ ହେବନାହିଁ। ଏହାଦ୍ବାରା ବିଜ୍ଞାପନ ଉପରେ ନିର୍ଭରତା ବଢିଯିବା ସହିତ ପ୍ରକାଶନ ମୂଲ୍ୟକୁ କମ‍୍‌ କରିବା ପାଇଁ ଚପା ରହୁଛି। ପ୍ରକାଶନ ମୂଲ୍ୟକୁ ହ୍ରାସ କରିବାକୁ ଯାଇ ଦୈନିକ ଖବରକାଗ୍ୟଜଗୁଡ଼ିକ ନିଜର ଆକାରକୁ ଛୋଟ କରିଛନ୍ତି। ଯାହାଦ୍ବାରା କାଗଜ ମୂଲ୍ୟରୁ ସଞ୍ଚୟ କରାଯାଇ ପାରୁଛି। ଅନ୍ୟପକ୍ଷରେ ସଞ୍ଚୟ ଉଦ୍ଦେଶ୍ୟରେ ଖବରସଂଗ୍ରହ ଓ ବିତରଣ ଖର୍ଚକୁ ମଧ୍ୟ କାଟ କରାଯାଉଛି। ସ୍ବଳ୍ପ କର୍ମଚାରୀଙ୍କୁ କମ‍୍‌ ଦରମା ଦେଇ କାଗଜ ପ୍ରକାଶନ କରିବା ଅଧିକାଂଶ ଖବରକାଗଜ ପରିଚାଳନା କୌଶଳର ଅର୍ନ୍ତଭୁକ୍ତ ହୋଇଛି।

 

ଏବେ ଦେଖାଯାଉ ଭବିଷ୍ୟତ କ’ଣ?

ଓଡ଼ିଶାର ଗଣମାଧ୍ୟମର ସ୍ବରୂପ- ତା’ର ବିଷୟ, ପରିବେଷଣ ଶୈଳୀ, ସାଜସଜ୍ଜା ଇତ୍ୟାଦି କେମିତି ହେବ ତା’ର ଏକ ସଂକ୍ଷିପ୍ତ ପୂର୍ବାନୁମାନ କରିବା ପୂର୍ବରୁ କହିଦିଏ- ପ୍ରଯୁକ୍ତିବିଦ୍ୟା ଯେଉଁ ଗତିରେ ବଢ଼ୁଛି ସେଥିରେ ଗଣମାଧ୍ୟମ ଭଳି ପ୍ରଯୁକ୍ତିବିଦ୍ୟା-ନିର୍ଭର କ୍ଷେତ୍ରରେ ୩୦ ବର୍ଷ ପରେ କ’ଣ ହେବଦ୍ଧ ତାହା କହିବା ବହୁତ କଷ୍ଟ। ତଥାପି, ଅତୀତ ଓ ବର୍ତ୍ତମାନର ପ୍ରେକ୍ଷପାଟ ଓ ଧାରାରେ ଏବଂ ନିକଟ ଭବିଷ୍ୟତରେ ଆସିବାକୁ ଥିବା ପ୍ରଯୁକ୍ତିବିଦ୍ୟାକୁ ଆଖିରେ ରଖି ନିମ୍ନଲିଖିତ କଥାଗୁଡ଼ିକ କହିହେବ।

 

୧. ଖବରକାଗଜ, କାଗଜରୁ ଅନ୍ୟ ଫର୍ମକୁ ଚାଲିଯିବ। ଅର୍ଥାତ‍୍‌ ଖବର ରହିବ- କାଗଜଟା ଧୀରେ ଧୀରେ କମିବ। ଇଣ୍ଟରନେଟ‍୍‌ ଏବଂ ଇଣ୍ଟରନେଟ‍୍‌-ବାହୀ ମୋବାଇଲ‍୍‌ ଫୋନ‍୍‌ ସହଜଲବ୍ଧ ଏବଂ ସୁଲଭ ହେବା ଫଳରେ େୱବ-ଫର୍ମାଟ‍୍‌ରେ ଅଧିକ ଖବର ଆସିବ ଓ ଲୋକେ ତାହାକୁ ଅଧିକ ବ୍ୟବହାର କରିବେ। ଏହାର ପ୍ରଭାବ ଖବର ଲେଖା ଓ ପରିବେଷଣ ଉପରେ ବି ପଡ଼ିବ। ଖବରକାଗଜ ପାଇଁ ଲେଖା, ପତ୍ରିକା ପାଇଁ ଲେଖା ଏବଂ ଛୋଟ ସ୍କ୍ରିନ‍୍‌ର ମୋବାଇଲ‍୍‌ ପାଇଁ ଲେଖାରେ ଫରକ ରହିବ।

 

୨. ସମ୍ବାଦବାହୀ ଗଣମାଧ୍ୟମଗୁଡ଼ିକ (ନିଉଜ ମିଡିଆ) ଲୋକଙ୍କର ଆହୁରି ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିବେ। ଆଞ୍ଚଳିକୀକରଣ ବଢିବ। ଯାହା ସେମାନଙ୍କ ବିଜ୍ଞାପନ ରାଜସ୍ବ ବଢାଇବ। ସେପଟେ ଯୋଗାଯୋଗ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଉନ୍ନତି ଫଳରେ ସାରା ବିଶ୍ବର ଖବର ଶୀଘ୍ର ଓ ସହଜରେ ପାଇବା ବି ସମ୍ଭବ ହେବ। ତେଣୁ ଗଣମାଧ୍ୟମରେ ଗଣର ବର୍ଗୀକରଣ (ଡିମାସିଫିକେସନ‍୍‌)ର ଧାରା ଅଧିକ ବେଗବତୀ ହେବ।

 

୩. ଓଡ଼ିଆ ମେନ‍୍‌ଷ୍ଟ୍ରୀମ ବା ମୁଖ୍ୟଧାରାÿଖବରକାଗଜର ବିଷୟ କଥାକୁ ଆସିଲେ, ରାଜନୈତିକ ଖବର ବଦଳରେ ଅଧିକ ହ୍ୟୁମାନ ଇଣ୍ଟରେଷ୍ଟ ଖବର, ବିଭିନ୍ନ ବିଷୟରେ ଫିଚର, ଖେଳ, ସିନେମା ଆଦି ଖବର ଅଧିକ ଦିଆଯିବ। ବିଭିନ୍ନ ବିଷୟରେ ତଥ୍ୟ ଭିତ୍ତିକ ଫିଚର ଅଧିକ ଦିଆଯିବ। ବିଷୟ ଦୃଷ୍ଟିରୁ ଦେଖିବାକୁ ଗଲେ ବିଜ୍ଞାନ ଓ ପରିବେଶକୁ ଅଧିକ ଗୁରୁତ୍ବ ଦିଆଯିବ। ତା ସହିତ ହାଲକା ଲେଖା ମଧ୍ୟ ଅଧିକ ସଂଖ୍ୟାରେ ଦିଆଯିବ। ବିଭିନ୍ନ ବିଷୟରେ ସ୍ବତନ୍ତ୍ର ପୃଷ୍ଠା କିମ୍ବା ସପ୍ଲିମେଣ୍ଟ ଦିଆଯିବ। ବର୍ତ୍ତମାନଠୁଁ ଅଧିକ ରିଡିଂ ମ୍ୟାଟେରିଆଲ୍ସ ଦିଆଯିବ। ତେବେ ଆନ୍ତର୍ଜାତିକ ଏବଂ ଜାତୀୟ ଖବର କ୍ରମଶଃ କମ ଦିଆଯିବ। ସେ ତୁଳନାରେ ସ୍ଥାନୀୟ ଖବରମାନ ବେଶି ପ୍ରକାଶିତ ହେବ। ଗଣମାଧ୍ୟମରେ ବ୍ୟବହାର କରାଯାଉଥିବା ଭାଷା କଥା ଦେଖିଲେ, ଭାଷା ଆହୁରି ସରଳ ହେବ। ସାଧୁ ଏବଂ ଧ୍ରୁପଦୀ ଭାଷା ପରିବର୍ତ୍ତେ କଥ୍ୟ ଭାଷାର ପ୍ରୟୋଗ କ୍ରମଶଃ ଅଧିକ ହେବ। ସମ୍ବାଦପତ୍ରର ଭାଷାର ସରଳୀକରଣର ପ୍ରକ୍ରିିୟା ବହୁଦିନୁ ଆରମ୍ଭ ହୋଇଗଲାଣି। ଏହି ପ୍ରକ୍ରିୟା ଭବିଷ୍ୟତରେ ଆହୁରି ଦ୍ରୁତତର ହେବ।

 

୪. କେବଳ ଖବରକାଗଜ ସଂସ୍ଥା ବା କେବଳ ଟେଲିଭିଜନ ସଂସ୍ଥା ବୋଲି କିଛି ରହିବନି। ଏ ସଂସ୍ଥାଗୁଡ଼ିକ ମିଡିଆ-ସଂସ୍ଥା ହୋଇଯିବେ। ଏକାସାଙ୍ଗରେ ରେଡ଼ିଓ, ଟେଲିଭିଜନ, ମୋବାଇଲ୍‌ ମାଧ୍ୟମରେ ଖବର ସମ୍ପ୍ରସାରଣ କରିବେ। ଏହା ସେମାନେ ଅର୍ଥନୈତିକ ଲାଭ, ପରିଚାଳନାଗତ ଏବଂ ଭିତ୍ତିଭୂମିଜନିତ ସୁବିଧା ପାଇଁ କରିବେ।

ଖବରସବୁ ସଂଗୃହୀତ ହୋଇ ଗୋଟିଏ ଜାଗାକୁ ଆସିବ। ସେଠୁ ଯାହାକୁ ଯେମିତି ଏବଂ ଯେମିତି ବାଗରେ ଦରକାର ସେଇ ଉପାୟରେ ପରିବେଷିତ ହେବ।

 

୫. ଜଣେ ସାମ୍ବାଦିକର କାମ ବଢିବ। ତାକୁ ପ୍ରତିଟି କ୍ଷେତ୍ରରେ ଉପଯୁକ୍ତ ତାଲିମପ୍ରାପ୍ତ ହେବାକୁ ପଡ଼ିବ। ଗଣମାଧ୍ୟମର ସମଷ୍ଟିକରଣ ବା ଏକାଧିକ ପ୍ରସାରଣ ମାଲିକାନା ହେତୁ ସେ ଗୋଟେ ଘଟଣା ପାଇଁ ଏକାଥରେ ଖବରକାଗଜ, ଟିଭି, ରେଡ଼ିଓ, ଇଣ୍ଟରନେଟ‍୍‌ ପାଇଁ ରିପୋର୍ଟିଂ କରିବ। ଅଣ କୁଶଳୀ କର୍ମଚାରୀଙ୍କ ପାଇଁ କୌଣସି ସ୍ଥାନ ରହିବ ନାହିଁ। ଆଧୁନିକ ପ୍ରଯୁକ୍ତିବଦ୍ୟାର କ୍ରମବର୍ଦ୍ଧମାନ ବ୍ୟବହାର ଦରକାର କରିବ ପ୍ରଯୁକ୍ତିବିଦ୍ୟାରେ ପ୍ରବୀଣ ଅଥବା ଦ୍ରୁତ ପରିବର୍ତ୍ତନଶୀଳ ପ୍ରଯୁକ୍ତିବିଦ୍ୟା ସହ ତାଳ ମିଳେଇ ଚାଲିପାରୁଥିବା କର୍ମଚାରୀ। ଜେନେରାଲିଷ୍ଟମାନଙ୍କ ବଦଳରେ ବିଭିନ୍ନ ବିଷୟରେ ସ୍ପେଶାଲିଷ୍ଟମାନଙ୍କ ଆଦର ଓ ଚାହିଦା ବଢିବ।

 

୬. ଇ-ପେପର୍ ସଂଖ୍ୟା ବଢିବ। ଲୋକେ ହାତରେ ଚାହା କପ‍୍‌ ଧରି ଖବରକାଗଜ ପଢିବା ଅପେକ୍ଷା ଇଣ୍ଟରନେଟ‍୍‌ରେ କାଗଜ ପଢିବାକୁ ପସନ୍ଦ କରିବେ। ଇଣ୍ଟରନେଟ‍୍‌ରେ ନିଉଜ‍୍‌ ପୋର୍ଟାଲ୍‌ ସଂଖ୍ୟା ବଢିବ। ଓଡ଼ିଆ ଗଣମାଧ୍ୟମ ସାରା ବିଶ୍ବରେ ଓଡ଼ିଆ ଜାଣିଥିବା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏହାକୁ ଅଧିକ ପ୍ରୋତ୍ସାହିତ କରିବେ।

 

୭. ଡିଜିଟାଲ‍୍‌ ଟେକ୍ନୋଲୋଜି ଦ୍ବାରା କନ‍୍‌ଭରଜେନ୍ସ ସହଜ ହେବ। ଫଳରେ ସିନେମା ଓ ଟେଲିଭିଜନ କାର୍ଯ୍ୟକ୍ରମ ସାଧାରଣ ଲୋକେ ମୋବାଇଲ‍୍‌ ବା ଟ୍ୟାବ‍୍‌ରେ ଅଧିକ ଦେଖିବେ। ସିନେମା ପ୍ରୋଜେକ‍୍‌ସନ କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗରେ ହଲ‍୍‌ରେ ବାସ୍ତବତାର ଅନୁଭୂତି ଦେବାର ଚେଷ୍ଟା କରାଯିବ। ଅର୍ଥାତ‍୍‌ ବିଶେଷ ଅନୁଭୂତି ପାଇବା ପାଇଁ ଲୋକେ ସିନେମା ହଲ‍୍‌କୁ ଯିବେ।

 

୮. ପୁସ୍ତକ ପ୍ରକାଶନ କ୍ଷେତ୍ରଟି ଧୀରେ ଧୀରେ ସଙ୍କୁଚିତ ହେବ। ପୁସ୍ତକ ପ୍ରକାଶନ କ୍ରମଶଃ କାଗଜ-ନିର୍ଭର ନ ହୋଇ େୱବ ପ୍ଲାଟଫର୍ମକୁ ଚାଲିଯିବ। ଇ-ବୁକ‍୍‌, ଅଡିଓ ବୁକ‍୍‌ ଆଦି ଅଧିକ ବ୍ୟବହୃତ ହେବ।

 

୯. ବାଣିଜ୍ୟିକ ବେତାର କେନ୍ଦ୍ର ଏବଂ କମ୍ୟୁନିଟି ରେଡ଼ିଓ କେନ୍ଦ୍ର ସଂଖ୍ୟା ବଢିବ। କିନ୍ତୁ ସେମାନଙ୍କୁ ଫଳପ୍ରଦ ବିଜ୍ଞପାନ ମଡେଲ ସଂପର୍କରେ ଚିନ୍ତା କରିବାକୁ ପଡ଼ିବ।

 

୧୦. ଉପଯୁକ୍ତ ତାଲିମପ୍ରାପ୍ତ ସାମ୍ବାଦିକ ପାଇଁ ଏବେକାର ସାମ୍ବାଦିକତା ଶିକ୍ଷାନୁଷ୍ଠାନ ଗୁଡ଼ିକ ଅଧିକରୁ ଅଧିକ ଭିତ୍ତିଭୂମି ବଢେଇବେ। ମିଡ଼ିଆ ଏବଂ ଶିକ୍ଷା କ୍ଷେତ୍ରରେ ସଂପର୍କ ନିବିଡ଼ ହେବ।

 

୧୧. ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସାଧାରଣ ଲୋକଙ୍କ ନିକଟବର୍ତ୍ତୀ ହେବା ପାଇଁ ବା ସେମାନେ ଯେ ନିକଟବର୍ତ୍ତୀ ଏ ଧାରଣା ସୃଷ୍ଟି କରିବା ପାଇଁ କର୍ପୋରେଟ‌ ସାମାଜିକ ଦାୟିତ୍ବବୋଧ ଆଡ଼କୁ ଢଳିବେ।

 

୧୨. ଆସନ୍ତା କେଇ ବର୍ଷ ସିଟିଜେନ୍ ଜର୍ଣ୍ଣାଲିଜମ‍୍‌ ବା ନାଗରିକ ସାମ୍ବାଦିକତାର ସଂଖ୍ୟା ଓ ମାନ୍ୟତା ବଢ଼ିବ। ହେଲେ ତା’ ପରେ ଏହା ପଛକୁ ହଟିବା ଆରମ୍ଭ ହେବ। କାରଣ, ଶେଷକୁ ଲୋକେ ବିଶ୍ବାସଯୋଗ୍ୟ ଖବର ଖୋଜନ୍ତି। ଏଥିପାଇଁ ତାଲିମପ୍ରାପ୍ତ ସାମ୍ବାଦିକ ଦରକାର।

 

୧୩. ଓଡ଼ିଆ ଭାଷାରେ ଗଣମାଧ୍ୟମ ପାଇଁ ଭାଷାର ଶୁଦ୍ଧତା ବଜାୟ ରଖିବା ଏକ ବଡ଼ ଆହ୍ବାନ ହେବ।

 

୧୪. ଓଡ଼ିଶା ବାହାରେ ଥିବା ଓଡ଼ିଆଙ୍କ ଭିତରେ ଓଡ଼ିଆ ଲିପି ଭଲ ଭାବେ ଲେଖି ଓ ପଢ଼ି ଜାଣୁଥିବା ଲୋକଙ୍କ ସଂଖ୍ୟା ଆଜି ତୁଳନାରେ କମିବ। କିନ୍ତୁ ସେମାନଙ୍କ ଭିତରୁ ଅନେକେ ଓଡ଼ିଆ ଭାଷା ଜାଣିଥିବେ। ତେଣୁ ସେମାନଙ୍କ ପାଇଁ ଓଡ଼ିଆ ଅଡିଓ ବୁକ‍୍‌, ରୋମାନ‍୍‌ ଲିପିରେ ଓଡ଼ିଆ ଭାଷାର ବହି (ଏବଂ ଇ-ବହି) ପ୍ରଚଳନ ବଢ଼ିବ।

 

(ଲେଖକ ପରିଚିତି: ସକ୍ରିୟ ସାମ୍ବାଦିକତାରୁ ଗଣମାଧ୍ୟମ ଅଧ୍ୟାପନା କ୍ଷେତ୍ରକୁ ଯାଇଥିବା ଡ. ମୃଣାଳ ଚାଟାର୍ଜୀ ଏବେ ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନର ମୁଖ୍ୟ ଅଛନ୍ତି। ଗଣମାଧ୍ୟମ କ୍ଷେତ୍ରରେ ଓଡ଼ିଆ ସାମ୍ବାଦିକତାର ଇତିହାସ, ଗଣମାଧ୍ୟମ ଓ ସାମ୍ବାଦିକତା, ଶବ୍ଦ ଛବି ଅକ୍ଷର ଆଦି ପୁସ୍ତକ ରଚନା କରିଛନ୍ତି।)

 

ସଂଚାର ମାର୍ଗ, ଢେଙ୍କାନାଳ ୭୫୯ ୦୦୧

© 2015. Samanya Kathan All Rights Reserved | Editor : Debendra Prusty     

To Top