ଆଦର୍ଶ ଗାଁ ଓ ଦଲାଲଙ୍କ ସ୍ବେଚ୍ଛାସେବା!

image

ଜଗଦୀଶ ପ୍ରଧାନ

 

କେବଳ ଟଙ୍କାପଇସା ଢାଳି ଦେଲେ ଗୋଟିଏ ଗାଁର କିମ୍ବା ଗାଁର ଲୋକମାନଙ୍କର ଆର୍ଥିକ ବା ସାମାଜିକ ବିକାଶ ହୋଇଯାଏ ନାହିଁ ଏକଥାକୁ ଏବେଯାଏଁ ବି ଆମର ନେତୃବର୍ଗ ଓ ବରିଷ୍ଠ ପଦାଧିକାରୀମାନେ ବୁଝିପାରୁ ନଥିବା ଭଳି ମନେ ହୁଏ। ଯେକୌଣସି ଅଂଚଳ ବା ଗାଁର ବିକାଶ ନିମନ୍ତେ ସର୍ବପ୍ରଥମ ଆବଶ୍ୟକତା ହେଉଛି ସଂପୃକ୍ତ ଗାଁ ବା ଲୋକମାନଙ୍କର ସଂପୂର୍ଣ୍ଣ ସହଭାଗିତା। ଯେକୌଣସି ଯୋଜନାର ଆରମ୍ଭରୁ କାର୍ଯ୍ୟକାରିତା ଯାଏଁ ସବୁ ସ୍ତରରେ ଯଦି ଲୋକଙ୍କର ସଂପୂର୍ଣ୍ଣ ଏବଂ ସକ୍ରିୟ ସହଭାଗିତା ନରହେ, ତେବେ ସେହି ଯୋଜନା ବା କାର୍ଯ୍ୟକ୍ରମ ଯେ ବିଫଳ ହେବ ହିଁ ହେବ ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ।

 

ତେବେ ପ୍ରଶ୍ନ ଉଠୁଛି ଯୋଜନାର ପ୍ରଣୟନ ଓ କାର୍ଯ୍ୟକାରିତାରେ ଲୋକଙ୍କ ସକ୍ରିୟ ସହଭାଗିତା କରାଯାଇପାରିବ କିପରି? ଏହା ନିଶ୍ଚିତ ଭାବେ ସବୁଠାରୁ ଏକ ଜଟିଳ କାର୍ଯ୍ୟ। ଶହଶହ କୋଟି ଟଙ୍କା ଯୋଗାଡ଼ କରିବା କିମ୍ବା ଲକ୍ଷଲକ୍ଷ ଭୋଟ ଯୋଗାଡ଼ କରିବାଟା ବେଶି ବଡ଼ କଥା ନୁହେଁ, କିନ୍ତୁ ଲୋକଙ୍କୁ ନିଜ ନିଜ ଅଂଚଳର ବିକାଶ ନିମନ୍ତେ ସଂଗଠିତ କରିବା, ଏ ସବୁକାମଠାରୁ ବି ଅଧିକ ଜଟିଳ। ସେଥିପାଇଁ ତ ଭୂମିକା ଆସୁଛି ନିଷ୍ଠାପର ସ୍ବେଚ୍ଛାସେବୀ ସଂଗଠନମାନଙ୍କର। ନିଷ୍ଠାପର ଓ ସଂକଳ୍ପବଦ୍ଧ କର୍ମୀମାନଙ୍କ ଯୋଗୁଁ ନକ୍ସଲପନ୍ଥୀ ଆନ୍ଦୋଳନ ସମେତ ବିଭିନ୍ନ ଜନ ଆନ୍ଦୋଳନ ସଂଗଠିତ ହେଉଛି ଯାହାକୁ ସରକାର ହଜାର ହଜାର କୋଟି ଟଙ୍କା ଏବଂ ସଶସ୍ତ୍ରବଳ ଲଗାଇ ମଧ୍ୟ ଦମନ କରିପାରୁ ନାହାନ୍ତି। ଠିକ ସେ ସବୁ ସଂଗଠନର କର୍ମୀମାନଙ୍କ ଭଳି ରଚନାତ୍ମକ କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ନିଷ୍ଠାପର କର୍ମୀମାନଙ୍କର ଏକ ବଡ଼ ଭୂମିକା ରହିଆସିଛି। ନିଷ୍ଠାପର ସ୍ବେଚ୍ଛାସେବୀ ବ୍ୟକ୍ତି କିମ୍ବା ସଂଗଠନଙ୍କ ସକ୍ରିୟ ସହଯୋଗ ନରହିଲେ କେବଳ ଟଙ୍କା ପଇସା ଦେଇ କୌଣସି ଗ୍ରାମକୁ ଯେ ଆଦର୍ଶ ଗ୍ରାମରେ ପରିଣତ କରିବା ସମ୍ଭବ ନୁହେଁ ଏକଥା ମଧ୍ୟ ଆମର ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ନେତୃବର୍ଗ ବୁଝିବା ଆବଶ୍ୟକ।

 

କଳାହାଣ୍ଡି ଜିଲ୍ଲାର ସିନ୍ଧିପଦର ଗାଁ ଆମ ଦେଶର ହଜାର ହଜାର ସାଂସଦ (ଏମପି) ଆଦର୍ଶଗ୍ରାମମାନଙ୍କ ଭିତରୁ ଏକ ପ୍ରତୀକାତ୍ମକ ଗ୍ରାମ। ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପୁଡ଼ିଲା ପରି ସିନ୍ଧିପଦର ଗାଁର କାହାଣୀକୁ ନିଆଯାଇପାରେ। ଗତ ଦୁଇବର୍ଷ ଭିତରେ ଏହି ଗ୍ରାମ ପଂଚାୟତରେ ୩୩ କୋଟି ଟଙ୍କା ଖର୍ଚ୍ଚ କରାଗଲାଣି। କିନ୍ତୁ ଏବେ ବି ଏହି ସବୁ ଗାଁରେ ଆଖିଦୃଶିଆ କିଛି ପରିବର୍ତ୍ତନ ଆସିପାରି ନାହିଁ ବୋଲି ନିକଟରେ ବିଭିନ୍ନ ସମ୍ବାଦ ପ୍ରକାଶ ପାଇଛି। ଯଦି ଦେଶର ଅନ୍ୟ କୌଣସି ଗ୍ରାମ ବାସ୍ତବରେ ଆଦର୍ଶ ଗ୍ରାମ ହୋଇ ପାରିଥାଏ, ତେବେ ତା ପଛରେ ନିଶ୍ଚିତ ଭାବେ କୌଣସି ନିଷ୍ଠାପର ସ୍ବେଚ୍ଛାସେବୀ ସଂଗଠନ କିମ୍ବା ସ୍ବେଚ୍ଛାସେବୀ ବ୍ୟକ୍ତି ବିଶେଷଙ୍କର ହିଁ ପ୍ରମୁଖ ଅବଦାନ ରହିଥିବ। ଯେମିତି କୁହାଯାଏ- ପ୍ରତିଟି ସଫଳ ବ୍ୟକ୍ତିର ସଫଳତାର ପଛରେ କୌଣସି ମହିଳାଙ୍କର ଭୂମିକା ରହିଥାଏ। ଠିକ ସେମିତିି, କୌଣସି ଆଦର୍ଶ ବିକାଶ କାର୍ଯ୍ୟକ୍ରମ ପଛରେ କୌଣସି ନିଷ୍ଠାପର ସ୍ବେଚ୍ଛାସେବୀ କିମ୍ବା ସଂଗଠନର ଭୂମିକା ରହିଥାଏ।

 

ଦୁର୍ଭାଗ୍ୟବଶତଃ ଏବେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ସ୍ବେଚ୍ଛାସେବୀ ସଂଗଠନଙ୍କ ନାମରେ ଅନେକ ଠିକାଦାର, ଦଲାଲ ଏବଂ ଅସାମାଜିକ ଗୋଷ୍ଠୀମାନଙ୍କର ଦଖଲ ବଢ଼ିଯାଇଛି ଏବଂ ସେମାନେ ହିଁ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କର ପ୍ରତିଛବି ହୋଇ ଜନମାନସରେ ଉଭା ହେଉଛନ୍ତି। ଏଥିରେ ସୁଧାର ଆଣିବା ଦିଗରେ ନିଷ୍ଠାପର ସ୍ବେଚ୍ଛାସେବୀ ସଂଗଠନ ତଥା ବୁଦ୍ଧିଜୀବୀମାନଙ୍କର ତ ଭୂମିକା ରହୁଛି, ତା’ ସହିତ ସରକାରଙ୍କର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଅଛି। (ଜେ.ପି., ଗ୍ରାମ ସ୍ବରାଜ ଅଭିଯାନ - ଜୁଲାଇ,୨୦୧୬)

© 2015. Samanya Kathan All Rights Reserved | Editor : Debendra Prusty     

To Top