ଦୁର୍ନୀତି କବ୍ଜାରେ ଭାରତ-୧

image

ବରେନ୍ଦ୍ରକୃଷ୍ଣ ଧଳ

 

ଭାରତବର୍ଷ ସ୍ୱାଧୀନତା ପ୍ରାପ୍ତିର ୬୯ ବର୍ଷରେ ପହଞ୍ଚିଲା। ଯେଉଁ ଆଶା ଆକାଂକ୍ଷା ନେଇ ଦେଶକୁ ସ୍ୱାଧୀନ କରିବା ପାଇଁ ପରାଧୀନ ଭାରତବର୍ଷରେ ଲକ୍ଷ ଲକ୍ଷ ଲୋକ ଆମ ନେତାମାନଙ୍କ ଆହ୍ୱାନରେ ସଂଗ୍ରାମରେ ଝାସ ଦେଇଥିଲେ ସେ ଆଶା କଣ ଆଜି ଫଳବତୀ ହୋଇଛି?

 

ଆଜି ଦେଶର କୋଟି କୋଟି ଲୋକ ଅନାହାର ଓ ଅର୍ଦ୍ଧାହାରରେ ବଞ୍ଚିଛନ୍ତି। ଦାରିଦ୍ର୍ୟ, ଦୁର୍ନୀତି, ଆଶଙ୍କା, ନିରକ୍ଷରତା ଆଜି ସମଗ୍ର ଦେଶକୁ ଆବୋରି ବସିଛି। ଦେଶର ଏହି ଅବସ୍ଥା ଦେଖିଲେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ବ୍ରିଟିଶ ପାର୍ଲାମେଣ୍ଟରେ ଉଇନଷ୍ଟନ ଚର୍ଚ୍ଚିଲଙ୍କ ମନ୍ତବ୍ୟ ମନକୁ ଆସେ। ଭାରତକୁ ସ୍ୱାଧୀନତା ଦେବା ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଅଟ‍୍‌ଲି ପ୍ରସ୍ତାବ ଆଗତ କରିବାବେଳେ ବିରୋଧୀ ଦଳ ନେତା ଉଇନଷ୍ଟନ ଚର୍ଚ୍ଚିଲ ତାର ବିରୋଧ କରି କହିଥିଲେ-Power will go to the hands of rascals, rogues, freebooters; all Indian leaders will be of low calibre & men of straw. They will have sweet tongues and silly hearts. ଚର୍ଚ୍ଚିଲଙ୍କ ଏହି ବକ୍ତବ୍ୟ ଆଜି ଏକ ପ୍ରକାର ସତ୍ୟ ହୋଇଛି। ଆମେ ସ୍ୱାଧୀନତା ପାଇବା ପରେ ଆମର ଦେଶରେ ସବୁଠାରୁ ଜନପ୍ରିୟ ଶବ୍ଦ ହୋଇଛି ଦୁର୍ନୀତି।

 

ଅବଶ୍ୟ ଏକଥା କୁହାଯାଇପାରେ ଆଜି ଦେଶରେ ରାଜନୀତିକ କନ୍ଦଳ, ବ୍ୟାପକ ଦୁର୍ନୀତି ସତ୍ତ୍ବେ ଗଣତନ୍ତ୍ର ସୁଦୃଢ଼ ରହିଛି। ତେବେ ସମଗ୍ର ବିଶ୍ୱରେ ଦୁର୍ନୀତିଗ୍ରସ୍ତ ଦେଶରୂପେ ଆମେ କୁଖ୍ୟାତି ଅର୍ଜନ କରିଛୁ। ବର୍ଷକୁ ବର୍ଷ ଆମେ ଦୁର୍ନୀତିର ନୂଆ ପାରାମିଟର ସୃଷ୍ଟି କରିଚାଲିଛି। ଆସନ୍ତୁ କେତୋଟି ଘଟଣାର ଆଲୋଚନା କରିବା।

୧୯୯୨ ମସିହାରେ ମାର୍ଚ୍ଚ ୨୦ ତାରିଖରେ ଲୋକସଭାରେ ଦଣ୍ଡାୟମାନ ହୋଇଛନ୍ତି ବିଦେଶ ମନ୍ତ୍ରୀ ମାଧବ ସିଂହ ସୋଲାଙ୍କି। କିଛି ଦିନ ପୂର୍ବରୁ ସେ ଯାଇଥିଲେ ସୁଇଜରଲ୍ୟାଣ୍ଡ। ସେଠି ସେ ଦେଶର ବିଦେଶମନ୍ତ୍ରୀ ରେନେ ଫେଲୋବାରଙ୍କ ହାତରେ ଧରାଇ ଦେଇଥିଲେ ଗୋଟିଏ ଚିଠି। ସେଇ ଚିଠିର ମୂଳ ବକ୍ତବ୍ୟ ଥିଲା ‘ବୋଫର୍ସ’ ତଦନ୍ତକୁ ସେଭଳି ଗୁରୁତ୍ୱ ଦେବାର କୌଣସି ଆବଶ୍ୟକତା ନାହିଁ। ଏହି ଚିଠିର ଖବର ସମ୍ୱାଦ ମାଧ୍ୟମରେ ପ୍ରଚାର ହୋଇଗଲା। ବ୍ୟାପକ ହଇଚଇ। ପ୍ରଧାନମନ୍ତ୍ରୀ ନରସିଂହ ରାଓ ଏଥିରୁ ନିଜକୁ ଅପସାରି ନେଲେ। ରେନେ ଫେଲୋବାରଙ୍କୁ ଦେବାପାଇଁ ଏଭଳି କୌଣସି ପତ୍ର ପ୍ରଧାନମନ୍ତ୍ରୀ ବା ଅନ୍ୟ କୌଣସି ମନ୍ତ୍ରୀ ସୋଲାଙ୍କିଙ୍କୁ ଦେଇ ନାହାଁନ୍ତି ବୋଲି ସରକାରୀ ଭାବେ ଜଣାଇ ଦିଆଗଲା।

 

ଚିଠିର ଉତ୍ସ ତେବେ କ’ଣ? ଲୋକସଭାରେ ବିରୋଧୀ ଦଳ ସଭ୍ୟମାନେ ପ୍ରଶ୍ନ କରିଥିଲେ। ସୋଲାଙ୍କି କହିଥିଲେ ସେ ବିମାନରେ ଉଠିବା ପୂର୍ବ ମୂହୁର୍ତ୍ତରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ନାମ କହି ଏ ଚିଠିଟି ଦେଇଥିଲେ। କିନ୍ତୁ ସେ ବ୍ୟକ୍ତି କିଏ? ବାରମ୍ୱାର ଲୋକସଭାରେ ପ୍ରଶ୍ନ ଉଠିଛି। ସୋଲାଙ୍କି କହିଥିଲେ ‘ମନେ ନାହିଁ’। ଲୋକସଭାରେ ଏକ ଅଦ୍ଭୁତ ପରିସ୍ଥିତି। ପ୍ରଶ୍ନ ପରେ ପ୍ରଶ୍ନ। ସୋଲାଙ୍କି ଏଠାରେ ନିରୁତ୍ତର। ଆରମ୍ଭ ହେଲା ହାସ୍ୟରୋଳ। ଜଣେ ପ୍ରଶ୍ନ କଲେ ସେ ବ୍ୟକ୍ତି ଡେଙ୍ଗା ନା ଗେଡା ମନେ ଅଛି? ସୋଲାଙ୍କି ନିରୁତ୍ତର। ମାଡି ଆସିଲା ଆହୁରି ପ୍ରଶ୍ନ। ଗୋରା ନା କଳା? ମୋଟା ନା ପତଳା? କିଏ ସବୁ ଏ ପ୍ରଶ୍ନ କରୁଛନ୍ତି ଜଣାପଡୁନି। କେବଳ ବାରମ୍ୱାର ହାସ୍ୟରୋଳ ଉଠୁଛି। ସୋଲାଙ୍କି ପଥର ଭଳି ଠିଆ ହୋଇଛନ୍ତି। ସେତେବେଳେ କାଗଜରେ ଏସବୁ ମୁଖରୋଚକ ଖବର ବିସ୍ତୃତ ଭାବେ ପ୍ରକାଶ ପାଇଥିଲା। ଜଣେନା ଏହା ମଧ୍ୟରୁ କେତେ ଲୋକସଭା ରେକର୍ଡରେ ରହିଛି। ବାଚସ୍ପତିଙ୍କ ଅନୁମତି ନନେଇ ଯେଉଁମାନେ ଭାଷଣ ଦିଅନ୍ତି, ସେମାନଙ୍କ ଭାଷଣ ଅନେକ ସମୟରେ ରେକର୍ଡଭୁକ୍ତ ହୁଏ ନାହିଁ। ବିଶେଷ କରି ହଟ୍ଟଗୋଳ ମଧ୍ୟରେ ଯେଉଁମାନେ କିଛି କୁହନ୍ତି ତା ରେକର୍ଡରେ ଜାଗା ପାଏନାହିଁ। ଏହି ଘଟଣା ପରେ ମାଧବ ସିଂହ ସୋଲାଙ୍କି ତାଙ୍କ ମନ୍ତ୍ରୀ ପଦ ତ୍ୟାଗ କରିଥିଲେ। ସେଇ ସଙ୍ଗେ ସୋଲାଙ୍କିଙ୍କ ରାଜନୀତିକ ଜୀବନ ଶେଷ ହୋଇଗଲା। ତେବେ ଅନେକ ପ୍ରଶ୍ନ ଅସମାହିତ ହୋଇ ରହିଗଲା। ସୋଲାଙ୍କି ଫେଲୋରୋଙ୍କୁ ଏହି ପତ୍ରଟି ଦେଇଥିଲେ ଫେବ୍ରୁଆରି ୧ ତାରିଖରେ। ଏବଂ ତାଙ୍କୁ ପଦତ୍ୟାଗ କରିବାକୁ ହୋଇଥିଲା ୩୧ ମାର୍ଚ୍ଚରେ। ପୂରା ଦି’ମାସ ପରେ।

 

ପରେ ଲୋକସଭାରେ ପ୍ରଧାନମନ୍ତ୍ରୀ ରାଓ କହିଥିଲେ ଏହି ଚିଠିର ବିନ୍ଦୁବିସର୍ଗ ସେ ଜାଣନ୍ତି ନାହିଁ। ବୋଫର୍ସ ତଦନ୍ତ ଜୋରଦାର ଚାଲିଛି ଓ ଚାଲିବ। କାହାରିକୁ ଛଡା ଯିବ ନାହିଁ। ଲୋକସଭାରେ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଏହି ଆଶ୍ୱାସନା ଦେବାପରେ କଂଗ୍ରେସର ହେଡ କ୍ୱାଟର୍ସ ରାଓଙ୍କ ବିରୁଦ୍ଧରେ ଖୋଲା ଅସନ୍ତୋଷ ବ୍ୟକ୍ତ କଲେ। ୧୦ ଜନପଥ ରାଓଙ୍କ ବିରୋଧରେ ଅଜ୍ଜୁର୍ନ ସିଂହଙ୍କୁ ଲଗାଇଦେଲେ। କିନ୍ତୁ ବୋଫର୍ସର କ’ଣ ହେଲା? ଧୀରେ ଧୀରେ ସମସ୍ତେ ବୋଫର୍ସ ପ୍ରସଙ୍ଗ ଭୁଲିଗଲେ। ହାଉଇଜାର କମାଣ କେତେ ଉତ୍କୃଷ୍ଟ ଭାରତ ପାଇଁ କେତେ ଦରକାର ତାକୁ ନେଇ ବିସ୍ତୃତ ଭାବେ ବହୁଖବର କାଗଜରେ ବହୁଲୋକ ଲେଖିଛନ୍ତି ଲାଞ୍ଚ ଅର୍ଥ ଅପେକ୍ଷା ସି.ବି.ଆଇ.ଓ ଆଇ.ବି ତଦନ୍ତରେ ଖର୍ଚ୍ଚ ହୋଇଛି ଅଧିକ। ସେ ହିସାବ ମଧ୍ୟ ପ୍ରକାଶ ପାଇଛି। ଓତଭିଓ କୋୟାତ୍ରୋଚି, ଯାହାର ଅବାଧ ପ୍ରବେଶ ଥିଲା ୧୦ ଜନପଥ ବଙ୍ଗଳାରେ ସେ ଗିରଫ୍ ହେବା ପୂର୍ବରୁ ନିଜ ଦେଶ ଇଟାଲୀକୁ ପଳାଇଲେ। ହେଲେ ଅନ୍ୟ ଏକ ମାମଲାରେ ଆର୍ଜେଣ୍ଟିନାରେ ଜେଲ ଭୋଗିଥିଲେ। କୋୟୋତ୍ରୋଚିଙ୍କର ୨୦୧୩ରେ ତାଙ୍କ ଦେଶ ଇଟାଲୀରେ ମୃତ୍ୟୁ ହୋଇଥିଲା। ୧୯୮୭ ମସିହା ଏପ୍ରିଲ ୧୬ ତାରିଖରେ ସୁଇଡିଶ ରେଡିଓ ଘୋଷଣା କରିଥିଲା ବୋଫର୍ସ ସଂସ୍ଥା ସମରାସ୍ତ୍ର ବିକ୍ରି କରିବା ପାଇଁ କିଛି ସୁଇଡିଶ ଓ କେତେକ ଭାରତୀୟ ରାଜନୀତିକ ନେତାଙ୍କୁ ଲାଞ୍ଚ ଦେଇଛି। କିନ୍ତୁ ଭାରତର ସେଇ ରାଜନେତା କିଏ ଆଜି ସୁଦ୍ଧା ଆମେ ଜାଣିନାହୁଁ। କିମ୍ୱା କୌଣସି ଦିନ ଜାଣିବୁ ସେ ସମ୍ଭାବନା ମଧ୍ୟ ନାହିଁ।

 

ଗୋଟିଏ ଦେଶର ବିଦେଶମନ୍ତ୍ରୀ ଅନ୍ୟଦେଶକୁ ଯାଇ ବୋଫର୍ସ ତଦନ୍ତ ଶିଥିଳ କରିବାକୁ ବା ବନ୍ଦ କରିବାକୁ କହିପାରନ୍ତି, ବୁଝିବାରେ ଅସୁବିଧା ନାହିଁ - କେଡେ ଶକ୍ତିଶାଳୀ ମହଲ ସେଇ କେଳେଙ୍କାରି ସଙ୍ଗରେ ଜଡିତ। ସୋଲାଙ୍କି ଛୋଟକାଟିଆ ନେତା ନଥିଲେ। ସେ ବିଶିଷ୍ଟ କଂଗ୍ରେସ ନେତା ଓ ଗୁଜରାଟରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ। ସେ କାହାକୁ ବଞ୍ଚାଇବା ପାଇଁ ସେ ପତ୍ର ଦେଇଥିଲେ। ଏସବୁ ପ୍ରାସଙ୍ଗିକ ବିଷୟ ଆଉ କେହି ଉଠାଇଲେ ନାହିଁ। ବିଜେପି ସରକାର ୧୯୯୯ ମସିହାରେ (କାର୍ଗିଲ ଯୁଦ୍ଧ ସମୟରେ) ବୋଫର୍ସ କମ୍ପାନୀକୁ କଳା ତାଲିକାରୁ ମୁକ୍ତ କରିଦେଲେ। ୨୦୦୪ ମସିହାରେ ତୃତୀୟ ଫ୍ରଣ୍ଟର ସମସ୍ତ ଦଳ ସୋନିଆ ଗାନ୍ଧି କଂଗ୍ରେସ ସହ କେହି ପ୍ରତ୍ୟକ୍ଷରେ ଓ କେହି ପରୋକ୍ଷରେ ହାତ ମିଳାଇନେଲେ। ଜନମାନସରୁ ଲିଭିଗଲା ବୋଫର୍ସ ଦୁର୍ନୀତି। କୁହାଗଲା ବୋଫର୍ସରେ କୌଣସି ପ୍ରମାଣ ମିଳିଲାନି। ୫୯ କୋଟି ଟଙ୍କା ଲାଞ୍ଚ (ଏବେ ଯାହାର ମୂଲ୍ୟ ୬୦୦ କୋଟି ଟଙ୍କା) ଦୁର୍ନୀତି ଶେଷରେ ଶୂନ୍ୟରେ ମିଳାଇଗଲା। ଗତ ଶତାବ୍ଦୀର ସବୁଠାରୁ ସମ୍ୱେଦନଶୀଳ କେଳେଙ୍କାରି ଉପରେ ଯବନିକା ପଡିଯିବା ପରେ ପରେ ସଂକେତ ପହଞ୍ଚି ଯାଇଥିଲା ଏଦେଶ ଏବେ ପୁଣି ଲୁଣ୍ଠିତ ହେବା ପାଇଁ ପ୍ରସ୍ତୁତ।  ଏହି ଘଟଣା ପରେ ପରେ ରାଜନୀତିକ ନେତା ଅମଲା-ଶିଳ୍ପପତି ଓ ବ୍ୟବସାୟୀଙ୍କର ମିଳିତ ଷଡଯନ୍ତ୍ର ଲୁଟ‍୍‌ କରିବା ପାଇଁ ଆଗେଇ ଆସିଲେ। ଅସତ୍ୟର ଝଡ -ବତାସ ଦିହସୁହା ହୋଇଯାଇଥିଲା ଦେଶବାସୀଙ୍କର।

 

୧୯୯୧ରୁ ଆରମ୍ଭ ହୋଇଥିଲା ଅର୍ଥନୈତିକ ସଂସ୍କାର। ଏହି ସଂସ୍କାରର ଯୌକ୍ତିକତା ନେଇ କୌଣସି ପ୍ରଶ୍ନନାହିଁ। କିନ୍ତୁ ବେହିସାବୀ ହାୱାରେ ଗୋଟାଏ ମୂଲ୍ୟବୋଧ ବେମାଲୁମ ବଦଳି ଗଲା। ନୂତନ ସ୍ଲୋଗାନ ହୋଇଉଠିଲା ଗ୍ରିଡ ଇଜ ଗୁଡ। ଯେଉଁ ଧରଣର ‘ଆହୁରି ଦରକାର, ଆହୁରି ଦରକାର’ ମାନସିକତା ପୂର୍ବରୁ ନିନ୍ଦିତ ହେଉଥିଲା ବା ଏବେ ହୋଇଉଠିଲା ପ୍ରଶଂସନୀୟ। ଅବଶ୍ୟ ଏହି ମାନସିକତା ସମସ୍ତ କ୍ଷେତ୍ରରେ କିନ୍ତୁ ନିନ୍ଦନୀୟ ନୁହେଁ। ସମସ୍ତ ସଫଳ ଶିଳ୍ପପତି ଚାହାଁନ୍ତି ଆହୁରି ନୂତନ ଶିଳ୍ପ ଗଢ଼ିବା ପାଇଁ। ସମସ୍ତ ପେସାଦାର ମଣିଷ ଚାହାଁନ୍ତି ତାଙ୍କ ପେସାରେ ନୂଆ ରୋଜଗାର ଆସୁ। ଲୋଭ ଚିରକାଳ ଥିଲା। ଏବେ ଅଛି ଏବଂ ରହିବ। କିନ୍ତୁ ତାର ଏକ ନୈତିକ ଦିଗ ଅଛି। କେହି ଯଦି ଆଇନ କାନୁନ ମାନି କାହାକୁ ନଠକି, ଲାଞ୍ଚ ନଦେଇ ଧଳାଟଙ୍କା ରୋଜଗାର କରେ ସେଥିରେ ଅନ୍ୟାୟ ବା ଆପତ୍ତି ରହିବ କାହିଁକି? ଆହୁରି ଭଲ ହେବ ଯଦି ଏଭଳି ରୋଜଗାର କରିବା ବେଳେ ଆଉ କିଛି ମଣିଷଙ୍କୁ ଯଦି ସ୍ୱାବଲମ୍ୱୀ କରାଯାଇପାରନ୍ତା।

 

ସମଗ୍ର ଦେଶରେ ଦୁର୍ନୀତି ଏଭଳି ଅବସ୍ଥାରେ ପହଞ୍ଚିଲାଣି ଯେଉଁଥିରେ କେବଳ ସାଧାରଣ ଲୋକ ନୁହଁନ୍ତି ଉଚ୍ଚ ଆଇନ ପ୍ରତିଷ୍ଠାନ ମଧ୍ୟ ତ୍ରାହି ତ୍ରାହି ଡାକ ଛାଡିଲେଣି। ୨୦୧୬ ଫେବୃଆରୀ ୩ ତାରିଖ ଦିନ ୩୮୫ କୋଟି ଟଙ୍କାର ଏକ ଦୁର୍ନୀତି ମୋକଦ୍ଦମା ଶୁଣାଣି କରି ବମ୍ୱେ ହାଇକୋର୍ଟର ନାଗପୁର ବେଞ୍ଚ ବିଚାରପତି ଅରୁଣ ଚୌଧୁରୀ କହିଲେ ଯଦି ସରକାର ଦୁର୍ନୀତି ରୋକିବାରେ ଅସମ୍ଭବ ହେଉଛନ୍ତି ତେବେ ଟିକସଦାତାମାନେ ଟିକସ ପୈଠ ନକରି ସରକାରଙ୍କ ସହ ଅସହଯୋଗ ଆନ୍ଦୋଳନ କରନ୍ତୁ। ବିଚାରପତି ଚୌଧୁରୀ ଟିପ୍ପଣୀ ଦେଇ କହିଛନ୍ତି ଯେ ଦେଶରେ ସରକାରୀ ଅନୁଷ୍ଠାନଗୁଡିକ ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦୁର୍ନୀତିରେ ଉବଟୁବ ହେଉଛନ୍ତି, ନୈତିକତା ଆଉ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏ ଦିଗରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି? ବିଚାରାଳୟରେ ଦୁର୍ନୀତିମୂଳକ ମୋକଦ୍ଦମା ଭରି ହୋଇଗଲାଣି। କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀ ଦରମା ବୃଦ୍ଧି କରିବାକୁ ଆନ୍ଦୋଳନ କରୁଛନ୍ତି ମାତ୍ର ଦୁର୍ନୀତି ହଟିବା ପାଇଁ ତ ଆନ୍ଦୋଳନ ନାହିଁ?

 

ଜଣେ ହାଇକୋର୍ଟ ବିଚାରପତିଙ୍କର ଏହି ମନ୍ତବ୍ୟ ଆମ ସ୍ୱାଧୀନତାର ସୁଫଳ ପାଇଁ ଏବେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଇତ ଆମ ଦେଶ ଆଉ ଆମ ସ୍ୱାତନ୍ତ୍ର୍ୟ। (କ୍ରମଶଃ)

ଭୁବନେଶ୍ୱର, ମୋ:୯୪୩୭୦୩୯୪୧୭

© 2015. Samanya Kathan All Rights Reserved | Editor : Debendra Prusty     

To Top