ବିଜ୍ଞାନ ଓ ବିକାଶର ଭାଷା ମାତୃଭାଷା

image

ପ୍ରଫୁଲ୍ଲ ସାମନ୍ତରା

 

ବିଶ୍ୱର ଯେକୌଣସି ଦେଶ, ଅଞ୍ଚଳର ଜନତାଙ୍କ ଅସ୍ମିତା, ସ୍ୱାଭିମାନ ଓ ଜ୍ଞାନ ଆହରଣ ସହ ଜ୍ଞାନ ବିତରଣ ପାଇଁ ମାତୃଭାଷା ହିଁ ସବୁଠାରୁ ପ୍ରଭାବଶାଳୀ ତଥା ସଫଳ ମାଧ୍ୟମ ଓ ସହାୟକ। ଏହା ବିଜ୍ଞାନ ସମ୍ମତ। ଅନୁଭବ, ଅନୁଚିନ୍ତା, ଆବେଗ, ବିଚାରର ପରିପ୍ରକାଶ ମନ ଓ ହୃଦୟର କଥା କେବଳ ମାତୃଭାଷାରେ ହିଁ ନିର୍ବିକାର ଭାବେ ପରିପ୍ରକାଶ କରାଯାଇପାରେ। ସାଧାରଣ ମଣିଷମାନଙ୍କ ବିକାଶ ମଧ୍ୟ ମାତୃଭାଷା ଦ୍ୱାରା ସହଜ ଓ ସମ୍ଭବପର ହୋଇଥାଏ। ଦୈନଦିନର ଜୀବନ ଓ ଜୀବିକା ଜଣେ ଶିକ୍ଷିତ ପାଇଁ ଲବଧିପ୍ରାପ୍ତ ହେବାକୁ ମାତୃଭାଷା ମାଧ୍ୟମରେ ଶିକ୍ଷା ଓ ପ୍ରଶାସନ ସହାୟକ ହୋଇଥାଏ। ଯେଉଁ ଦେଶର ଶିକ୍ଷାର ମାଧ୍ୟମ ଓ ଶାସନ ବା ରାଜକାର୍ଯ୍ୟ ମାତୃଭାଷାରେ ସମ୍ପାଦିତ ହୋଇଥାଏ ସେ ଦେଶର ସାଧାରଣ ଜନତା ଶିକ୍ଷିତ ହୋଇଥାନ୍ତି ଓ ରାଜ୍ୟ ବା ଦେଶର ବିକାଶ ପ୍ରକ୍ରିିୟାରେ ଭାଗିଦାରୀ ହେବାକୁ ସୁଯୋଗ ପାଇଥାନ୍ତି। କାରଣ ନିଜ ଭାଷାରେ ଅଧିକ ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣା କରିବା ପାଇଁ ଅଧିକ ସଙ୍ଖ୍ୟକ ଗବେଷକ ଓ ବୁଦ୍ଧିଜୀବୀ ମାନେ କମ ସମୟରେ ଅଧିକ ସଫଳତା ପାଇଥାନ୍ତି।

 

ଆମ ଦେଶରେ ଏକ ଭ୍ରମ ସୃଷ୍ଟି କରାଯାଇଛି ଯେ ଇଂରାଜୀ ଭାଷା ବିନା ଉଚ୍ଚଶିକ୍ଷା, ବୈଜ୍ଞାନିକ ଗବେଷଣା ସମ୍ଭବପର ନୁହଁ। କିନ୍ତୁ ଏକଶତ ବର୍ଷ ପୂର୍ବରୁ ପ୍ରଥମ ବିଶ୍ୱଯୁଦ୍ଧ ବେଳକୁ ଜର୍ମାନୀ ଓ ଫ୍ରାନ୍ସର ବିଜ୍ଞାନ ଖୁବ ଅଗ୍ରଗତି କରି ସାରିଥିଲା, ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ ରୁଷର ମଧ୍ୟ। ଏହି ଦେଶମାନଙ୍କରେ ସେହିଦିନ ଓ ଆଜି ବି ଶିକ୍ଷା, ଗବେଷଣା, ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ନିଜ ନିଜ ମାତୃଭାଷା ଦ୍ୱାରା ହିଁ ସମ୍ଭବପର ହୋଇଛି। ଆଜି ବି ଯେଉଁମାନେ ଜର୍ମାନୀର ବିଶ୍ୱବିଦ୍ୟାଳୟକୁ ଆମ ଦେଶର ଇଂରେଜୀ ଦ୍ୱାରା ବିଶେଷ ଜ୍ଞାନ ଅର୍ଜନ କରିଥିବା ସ୍କଲାର ମାନେ ଗବେଷଣା ପାଇଁ ଯାଉଛନ୍ତି ସେଠାର ଗାଇଡ କରୁଥିବା ପ୍ରଫେସରମାନେ ପରାମର୍ଶ ଦିଅନ୍ତି ଜର୍ମାନୀ ଭାଷା ଶିଖିବାକୁ। କାରଣ, ସେମାନେ ସ୍କଲାରକୁ ଜର୍ମାନ ଭାଷା ମାଧ୍ୟମରେ ଅଧିକ ପାରଦର୍ଶିତାର ସହ ଗବେଷଣା କାର୍ଯ୍ୟରେ ଗାଇଡ କରିପାରନ୍ତି। ସେହିପରି ଆଜି ବି ଫ୍ରାନ‌୍‍ସର ହୋଟେଲ ମାନଙ୍କରେ ବିଦେଶୀ ପର୍ଯ୍ୟଟକମାନେ ଇଂରେଜୀ ଭାଷାରେ ଖାଇବା ବରାଦ କଲେ କେହି ବୁଝନ୍ତି ନାହିଁ ଯଦିଚ ଲଣ୍ଡନ ଠାରୁ ପ୍ୟାରିସ ଅତି ନିକଟତମ। କିନ୍ତୁ ଫ୍ରାନ୍ସ, ଜର୍ମାନୀ ଓ ଋଷ ପୃଥିବୀର ପ୍ରଥମ ଆଠଟି ବିକଶିତ ରାଷ୍ଟ୍ରର ଅନ୍ତର୍ଭୁକ୍ତ। ଫିନଲ୍ୟାଣ୍ଡ ମାତ୍ର ୫୦ ଲକ୍ଷ ଲୋକଙ୍କ ଏକ ଧନୀ ଦେଶ କିନ୍ତୁ ସେଠାର ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଫେସର ମାନେ ମଧ୍ୟ ଇଂରେଜୀ ଜାଣନ୍ତି ନାହିଁ। ସବୁକିଛି ଫିନିସ ଭାଷାରେ। ହେଲସିଙ୍କିଠାରେ ଏକ ସେମିନାରରେ ମୋର ଇଂରେଜୀ ବକ୍ତବ୍ୟକୁ ଫିନିସ ଭାଷାରେ ଭାଷାନ୍ତର କରାଗଲା ଶ୍ରୋତାଙ୍କ ପାଇଁ।

 

ଯେଉଁଦିନ ଆମ ଦେଶ ସ୍ୱାଧୀନ ହେଲା, ସେଦିନ ମହାତ୍ମା ଗାନ୍ଧୀ ଜଣେ ବିଦେଶୀ ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଲେ, ବିଶ୍ୱକୁ ଜଣାଇ ଦିଅ ମୁଁ ଇଂରେଜୀ ଜାଣେନା। ଅର୍ଥାତ ତାଙ୍କର ସନ୍ଦେଶ ଥିଲା- ଆମ ଦେଶର ସବୁକିଛି ଭାରତୀୟମାନଙ୍କ ନିଜ ନିଜ ମାତୃଭାଷାରେ ହିଁ ରାଜ ଚାଲିବ ଯାହାର ଅର୍ଥ ସ୍ୱଦେଶୀ। ବିଦେଶୀ ନୁହଁ, ଭାରତୀୟ ଭାଷା। ତାହାକୁ ଅନୁଶାସନର ସହ କାର୍ଯ୍ୟକାରୀ କରାଯାଇଥିଲେ ଆଜି ଆମ ଦେଶର କୋଟି କୋଟି ଲୋକ ନିରକ୍ଷର ହୋଇନଥାନ୍ତେ କିମ୍ୱା ଶିକ୍ଷାରୁ ବଞ୍ଚିତ ହୋଇନଥାନ୍ତେ। ଆମ ଜ୍ଞାନ-ବିଜ୍ଞାନର ଅସଲ ଭାଷା ମାତୃଭାଷା। ଭାଷାର ବିକାଶ ପାଇଁ ଶିକ୍ଷାର ମାଧ୍ୟମର ଅସଲ ବାଟକୁ ହୁଡି ଯାଇଥିବାରୁ ଭ୍ରମିତ କରୁଥିବା ଅବଧାରଣା ଆମକୁ ଅଣବାଟରେ ନେଉଛି। ଯାହାଫଳରେ ସାଧାରଣ ଲୋକ ବିଦେଶୀ ଭାଷାର ଅଧୀନରେ ଶାସିତ ହୋଇ ମୌଳିକ ଶିକ୍ଷାରୁ ବଞ୍ଚିତ।

 

୨୦୧୨ରେ ସ୍କୁଲସ୍ତରୀୟ ବିଜ୍ଞାନ ଶିକ୍ଷାରେ ୫୦ ସ୍ଥାନ ହାସଲ କରିଥିବା ଦେଶମାନଙ୍କ ମଧ୍ୟରେ ଇଂରେଜରେ ଶିକ୍ଷା ଦାନ ଦେଉଥିବା ଦେଶ ସିଙ୍ଗାପୁର ତୃତୀୟ, କାନାଡା ଦଶମ, ଆୟରଲ୍ୟାଣ୍ଡ ଚତୁର୍ଦ୍ଦଶ, ଅଷ୍ଟ୍ରେଲିଆ ଷୋଡଶ, ନ୍ୟୁଜିଲାଣ୍ଡ ଅଷ୍ଟାଦଶ ଓ ଆମେରିକା ଅଷ୍ଟାଦଶ ସ୍ଥାନରେ ଥିଲେ। ୨୦୦୩, ୨୦୦୬ ଓ ୨୦୦୯ରେ ମଧ୍ୟ ଏହି ସ୍ଥିତି ଥିଲା। ଭାରତ ଏଥିରେ ଭାଗ ନେଇନଥିଲା, କାରଣ ଏହା ପୂର୍ବରୁ ହୋଇଥିବା ମୂଲ୍ୟାୟନରେ ୭୪ଟି ଦେଶ ମଧ୍ୟରେ ଭାରତର ସ୍ଥାନ ଥିଲା ୭୩।

 

ଏସିଆର ପ୍ରଥମ ୫୦ ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକାଧିକ ରେ ହିଁ ଇଂରେଜ ମାଧ୍ୟମରେ ଶିକ୍ଷା ଦିଆଯାଉଛି, କିନ୍ତୁ ଭାରତର ସ୍ଥାନ ଗୋଟିଏ ବି ଏଥିରେ ନାହିଁ।

 

ସପ୍ତଦଶ ଶତାବ୍ଦୀରେ ଯେତେବେଳେ ଭାରତୀୟମାନଙ୍କ ଇଂରେଜୀ ଜ୍ଞାନ ଥିବା ସଙ୍ଖ୍ୟା କମ ଥିଲା। ସେତେବେଳେ ଦୁନିଆର ସର୍ବମୋଟ ଉତ୍ପାଦନର ୨୨ ପ୍ରତିଶତ ଥିଲା ଭାରତର। ଯାହାକି ଏବେ ମାତ୍ର ୫ ପ୍ରତିଶତ। ୧୯୫୦ରେ ବିଶ୍ୱ ବ୍ୟାପାରରେ ଭାରତର ଅଂଶ ଥିଲା ୧.୭୫ ପ୍ରତିଶତ, ବର୍ତ୍ତମାନ ୧.୫ ପ୍ରତିଶତ ଯଦିଚ ଇଂରେଜ ଜାଣିବା ଲୋକଙ୍କ ସଂଖ୍ୟା ଅତିମାତ୍ରାରେ ବଢିଛି।

 

ୟୁନେସ୍କୋର ପ୍ୟାରିସ କନଭେନସନର ପ୍ରସ୍ତାବ ଅନୁଯାୟୀ ଏହା ସ୍ୱତଃସିଦ୍ଧ ଯେ ପିଲାଙ୍କ ପାଇଁ ମାତୃଭାଷା ହିଁ ଶିକ୍ଷାର ମାଧ୍ୟମ। ଅଭିବ୍ୟକ୍ତି ଓ ବୁଝାମଣା ପାଇଁ ତାହାର ମସ୍ତିସ୍କରେ ମନୋବୈଜ୍ଞାନିକ ଆଧାରରେ ମାତୃଭାଷାର ସାର୍ଥକ ପ୍ରଣାଳୀ ରୂପେ କାମକରେ। ସାମାଜିକ ଆଧାର ଉପରେ ଯେଉଁ ସମାଜର ସମୂହଙ୍କ ସମ୍ପର୍କ ସ୍ଥାପନ ହୁଏ, ଏକାମିକ ହେବା ପାଇଁ ମାତୃଭାଷା ହିଁ ସାଧନ ଏବଂ ଏକ ଅଜଣା ଭାଷା ଅପେକ୍ଷା ମାତୃଭାଷା ଦ୍ୱାରା ହିଁ ଅଧିକ ଶିଖେ। ଦକ୍ଷିଣ କୋରିଆ, ଜାପାନ ଓ ଚୀନଠାରୁ ଆମ ଦେଶ ପଛରେ ରହିବା କାରଣ ମାଧ୍ୟ ଭାରତୀୟ ଶିକ୍ଷା ଓ ଶାସନରେ ଇଂରେଜୀ ଭାଷାର ଆଧିପତ୍ୟ ଅଧିକ। ୟୁନେସ୍କୋର ୨୦୦୮ରେ ପ୍ରସ୍ତୁତ ପୁସ୍ତକ (ଇମ୍ପ୍ରୁଭମେଣ୍ଟ ଇନ ଦ କ୍ୱାଲିଟି ଅଫ ମଦର ଟଙ୍ଗ- ବେଷ୍ଟ ଲିଟରେସି ଏଣ୍ଡ ଲର୍ନିଙ୍ଗ- ପୃ-୧୨)ରେ ଲେଖା- ଆମ ରାସ୍ତାରେ ବଡ ପ୍ରତିବନ୍ଧକ ହେଉଛି ଭାଷା ଓ ଶିକ୍ଷା ବିଷୟରେ କେତକ ଅନ୍ଧବିଶ୍ୱାସ, ଲୋକଙ୍କ ଆଖି ଖୋଲିବା ପାଇଁ ଏହି ଅନ୍ଧବିଶ୍ୱାସର ଅସଲ ରୂପକୁ ଖୋଲି ଦେବା ଆବଶ୍ୟକ। ପ୍ରଥମ ଅନ୍ଧବିଶ୍ୱାସ ହେଉଛି ବିଦେଶୀ ଭାଷା ଶିଖିବାର ଭଲ ରାସ୍ତା ପାଇଁ ଏହି ଭାଷାକୁ ଶିକ୍ଷାର ମାଧ୍ୟମ କରିଦିଆଯାଏ। ଦ୍ୱିତୀୟ ବିଦେଶୀ ଭାଷା ଯେତେ ଶୀଘ୍ର ହୋଇପାରିବ ତାହା ବହୁତ ଭଲ, ତୃତୀୟ ମାତୃଭାଷା ବିଦେଶୀ ଭାଷା ଶିଖିବା ରାସ୍ତାରେ କଣ୍ଟକ। କିନ୍ତୁ ବାସ୍ତବରେ ବିଦେଶୀ ଭାଷାକୁ ଅଲଗା ଭାବରେ ଏକ ଅତିରିକ୍ତ ବିଷୟ ରୂପେ ଗଢିବା ଲାଭଦାୟକ।

 

ମାତୃଭାଷାରେ ପଢିବା ପିଲା ଅନ୍ୟ ଭାଷାକୁ ସହଜରେ ଶିଖିପାରେ। କୌଣସି ଭାଷାକୁ ଜୀବନ୍ତ ରଖିବାକୁ ହେଲେ ସେହି ଭାଷାକୁ ଶିକ୍ଷାର ମାଧ୍ୟମ ରୂପେ ପ୍ରୟୋଗ କରିବା ଏକାନ୍ତ ଜରୁରୀ। ମାତୃଭାଷା ସମାଜ ମଧ୍ୟରେ ଏକତା, ସଂହତି,ସଂାସ୍କୃତିକ ଆମିିୟତା ଏବଂ ଅତୀତର ଇତିହାସର ସୁରକ୍ଷାର ଏକ ମୂଳ ଆଧାର। ଭାରତୀୟ ସମ୍ୱିଧାନର ଧାରା ୩୪୭ ଓ ୩୫୦ ପ୍ରତ୍ୟେକ ନାଗରିକକୁ ନିଜ ମାତୃଭାଷାରେ ଶିକ୍ଷା ଓ ପ୍ରଶାସନିକ ସେବା ପାଇବାର ଅଧିକାର ଦେଇଛି। ବିଶ୍ୱର ପ୍ରାୟ ସମସ୍ତ ଦେଶରେ ୧୦ ବର୍ଷ ବୟସ ପରେ ଶିଶୁମାନଙ୍କୁ ବିଦେଶୀ ଭାଷା ପଢାଯାଏ। ନିକଟ ଅତୀତରେ ଇଂଲଣ୍ଡର ଏକ ରିପୋର୍ଟ କହିଛି ୟୁରୋପୀୟ ବ୍ୟାଙ୍କରେ ଇଂଲଣ୍ଡବାସୀଙ୍କୁ ନିଯୁକ୍ତି ନ ଦେବାର କାରଣ ଏମାନେ ଇଂରେଜ ବ୍ୟତୀତ ଅନ୍ୟ କୌଣସି ଭାଷା ଜାଣିନାହାନ୍ତି। ଏହାଦ୍ୱାରା ଇଂଲଣ୍ଡର ବ୍ୟବସାୟିକ କ୍ଷତି ୪୮ ବିଲିୟନ ପାଉଣ୍ଡ ଅର୍ଥାତ ୩ ଲକ୍ଷ ୮୦ ହଜାର କୋଟିଟଙ୍କା ଦର୍ଶାଯାଇଛି। ଏହା ପ୍ରମାଣିତ କରୁଛି ଯେ ଇଂରେଜୀ ଭାଷା ବ୍ୟତୀରକେ ଅନ୍ୟ ବହୁଭାଷୀୟ ଆବଶ୍ୟକତା ରହିଛି। ପଞ୍ଜାବ ବିଶ୍ୱବିଦ୍ୟାଳୟର ପ୍ରଫେସର ଜଗା ସିଂହ ଭାରତୀୟ ଭାଷାମାନଙ୍କ ସୁରକ୍ଷା ପାଇଁ ସେ ବିଶେଷ ସୂତ୍ର ରଖିଛନ୍ତି। ତାଙ୍କରି http://punjabuniversityacademic.edu/jagasingh/papers କୁ ଯାଇ ଜାଣିହେବ।

 

ଏକଦା ଇଂଲଣ୍ଡର ମାତୃଭାଷା ଇଂରେଜ ବଦଳରେ ରାଜଭାଷା ଫରାସୀ ହୋଇଯାଇଥିଲା ୧୧ ଶତାବ୍ଦୀ ବେଳକୁ। ୧୦୬୬ରେ ଫ୍ରାନ୍ସର ନାରମେଣ୍ଡି ଅଞ୍ଚଳର ନାର୍ମନ ଲୋକଙ୍କ ଇଂଲଣ୍ଡ ଉପରେ ଆଧିପତ୍ୟ ଆସିଥିଲା। ଏହାର ନାୟକ ଡ୍ୟୁକ ଅଫ ୱିଲିୟମ ଇଂଲଣ୍ଡର ଶାସକ ହେରାଲଡଙ୍କୁ ପରାଜିତ କରି ନିଜେ ରାଜା ହୋଇଗଲେ। ତା’ପରେ ଫ୍ରେଞ୍ଚ ବା ଫରାସୀ ଭାଷାକୁ ଇଂଲଣ୍ଡବାସୀଙ୍କ ଉପରେ ଥୋପି ଦିଆଗଲା। ଆମ ଦେଶରେ ଯେପରି ଉଚ୍ଚ ଶ୍ରେଣୀ ଓ ଶାସକ ଶ୍ରେଣୀ ଇଂରେଜ ଭାଷାକୁ ଆଭିଜାତ୍ୟର ଭାଷା ରୂପେ ବ୍ୟବହାର କରି ନିଜ ଦେଶର ଭାଷାମାନଙ୍କୁ ଦ୍ୱିତୀୟ ଶ୍ରେଣୀ କରାଇ ଦେଇଛନ୍ତି ସେହିପରି ଇଂଲଣ୍ଡରେ ମଧ୍ୟ ଶାସକ ବର୍ଗ ଫ୍ରେଞ୍ଚକୁ ଶିକ୍ଷା ଓ ଶାସନର ଭାଷା କରିଦେଲେ। ଏପରିକି ଇଂରେଜ ଭାଷା ନିଜ ମାତୃଭାଷା କେବଳ ନିମ୍ନବର୍ଗଙ୍କ ଭାଷା ହୋଇରହିଲା। କିନ୍ତୁ ୧୪ ଶତାବ୍ଦୀ ବେଳକୁ ପୁଣି ଫ୍ରାନ୍ସ ସହ ଯୁଦ୍ଧରେ ଇଂଲଣ୍ଡର ବିଜୟ ପରେ ସାଧାରଣ ଜନତା ନିଜ ମାତୃଭାଷା ଇଂରେଜକୁ ଅଗ୍ରାଧୀକାର ଦେବାକୁ ଦାବୀ କଲେ। ୧୩୬୨ରେ ସଂସଦରେ ଏକ ଅଧିନିୟମ ପାରିତ ହୋଇ ନ୍ୟାୟାଳୟର ଭାଷା ଫ୍ରେଞ୍ଚ ବଦଳରେ ଇଂରେଜ ହେଲା। କ୍ରମଶଃ ଏହା ଭାଷା ସୁରକ୍ଷା ଆନ୍ଦୋଳନରେ ପରିଣତ ହେଲା। ପୁଣି ଇଂରେଜ ମାନେ ୧୬ ଶତାବ୍ଦୀ ପରେ ବିଶ୍ୱର ବହୁ ଦେଶରେ ଔପନିବେଶିକ ଶାସନ କରି ଇଂରେଜୀକୁ ଥୋପି ଥିଲେ ଯାହା ଫଳରେ ଅନେକ ଦେଶର ମାତୃଭାଷା ହୀନମନ୍ୟତାର ଶିକାର ହୋଇଥିଲା।

 

ଆଜି ଆମ ଦେଶର ଓଡିଶା ସମେତ ଅନେକ ରାଜ୍ୟର ଭାଷା ଏହି ହୀନମନ୍ୟତାର ଶିକାର ହୋଇ ନିଜ ଭାଷା ନିମ୍ନମାନର ବୋଲି ଇଂରେଜୀ ନଜାଣିଲେ ଦେଶ ବିକଶିତ ହୋଇପାରିବ ନାହିଁ ବୋଲି କୁହାଯାଉଛି। ଏପରିକି ବହୁ ଶିକ୍ଷିତ ପରିବାର ନିଜ ପିଲାଙ୍କୁ ବାହାର ରାଜ୍ୟ କିମ୍ୱା ଦେଶରେ ଥିଲାବେଳେ ନିଜ ଭାଷାରେ କଥା ହେବାକୁ ମଧ୍ୟ ପିଲାଙ୍କୁ ସୁଯୋଗ ଦିଅନ୍ତି ନାହିଁ। ଆଜି ବି ଇଂରେଜୀ ଭାଷା ବ୍ୟବହାର କରୁ ନଥିବା ଦେଶମାନଙ୍କ ସଂଖ୍ୟା ଅଧିକ। ଇଂରେଜୀ ଜାଣିବା ବା ଶିଖିବାର ଆବଶ୍ୟକତା ନାହିଁ ବୋଲି କୁହାଯାଉନି। ଅନେକ ଭାଷା ଜାଣିବା ପାଇଁ ବ୍ୟକ୍ତିବିଶେଷ ଉଦ୍ୟମ କରୁଛନ୍ତି ଓ ତା’ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯାଇପାରେ। କିନ୍ତୁ ନିଜ ଦେଶ ଓ ରାଜ୍ୟରେ ବହୁଜନଙ୍କ ଭାଷା ମାତୃଭାଷାକୁ ଶିକ୍ଷା ଓ ଶାସନର ମାଧ୍ୟମ ଏକାନ୍ତ ଜରୁରୀ ଯାହାଫଳରେ ଜଣେ ଶ୍ରମିକ ଚାଷୀ ନିଜ କଥା ରଖିପାରିବ ଓ ନିଜ ଜ୍ଞାନ ବିତରଣ କରିପାରିବ, ତା’ ସହ ବିଦେଶୀ ଭାଷାର ପ୍ରଭୁତ୍ୱରୁ ସାମାଜିକ, ସଂାସ୍କୃତିକ ସ୍ୱାଧୀନତାକୁ ସମୃଦ୍ଧ କରିପାରିବ।

 

ଓଡିଶାରେ ଓଡିଆ ଭାଷା ରାଜଭାଷା ରୂପେ ୧୯୫୪ରୁ ଆଇନ ହୋଇମଧ୍ୟ ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋନଥିବାରୁ ଏବେ ଆନ୍ଦୋଳନ କରିବାକୁ ପଡୁଛି। ଏହି ମଧ୍ୟରେ ଶିକ୍ଷାର ପ୍ରସାର ଘରୋଇ ସ୍କୁଲମାନଙ୍କ ଦ୍ୱାରା ବୃଦ୍ଧି ପାଉଥିବା ବେଳେ ଓଡିଆ ମାଧ୍ୟମ ସରକାରୀ ସ୍କୁଲ ଗୁଡିକୁ ଅବହେଳିତ କରି ପଙ୍ଗୁ କରିଦିଆଯାଉଛି। ତେଣୁ ଗୋଟିଏ ପ୍ରକାର ପ୍ରାଥମିକ ହାଇସ୍କୁଲ ଶିକ୍ଷା ମାତୃଭାଷା ମାଧ୍ୟମରେ ହିଁ ସମସ୍ତଙ୍କୁ ଶିକ୍ଷା ଦିଆଯାଇପାରିବ ଓ ଭାଷା ଜୀବନ୍ତ ରହିବା ସହ ସମୃଦ୍ଧ ମଧ୍ୟ ହେବ।

 

ସମୃଦ୍ଧର ବାଟ ହେଲା- ଓଡିଶାର ବିଭିନ୍ନ ଆଦିବାସୀ ସମାଜର କଥିତ ଓ ଲିପିଥିବା ଭାଷା ମାଧ୍ୟମରେ ପ୍ରାଥମିକ ସ୍ତରରେ ପିଲାଙ୍କୁ ଶିକ୍ଷାଦାନ ଏକାନ୍ତ ଜରୁରୀ। ସାନ୍ତାଳୀ, କୁଇ, ସୌରା ସମେତ କୋଶଳୀ ଭାଷାରୁ ଶବ୍ଦକୋଷକୁ ଓଡିଆ ଅଭିଧାନ ଭିତରକୁ ନେବା ଏକାନ୍ତକାମ୍ୟ। ଏହାଦ୍ୱାରା ଭାଷା ସମୃଦ୍ଧ ହେବାସହ ମାତୃଭାଷାରେ ମମତା ଜନ୍ମିବ।

ଲୋହିଆ ଏକାଡେମୀ, ଭୁବନେଶ୍ୱର-୨୨, ଫୋନ ନଂ- ୯୪୩୭୨୫୯୦୦୫

© 2015. Samanya Kathan All Rights Reserved | Editor : Debendra Prusty     

To Top