ଶୁଣିବାକୁ ସମୟ କାହିଁ?

image

ରୁଦ୍ର ପ୍ରସନ୍ନ ରଥ

 

କଥୋପକଥନରେ ଶୁଣିବା ଏକ ନିହାତି ବଡ ଆବଶ୍ୟକତା। ଯେଉଁ ଲୋକ ଯେତେ ବେଶି ଶୁଣିପାରେ ସେ ଲୋକ ସେତେ ଭଲ ଭାବେ କଥା କହିପାରେ। ସେହି ପରି ଅଧା ଶୁଣିଥିବା ବା ଆଦୌ ଶୁଣି ନଥିବା ଲୋକଟିର କଥାର ଗ୍ରହଣୀୟତା ଉପରେ ଶୁଣିଲାବାଲା ସବୁବେଳେ ପ୍ରଶ୍ନବାଚୀ ଲଗାଇଥାଏ। ଆମେ ସମସ୍ତେ ଯେଉଁମାନେ କଥା କହିବାକୁ ଭଲ ପାଆନ୍ତି ସେମାନେ ସବୁବେଳେ ଗୋଟିଏ ଭଲ ଶୁଣିଲାବାଲାର ସନ୍ଧାନରେ ଥାନ୍ତି। ଏମିତି ଏକ ଶୁଣିଲାବାଲା ଯିଏ ସବୁ ଶୁଣିବ, ଆମ ହଁ’ରେ ହଁ ଆଉ ନା’ରେ ନା ମିଳାଇବ। ଆଉ କୌଣସି ବିଷୟକୁ ନେଇ ତା’ର କୌଣସି ସ୍ୱାଧୀନ ମତାମତ ନଥିବ। ଏମିତି ଶୁଣିଲାବାଲାଟେ ମିଳିଲେ ଆମ ସମସ୍ତଙ୍କୁ ହାତ ପାଆନ୍ତାରେ ସ୍ବର୍ଗ ମିଳିଗଲା ପରି ଲାଗେ।

 

ଏବେ ସମୟ ବଦଳିବା ସହିତ, ଶୁଣିବାବାଲାର ଭୁମିକାରେ ମଧ୍ୟ ଦ୍ରୁତ ପରିବର୍ତ୍ତନ ହେଉଛି। କେହି ଜଣେ ଭଲ ଶୁଣିବାବାଲା ହେବା ପାଇଁ ପ୍ରସ୍ତୁତ ନୁହେଁ। ସମସ୍ତେ କହିବାକୁ ବ୍ୟଗ୍ର। ଜଣଙ୍କର କଥା ପୂରା ନସରୁଣୁ ଆଉ ଜଣେ ସେ କଥାରୁ ଖିଅ କାଢ଼ି ନେଉଛି। ଢିଙ୍କିଶାଳର ଉପକାରିତା କ୍ରମେ କ୍ରମେ ଢେଙ୍କାନାଳର ଅପକାରିତା ହୋଇ ଯାଉଛି, ମରୁଡିର ପ୍ରତିକାର ଓ ମାରବାଡୀର ପ୍ରତିବାଦ ମଧ୍ୟରେ କୌଣସି ସାମ୍ୟ ନଥାଇ ମଧ୍ୟ ଉଭୟ ଏକ ସମୟରେ ଆଲୋଚନାର ପରିଧିକୁ ପଶି ଆସୁଛନ୍ତି। ବୁଲେଇ ବଙ୍କେଇ ରସେଇ ମଜେଇ କଥା କହୁଥିବା ଲୋକଟାକୁ ମଧ୍ୟ ଶୁଣିବାବାଲାର ତୀର୍ଯ୍ୟକ ଶୁଣିବାକୁ ପଡୁଛି ‘ଭାଇ ଶୁଣିବାକୁ ସମୟ ନାହିଁ, ଯାହା କହିବାର ଅଛି ସିଧା କୁହ।’

 

ଅବଶ୍ୟ ଆଗରୁ ଏମିତି ଘଟୁ ନଥିଲା। ଶୁଣିବାବାଲା କାନ ଡେରି ଶୁଣିବାକୁ ବାଧ୍ୟ ହେଉଥିଲା। ବୁଝି ନପାରିବା ଯାଏ ପ୍ରଶ୍ନ ପଚାରୁଥିଲା। ଗୁରୁ, ଗୁରୁଜନ କିମ୍ବା ଅତି ଜ୍ଞାନୀମାନୀ ଲୋକ ହୋଇଥିଲେ ଶୁଣିବାବାଲା ଯଦି ସିଧା ସଳଖ ପ୍ରଶ୍ନ ପଚାରି ପାରୁ ନଥିଲା ତେବେ କାନ ମୁଣ୍ଡା ଆଉଁସି ଅତି ସନ୍ତର୍ପଣରେ ‘ଗୋସେଇଁ କଥାଟିଏ ବୁଝିବାର ଥିଲା’ କହି ଆରମ୍ଭ କରୁଥିଲା। ଗୋସେଇଁଙ୍କ ଇଚ୍ଛା ହେଲେ କହୁଥିଲେ ଇଚ୍ଛା ନହେଲେ ଚୁପ ରହୁଥିଲେ। ପ୍ରଶ୍ନ ପଚାରିବାବାଲାଟି ଗୋସେଇଁଙ୍କ ପାଖରୁ ଉତ୍ତର ପାଇବା ଯାଏ ତାଙ୍କ କଥାକୁ କାନଡେରି ରହୁଥିଲା।

 

ସେତେବେଳେ ଟିଭି ଆସିନଥିଲା। ଖବର କାଗଜ କୋଉ ୪/୫ ଖଣ୍ଡ ଗାଁରେ ଜଣକ ଘରକୁ ଆସୁଥିଲା। ରେଡିଓର ହାଲତ ବି ସେହିପରି ଥିଲା। ତେଣୁ କହିବା ବାଲାର ଓଜନ ଅଧିକ ଥିଲା, ଆଉ ଶୁଣିବାବାଲା ବାଲା ବାଧ୍ୟ ହୋଇ ଶୁଣିବାକୁ ସମୟ ନେଉଥିଲା। ଏବେ ଟିଭି ଓ ଖବର କାଗଜ ଯୁଗରେ କିଏ କାହା କଥା ଶୁଣିବା ପାଇଁ ସମୟ କାହିଁକି ଦେବ ଯେ? ଆମ ଭିତରୁ ଅନେକ ଜ୍ଞାନୀ ହୋଇଯାଇଛନ୍ତି ଯାହା ପାଖରେ ଶୁଣିବାକୁ ସମୟ ନାହିଁ। ଆଉ ଅନେକ ଜ୍ଞାନୀ ହେବାର ଛଳନା କରୁଛନ୍ତି ଯାହାଙ୍କ ପାଖରେ ପଚାରିବାକୁ ପ୍ରଶ୍ନ ହିଁ ନାହିଁ। ଏଣୁ ସମସ୍ତେ କହିବା ପାଇଁ ଆଗଭର ହୋଇଛନ୍ତି।

 

ଭଲ ଭାବେ ଶୁଣିବା ଦ୍ବାରା ଆମେ ଯେ କହୁଥିବା ଲୋକଟି ପ୍ରତି ସମ୍ମାନ ପ୍ରଦର୍ଶନ କରୁ ତାହା ନୁହେଁ, ବରଂ କୌଣସି ବିଷୟବସ୍ତୁକୁ ନେଇ ସେ ଲୋକର ଧାରଣା କ’ଣ ଏବଂ ଏ ବିଷୟବସ୍ତୁ କୁ ନେଇ ତା ମନରେ କୌଣସି ସଂଶୟ ଅଛି କି ଆଜି ସ୍ପଷ୍ଟ ଭାବେ ବୁଝିହୁଏ। ଆଉ ଏଥିପାଇଁ ଆମେ କଣ କରିବା ବା କହିବା ଉଚିତ ହେବ ତାହା ମଧ୍ୟ ଅମେ ନିଶ୍ଚିତ କରିପାରୁ। ମାତ୍ର ଏଥିପାଇଁ ଜଣକୁ କହିବାର ସ୍ବାଧୀନତା ଦେବା ଏବଂ ନିଜେ ବି ବିନିଷ୍ଟ ହୋଇ ଶୁଣିବା ଏକାନ୍ତ ଆବଶ୍ୟକ ଅଟେ।

 

କଥା କହିବା ବେଳେ ଅନ୍ୟର କଥାକୁ ଅଧା ଶୁଣିସାରି କହିବା ଆରମ୍ଭ କରିବା କିମ୍ବା ଆଦୌ ନଶୁଣିବା ପରି ମାରାତ୍ମକ ବ୍ୟାଧି ଆଜିକାଲି ସବୁଠାରେ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଜଣେ ଫୋନ କରୁଥିଲେ ବି ଫୋନ ଗ୍ରହଣକାରୀ କଥା ଅଧାରୁ ନିଜ ତରଫରୁ ଫୋନ କାଟିଦେବ। ଅଧାକଥା ଶୁଣି ଅନୁଷ୍ଠାନ ବା ଲୋକ ବିଷୟରେ ଖରାପ ଚିନ୍ତାଧାରା ମୁଣ୍ଡରେ ପୂରାଇବା କିମ୍ବା ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ଅପ୍ରାସଙ୍ଗିକ ମତାମତ ଦେବା ଆଜି ବିଭିନ୍ନ କ୍ଷେତ୍ରରେ ଦିନକୁ ଦିନ ବଢ଼ିବଢ଼ି ଚାଲିଛି। ଏ ନଶୁଣିବାର ମାନସିକତା ଏପରି ବ୍ୟାପି ଚାଲିଛି ଯେ ଅନେକ ସମୟରେ କହିବା ଲୋକଙ୍କୁ ‘ମୁଁ କହିସାରେ ତୁମେ କହିବ’ ବା ‘ମୋ କଥା ଶୁଣିସାରି ତା’ପରେ କହିବ’ ବୋଲି ବକ୍ତବ୍ୟ ଆଗରୁ ହିଁ ରଖିବାକୁ ପଡୁଛି। ଏ ପ୍ରତିଯୋଗିତାମୂଳକ ଦୁନିଆରେ ଆମେ ସମସ୍ତେ ବ୍ୟସ୍ତତା ଭିତରେ ରହୁଛେ, ଏଥିନେଇ ସଂଦେହ ନାହିଁ। ଏ ବ୍ୟସ୍ତତାକୁ ନେଇ ଆମେ ଅନେକ ସମୟରେ ବିବ୍ରତ ବୋଧ କରୁଛେ। ବୋଧହୁଏ ଏହି ବ୍ୟସ୍ତତା ଏବଂ ବିବତ୍ରବୋଧ ଯୋଗୁଁ ଭଲଭାବେ ଏବଂ ସ୍ପଷ୍ଟଭାବେ ଶୁଣିବାର ମାନସିକତା ହରାଇ ବସିଛେ।

 

ଖାସ ଏଇଥି ପାଇଁ ଆମେ ଆମ ସହ କଥା ହେଉଥିବା ଲୋକଟିକୁ ସମ୍ପୂର୍ଣ୍ଣ ନଶୁଣିବାକୁ ପସନ୍ଦ କରୁଛେ, ତା ଅଭିଜ୍ଞତାକୁ ଆମେ ହେୟଜ୍ଞାନ କରୁଛେ। ତା ଅନୁଭୂତିକୁ ଆମେ ଲୋକ ଦେଖାଣିଆ ବୋଲି ମନେ କରୁଛେ। ତା’ ପରିବେଶରେ ନଥାଇ, ତ ପରିସ୍ଥିତିକୁ ନଯାଇ ସେ କଥା କହିବା ଆରମ୍ଭ କଲାମାତ୍ରେ ଆମେ ସେଥିରେ ଆମ କଳ୍ପନାର ପୁଟ ଲେପି ଦେଉଛେ। ଆମେ ତ କଥା ଶୁଣୁ ନଥିବାରୁ ସେ ଯେ ଲୋକଟି ଆହତ ହେଉଛି ଏବଂ ମାନସିକ କଷ୍ଟ ପାଉଛି, ସେ କଥା ଆମେ ଆଦୌ ବୁଝିପାରୁନେ। ବରଂ କଥାବାର୍ତ୍ତା ଜନିତ ସମୟ ବଞ୍ଚାଇ ପାରିଛେ ଭାବି ଖୁସି ହେଉଛେ। ବୋଧହୁଏ ତାର ଅସ୍ପଷ୍ଟ ଉଚ୍ଚାରଣ ଉପରେ ଆମ ଉଦ୍ଧତ ଆଚରଣ ଭାରୀ ପଡୁଛି। କଥା କହିବାର ଭଦ୍ରାମୀ ଉପରେ କଥା ନଶୁଣିବାର ଅଭଦ୍ରାମୀ ବଢ଼ି ବଢ଼ି ଚାଲିଛି।

 

ଯୁଗ ଆଗକୁ ଆହୁରି ବଦଳିବ। ଆଗକୁ ମଣିଷ ଆହୁରି ଆହୁରି ବ୍ୟସ୍ତ ରହିବ। ସେ ବ୍ୟସ୍ତତାର ଆଢ଼ୁଆଳରେ ଅନ୍ୟକୁ ଶେଷଯାଏ ଶୁଣିବାର ଆମ ମାନସିକତା ବୋଧହୁଏ ସରି ସରିଯିବ। ତେବେ ଏ ମାନସିକତା ମରିଯିବା ପୂର୍ବରୁ ଅନ୍ୟକୁ ଭଲଭାବେ ଶୁଣିବା ପାଇଁ ଶେଷଥର ଯାଏ ଚେଷ୍ଟା କରିବାରେ କ୍ଷତି କ’ଣ?

 

ଧବଳଗିରି, ଯାଜପୁର ରୋଡ, ମୋ-୯୮୫୩୨୦୬୧୬୮

© 2015. Samanya Kathan All Rights Reserved | Editor : Debendra Prusty     

To Top