ସୁଦର୍ଶନଙ୍କ ସହସ୍ର ଶାନ୍ତା

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସହସ୍ର ସାନ୍ତା କ୍ଲସ୍‌ ଏକ ନୂତନ ବିଶ୍ୱ ରେକର୍ଡ଼ କରିଛି। ବଡ଼ଦିନ ଅବ୍ୟବହିତ ପୂର୍ବରୁ ସେ ପୁରୀ ସମୁଦ୍ର କୂଳରେ ସହସ୍ର ସାନ୍ତା କ୍ଲସ‌୍‍ ମୂର୍ତ୍ତି ତିଆରି କରିଥିଲେ। ଏହା ଲିମ‌୍‍କା ବୁକ‌୍‍ ଅଫ‌୍‍ ରେକର୍ଡ଼ସରେ ସ୍ଥାନ ପାଇଛି।

 

ଏସଂପର୍କରେ ନିଜେ ପଟ୍ଟନାୟକ ତାଙ୍କ ଟୁଇଟର ମାଇକ୍ରୋ ବ୍ଲଗରେ ଲେଖିଛନ୍ତି ଯେ ଲିମକା ବୁକ‌୍‍ ଅଫ‌୍‍ ରେକର୍ଡ଼ସରେ ତାଙ୍କର ସହସ୍ର ସାନ୍ତା କ୍ଲସ ବାଲୁକା ଶିଳ୍ପ ସ୍ଥାନ ପାଇଛି। ପଟ୍ଟନାୟକ ତାଙ୍କ ବାଲୁକା ଶିଳ୍ପ ବିଦ୍ୟାଳୟର ୩୫ ଜଣ ଛାତ୍ରଛାତ୍ରୀଙ୍କ ସହଯୋଗରେ ୪ ଦିନ ଧରି ଲାଗି ପୁରୀ ସମୁଦ୍ର କୂଳରେ ୧୦୦୦ ସାନ୍ତା କ୍ଲସ‌୍‍ ମୂର୍ତ୍ତି ତିଆରି କରିଥିଲେ। ଏଥିରେ ୧୦୦୦ ଟନ‌୍‍ ବାଲି ବ୍ୟବହାର କରାଯାଇିଛି। ଡିସେମ୍ୱର ୨୪ ତାରିଖରେ ମୂର୍ତ୍ତି କାମ ଶେଷ ହୋଇଥିଲା।

 

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କର ଏହି ବାଲୁକା ଶିଳ୍ପ ସମେତ ପୁରୀ ବେଳାଭୂମିରେ ରଂଜନ ଗାଙ୍ଗୁଲି ଓ ମାନସ ସାହୁଙ୍କର ସାନ୍ତା କ୍ଲସ ଓ ବଡ଼ଦିନର ବାଲି ଭାସ୍କର୍ଯ୍ୟ ମଧ୍ୟ ଶୋଭା ପାଉଛି। ଏହା ୨୦୧୭ ଜାନୁଆରୀ ପହିଲା ଯାଏଁ ପ୍ରଦର୍ଶୀତ ହେବ। ଏସବୁ ବାଲୁକା ଶିଳ୍ପକୁ ଏବେ ବହୁ ପର୍ଯ୍ୟଟକ ପରିଦର୍ଶନ କରି ଆନନ୍ଦ ଉପଭୋଗ କରୁଛନ୍ତି। ବିଶ୍ୱ ଶାନ୍ତି ଓ ପ୍ରେମ ପାଇଁ ଓଡ଼ିଆ ଶିଳ୍ପୀମାନେ ଏହି ଉଦ୍ୟମ କରିଛନ୍ତି।

 

ସୂଚନାଯୋଗ୍ୟ ଯେ ଖୀରସ୍ତାନ ଧର୍ମର ଏକ ଲୋକପ୍ରିୟ ଚରିତ୍ର ହେଲ ସାନ୍ତା କ୍ଲସ୍‌। ସେ ପ୍ରଭୁ ଯୀଶୁଙ୍କ ଶିକ୍ଷା ଓ ବାର୍ତ୍ତା ପ୍ରଚାର ପ୍ରସାର ପାଇଁ ଜନ ସମାଜରେ ଘୂରି ବୁଲୁଥିଲେ ଓ ସେମାନଙ୍କୁ ପ୍ରେମ ଓ ଶାନ୍ତିର ସନ୍ଦେଶ ଦେଉଥିଲେ। ସେ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ ଓ ସେମାନଙ୍କୁ ନାନାଦି ରକମର ଉପହାର ଦେଉଥିଲେ।


© 2015. Samanya Kathan All Rights Reserved | Editor : Debendra Prusty     

To Top