ହୋ ବାବୁ!  ଏ କ’ଣ କେବଳ ତୁମ ସମସ୍ୟା?

ହୋ ବାବୁ!  ଏ କ’ଣ କେବଳ ତୁମ ସମସ୍ୟା?

Share :

ଶ୍ରୀମାନ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର   ମହାଶୟ, ଗତ ୧୩.୯.୨୦୧୬ ତାରିଖରେ ଆପଣ ମହାନଦୀ ଜଳ ବିବାଦ ସମ୍ପର୍କରେ ରାଜ୍ୟର ବୁଦ୍ଧିଜୀବୀ, ସିଭିଲ‌୍‍ ସୋସାଇଟି ଏବଂ ରାଜନୈତିକ ଦଳମାନଙ୍କର ମତାମତ ଆହ୍ୱାନ କରିଥିବାର ଖବର ଗଣମାଧ୍ୟମରେ ଶୁଣିବାକୁ ପାଇଛି। ତା ୧୭.୯.୨୦୧୬ରିଖରେ କେନ୍ଦ୍ରୀୟ ଜଳ ସମ୍ପଦ ମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ନୂଆଦିଲ୍ଲୀଠାରେ ହେବାକୁ ଥିବା ତ୍ରିପାକ୍ଷିକ ଆଲୋଚନା (କେନ୍ଦ୍ର ସରକାର, ଛତିଶଗଡ଼ ଏବଂ ଓଡ଼ିଶା ସରକାର)ର ଅବ୍ୟବହିତ ପୂର୍ବରୁ ଏପରି ମତାମତ ଆପଣଙ୍କ ତରଫରୁ ଆହ୍ୱାନ କରାଯାଇଛି। ଆପଣ ଏହା ମଧ୍ୟ ଗଣମାଧ୍ୟମରେ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ଆପଣ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆପଣ କିପରି ପ୍ରସ୍ତୁତ ଅଛନ୍ତି, ତାହା ଆମେ ଜାଣୁନା। କାରଣ ଏ ସର୍ମ୍ପରେ ଆପଣ କୌଣସି ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିନାହାଁନ୍ତି। ଯଦି ଆପଣ ଏବଂ ଆପଣଙ୍କ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ତେବେ ଜନସାଧାରଣଙ୍କ ମତାମତ ଆହ୍ୱାନ କରିବାର ଉଦ୍ଦେଶ୍ୟ କ’ଣ?   ଗତ ଜୁଲଇ ମାସରେ ଆପଣଙ୍କ ଦଳ ହଠାତ‌୍‍ ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ମନଇଚ୍ଛା ନଦୀବନ୍ଧ ଏବଂ ବ୍ୟାରେଜ‌୍‍ ନିର୍ମାଣ କରିବା, ଏଥିଯୋଗୁଁ ମହାନଦୀରେ ଜଳ ସଙ୍କଟ ସୃଷ୍ଟି ହେବା ଏବଂ ଏହି ସମସ୍ୟା ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ଛତିଶଗଡ଼ ସରକାର ଦାୟୀ କହି ରାଜ୍ୟବ୍ୟାପୀ ଆନ୍ଦୋଳନ ଡ଼ାକରା ଦେଲେ। ତତ‌୍‍କ୍ଷଣାତ‌୍‍ ବିଜୁ ଜନତା ଦଳ ତରଫରୁ ବିଭିନ୍ନ ଜିଲ୍ଲାର ସଦର ମହକୁମାରେ ଆନ୍ଦୋଳନ, ଧର୍ମଘଟ ଆୟୋଜନ କରାଗଲା ଏବଂ ଛତିଶଗଡ଼ ଯାଉଥିବା ଟ୍ରେନ‌୍‍କୁ ଅଟକାଇ ରେଲ‌୍‍ରୋକ ଆନ୍ଦୋଳନ କରାଗଲା। ଛତିଶଗଡ଼ ସରକାରଙ୍କ ବିରୁଦ୍ଧରେ ଜନସାଧାରଣଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପଦକ୍ଷେପ ନିଆଗଲା। ସେହି ସମୟରେ ରାଜ୍ୟ ସରକାର ଏକ ବିଶେଷଜ୍ଞ ଦଳ ଛତିଶଗଡ଼ ଅଞ୍ଚଳ ଗସ୍ତ କରିବେ ବୋଲି ଘୋଷଣା କଲେ। ପୁଣି କିଛିଦିନ ପରେ ଉକ୍ତ ବିଶେଷଜ୍ଞ ଦଳଙ୍କ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ‌୍‍ କରାଗଲା। ସେମାନଙ୍କ ଗସ୍ତ କାର୍ଯ୍ୟକ୍ରମ କାହିଁକି ବାତିଲ ହେଲା, ସେ ସମ୍ପର୍କରେ ଆପଣ କୌଣସି ଉତ୍ତର ଏପର୍ଯ୍ୟନ୍ତ ସର୍ବସାଧାରଣରେ ରଖିନାହାଁନ୍ତି।   ରାଜ୍ୟ ସରକାର ଏହି ମହାନଦୀ ଜଳ ବିବାଦ ପ୍ରସଙ୍ଗ ଏପରି ସମୟରେ ଉଠାଇଲେ, ଯେତେବେଳେ କନ୍ଧମାଳର ଗୁମୁଡ଼ୁମହାରେ ପୋଲିସ‌୍‍ ଗୁଳିରେ ୫ ଜଣ ନିରୀହ ଆଦିବାସୀଙ୍କ ମୃତ୍ୟୁ ଏବଂ ଯାଜପୁର ଜିଲ୍ଳାର ସୁକିନ୍ଦା ବ୍ଲକରେ ନଗଡ଼ା ଗ୍ରାମରେ ୧୯ ଜଣ ଯୁଆଙ୍ଗ ଶିଶୁଙ୍କ ପୁଷ୍ଟିହୀନତା ଜନିତ ମୃତ୍ୟୁ ଉପରେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା ଏବଂ ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନମାନଙ୍କ ତରଫରୁ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଚାଲୁ ରହିଥିଲା। ଉକ୍ତ ଦୁଇ ଘଟଣାକୁ ନେଇ ସରକାରଙ୍କ ବିରୁଦ୍ଧରେ ଗଢି ଉଠିଥିବା ଜନଅସନ୍ତୋଷକୁ ଦିଗହରା କରିବା ପାଇଁ ମହାନଦୀ ପ୍ରସଙ୍ଗକୁ ଉଠାଗଲା ବୋଲି ବିରୋଧୀ ରାଜନୈତିକ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।   ଯାହାହେଉ, କିନ୍ତୁ ମହାନଦୀ ଜଳକୁ ଛତିଶଗଡ଼ ସରକାର ଶୋଷଣ କରିବା ଏବଂ ଓଡ଼ିଶା କ୍ଷତିଗ୍ରସ୍ତ ହେବା ସମ୍ପର୍କରେ ରାଜ୍ୟ ସରକାର କୌଣସି ତଥ୍ୟ ସର୍ବସାଧାରଣରେ ଉପସ୍ଥାପନ କଲେନାହିଁ। ଛତିଶଗଡ଼ ସରକାର ମନଇଚ୍ଛା ମହାନଦୀ ଉପରେ ନିର୍ମାଣ କରୁଥିବା ନଦୀବନ୍ଧ ବା ବ୍ୟାରେଜ‌୍‍କୁ ରୋକିବା ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି, ଏ ସମ୍ପର୍କରେ ମଧ୍ୟ ସରକାର ନୀରବ ରହିଲେ। ଇତିମଧ୍ୟରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆପଣଙ୍କୁ ଏକ ଚିଠି ଲେଖି ତୁରନ୍ତ ସର୍ବଦଳୀୟ ବୈଠକ ଡାକି ଏ ପ୍ରସଙ୍ଗରେ ଆଲୋଚନା କରି ଏକାଠି ଲଢିବା ପାଇଁ ନିବେଦନ କରିଥିଲେ। ଶ୍ରୀ ମିଶ୍ରଙ୍କ କହିବା ଅନୁଯାୟୀ ଆପଣ ସୌଜନ୍ୟତା ଦୃଷ୍ଟିରୁ ତାଙ୍କ ଚିଠିର ପ୍ରତ୍ୟୁତ୍ତର ମଧ୍ୟ ଦେଲେ ନାହିଁ। ତେଣୁ ବିରୋଧୀ ଦଳ ନେତା ବାଧ୍ୟ ହୋଇ ନିଜେ ଏକ ସର୍ବଦଳୀୟ ବୈଠକ ଗତ ଅଗଷ୍ଟ ୩ ତାରିଖରେ ଆହ୍ୱାନ କଲେ। ଏହି ବୈଠକରେ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ସିଭିଲ‌୍‍ ସୋସାଇଟିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଏହି ବୈଠକରେ ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ତଥା ବିଜେପି ଦଳର ନେତା ବିଜୟ ମହାପାତ୍ର ହିରାକୁଦ ନଦୀ ବନ୍ଧ ଯୋଜନା, ମହାନଦୀ ଜଳର ପରିଚାଳନା, ଛତିଶଗଡ଼ ସରକାରଙ୍କର ମହାନଦୀ ଉପରେ ରାଜ୍ୟ ସରକାରଙ୍କୁ ନଜଣାଇ ମନଇଚ୍ଛା କେଲୋ ପ୍ରକଳ୍ପ ଏବଂ ବ୍ୟାରେଜ ନିର୍ମାଣ ଇତ୍ୟାଦି ସମ୍ପର୍କରେ ତଥ୍ୟ ଉପସ୍ଥାପନ ସହ ଛତିଶଗଡ଼ ସରକାର ତୁରନ୍ତ ବନ୍ଧ ଏବଂ ବ୍ୟାରେଜ ନିର୍ମାଣ ବନ୍ଦ କରିବା ପାଇଁ ଦାବୀ କରିଥିଲେ।   ଉକ୍ତ ବୈଠକରେ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଏବଂ ସିଭିଲ‌୍‍ ସୋସାଇଟିର ସଂଗଠକମାନେ ନିଜର ଉଦ‌୍‍ବେଗ ପ୍ରକାଶ ସହ ରାଜ୍ୟର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହୋଇ ଲଢିବା ପାଇଁ ଆହ୍ୱାନ ଦେଇଥିଲେ। ବୈଠକରେ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀଙ୍କୁ ସର୍ବଦଳୀୟ ବୈଠକ ଆହ୍ୱାନ ପାଇଁ ପୁଣିଥରେ ଅନୁରୋଧ କରିବା ଏବଂ ଏହି ବିବାଦରେ ରାଷ୍ଟ୍ରପତିଙ୍କର ହସ୍ତକ୍ଷେପ ଲୋଡ଼ି ଏକ ସ୍ମାରକପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ମୁତାବକ ଅଗଷ୍ଟ ୧୦ ତାରିଖରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇ ମହାନଦୀ ଜଳ ବିବାଦ ସମ୍ପର୍କରେ ରାଜ୍ୟବାସୀଙ୍କ ଉଦ‌୍‍ବେଗ ଜଣାଇବା ସହ ବିବାଦ ସମାଧାନ ନ ହେବା ପର୍ଯ୍ୟନ୍ତ ଛତିଶଗଡ଼ ସରକାରଙ୍କୁ ବନ୍ଧ ଏବଂ ବ୍ୟାରେଜ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ଏବଂ ରିଭର‌୍‍ ବୋର୍ଡ଼ ଆଇନ‌୍‍, ୧୯୫୪ ଆଧାରରେ ରିଭର‌୍‍ ବୋର୍ଡ଼ ଗଠନ କରି ମହାନଦୀ ଜଳ ଆବଣ୍ଟନକୁ ନେଇ ଉପୁଜୁଥିବା ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରାଯାଇଥିଲା।   ଆପଣ ନିଶ୍ଚିତ ଅବଗତ ଥିବେ ଯେ ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନମାନେ ଛତିଶଗଡ଼ ସରକାରଙ୍କ ମନୋମୁଖୀ କାର୍ଯ୍ୟ ବିରୁଦ୍ଧରେ ପ୍ରତିବାଦ କରି ତାଙ୍କର ଆନ୍ଦୋଳନ ଜାରି ରଖିଛନ୍ତି। କିନ୍ତୁ ଦୁଃଖର ବିଷୟ, ଦୀର୍ଘ ଦୁଇମାସ ବିତିଯାଇଥିଲେ ମଧ୍ୟ, ଆପଣ ବିରୋଧୀ ଦଳ ଏବଂ ସିଭିଲ‌୍‍ ସୋସାଇଟି ବିଶ୍ୱାସକୁ ନେଇନାହାଁନ୍ତି କି ବିରୋଧୀ ଦଳଙ୍କ ବାରମ୍ୱାର ନିବେଦନ ସତ୍ତ୍ୱେ ସଂଘବଦ୍ଧ ଲଢେଇ ପାଇଁ ଚେଷ୍ଟା କରିନାହାଁନ୍ତି। ଏସବୁ ନ କରି ଆପଣ ବେଶ‌୍‍ କିଛିଦିନ ନୀରବତା ରହିବା ପରେ ମହାନଦୀ ପ୍ରସଙ୍ଗରେ ସର୍ବସାଧାରଣରେ ବିଭିନ୍ନ ରାଜନୈତିକ ଦଳ ଏବଂ ବ୍ୟକ୍ତିବିଶେଷଙ୍କ ଠାରୁ ମତାମତ ଆହ୍ୱାନ ସମସ୍ତଙ୍କ ମଧ୍ୟରେ ଏକ ପ୍ରହେଳିକା ସୃଷ୍ଟି କରିଛି।   ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର ଦୀର୍ଘ ଦୁଇମାସ ଧରି କି କି ବିଚାର ବିମର୍ଷ କରିଛନ୍ତି ଏବଂ ଏହି ବିବାଦର ସମାଧାନ ପାଇଁ ସରକାରଙ୍କ ଆଭିମୁଖ୍ୟ କ’ଣ ଏବଂ କି କି ପଦକ୍ଷେପ ଦେଇଛନ୍ତି, ଏ ପ୍ରସଙ୍ଗରେ କୌଣସି ତଥ୍ୟ ସର୍ବସାଧାରଣରେ ଆପଣଙ୍କ ତରଫରୁ ଦିଆଯାଇ ନାହିଁ। ରାଜ୍ୟ ସରକାରଙ୍କର କେନ୍ଦ୍ର ସରକାର ଏବଂ ଛତିଶଗଡ଼ ସରକାରଙ୍କ ବିରୋଧରେ ତଥାକଥିତ ବନ୍ଦ ଡ଼ାକରା ଏବଂ ଦୋଷାରୋପ ମାଧ୍ୟମରେ କିପରି ଏହି ସମସ୍ୟାର ସମାଧାନ କରାଯିବ, ତାହା ମଧ୍ୟ ଆପଣ ଜନସାଧାରଣଙ୍କୁ ଅବଗତ କରାଇ ନାହାଁନ୍ତି। ୨୦୦୦ ମସିହାରେ ଆପଣ କ୍ଷମତାକୁ ଆସିବା ପରେ କେନ୍ଦ୍ରର ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ ଅର୍ଜୁନ ସେଠୀଙ୍କୁ ଚିଠି ଲେଖି ମହାନଦୀ ଉପର ମୁଣ୍ଡରେ ତତ୍କାଳୀନ ମଧ୍ୟ ପ୍ରଦେଶ ସରକାର ନିର୍ମାଣ କରୁଥିବା ବହୁ ବନ୍ଧ ଏବଂ ବ୍ୟାରେଜ ପ୍ରସଙ୍ଗ ଉଠାଇ ନିଜର ଉଦ‌୍‍ବେଗ ପ୍ରକାଶ କରିଥିଲେ ଏବଂ ଓଡ଼ିଶା ସରକାରଙ୍କ ବିନା ପରାମର୍ଶରେ କେନ୍ଦ୍ର ସରକାର ଛତିଶଗଡ଼ ସରକାରଙ୍କୁ ବନ୍ଧ ଏବଂ ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ନ ଦେବାକୁ କହିଥିଲେ। ତା ୭.୭.୨୦୦୦ ରିଖରେ ଦିଆଯାଇଥିବା ଏହି ଚିଠିରେ ଆପଣ ଉଲ୍ଲେଖ କରିଥିଲେ ଯେ ହୀରାକୁଦ ନଦୀବନ୍ଧ ହେଲାପରେ ମଧ୍ୟ ପ୍ରଦେଶ ସରକାର ୮ଟି ବୃହତ‌୍‍ ଜଳସେଚନ ପ୍ରକଳ୍ପ, ୨୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ, ୧୦ଟି ବ୍ୟାରେଜ‌୍‍ ନର୍ମାଣ କରି ସାରିଥିଲା ବେଳେ ୪ଟି ବୃହତ‌୍‍ ସେଚ ପ୍ରକଳ୍ପ ନିର୍ମାଣାଧୀନ ଥିଲା। ୫ଟି ନୂଆ ଡ୍ୟାମ‌୍‍ ଏବଂ ଗୋଟିଏ ବ୍ୟାରେଜ‌୍‍ ନିର୍ମାଣ ପାଇଁ ମଧ୍ୟ ମଧ୍ୟ ପ୍ରଦେଶ ସରକାରଙ୍କର ପ୍ରସ୍ତାବ ଥିଲା।    ଏହି ପ୍ରସଙ୍ଗରେ ମଧ୍ୟ ଅଗଷ୍ଟ, ୨୦୦୦ରେ ବିଧାନସଭାରେ ସଦସ୍ୟ ଅଶୋକ ଦାସଙ୍କ ଆଗତ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ସ୍ୱାର୍ଥକୁ ସୁରକ୍ଷା ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨୦୧୦ ମସିହାରେ ଆପଣଙ୍କ ଦଳର ବିଧାୟକ ପ୍ରଭାତ ବିଶ୍ୱାଳ ଓ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ଆପଣଙ୍କ ତରଫରୁ ମନ୍ତ୍ରୀ ରଘୁନାଥ ମହାନ୍ତି ଉତ୍ତର ରଖି ମହାନଦୀରେ ଜଳ ସଙ୍କଟ ନାହିଁ ଏବଂ ଯଥେଷ୍ଟ ଜଳ ରହିଥିବାରୁ ଶିଳ୍ପମାନଙ୍କୁ ପାଣି ଦେବାରେ ଅସୁବିଧା ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି ବିଧାୟିକା ରାଧାରାଣୀ ପଣ୍ଡା ଏବଂ ରାସେଶ୍ୱରୀ ଦେବୀଙ୍କ ପ୍ରଶ୍ନର ଉତ୍ତରରେ ଆପଣ ବିଧାନସଭାରେ ମହାନଦୀରେ ଜଳ ସଙ୍କଟ ନାହିଁ ବୋଲି କହିଥିଲେ। ଯଦି ଏପରି ସମସ୍ୟା ନଥିଲା, ତେବେ ହଠାତ‌୍‍ ମହାନଦୀରେ ଜଳ ସଙ୍କଟ ଦେଖାଗଲା କିପରି? ଏହା ଉପରେ ଆପଣ ସ୍ପଷ୍ଟୀକରଣ ରଖିବା ଉଚିତ‌୍‍। ଯଦି ଏହି ସମସ୍ୟାକୁ ଅଣଦେଖା କରିଆସିଛନ୍ତି, ତେବେ ଏହାକୁ ସ୍ୱୀକାର କରି ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିବା ଉଚିତ‌୍‍।   ମହାନଦୀ ଓଡ଼ିଶାର ଜୀବନରେଖା। ୧୫ଟି ଜିଲ୍ଳାର ହାରାହାରି ୨କୋଟି ଲୋକଙ୍କର ଜୀବନ ଜୀବିକା ମହାନଦୀ ଉପରେ ନିର୍ଭରଶୀଳ। ମହାନଦୀର ସମସ୍ୟା ଓଡ଼ିଶାବାସୀଙ୍କ ସମସ୍ୟା। ଏହା ବିଜୁ ଜନତା ଦଳର କେବଳ ସମସ୍ୟା ନୁହେଁ। ସମସ୍ତ ରାଜନୈତିକ ଦଳ, ସିଭିଲ‌୍‍ ସୋସାଇଟି ଏବଂ ବ୍ୟକ୍ତିବିଶେଷଙ୍କୁ ସାଙ୍ଗରେ ନେଇ ରଜ୍ୟା ସ୍ୱାର୍ଥ ପାଇଁ ଲଢିବା ପାଇଁ ଆପଣଙ୍କର ଅସୁବିଧା କେଉଁଠି? ଆପଣ ସମସ୍ତଙ୍କୁ ବିଶ୍ୱାସକୁ ନେଉନଥିବାରୁ ବିରୋଧୀ ଦଳମାନଙ୍କ ତରଫରୁ ଆପଣଙ୍କ ଦଳୀୟ କାର୍ଯ୍ୟକ୍ରମକୁ ସନ୍ଦେହରେ ଦେଖାଯାଉଛି ଏବଂ ମହାନଦୀ ଜଳ ବିବାଦର ସମସ୍ୟାର ସମାଧାନ ପ୍ରକୃତରେ ଆପଣ ସ୍ଖହୁଁନାହାଁନ୍ତି ଏବଂ ଏହି ସମସ୍ୟାକୁ ନେଇ ଜନସାଧାରଣଙ୍କ ଭାବାବେଗକୁ ପୁଞ୍ଜିକରି ମିଛ ସତ କହି ପଞ୍ଚାୟତ ନିର୍ବାଚନ ଜିତିବା ଲକ୍ଷ୍ୟ ରଖିଛନ୍ତି ବୋଲି ହେଉଥିବା ଅଭିଯୋଗକୁ ରାଜ୍ୟବାସୀ ଗ୍ରହଣ କରିବା ଆରମ୍ଭ କଲେଣି।   ମୁଁ ଆପଣଙ୍କୁ ମନେ ପକାଇଦେବା ଉଚିତ ହେବ ଯେ, କିଛି ଲୋକଙ୍କୁ କିଛିଦିନ ପାଇଁ ଭଣ୍ଡାଇ ଦିଆଯାଇ ପାରେ, କିନ୍ତୁ ସବୁ ଲୋକଙ୍କୁ ସବୁଦିନ ପାଇଁ ଭଣ୍ଡାଯାଇପାରିବ ନାହିଁ।   ଧନ୍ୟବାଦ   ସମ୍ମାନର ସହ   ପ୍ରଦୀପ ପ୍ରଧାନ ସାମାଜିକ କର୍ମୀ ମୋ ୯୯୩୭୮୪୩୪୮୨

Share :