ମୁଖ୍ୟମନ୍ତ୍ରୀ ଅଶୁଭ ନା ଶିଳା?

ମୁଖ୍ୟମନ୍ତ୍ରୀ ଅଶୁଭ ନା ଶିଳା?

Share :

ପ୍ରହଲାଦ କୁମାର ସିଂହ   କାମ ହେଉକି ନ ହେଉ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ବ୍ୟୟବହୁଳ ଭିତ୍ତିପ୍ରସ୍ତର ସ୍ଥାପନ ଏକ ପ୍ରଥାରେ ପଡ଼ିଯାଇଛି। ଏ କ୍ଷେତ୍ରରେ ବିନା କାମରେ ପ୍ରଚାର ବେଶି। ଆଉ ତା’ ପୁଣି ସରକାରୀ ଖର୍ଚ୍ଚରେ। ମୁଖ୍ୟମନ୍ତ୍ରୀ ଶୁଭ ଦେବେ ବୋଲି ଗଣମାଧ୍ୟମରେ ପ୍ରକାଶ ପାଏ ପୃଷ୍ଠା ପୃଷ୍ଠା ବିଜ୍ଞାପନ। ଶିଳାନ୍ୟାସ ପରେ ପୁଣି ସଚିତ୍ର ସମ୍ବାଦ ପରିବେଷଣ। କେବଳ ସେତିକି ନୁହେଁ, ଦୂରଦୂରାନ୍ତ ହୋଇଥିଲେ ଶିଳାନ୍ୟାସ ପାଇଁ ମୁଖ୍ୟମନ୍ତ୍ରୀ ଯିବେ ବ୍ୟୋମଯାନରେ। ଯେଉଁଠି ଶିଳାନ୍ୟାସ ହେବାର ଥାଏ, ସେ ଖଣ୍ଡମଣ୍ଡଳରେ ସୁରକ୍ଷା ଆଳରେ ଶହ ଶହ ପୋଲିସ ନିୟୋଜିତ ହୁଅନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମ୍ପୃକ୍ତ ବିଭାଗ, ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉତ୍ସବର ସଫଳତା ଲାଗି ବେଶ୍ ଦୀର୍ଘଦିନ ଧରି କସରତ କରନ୍ତି। ଆଉ ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ଉତ୍ସବକୁ ସଫଳ କରିବା ପାଇଁ ବ୍ୟାପକ ଅର୍ଥ ବ୍ୟୟରେ ଦଳୀୟ କର୍ମୀ ଓ ଲୋକଙ୍କୁ ବୁହାଯାଏ। ମୁଖ୍ୟମନ୍ତ୍ରୀ ତାଙ୍କ ଅଞ୍ଚଳକୁ ଆସୁଛନ୍ତି ବୋଲି ସମ୍ପୃକ୍ତ ଅଞ୍ଚଳର ଦଳୀୟ ନେତାମାନେ ବି ଚଳଚଞ୍ଚଳ ହୋଇଉଠନ୍ତି ଏବଂ କାର୍ଯ୍ୟକ୍ରମ ଆଳରେ ମଧ୍ୟ ଅନେକ କ୍ଷେତ୍ରରେ ବିଭିନ୍ନ ସୂତ୍ରରୁ ଚାନ୍ଦା ଆଦାୟ ହୁଏ। ଅଣ୍ଡାମାଡ଼ ଓ କଳା ପତାକା ଏଡ଼ାଇବା ପାଇଁ କେତେ ଲୋକଙ୍କୁ ବି ପୁଲିସ ଅଟକ ରଖେ। ଏମିତି ଶିଳାନ୍ୟାସ ପରେ ଶିଳାନ୍ୟାସର ପର୍ବ ଚାଲେ। ନିର୍ବାଚନ ପୂର୍ବରୁ ଆସିଯାଏ ଶିଳାନ୍ୟାସର ଋତୁ। କିଛିଦିନ ପରେ ଉଭୟ ସରକାର ଓ ସାଧାରଣ ଲୋକେ ଭୁଲି ଯାଆନ୍ତି ବହୁ ଶିଳାନ୍ୟାସ ପ୍ରକଳ୍ପକୁ। ଫଳରେ କେତେକ ସ୍ଥଳରେ ଗୋଟିଏ ଗୋଟିଏ ପ୍ରକଳ୍ପ ଲାଗି ବହୁବାର ଶିଳାନ୍ୟାସ ହୋଇଯାଏ।   ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ହଜାର ହଜାର ଶିଳାନ୍ୟାସ ମଧ୍ୟରୁ ଅଳ୍ପ କେତୋଟି ପ୍ରକଳ୍ପକୁ ନେଇ ଏ ଆଲେଖ୍ୟ। ଦୀର୍ଘଘ ବର୍ଷ ତଳୁ ମୁଖ୍ୟମନ୍ତ୍ରୀଙ୍କ କର କମଳରେ ହୋଇଥିବା ଏସବୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କାହିଁକି ହୋଇନାହିଁ ସେ ସଂକ୍ରାନ୍ତରେ ଅଧିକାରୀମାନେ କିଛି ସୂଚନା ଦେଇପାରୁ ନାହାନ୍ତି।   ରାଜଧାନୀର କେନ୍ଦ୍ରସ୍ଥଳୀ ଖାରବେଳ ନଗର ଅଞ୍ଚଳରେ ରହିଛି ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ। ଏହି ପରିସର ମଧ୍ୟକୁ ପଶିଯିବା ବେଳେ ଡାହାଣପଟେ ଦୃଶ୍ୟମାନ ହୁଏ ଏକ ସୁଉଚ୍ଚ ଶିଳାନ୍ୟାସ ଫଳକ- ‘ଗ୍ରାମୋଦ୍ୟୋଗ ଭବନ ଭିତ୍ତିପ୍ରସ୍ତର ସ୍ଥାପନ’। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ୨୦୦୩ ଅକ୍ଟୋବର ୩୦ ତାରିଖରେ ଏହି ଶିଳାନ୍ୟାସ କରାଯାଇଥିଲା। ଏହି ଫଳକ କହୁଛି ସେତେବେଳର ଭାରତ ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ମହେଶ ଶର୍ମା, ତତ୍କାଳୀନ ଶିଳ୍ପ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସେତେବେଳର ସାଂସଦ ମନମୋହନ ସାମଲଙ୍କ ଉପସ୍ଥିତିରେ ଏହି ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ କରିଥିଲେ। ସେତେବେଳେ ଖଦି ବୋର୍ଡର ସଭାପତି ଥିଲେ ରମାରଞ୍ଜନ ବଳିୟାରସିଂହ। ଇତିମଧ୍ୟରେ ପ୍ରାୟ ୧୩ ବର୍ଷ ଅତିକ୍ରାନ୍ତ ହେବାକୁ ଯାଉଛି। କିନ୍ତୁ ଶିଳାନ୍ଯାସ ପରେ ୪ ମହଲା ବିଶିଷ୍ଟ ପ୍ରସ୍ତାବିତ  ଗ୍ରାମୋଦ୍ୟୋଗ ଭବନ ପାଇଁ ମୂଳଦୁଆ ଖେଳାଯାଇ ନାହିଁ କିମ୍ବା ଇଟା ଖଣ୍ଡିଏ ବି ଯୋଡ଼ା ହୋଇନି। ମୁଖ୍ୟମନ୍ତ୍ରୀ ଏଠାରେ ଯେଉଁ ଗ୍ରାମୋଦ୍ୟୋଗ ଭବନ ଲାଗି ୨୦୦୩ ମସିହାରେ ଶିଳାନ୍ୟାସ କରିଥିଲେ ତାହାର ପ୍ରକଳ୍ପ ମଞ୍ଜୁରୀ ନାହିଁ କିମ୍ବା ଏଥିଲାଗି ସରକାର ବି କୌଣସି ବ୍ୟୟବରାଦ କରିନାହାନ୍ତି। ବିନା ବ୍ୟୟବରାଦରେ କିଭଳି ମୁଖ୍ୟମନ୍ତ୍ରୀଙ୍କୁ ଠକି ତାଙ୍କ ହାତରେ କିଏ ଶିଳାନ୍ୟାସ କରାଇଲା ଓ ଶିଳାନ୍ଯାସର ୧୩ ବର୍ଷରେ ଏହାର କିଛି କାମ ହେଲା ନାହିଁ ତାହା ଏବେ ପ୍ରଶ୍ନବାଚୀ। ସେହିଭଳି ମୁଖ୍ୟମନ୍ତ୍ରୀ ଯଦି ଜାଣିଶୁଣି ଏଭଳି ଏକ ଫମ୍ପା ପ୍ରକଳ୍ପର ଶିଳାନ୍ୟାସ କରିଥାନ୍ତି ତାହା କ’ଣ ରାଜ୍ୟବାସୀଙ୍କୁ ଠକେଇ ନୁହେଁ?   ଖଦିବୋର୍ଡ ଉକ୍ତ ଜାଗାରେ ଗ୍ରାମୋଦ୍ୟୋଗ ଭବନ ନିର୍ମାଣ କାର୍ଯ୍ୟ କରିବା ପାଇଁ ଇଣ୍ଟାକ୍ ଦ୍ବାରା ୨୨.୧୨.୨୦୧୫ରେ ୨୦ କୋଟି ୭୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରିଛି। ଏହାଛଡ଼ା ଏଠାରେ ଦିଲ୍ଲୀ ହାଟ ଢାଞ୍ଚାରେ ୪୦ଟି ସ୍ଥାୟୀ ପ୍ରଦର୍ଶନୀ ମଣ୍ଡପ ଓ ଉଚ୍ଚମାନର ଗାନ୍ଧି ସଂଗ୍ରହାଳୟ ଓ ସ୍ବାଧୀନତା ସଂଗ୍ରାମ ସ୍ମାରକୀ ନିର୍ମାଣ ପାଇଁ ଆଉ ୫ କୋଟି ୫୮ ଲକ୍ଷ ଟଙ୍କାର ଅଟକଳ ଇଣ୍ଟାକ୍ ଦେଇଛି। ଗତ ବଜେଟ୍ ପୂର୍ବରୁ ଏ ସଂକ୍ରାନ୍ତରେ ପ୍ରସ୍ତାବ ସରକାରଙ୍କୁ ଦିଆଯାଇଥିଲେ ବି ସରକାର ପଇସାଟିଏ ବ୍ୟବସ୍ଥା କଲେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ରାଜଧାନୀରେ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ପାଇଁ ଯଦି ୧୩ ବର୍ଷ ଧରି ଅର୍ଥ ବରାଦ ହୋଇ ନପାରୁଛି ସେ କ୍ଷେତ୍ରରେ ବହୁ ଚର୍ଚ୍ଚିତ କଳାହାଣ୍ଡିଙ୍ର ଦାନ ମାଝୀଙ୍କ ମଫସଲ ଗଁା ପରି ଅଞ୍ଚଳର ଅବସ୍ଥା କ’ଣ ହେଉଥିବ ତାହା ସହଜରେ ଅନୁମେୟ।   ଏମିତି ୨୦୦୬ ମସିହାରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଶୁଭାରମ୍ଭ କରାଯାଇ ପୋତା ଯାଇଥିବା ଏକ ଫଳକ ଏବେ ଜଗତସିଂହପୁର ଜିଲ୍ଲାରେ ଗାଧୁଆ ତୁଠର ଗୋଡ଼ଘସା ପଥର ହୋଇ ପଡ଼ିଛି। ଦ୍ବାଦଶ ଅର୍ଥ କମିଶନଙ୍କ ଅନୁଦାନରେ ଏହି ଜିଲ୍ଲା ସଦର ମହକୁମା ପାଖରେ ଥିବା ଓଡ଼ିଶୋ ଠାରୁ ଗଉଡୁଣୀ ପଡ଼ିଆ କେନାଲ ବନ୍ଧର ରାସ୍ତା କାମର ଶୁଭାରମ୍ଭ ୧୯.୧୨.୨୦୦୬ରେ ମୁଖ୍ୟମନ୍ତ୍ରୀ କରିଥିଲେ ବୋଲି ବିସ୍ଥାପିତ ଫଳକ କୁହେ। ଏହି ଉତ୍ସବରେ ସେତେବେଳର ସ୍ଥାନୀୟ ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବିଷ୍ଣୁ ଦାସ, ତତ୍କାଳୀନ ସାଂସଦ ବ୍ରହ୍ମାନନ୍ଦ ପଣ୍ଡାଙ୍କ ସମେତ ଆଉ କେତେଜଣ ଅତିଥି ଥିବା ପରିତ୍ୟକ୍ତ ଶିଳାନ୍ୟାସ ଫଳକରୁ ଜଣାପଡ଼େ। ମାତ୍ର ୪ କିମି ଦୈର୍ଘ୍ୟର ଏହି କେନାଲ ବନ୍ଧ ରାସ୍ତାର ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଏଯାବତ୍ ସରିନାହିଁ। ଦ୍ବାଦଶ ଅର୍ଥ କମିଶନ ଅନୁଦାନରେ ନିର୍ମାଣ ହେବାକୁ ଥିବା ଏହି ରାସ୍ତା ପାଇଁ ବରାଦ ଅର୍ଥ ତେବେ ଗଲା କୁଆଡ଼େ? ସ୍ଥାନୀୟ ଲୋକେ କୁହନ୍ତି ଯେ ଏହି ରାସ୍ତାର ମାତ୍ର ଦେଢ଼ କିଲୋମିଟର ନିମ୍ନମାନର ପିଚୁ କାମ ଜଳସମ୍ପଦ ବିଭାଗ ମାଧ୍ୟମରେ ହୋଇଥିଲା। ପରେ ଏଠୁ ପିଚୁ ଉଭାନ ହୋଇଯାଇଥିବା ବେଳେ ବ୍ଲକ୍ ପ୍ରଶାସନ ସେଠାରେ  ପ୍ରାୟ ଦେଢ଼ କିଲୋମିଟର କଂକ୍ରିଟ୍ ରାସ୍ତା କରିଥିଲେ ବି ତାହା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଇତିମଧ୍ୟରେ କେତେ ନିର୍ବାଚନ ଗଲାଣି। ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବା ରାସ୍ତାର ଯଦି ଏଭଳି ଦୁରବସ୍ଥା ତେବେ ରାଜ୍ୟର ନଗଡ଼ା, ଗୁମୁଡ଼ୁମାହା ସମେତ ଯେଉଁ ୧୨ ହଜାରରୁ ଅଧିକ ଜନବସତିକୁ ସବୁଦିନିଆ ସଡ଼କ ସଂଯୋଗ ନାହିଁ ସେମାନଙ୍କ ଅବସ୍ଥା କେତେ ଦୟନୀୟ ହୋଇଥିବ?   ଏହିଭଳି ଅନ୍ୟ ବହୁ ଭିତ୍ତିପ୍ରସ୍ତର ଫଳକ ଲୋକଙ୍କ ନଜରକୁ ଆସୁଥିବ। ଏଥିରୁ ଆଉ ଗୋଟିଏ ହେଉଛି ଇସ୍ପାତ ନଗରୀ ରାଉରକେଲା ନିକଟରେ ୯.୭.୨୦୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ସ୍ଥାପିତ ତାଙ୍କ ନିୟନ୍ତ୍ରଣରେ ଥିବା ଜଳ ସମ୍ପଦ ବିଭାଗ କୋଏଲ୍ ନଦୀରେ ବ୍ୟାରେଜ୍ ସହିତ ସେତୁ ପ୍ରକଳ୍ପର ଭିତ୍ତିପ୍ରସ୍ତର । ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପରଠାରୁ ଇଟା ଖଣ୍ଡିଏ ବି ଯୋଡ଼ା ଯାଇନାହିଁ। ପରିତ୍ୟକ୍ତ ଭିତ୍ତିପ୍ରସ୍ତର କୁହେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଏହା ସ୍ଥାପିତ ହେବା ବେଳେ ସେତେବେଳର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସୁବ୍ରତ ତରାଇ, ତତ୍କାଳୀନ ରାଜ୍ୟସଭା ସଦସ୍ୟ ମଙ୍ଗଳା କିଷାନ, ବର୍ତ୍ତମାନର ରାଜ୍ୟସଭା ସଦସ୍ୟ ଦିଲ୍ଲୀପ ତିର୍କୀ, ତତ୍କାଳୀନ ସୁନ୍ଦରଗଡ଼ ସାଂସଦ ହେମାନନ୍ଦ ବିଶ୍ବାଳ ଏବଂ ପୂର୍ବତନ ମନ୍ତ୍ରୀ ତଥା ସେତେବେଳର ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏହି ଉତ୍ସବରେ ଅତିଥି ଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମୁଖ୍ୟମନ୍ତ୍ରୀ କେବଳ ଯେ ବିମାନରେ ରାଉରକେଲା ଯାଇଥିଲେ ତାହା ନୁହେଁ, ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଲାଗି ବିଭିନ୍ନ ଗଣମାଧ୍ୟମରେ ପୃଷ୍ଠା ପୃଷ୍ଠା ବିଜ୍ଞାପନ ବି ଦିଆଯାଇଥିଲା। ବହୁ ଆଡ଼ମ୍ବରରେ ଏଠି ଅନୁଷ୍ଠିତ ହୋଇଥିଲା ବ୍ୟୟବହୁଳ ଭିତ୍ତିପ୍ରସ୍ତର ସ୍ଥାପନ ପର୍ବ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଭିତ୍ତିପ୍ରସ୍ତର ପଡ଼ିଥିଲା। କିନ୍ତୁ ନିର୍ବାଚନରେ ତତ୍କାଳୀନ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଦିଲିପ ରାୟଙ୍କ ଠାରୁ ପରାଜିତ ହେବା ସହିତ ସତେ ଯେପରି ଏହି ପ୍ରକଳ୍ପର ଅପମୃତ୍ୟୁ ଘଟିଲା। ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା କୋଏଲ୍ ନଦୀରେ ଏହି ବ୍ୟାରେଜ୍ ଓ ସେତୁ ଲାଗି ଆନୁମାନିକ ବ୍ୟୟ ଅଟକଳ ୪୪୬ କୋଟି ଟଙ୍କା ଥିଲା ଏବଂ ଏଥିପାଇଁ ମଧ୍ୟ ପ୍ରଶାସନିକ ଅନୁମୋଦନ ମିଳିଥିଲା। ଏହି ପ୍ରକଳ୍ପକୁ ଇସ୍ପାତ ନଗରବାସୀ ଗ୍ରହଣ କରିନେଇଥିଲେ ସେମାନଙ୍କ ଜୀବନରେଖା ଭାବରେ। ବିଶେଷ କରି ଖରାଦିନେ କୋଏଲ୍ ନଦୀର ଶଯ୍ୟା ଶୁଖି ଯାଉଥିବାରୁ ଏଠୁ ଇସ୍ପାତ ନଗରୀକୁ ଜଳ ଯୋଗାଣ ବ୍ୟାହତ ହୁଏ। ତେଣୁ ପାନୀୟ ଜଳ ପାଇଁ ସେଠି ହାହାକାର ପଡ଼ିଯାଏ। ଟ୍ୟାଙ୍କରେ ପାଣି ବାଣ୍ଟି ବାଣ୍ଟି କର୍ତ୍ତୃପକ୍ଷ ବି ହାଲିଆ ହୋଇଯାଆନ୍ତି। ଯଦି ଏହି ପ୍ରକଳ୍ପ ଇତିମଧ୍ୟରେ  ନିର୍ମିତ ହୋଇସାରିଥାନ୍ତା ତା’ ହେଲେ ଇସ୍ପାତ ନଗରୀବାସୀଙ୍କ ଶୋଷ ମେଣ୍ଟି ସାରନ୍ତାଣି।   ନିର୍ବାଚିତ ସରକାର ଶପଥ ନିଅନ୍ତି ଭୟ, ଦ୍ବେଷ ଓ ପକ୍ଷପାତିତାଠାରୁ ଦୂରରେ ରହି କାମ କରିବାକୁ। କୌଣସି ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ପ୍ରାର୍ଥୀ ଜିତନ୍ତୁ କି ହାରନ୍ତୁ, ଯେଉଁ ଦଳ ସରକାରରେ ରହିବ ଓ ଯେଉଁମାନେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଆଦି ହେବେ ସେମାନେ ସମଗ୍ର ରାଜ୍ୟ ତଥା ଦଳମତ ନିର୍ବିଶେଷରେ ରାଜ୍ୟବାସୀଙ୍କୁ ସମାନ ଦୃଷ୍ଟିରେ ଦେଖିବା କଥା। ଏ କ୍ଷେତ୍ରରେ  ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ତିନିବର୍ଷ ତଳେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା କୋଏଲ୍ ନଦୀର ବ୍ୟାରେଜ୍ ସହିତ ସେତୁ ପ୍ରକଳ୍ପ କାମ କରାନଯିବା  ଇସ୍ପାତ ନଗରୀବାସୀଙ୍କ ପ୍ରତି ଯେ ଘୋର ଅନ୍ୟାୟ ଏକଥା ଯେ କେହି ସ୍ବୀକାର କରିବେ। ମୁଖ୍ୟମନ୍ତ୍ରୀ ନିଜେ ଜଳ ସମ୍ପଦ ବିଭାଗ ଦାୟିତ୍ବରେ ଥିବାରୁ ଆଉ ଅଧିକ କାଳ ବିଳମ୍ବ ନ କରି ସେ ଶୁଭ ଦେଇଥିବା ଏହି ପ୍ରକଳ୍ପଟିକୁ ବର୍ଷକ ମଧ୍ୟରେ ଉଦଘାଟନ କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ।   ହୀରାକୁଦର ଉପରମୁଣ୍ଡରେ ଛତିଶଗଡ଼ ଯୁଦ୍ଧକାଳୀନ ଭିତ୍ତିରେ ବହୁ ବ୍ୟାରେଜ ନିର୍ମାଣ କରୁଥିବା ବେଳେ ମାଲକାନଗିରିର ତଳମୁଣ୍ଡରେ ଆନ୍ଧ୍ର କରୁଛି ପୋଲାଭରମ ପ୍ରକଳ୍ପ। ଅଥଚ ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ତିନିବର୍ଷ ତଳେ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିବା କୋଏଲ୍ ନଦୀରେ ଗୋଟିଏ ବ୍ୟାରେଜ୍ ପ୍ରକଳ୍ପରେ ଖଣ୍ଡିଏ ଇଟା ବି ଯୋଡ଼ାଯାଇ ନପାରିବା ଆମ ନିପାରିବାର ପଣିଆକୁ ସୂଚାଇ ନାହିଁ କି? ଯଦି କୋଏଲ୍ ବ୍ୟାରେଜ୍ ଓ ସେତୁ ନିର୍ମାଣ ହେବାର ନଥିଲା ତା’ ହେଲେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସହିତ ପୋଲିସ ଓ ପ୍ରଶାସନିକ କଳର ଏତେ ସମୟ କାହିଁକି ଓ କିଏ ବରବାଦ କଲେ ତାହାର ହିସାବ ଦେବ କିଏ? ଏ ଠକାମୀ ପାଇଁ ଦଣ୍ଡ ଦିଆଯିବ କାହାକୁ?   ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଓ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ପ୍ରାୟ ୩ ବର୍ଷ  ତଳେ ମାଳେ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ଶିଳାନ୍ୟାସ ଫଳକ ଗୁଡ଼ିକୁ ପ୍ରକଳ୍ପ ସ୍ଥାନରେ ନ ପୋତି ଗୋଟିଏ ସ୍ଥାନରେ ଧାଡ଼ି କରି ସଜାଇ ସେବଠାରୁ ଆଜି ପର୍ଯ୍ୟନ୍ତ ରଖାଯାଇଛି। ଇତିମଧ୍ୟରେ ନିମ୍ନମାନର ଫଳକ ଲିଖନ ଯୋଗୁ ଅନେକ ଫଳକରେ କ’ଣ ଲେଖାଯାଇଛି ତାହା ସହଜରେ ପଢ଼ି ହେଉନାହିଁ। ଏଠି ମୁଖ୍ୟମନ୍ତ୍ରୀ ଯେତେ ସବୁ ପ୍ରକଳ୍ପର ଗଣଶିଳାନ୍ୟାସ କରିଥିଲେ ସେଥିରୁ ଅନେକ ଜାଗାରେ କିଳାଟିଏ ବି ପୋତା ହୋଇନାହିଁ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଏବେ ଖୋଦ୍ ମୁଖ୍ୟମନ୍ତ୍ରୀ ସଚିବାଳୟରେ ବସି ରାଜ୍ୟର ବିଭିନ୍ନ ଅଞ୍ଚଳ ପାଇଁ ଏକ ସମୟରେ ହଜାର ହଜାର ଉଦ୍ଘାଟନ ଓ ଶିଳାନ୍ୟାସ କରୁଛନ୍ତି। ଏହି ଶିଳାନ୍ୟାସ ରାଜନୀତି ଏବେ ଗଁା ଗହଳରେ ଏତେ ଜଟିଳ ହେଉଛି ଯେ, କେତେକ କ୍ଷେତ୍ରରେ ଫଳକ ଭଙ୍ଗାଯାଉଛି। ଅନୁଗୁଳ ଜିଲ୍ଲାରେ ଜଣେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ ନାମ ଥିବା ଏଭଳି ଏକ ଆମଦାନୀ ଫଳକକୁ ସର୍ବସମ୍ମୁଖରେ ନିଜେ ଉପାଡ଼ି ଭାଙ୍ଗି ଦେଇଛନ୍ତି।   ରାଜ୍ୟରେ ଯେତେ ପ୍ରକଳ୍ପର ଶିଳାନ୍ୟାସ ହେଉଛି ସେଥିରୁ ଅନେକ ଉଦଘାଟିତ ହେଉଥିବା ବେଳେ ଆଉ କେତେକର ସ୍ଥିତି ଉପର ବର୍ଣ୍ଣିତ ତିନୋଟି ଘଟଣା ଭଳି ଦିଅଁ ଖାଇ ଖଟୁଲି ଖାଇବା ନୀତିରେ ଚାଲିଛି। ଆମର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଏମିତିକି ଶ୍ରୀଜଗନ୍ନାଥଙ୍କ ନବକଳେବର ଆଳରେ ପୁରୀ ସହରର ନବଯୌବନ କରିବାକୁ ଯାଇ କେତେ କୋଟି ଟଙ୍କା ଯେ ହଡ଼ପ ହୋଇଛି ତାହାର ଚାକ୍ଷୁସ ନମୂନା ହେଉଛି ଅସରାଏ ବର୍ଷାରେ ବଡ଼ଦାଣ୍ଡରେ ଆଣ୍ଠୁଏ ପାଣି ଲହଡ଼ି ମାରିବା। ନିମ୍ନମାନର କାମ ଯୋଗୁ ଭୁବନେଶ୍ବର ପୁରୀ ଜାତୀୟ ରାଜପଥର ରେଳ ଓଭରବ୍ରିଜ୍ ଦବିବା ବି ଅନ୍ୟ ଏକ ଉଦାହରଣ। ପଞ୍ଚାୟତ, ବ୍ଲକ୍ ଠାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଚାଲିଥିବା ‘ପର୍ସେଣ୍ଟେଜ୍ ରାଜ୍’ କଥା ନ କହିଲେ ଭଲ। ପ୍ରକଳ୍ପ କାମ ହେଉ ବା ନ ହେଉ ସରକାରୀ ଟଙ୍କା ଲୁଟିବା ଏକ ପ୍ରଥାରେ ପଡ଼ିଗଲାଣି। ସତେ ଯେମିତି ଦୁର୍ନୀତିକୁ ନୀତି କରି ନେଇ ଆମେ ଏଭଳି ଗଣ ଲୁଟତରାଜକୁ ଉତ୍ସାହିତ କରୁଛୁ। ଏ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ପଦାଧିକାରୀମାନେ ଯେତେସବୁ ପ୍ରକଳ୍ପ ଶୁଭ ଦେଉଛନ୍ତି ତାହାର ପ୍ରକଳ୍ପ ମଞ୍ଜୁରୀ ଓ ବଜେଟ୍ ଅଛି କି ନାହିଁ ପ୍ରଥମେ ଦେଖନ୍ତୁ ଏବଂ ଏହି ପ୍ରକଳ୍ପ କେବେ ଉଦଘାଟିତ ହେବ ଏବଂ ସେଗୁଡ଼ିକର କାମ ଯେଭଳି ଉଚ୍ଚମାନର ହୁଏ ଓ ସେଥିରୁ କେହି ପଇସାଟିଏ ଲୁଟି ନ କରନ୍ତି ସେ ଦିଗରେ ଆମ ନେତା ଓ ଅଧିକାରୀମାନେ ଦୃଷ୍ଟି ଦିଅନ୍ତୁ।   ଭାତ ହାଣ୍ଡିରୁ କେତୋଟି ଚିପିବା ଭଳି ଶହ ଶହ ଉଦାହରଣ ମଧ୍ୟରୁ ମୁଖ୍ୟମନ୍ତ୍ରୀ ତାଙ୍କ ହାତରେ ଶିଳାନ୍ୟାସ କରିଥିବା ଏହି କେତୋଟି ପ୍ରକଳ୍ପ କାହିଁକି ବର୍ଷ ବର୍ଷ ଧରି ପଡ଼ିରହିଛି ତାହାର ସମୀକ୍ଷା କରି ଯଦି ଦାୟୀ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତେ ତା’ ହେଲେ ଅନ୍ୟସବୁ ପ୍ରକଳ୍ପ ‘ବିରି ମାଡ଼ ଦେଖି କୋଳଥ ଚେପା’ ନ୍ୟାୟରେ ସୁଧୁରି ଯାଆନ୍ତା ଏବଂ ରାଜ୍ୟବାସୀ ଏଭଳି ଫମ୍ପା ଶିଳାନ୍ୟାସ ରାଜନୀତିର ଠକେଇରେ ପଡ଼ନ୍ତେ ନାହିଁ।   ସଭାପତି, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଭ୍ରାମ୍ୟଭାଷ- ୯୪୩୭୦୧୭୩୯୫

Share :