ଶିଶୁ କାହିଁକି ଶ୍ରମିକ ହୁଏ?

ଶିଶୁ କାହିଁକି ଶ୍ରମିକ ହୁଏ?

Share :

ରତ୍ନେଶ୍ବର ସାହୁ   କୌଣସି ଅସୁବିଧା ବହୁଦିନ ଧରି ଚାଲୁ ରହିଲେ ତାହାର ଫଳ ସ୍ବରୁପ ସମସ୍ୟା ଦେଖାଦିଏ। ତେଣୁ କୁହାଯାଏ ଯେ ପ୍ରତ୍ୟେକ ସମସ୍ୟା ପଛରେ କିଛି କାରଣ ରହିଛି।   ଦେଶାନ୍ତରୀ ହେବା ଏକ ସମସ୍ୟା କି? ଯଦି ହଁ, ତେବେ ସେଥିରେ ଅସୁବିଧା ଗୁଡିକ କ’ଣ? ନିଜ ଅଞ୍ଚଳର ବାତାବରଣ ସହ ଜଣେ ଖାପ ଖୁଆଇ ଚଳି ନ ପାରିଲେ ସେ ବାଧ୍ୟ ହୋଇ ଦେଶାନ୍ତର ହୋଇଥାଏ। ବାତାବରଣ ଅର୍ଥ ଉଭୟ ସାମାଜିକ, ଆର୍ଥିକ ଏବଂ ସାଂସ୍କୃତିକ ପରିସ୍ଥିତି। ଆର୍ଥିକ ପରିସ୍ଥିତିର ଅର୍ଥ ହେଉଛି ରୋଜଗାର ଏବଂ ଖର୍ଚ୍ଚ। ଦେଶାନ୍ତର ସମସ୍ୟା ଦେଖାଦେବାର କାରଣ ହେଉଛି କେବଳ ରୋଜଗାର ପାଇଁ। ତେଣୁ ଦେଶାନ୍ତର ସମସ୍ୟାକୁ ସମ୍ମୁଖୀନ ହେବାକୁ ହେଲେ ରୋଜଗାର ପ୍ରତି ଧ୍ୟାନ ଦେବାକୁ ପଡିବ। ଦେଶାନ୍ତର ହେବା ଯୋଗୁଁ ମଧ୍ୟ ଅନେକ ଅସୁବିଧା ସୃଷ୍ଟି ହେଉଛି, ଯେପରିକି ନୁଆ ରୋଗ, ନୁଆ ଧରଣର ଅପରାଧ, ନିଜ ଅଞ୍ଚଳର ଅର୍ଥନୀତି ମଧ୍ୟ ଖରାପ ଦିଗକୁ ଚାଲିଯିବା ଇତ୍ୟାଦି।   ଶିଶୁ ଶ୍ରମିକ ମଧ୍ୟ ଠିକ ସେହି ପରି ଏକ ସମସ୍ୟା। ଯଦି ପରିବାରର ମୁରବୀ ନାହାନ୍ତି କିମ୍ବା ଅର୍ଥନୀତି ଭୁଷୁଡି ପଡିଛି ତାହାହେଲେ ଗୋଟିଏ ଶିଶୁ ବାଧ୍ୟ ହୋଇ ନିଜ ପରିବାର ପାଇଁ ରୋଜଗାର କରିବା ନିମନ୍ତେ ବାହାରି ଯାଏ। ମାଗଣା ଖାଦ୍ୟ, ପୋଷାକ କିମ୍ବା ବହି ମିଳିଗଲେ ଯେ ଜଣେ ଶିଶୁ ଶ୍ରମିକ ନ ହୋଇ ପାଠ ପଢିବ ଏହା କେବଳ ଭବିଷ୍ୟତ ପାଇଁ ଏକ ଆକଳନ। ତାହାର ପରିବାର ପାଇଁ ଖାଦ୍ୟ ଯୋଗାଡ କରିବା ପ୍ରଥମ ଦାୟିତ୍ବ। କୌଣସି ଶିଶୁ ପର ଘରେ ବହୁତ ମାଡ ଗାଳି ଖାଇ କାମ କରିବା ପାଇଁ ଖୁସି ପାଏନି ଯେହେତୁ ତାହାର ସମସ୍ୟା ଏତେ ଜଟିଳ ହୋଇ ଯାଇଛି ତେଣୁ ବାଧ୍ୟ ହୋଇ ସେ ଅନ୍ୟଘରେ କାମ କରୁଛି। ଯଦି ଶିକ୍ଷକ ମାଡ ଦେଲେ ବୋଲି ଗୋଟିଏ ଶିଶୁ ବିଦ୍ୟାଳୟକୁ ଯାଉନି ବୋଲି କୁହାଯାଉଛି ଠିକ ସେହି ଶିଶୁ କିପରି ପରଘରେ ବାରମ୍ବାର ନିର୍ଯ୍ୟାତନା ସତ୍ତ୍ବେ କାମ କରୁଛି। ସାମାଜିକ ଦାୟିତ୍ବବୋଧ ମଧ୍ୟ ପ୍ରତ୍ୟେକ ପାଇଁ ଏକ ଆବଶ୍ୟକ ଉପାଦାନ। କୌଣସି ଅଞ୍ଚଳରେ ଶିଶୁ ଶ୍ରମିକ ନାହାନ୍ତି ବୋଲି ଘୋଷଣା କରିଦେଲେ ଯେ ଶିଶୁ ଶ୍ରମିକ ସମସ୍ୟା ସମାଧାନ ହୋଇଗଲା ଏହା ପ୍ରକୃତରେ କେତେଦୁର ସମ୍ଭବ ହୋଇଛି ତାହା କିଏ କେବେ ଆକଳନ କରିଛନ୍ତି କି? ପ୍ରକୃତରେ ଶିଶୁ ଶ୍ରମିକ ଅଛନ୍ତି ନା ଶିଶୁମାନେ ଅନ୍ୟ ଅଞ୍ଚଳରେ ରହି କାମ କରୁଛନ୍ତି? ପ୍ରକୃତ ଶିଶୁ ସଂଖ୍ୟା, କେତେ ଶିଶୁ ପାଠ ପଢୁଛନ୍ତି, କେତେ ଶିଶୁ ଗାଁରେ ଅଛନ୍ତି ତାହାକୁ ଅନୁଶୀଳନ କରିବାର ଆବଶ୍ୟକତା ରହିଛି। ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ଏହା ହେଲେ ବହୁତ ଭଲ କଥା କିନ୍ତୁ ଅସୁବିଧାକୁ ଆଡେଇବା ପାଇଁ ଆଉ ଏକ ସମସ୍ୟା ଠିଆ କରିବା କେତେଦୁର ଯଥାର୍ଥ?   ଶିଶୁଟି ବିଦ୍ୟାଳୟକୁ ନ ଯିବାର ଅନେକ କାରଣ ରହିଛି। ବିଦ୍ୟାଳୟର ପରିବେଶ, ଶିକ୍ଷାଦାନ, ପାଠପଢା, ଶିକ୍ଷକଙ୍କ ବ୍ୟବହାର, ଶିଶୁମାନେ ଖୁସିରେ ରହିବା, ନିୟମିତ ଭାବେ ବିଦ୍ୟାଳୟ ଖୋଲିବା, ନିୟମିତ ଭାବେ ଶିକ୍ଷକ ବିଦ୍ୟାଳୟକୁ ଆସିବା, ମଧ୍ୟାନ୍ନ ଭୋଜନ, ପାଠ୍ୟ ପୁସ୍ତକ, ପୋଷାକ ଭଳି ଅନେକ କଥା ରହିଛି।   ଅଙ୍ଗନଓ୍ବାଡିରେ ପାଠ ପଢା, ପୁଷ୍ଟିକର ଖାଦ୍ୟ ଯୋଗାଣ, ସ୍ବାସ୍ଥ୍ୟ ପରୀକ୍ଷା ଭଳି ଅନେକ କଥା ରହିଛି। ଏହିଗୁଡିକ ଠିକ ଭାବରେ ଚାଲିଛି ତ?   ନାଗରିକ ଭାଗିଦାରିତା ପାଇଁ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଶିକ୍ଷକ ସଂଘ, ମୀନା ମଂଚ ଗୁଡିକର ନିୟମିତ ବୈଠକ ହୋଇ ପ୍ରତ୍ୟେକ ଶିଶୁ ବିଦ୍ୟାଳୟକୁ ନ ଆସିବାର ପ୍ରକୃତ କାରଣ ଖୋଜାଯାଇଛି କି?   ଅର୍ଥ, ନାରୀ ନିର୍ଯାତନା, ଯୌନ ଶୋଷଣ, ପୁଅ ଝିଅ ମାନସିକତା ମଧ୍ୟ ଆଉ ଏକ ସମସ୍ୟା ଠିଆ କରୁଛି। ଯୌତୁକ ସମସ୍ୟା ଏହି ମାନସିକତା ଗୁଡିକର ପରିଣାମ। ସମସ୍ୟାଗୁଡିକୁ କହିଦେଲେ କିମ୍ବା ଏହି ସମସ୍ୟା ସମାଧାନ କରିଦେଲୁ ବୋଲି କହିଲେ ତାହା ହୁଏତ ସାମୟିକ ଭାବେ ଦୂରେଇ ଯାଇ ପାରେ। କିନ୍ତୁ ଏହାର ମୁଳ କାରଣଗୁଡିକୁ ଯେଉଁଦିନ ପର୍ଯ୍ୟନ୍ତ ସମାଧାନ କରାଯାଇ ନାହିଁ ସେହି ସମସ୍ୟା ସେହି ଅଞ୍ଚଳରେ ନ ଦେଖାଦେଇ ଅନ୍ୟ ଅଞ୍ଚଳରେ ହୁଏତ ଦେଖା ଦେଇ ପାରେ।   ଥରେ ଗାଈଗୋରୁ ଉତ୍ପାତ ହେଲେ ବୋଲି ସେହି ଅଞ୍ଚଳର ସରକାର ସବୁ ଗାଈଙ୍କୁ ନେଇ ଅନ୍ୟ ଅଞ୍ଚଳରେ ଛାଡି ଦେଲେ। ତାହାହେଲେ କଣ ସମସ୍ୟା ସମାଧାନ ହୋଇଗଲା? ଯେଉଁ ଅଞ୍ଚଳର ସମସ୍ୟା ଥିଲା ତାହା ଆଉ ଏକ ଅଞ୍ଚଳକୁ ଡେଇଂ ପଡିଲା ଏବଂ ଯଦି ସେହି ସରକାର କହିବେ ଯେ ଆମେ ସଫଳ ହୋଇଛୁ ତାହାହେଲେ ଏହାକୁ ଗୁରୁତର ସହ ବିଚାରକୁ ନେବାକୁ ପଡିବ।   ଠିକ ସେହିଭଳି ଯଦି ଉପରୋକ୍ତ ଅଞ୍ଚଳରେ ଶିଶୁ ଶ୍ରମିକ ନାହାନ୍ତି ତାହାହେଲେ ସେମାନେ କାହିଁକି ଶିଶୁ ଶ୍ରମିକ ହୋଇଥିଲେ, ଶିଶୁର ରୋଜଗାର ଉପରେ ପରିବାର କାହିଁକି ଆଶା କରୁଥିଲା ତାହା ବିଶ୍ଲେଷଣ କରାଯାଇଛି କି ? ଯେଉଁ ଶିଶୁ ୧୫ ବର୍ଷରୁ ଉର୍ଦ୍ଦହୋଇଛି ବୋଲି ଶିଶୁ ଶ୍ରମିକ ନୁହେଁ ବୋଲି ଆମେ ଖୁସି ହୋଇଗଲୁ ତାହା ପ୍ରକୃତରେ ସମସ୍ୟାକୁ ସମାଧାନ କରିଛି କି? ସେହି ପରିବାର ପାଇଁ ଖାଦ୍ୟ ଏବଂ ରୋଜଗାର ବ୍ୟବସ୍ଥା କଣ କରାଯାଇଛି? ଏହିଗୁଡିକୁ ନଜର ଦିଆଯାଇଛି କି? ଯଦି, ହଁ ତାହାହେଲେ ଆମେ ଖୁସି ହେବା ଯେ ଆମେ ଆମ ଅଞ୍ଚଳରେ ଭବିଷ୍ୟତରେ ଆଉ ଶିଶୁ ଶ୍ରମିକ ଦେଖିବୁ ନାହିଁ।   ତେଣୁ ସମସ୍ୟାକୁ ଆଡେଇ କେବଳ ପୁରଷ୍କାର ମିଳିବ ବୋଲି ଆମେ ଖୁସି ତାହାହେଲେ ଆଜି ନହେଲେ କାଲି ଲୋକମାନେ ଆମକୁ ଟାହିଟାପରା କରିବେ।   ସବୁବେଳେ ଆମେ ଅନ୍ୟପାଇଁ ଉଦାହରଣ ହେବାକୁ ଇଚ୍ଛା କରିବା ଏବଂ ସେହି ଅନୁସାରେ କାମ କରିବାଦ୍ବାରା ଆମେ ନିଜ ଆତ୍ମା ମାଧ୍ୟମରେ ଖୁସି ପାଉ।   ଆମେ କାହାକୁ ହତୋତ୍ସାହିତ କରିବା ପାଇଁ ଚାହୁଁ ନାହୁଁ। କିନ୍ତୁ ଯଦି ଏହି ଅସୁବିଧା ଗୁଡିକ ସମାଧାନ ନ ହୋଇ କେବଳ ଶିଶୁମାନଙ୍କୁ ସେମାନେ କାମ କରୁଥିବା ସ୍ଥାନରୁ ହଟାଇ ଦେଲେ ଶିଶୁ ଶ୍ରମିକ ସମସ୍ୟା ସମାଧାନ ନ ହୋଇ ଆଉ ଏକ ସମସ୍ୟା ସୃଷ୍ଟି ହେବ।

Share :