ଜିତେନ୍ଦ୍ରିୟ ବେହେରା ବୋଉ ଏବେ ବାଇଆଣୀ ଧୋବ ଫରଫର ଚୁଟିରେ ବି ହାତରେ ଲାଲ ପତାକା ଧରି ରାଜ ରାସ୍ତାରେ ବିଦ୍ରୋହିଣୀ। ତେଲ, ଡ଼ାଲି, ଆଳୁ ପିଆଜର ମହରଗରେ ବୋଉ ଉତ୍କ୍ଷିପ୍ତ କୋଢ଼ିଆପଣକୁ ଧିକ୍କାର କରି କରି ବୋଉ ମୋର ବଡ଼ଶଙ୍ଖ ରେ ଖୋଲିଛି ପରିବା ହାଟ। ବୋଉର ପ୍ରକାରଭେଦରେ ସ୍ନେହ ସବୁ ବଳି ପଡ଼ିଲା ରାଜନୀତିର ପଶାପାଲିରେ ବୋଉ ବି ଭାଗବଣ୍ଟା ହେଲା ଭତ୍ତା ଆଉ ରାସନ କାର୍ଡ଼ର ଦୌଡ଼ରେ ସତରେ ବୋଉ ମୋର ଥକି ପଡ଼ିଲା। ଆଜି ବୋଉ କଥା ତମେ କହୁଛ କି? ବୋଉ ବୋଲି ଡ଼ାକି ପାରୁନି ମୁଁ। ବୋଉ କହିଥିଲା ମାଟିର ମଣିଷ ହେବାକୁ, ହାଣି ଦେବାକୁ ଅନ୍ଧାରିଆ ହାତକୁ, ପାଚିଲା ଧାନ କ୍ଷେତରେ ପାଳଭୁତ ହୋଇ ସ୍ୱପ୍ନ ଜଗିବାକୁ। ନା ମାଆର ହେଲି ନା ମାଟିର। ଅପାରଗର ଆଢ଼ୁଆଳରେ ଆତ୍ମହତ୍ୟା କରିଛି ତା ପୁଅ। ସବୁ ଦିନ ପୁଅ ସମାଧି ଗଢ଼ି ବୋଉ ମୋର ଆଉ ପୋଛି ପାରୁନି ଲୁହ। ବୋଉ ଗୋଟେ ବିଶ୍ୱାସରେ ବଞ୍ଚିଥିଲା ବୟସର ରଙ୍ଗକୁ ଧୋଇ ଧାଇ ତା କୋରଡ଼ିଆ ଆଖିରେ ସଜେଇ ଥିଲା। କାନି ଗଣ୍ଠିର ଲୋଚାକୋଚା ଦଶ ଟଙ୍କା କଂସାଏ ପଖାଳ ଆଉ କଂଚା ଲଙ୍କା ଖାଇଦେ ପେଟ ପୂରା ଆଜି ଯେ କେତେ ଖରା ବେଶି ବୁଲା ବୁଲି କରିବୁନି ମୋ ଧନ ଟା ପରା । ବୋଉର ବି ଭୋକ ଥିଲା ତା ଭୋକରେ ଦେଖିଥିଲି ଭ୍ରଷ୍ଟାଚାର ଭଣ ଭଣ ଗନ୍ଧାଉ ଥିବା ଅଘସା ପାଟିରେ ଦାରିଦ୍ର୍ୟର ପରିପାଟି ସାତସିଆଁ ଲୁଗାରେ ବିଚ୍ଛିନ୍ନତାର ସ୍ୱର ଆଜି ତା ମୌନତାରେ ଦେଖୁଛି ଦେଶରେ ଅସହିଷ୍ଣୁତାର ଅବିଚାର। ବୋଉର ତତଲା ଲୁହରେ ଅସନ୍ତୋଷର ବହ୍ନି ଭଙ୍ଗାଦାନ୍ତରେ ଭଗ୍ନ ଇଚ୍ଛାଶକ୍ତିର ପରିପକ୍ୱତା ପିଲା ଦିନ ଭଳି ବୋଉ ଆଉ ବୋଉ ହେଇ ନଥିଲା ବୋଉର ବହଳ ନାଆଁରେ କେବେଠୁ ହୋଇ ସାରିଥିଲା ଏକ ଅର୍ହନିଶି ଜଳୁଥିବା ସଳିତା। ସା/ପୋ : ଡ଼ଭାର, ଗୋପ, ପୁରୀ, ମୋ : ୭୭୩୫୩୫୭୦୭୩