ପଲିଥିନ କବ୍ଜାରେ କୋଣାର୍କ

ପଲିଥିନ କବ୍ଜାରେ କୋଣାର୍କ

Share :

  ଏବେ ସମଗ୍ର ବିଶ୍ୱ ପଲିଥିନ କବଳରେ କବଳିତ ହେଉଥିବା ବେଳେ ଏଥିରୁ ବାଦ ପଡିନି ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ। ଏହି ପର୍ଯ୍ୟଟନ କ୍ଷେତ୍ରରେ ପଲିଥିନର ବହୁଳ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ପଲିଥିନ, ପ୍ଲାଷ୍ଟିକ ପାଣି ବୋତଲ ଓ ବିଭିନ୍ନ ଉତ୍ସବମାନଙ୍କରେ ହେଉଥିବା ଭୋଜିରେ ବ୍ୟବହୃତ ସିନ୍ଥେଟିକ ସୋଲ ଥାଳିର ବହୁଳ ବ୍ୟବହାର ସହର, ବଜାର, ଗାଁ ଗଣ୍ଡା ସମେତ ସବୁ ଜାଗାରେ ଦେଖିବାକୁ ମିଳୁଛି। ବିଭିନ୍ନ ଐତିହ୍ୟ ସ୍ଥାନ ସମେତ ସମଗ୍ର ଦେଶରେ ପଲିଥିନ ବ୍ୟବାହାର ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲେ ମଧ୍ୟ ଏହାର ବ୍ୟବହାରକୁ ରୋକାଯାଇପାରୁ ନାହିଁ। ସୂର୍ଯ୍ୟ ମନ୍ଦିର ଭ୍ରମଣରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ଓ ସ୍ଥାନୀୟ ପରିବେଶବିତମାନେ ପଲିଥିନର କାୟା ବିସ୍ତାରକୁ ଦେଖି ଘୋର ଉଦବେଗ ପ୍ରକାଶ କରିବା ସହ ଏହାର କାରବାରକୁ ବନ୍ଦ କରିବା ପାଇଁ ମତପ୍ରକାଶ କରିଛନ୍ତି।   ବଜାରରେ ବିକ୍ରି ହେଉଥିବା ବିଭିନ୍ନ ସାମଗ୍ରୀ ପଲିଥିନ ପ୍ୟାକିଙ୍ଗରେ ଥାଏ। ଯାହାକି ପରବର୍ତ୍ତି ସମୟରେ ଏହି ପଲିଥିନକୁ ସଠିକ ପରିଚାଳନା ନ କରି ଏଣେତେଣେ ଫୋପାଡିଦେବା ଫଳରେ ଏହା ମାଟିରେ ନ ମିଶି ପରିବେଶକୁ ଅସନ୍ତୁଳିତ କରିବାରେ ଲାଗିଛି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୦୦୮ ମସିହାରେ ପଲିଥିନର ବ୍ୟବହାର ଉପରେ ସରକାରଙ୍କ ପକ୍ଷରୁ ସଂପୂର୍ଣ୍ଣ ନିଷେଧାଦେଶ ଘୋଷଣା କରାଯାଇଥିଲା। ମାତ୍ର ଅସାଧୁ ବ୍ୟବସାୟୀ ଓ ବିଭିନ୍ନ ସାମଗ୍ରୀ ପ୍ୟାକିଙ୍ଗ ପାଇଁ ପଲିଥିନ ପ୍ୟାକେଟ ଉତ୍ପାଦନ କରୁଥିବା କମ୍ପାନୀମାନେ ସରକାରଙ୍କ ଏହି ଘୋଷଣାକୁ ବେଖାତିର କରି ପଲିଥିନର କାରବାର ଓ ବ୍ୟବହାର ବୃଦ୍ଧି କରିବାରେ ଲାଗିଛନ୍ତି।   ପଲିଥିନ ବ୍ୟବହାରକାରୀଙ୍କ ଉପରେ ଆଖିଦୃଶିଆ ସରକାରୀ କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ କୋଣାର୍କ ଏନଏସିର ଚତୁଃପାର୍ଶ୍ୱ, ଚନ୍ଦ୍ରଭାଗା, ବେଳାମାର୍ଗ ସଂଲଗ୍ନ ଜଙ୍ଗଲ ଓ ରାମଚଣ୍ଡୀଙ୍କ ପୀଠରେ ଭୋଜି କରୁଥିବା ପର୍ଯ୍ୟଟକମାନେ ପଲିଥିନ ଓ ସିନ୍ଥେଟିକ ସୋଲ ଥାଳି ବ୍ୟବହାର କରିବା ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପକାଇ ଏଣେତେଣେ ଫୋପାଡ଼ି ଦେବା ଯୋଗୁଁ ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ପଡିରହି ପ୍ରାକୃତିକ ପରିବେଶକୁ ଅସୁନ୍ଦର କରୁଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଏନଏସିର ବିଭିନ୍ନ ଅଞ୍ଚଳରୁ ବର୍ଷା ଜଳ ନିଷ୍କାସନ ପାଇଁ ଗତ ୨୦୧୧ ମସିହାରେ ନିର୍ମାଣ କରାଯାଇଥିବା ଡ୍ରେନ ଏବେ ପଲିଥିନ, ପ୍ଲାଷ୍ଟିକ ବୋତଲ ଓ ସିନ୍ଥେଟିକ ସୋଲ ଥାଳିରେ ପୋତି ହୋଇ ପୁତିଗନ୍ଧମୟ ପରିବେଶ ସୃଷ୍ଟି କରିଛି। ପରିବେଶ ସୁରକ୍ଷା ନିୟମ ଧାରା ୧୫ ଓ ୧୭ ୧୯୮୬ ଅନୁଯାୟୀ ୨୦ ମାଇକ୍ରୋନ୍ସରୁ କମ ପଲିଥିନ ଆମଦାନୀ କରି ଗଛିତ ରଖିବା ସହ ବିକ୍ରୟ କରିବା ଆଇନତଃ ଦଣ୍ଡନୀୟ ହୋଇଥିବାବେଳେ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ପଲିଥିନ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ଏହି ନିୟମ ଉଲଙ୍ଘନ କଲେ ଏକ ଲକ୍ଷ ଟଙ୍କା ଜୋରିମାନା ସହିତ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବା ଉଭୟ ଦଣ୍ଡବିଧାନ କରାଯିବାର ବ୍ୟବସ୍ଥା ରହିଛି।   ପଲିଥିନ ବ୍ୟବହାର ଉପରେ କରାଯାଇଥିବା ସରକାରୀ ନିଷେଧାଦେଶକୁ ଏବେ ପ୍ରଶାସନର ବଡପଣ୍ଡାମାନଙ୍କ ନାଲିଫିତା ତଳେ ରହିଯାଇଛି। ରାଜରାସ୍ତା ସମେତ ସବୁଜାଗାରେ ପଲିଥିନ ପ୍ଲଷ୍ଟିକ ବୋତଲ ଓ ସିନ୍ଥେଟିକ ସୋଲ ଥାଳି ଏବେ କୁଢ କୁଢ ହୋଇ ପଡିରହିଥିବା ଦେଖିବାକୁ ମିଳୁଛି। ଅପର ପକ୍ଷରେ ବୁଲା ଗୋରୁ ଗାଈମାନେ ଏହି ପଲିଥିନକୁ ଖାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ସେମାନଙ୍କର ପ୍ରଜନନ ପ୍ରକ୍ରିୟା ବନ୍ଦ ହୋଇଯାଉଛି ବୋଲି ପଶୁ ଚିକିତ୍ସକମାନେ ମତ ଦେଇଛନ୍ତି। ପଲିଥିନ ତିଆରି ବେଳେ ଏଥିରୁ ଏଥଲିକ‌୍‍ ଆକ୍ଟାଇଡ ବେନଜିମ ଓ ଜାଇଲିନ ଭଳି ମାରାତ୍ମକ ଗ୍ୟାସ ନିର୍ଗତ ହୋଇଥାଏ ଯାହା ଜୈବ ବିବିଧତାକୁ ପ୍ରଭାବିତ କରିବା ସହ କ୍ୟାନସର ସୃଷ୍ଟି କରିଥାଏ। ପ୍ରାଣୀମାନଙ୍କର ସ୍ନାୟବିକ ଓ ରୋଗ ପ୍ରତିରୋଧ ଶକ୍ତିକୁ ନଷ୍ଟ କରିଦେଇଥାଏ। ସର୍ବୋପରି ଏହି ଗ୍ୟାସ ମଣିଷର କିଡ଼ନି ଉପରେ କୁପ୍ରଭାବ ପକାଇଥାଏ। ଏତଦବ୍ୟତିତ ଚାରିଆଡେ ପଡିରହିଥିବା ପଲିଥିନ ଓ ସିନ୍ଥେଟିକ ସୋଲ ଥାଳୀକୁ ପୋତିଲେ ଏହା ଦୀର୍ଘ ବର୍ଷ ପର୍ଯ୍ୟନ୍ତ ନଷ୍ଟ ନହୋଇ ସଂପୃକ୍ତ ଅଞ୍ଚଳରେ ବର୍ଷାଜଳକୁ ଭୂତଳ ଗାମୀ ହେବାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ଅନେକ ସହରରେ ଭୂତଳ ଜଳ ହ୍ରାସ ଘଟାଉଥିବାରେ ଏହା ଏକ ପ୍ରମୁଖ କାରଣ।   ଏହି ସବୁ ପ୍ଲାଷ୍ଟିକଯାତ ସାମଗ୍ରୀ ଏଣେତେଣେ ଦୀର୍ଘଦିନ ପର୍ଯ୍ୟନ୍ତ ପଡିରହୁଥିବାରୁ ଏହା ଉପରେ ପାଣି ଜମିରହି ପରିବେଶକୁ ପ୍ରଦୂଶିତ କରୁଥିବାବେଳେ ବିଭିନ୍ନ ରୋଗର ବାହକ ସାଜିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ପ୍ଲାଷ୍ଟିକ ଜାତ ସ୍ରାମଗ୍ରୀର ବ୍ୟବହାର ନ କରିବ ସଂପର୍କରେ ବ୍ୟାପକ ଜନସଚେତନତା ଓ ପ୍ରଶାସନ ପକ୍ଷରୁ ପଲିଥିନର କାରବାରକୁ ରୋକା ନ ଯାଏ ତେବେ ପରିବେଶ ସହିତ ଜନଜୀବନ ପ୍ରତି ଘୋର ବିପଦ ସୃଷ୍ଟି ହେବ ବୋଲି ପରିବେଶବିତମାନେ ମତଦେଇଛନ୍ତି। ପ୍ଲାଷ୍ଟିକ ଏକ ପେଟ୍ରୋଲିୟମ ମଇଳାର ରସାୟନିକ  ପ୍ରକ୍ରିୟାରୁ ସୃଷ୍ଟି ହୋଇଥିବା ବେଳେ ଏହାର ଆୟୁଷ ୩୦୦ରୁ ୫୦୦ ବର୍ଷ ପର୍ଯ୍ୟନ୍ତ ହୋଇଥାଏ। ପୃଥିବୀର ପ୍ରଥମ ଆବିଷ୍କୃତ ପ୍ଲାଷ୍ଟିକ ଏଯାବତ ନଷ୍ଟ ହୋଇପାରି ନାହିଁ। ଏଣୁ କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳରୁ ପଲିଥିନ ବ୍ୟବହାରକୁ ସଂପୂର୍ଣ୍ଣ ରୁପେ ବନ୍ଦ କରିବା ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରି ଏ ଦିଗରେ ପ୍ରଶାସନିକ ତତ୍ପରତା ଦେଖାଇବା ପାଇଁ ଦେଶ ବିଦେଶର ପର୍ଯ୍ୟଟକଙ୍କ ସମେତ ପରିବେଶବିତମାନେ ମତ ପ୍ରକାଶ କରିଛନ୍ତି।

Share :