ଜମିବ ସନ୍ତୋଷ, ସୁମନ୍ତ ଓ ବାପି ମେଢ !

ଜମିବ ସନ୍ତୋଷ, ସୁମନ୍ତ ଓ ବାପି ମେଢ !

Share :

ଆଉ ମାତ୍ର ୧୫ ଦିନ ପରେ ବନ୍ଦର ନଗରୀ ପାରାଦ୍ୱୀପରେ ହେବାକୁ ଯାଉଛି ଓଡିଶା ପ୍ରସିଦ୍ଧ ବିଶ୍ୱକର୍ମା ପୂଜା। ଚଳିତ ବର୍ଷ ବିଶ୍ୱକର୍ମା ପୂଜା ପାଳନ କରିବା ପାଇଁ ପାରାଦ୍ୱୀପ ବନ୍ଦର ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଶେଷ ହୋଇଥିବା ବେଳେ ଏବେ ବିଭିନ୍ନ ପୂଜା କମିଟି ତରଫରୁ କାର୍ଯ୍ୟ ଆରମ୍ଭ ହେବାର ଦେଖାଗଲାଣି। ଏବର୍ଷର ବିଶ୍ୱକର୍ମା ପୂଜାକୁ ଜାକଜକମରେ ପାଳନ କରିବା ପାଇଁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କ ସବୁଜ ସଙ୍କେତ ପରେ ବିଭିନ୍ନ ପୂଜା କମିଟିଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି।   ପ୍ରତି ବର୍ଷଭଳି ଚଳିତ ବର୍ଷ ମଧ୍ୟ ପୂଜା ପାଳନରେ ମୂର୍ତ୍ତୀ, ବାହାର ସାଜସଜା ଓ ବିଦ୍ୟୁତ ସାଜସଜା ପାଇଁ ବିଭିନ୍ନ ମେଢ କମିଟି ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗିତା ମୁଖ୍ୟତଃ ବିଶିଷ୍ଟ ଯୁବ ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକଙ୍କ ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘ, ପାରାଦ୍ୱୀପ ବିଜୁ ଜନତା ଦଳ ସଭାପତି ସୁମନ୍ତ ବିଶ୍ୱାଳଙ୍କ ପାରାଦ୍ୱୀପ ଟ୍ରକ ମାଲିକ ସଂଘ ଏବଂ କଂଗ୍ରେସ ନେତା ବାପି ସର୍ଖେଲଙ୍କ ପାରାଦ୍ୱୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର ମେଢଗୁଡିକ ମଧ୍ୟରେ ହେବ।   ପାରାଦୀପ ବିଶ୍ବକର୍ମା ପୂଜାକୁ ଓଡିଶାର କୋଣ ଅନୁକୋଣରୁ ବହୁ ବ୍ୟାବସାୟିକ ପ୍ରତିଷ୍ଠାନ ଆସିଥାନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ତଥା କଲିକତା ଓ ବମ୍ୱେର ବହୁ ନାମିଦାମି କଳାକାର ଆସି ମେଲୋଡି ପରିବେଷଣ କରିଥାନ୍ତି। ଏଥିସହିତ ନାମିଦାମି ଯାତ୍ରା ପାର୍ଟି ମଧ୍ୟ ଆସିଥାନ୍ତି।   ପୂଜାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ ପାରାଦ୍ୱୀପ ବନ୍ଦର ପ୍ରଶାସନ, ପୌର ପ୍ରଶାସନ, ଜିଲ୍ଲା ତଥା ପୋଲିସ ପ୍ରଶାସନ ସଦାସର୍ବଦା ସଜାଗ ରହିଥାନ୍ତି। ସର୍ବଶେଷରେ ପାରାଦ୍ୱୀପ ପୌର ପରିଷଦ ତରଫରୁ ଶ୍ରେଷ୍ଠ ମେଢ, ମୂର୍ତ୍ତୀ , ଆଲୋକ ସଜା ହୋଇଥିବା ମେଢଗୁଡିକର ସଂଗଠନକୁ ପୁରସ୍କୃତ କରାଯାଇଥାଏ। ଏହି ପୂଜା ଦେଖିବାପାଇଁ କେନ୍ଦ୍ରାପଡା ଓ ଜଗତସିଂହପୁର ଦୁଇ ଜିଲ୍ଲାର ଲକ୍ଷଲକ୍ଷ ଲୋକଙ୍କ ସମାବେଶ ହୋଇଥାଏ।

Share :