କସ୍ତୁରବା’ଙ୍କ ଦାନ ମାଝୀ!

କସ୍ତୁରବା’ଙ୍କ ଦାନ ମାଝୀ!

Share :

ନିରାକାର ବେଉରା   ସ୍ୱାଧୀନତା ପୂର୍ବର କଥା। ଗାନ୍ଧୀ, କସ୍ତୁରବା ଓ ସେମାନଙ୍କର ଅନ୍ୟ ସାଥୀମାନେ ଗାଁ ଗାଁରେ ବୁଲି ଲୋକମାନଙ୍କୁ ବ୍ରିଟିଶର ଶୋଷଣ ସାମ୍ରାଜ୍ୟ କଥା ବୁଝାଉଥାନ୍ତି। ସେମାନଙ୍କୁ ହଟାଇ ସ୍ୱାଧୀନ ରାଷ୍ଟ୍ର ପାଇଁ ଆମକୁ ଯେ ଏକଜୁଟ ହେବାକୁ ପଡିବ, ସେଇ ଆହ୍ୱାନ ଦେଉଥାନ୍ତି ସ୍ୱାଧୀନତା ସଂଗ୍ରାମୀମାନେ। ଦିନେ କସ୍ତୁରବା ସ୍ତବ‌୍‍ଧ ହୋଇଗଲେ ଆଦିବାସୀମାନଙ୍କର ଗରିବୀର ନଗ୍ନ ଚିତ୍ର ଦେଖି। ଗାଁର ପ୍ରତ୍ୟେକ ଘରେ ଥିବା ଆଦିବାସୀ ଭାଇ ଭଉଣୀମାନଙ୍କୁ ବୁଝାଇ ବୁଝାଇ ଚାଲିଥାନ୍ତି କସ୍ତୁରବା ଓ ସେମାନଙ୍କର ସାଥୀମାନେ। ଗୋଟିଏ ଅଧାଭଙ୍ଗା ଘରର ଖଣ୍ଡିଆ କବାଟରେ ଶବ୍ଦ କରି ଘରର ଲୋକଙ୍କୁ ଡାକିବାର ଉପକ୍ରମ କଲେ କସ୍ତୁରବା। ବହୁତ ସମୟ ପରେ ସେପଟୁ ଜଣେ ମହିଳାଙ୍କ କଣ୍ଠ ସ୍ୱର ଶୁଭିଲା।   କସ୍ତୁରବା ଆଶ୍ୱସ୍ତ ହୋଇ ତାଙ୍କୁ ବାହାରକୁ ଆସିବାକୁ କହିଲେ। ମହିଳା ଜଣକ ଆସିବା ପରେ କସ୍ତୁରବା ତାଙ୍କୁ ସ୍ୱାଧୀନତା ଆନ୍ଦୋଳନ ବିଷୟରେ ବୁଝାଇ ଏଥିରେ ଯୋଗ ଦେବା ପାଇଁ କହିଥିବେ ନିଶ୍ଚୟ। କିନ୍ତୁ ଆଲୋଚନା ଭିତରେ କସ୍ତୁରବା ଦେଖିଲେ ମହିଳା ଜଣକ ଏକ ସାତସିଆଁ ଛିଣ୍ଡା ମଇଳା ଲୁଗା ପିନ୍ଧିଛନ୍ତି। ତେଣୁ କସ୍ତୁରବା ତାଙ୍କୁ କହିଲେ, ମା, ଆପଣ କ’ଣ ଗରିବ ବୋଲି ଏଇ ମଇଳା ଲୁଗା ପିନ୍ଧିବେ? ଏହାକୁ ସଫା କରି କ’ଣ ପିନ୍ଧିପାରିବେନି?   ଏଇ କଥାଟି ଶୁଣି ‘ଆଦିବାସୀ ମା’ ଜଣକ ଆଖିରୁ ଦି’ ଠୋପା ଲୁହ ଜକେଇ ଆସିଥିଲା। ସେ କହି ପକାଇଲା - ମା’, ଏ ମଇଳା ଲୁଗାକୁ ସଫା କରି ପିନ୍ଧିବାକୁ କ’ଣ ମୋର ଇଚ୍ଛା ନାହିଁ! କିନ୍ତୁ ମୋ ପାଖରେ ଆଉ ଗୋଟିଏ ଲୁଗା ନାହିଁ, ଯାହାକୁ ମୁଁ ବଦଳାଇ ଏ ଲୁଗାଟି ପିନ୍ଧିବି!   ଏ କଥା ଶୁଣି କସ୍ତୁରବା ସେଦିନ ସ୍ତବ‌୍‍ଧ ହୋଇ ଯାଇଥିଲେ। ଏତେ ଗରିବୀରେ ଯେ ଲୋକମାନେ ବଞ୍ଚୁଛନ୍ତି, ସେ କଥା ସେ ନିଜ ଆଖିରେ ଦେଖିଲେ। ତାଙ୍କ ମନ ଆଉ ବୁଝିଲା ନାହିଁ। ଗାନ୍ଧୀଜୀଙ୍କୁ ଏ କଥା କହିବା ପାଇଁ ତାଙ୍କ ମନ ଡହଳ ବିକଳ ହୋଇ ଉଠିଲା। ଗାଁରୁ ଫେରି ସଂଧ୍ୟାରେ ହେଉଥିବା ସାମୂହିକ ପ୍ରାର୍ଥନା ସମୟରେ କସ୍ତୁରବା ଗାନ୍ଧିଜୀଙ୍କୁ ଏକ ଆଦିବାସୀ ଗାଁର ଦାରିଦ୍ର୍ୟର ନଗ୍ନ ଚିତ୍ର ବିଷୟରେ ବର୍ଣ୍ଣନା କରି କହିଲେ, ‘ବାପୁ, ଆଜି ଆମେ ଯାହା ଦେଖିଲୁ, ତାହା ଅତ୍ୟନ୍ତ ହୃଦୟ ବିଦାରକ। ଜଣେ ମା’ କହିଲେ ତାଙ୍କ ପାଖରେ ଦ୍ୱିତୀୟ ଲୁଗା ନାହିଁ ବୋଲି ସେ ପିନ୍ଧିଥିବା ଲୁଗାକୁ ବଦଳାଇ ସଫାକରି ପାରୁନାହାନ୍ତି।   ଏ କଥା ଶୁଣି ୨୦ ମିଟରରୁ ଉର୍ଦ୍ଧ୍ୱ ଲମ୍ୱର କପଡା ପିନ୍ଧୁଥିବା ଗୁଜରାଟୀ ମୋହନଦାସ କରମଚାନ୍ଦ ଗାନ୍ଧୀ ନିଷ୍ପତ୍ତି ନେଇଥିଲେ ଯେ ମୁଁ ଆଜି ଠାରୁ ଯେତ କମ ସମ୍ଭବ ସେତେ କମ ବସ୍ତ୍ର ପରିଧାନ କରିବି। ତାପରେ ସେ ଦିନର ସେ ମୋହନ ମହାତ୍ମା ହୋଇଯାଇଥିଲେ।   ଦି’ ତିନି ତଳର ସକାଳେ କଳାହାଣ୍ଡିର ଜଣେ ସାମାଜିକ ଆନ୍ଦୋଳନର ବିପ୍ଳବୀ ସାଥୀ ଦିଗମ୍ୱର ଦୁରିଆଙ୍କ ସହ ଫୋନରେ କଥା ହେବାବେଳେ ସେ ଯେଉଁ ସୂଚନା ଦେଲେ, ତାହା ଗାନ୍ଧିଜୀଙ୍କର ସେଦିନର ସେହି କଥାକୁ ମନେ ପକାଇ ଦେଇଥିଲା। ସେ କହିଥିଲେ ‘ଆପଣ ଦାନ ମାଝୀ ତା ସ୍ତ୍ରୀକୁ କାନ୍ଧରେ ବୋହି ନେଇ ଯିବାର ଦୃଶ୍ୟ ଟିଭି ପରଦାରେ ଦେଖିଥିବେ। ସେ ପିନ୍ଧିଥିବା ଲୁଙ୍ଗି, ସାର୍ଟ ଓ ତା ଝିଅର ଫ୍ରକ‌୍‍ ଦେଖିଥିବେ। ସେଦିନ ସେ ଯାହାକୁ ପିନ୍ଧିଥିଲେ, ସ୍ତ୍ରୀର ଶୁଦ୍ଧିକ୍ରିୟାର ୫ ଦିନପରେ ବି ଠିକ‌୍‍ ସେଇ ଲୁଙ୍ଗି, ସାର୍ଟ, ଫ୍ରକ‌୍‍ ସେମାନେ ପିନ୍ଧିଛନ୍ତି। ଗରିବୀର ଏହି ନଗ୍ନ ରୂପ ଶହ ଶହ ନଗଡା ଭଳି ଗାଁରେ ଅସଂଖ୍ୟ ଦାନ ମାଝିମାନେ ଆମକୁ ବାରମ୍ୱାର କହି ଚାଲିଛନ୍ତି ବୋଲି ବିପ୍ଳବୀ ସାଥୀ ଜଣଙ୍କ କୋହଭରା କଣ୍ଠରେ କହିପକାଇଥିଲେ।   ନଗଡା ଭଳି ଅନେକ ଗାଁରେ ଅପପୁଷ୍ଟିରେ ଶିଶୁମାନଙ୍କର ମୃତ୍ୟୁ, ଟୋକେଇ ଭିତରେ କାନ୍ଧରେ ବୁହାହୋଇ ଯାଉଥିବା ଗର୍ଭବତୀ ଗରିବ ମା’ର ଯନ୍ତ୍ରଣା, ଆମ୍ୱ ଟାକୁଆର ଜାଉ ଖାଇ ମରିଯାଉଥିବା ଅନେକ ଆଦିବାସୀ ଭାଇ, ଭଉଣୀ ଓ ଦାନ ମାଝୀ ଭଳି ଗରିବ ଆଦିବାସୀର ମର୍ମ ବେଦନା ଦେଖିସାରିବା ପରେ ଓଡ଼ିଶା ଶାସନ ବ୍ୟବସ୍ଥାର ମୁଣ୍ଡିଆଳମାନଙ୍କ ଜୀବନଯାପନ, ଚିନ୍ତାଚେତନା ଓ ଶାସନ ପଦ୍ଧତିରେ କ’ଣ ସାମାନ୍ୟ ଟିକେ ପରିବର୍ତ୍ତନ ହୋଇଛି? ମଣିଷଗୁଡାଙ୍କୁ ଗରିବ କରି ରଖି ସେମାନଙ୍କ ପାଖରୁ ଭୋଟଗୁଡାକ ଝାମ୍ପି ନେବା ପାଇଁ ଯେଉଁ ରୀତିମତ ଷଡଯନ୍ତ୍ର ଚାଲିଛି, ତାର କେତୋଟି ନଗ୍ନ ଉଦାହରଣ ହେଉଛି ଏଇଗୁଡାକ।   ଶାସକ, ପ୍ରଶାସକମାନଙ୍କ କୁମ୍ଭୀର କାନ୍ଦଣା ଆମେ ଅନେକ ଦେଖିଲେ। ଶାସକ ବିଜେଡିଦଳ ଓ ସମସ୍ତ ବିରୋଧୀଦଳଙ୍କ କାଦୁଅ ଫୋପଡା ଫୋପଡିରେ ଯେ ଓଡ଼ିଶା ଗରିବୀର ନଗ୍ନ ଚିତ୍ରରେ ପରିବର୍ତ୍ତନ ଆସିବ ନାହିଁ, ସେଥିରେ ଆମେ ସ୍ପଷ୍ଟ ହୋଇ ସାରିଲେଣି। କେନ୍ଦ୍ର ଓ ରାଜ୍ୟର କୋଟି କୋଟି ଟଙ୍କା କିପରି ବାଟମାରଣା ହୋଇ କିଛି ଲୋକଙ୍କ ବ୍ୟାଙ୍କ ବାଲାନ୍ସ ଓ ସେମାନଙ୍କ ଜୀବନ ଚର୍ଯ୍ୟା କିପରି ବଢି ଚାଲିଛି, ତାହା ମଧ୍ୟ ଆମେ ପ୍ରତିଦିନ ଦେଖୁଛେ। ସହର ବଢୁଛି, କୋଠାଘର ବଢୁଛି। ବିଶ୍ୱସ୍ତରୀୟ ବିଳାସମୟ କୋଟି କୋଟି ଟଙ୍କାର ଗାଡି ମଧ୍ୟ ଭୁବନେଶ୍ୱର, କଟକ, ରାଉରକେଲା ପ୍ରଭୃତି ସହରମାନଙ୍କରେ ଘୂରୁଛି।   କିନ୍ତୁ ଓଡ଼ିଶାର ୮୦ ଭାଗ ଲୋକ ଏବେବି ଗରିବ। ୬୦ ପ୍ରତିଶତରୁ ଅଧିକ ଲୋକ ଅତି ଗରିବ ଅବସ୍ଥାରେ ବଞ୍ଚୁଛନ୍ତି। ଏଇ ଲୋକମାନଙ୍କୁ ବିଭ୍ରାନ୍ତ କରି ରଖିବାର ସମସ୍ତ ଖସଡା ଶାସକ ବର୍ଗ ତିଆରି କରୁଛନ୍ତି। ମମତା ଯୋଜନାରୁ ମହାପ୍ରୟାଣ ଯୋଜନା ଯାଏ ସବୁକିଛି ଗରିବ ଲୋକଙ୍କ ପାଇଁ ଖଞ୍ଜିଦେବାର ଯେଉଁ ମିଥ୍ୟା ଉଦ‌୍‍ଘୋଷଣା ଚାଲିଛି, ସେହି ବ୍ୟବସ୍ଥାର ନଗ୍ନ ରୂପ ଓ ତା’ର ବାଦଶାହାଙ୍କ ମିଜାଜ‌୍‍ଙ୍କୁ ଆମକୁ ବୁଝିବାକୁ ପଡିବ। ତା ବିରୁଦ୍ଧରେ ସ୍ୱର ଉଠାଇବାକୁ ପଡିବ। ୧ ଟଙ୍କିଆ ଚାଉଳ, ୫ ଟଙ୍କିଆ ଆହାର ଭିତରେ ଗରିବୀ କରି ରଖିବାର ଯେଉଁ ଅଫିମିଆ ନିଶା ଭର୍ତ୍ତି କରି ଦିଆଯାଇଛି, ତାହାକୁ ପ୍ରତ୍ୟାଖ୍ୟାନ ନକରିବା ପର୍ଯ୍ୟନ୍ତ ଓଡ଼ିଆମାନଙ୍କର ସାମୂହିକ ଦାରିଦ୍ର୍ୟରୁ ତ୍ରାହି ନାହିଁ।   ସଚେତନ ନାଗରିକ, ପରିବର୍ତ୍ତନକାମୀ ବିପ୍ଳବୀ ସାଥୀମାନେ ଓ ବିକଳ୍ପ ସମାଜ ନିର୍ମାଣ କଥା କହୁଥିବା ସଂଗଠନମାନେ ମିଛ ଅହମିକାକୁ ଛାଡି ଏକଜୁଟ ହେବାର ବେଳ ଆସିଛି। ଶହ ଶହ ଦାନ ମାଝିଙ୍କ ନୀରବ କରୁଣ ଚିତ୍କାର ଆମମାନଙ୍କର ଆଖି ଖୋଲିଦେଉ। ମିଥ୍ୟା ଅହମିକା, କଳେ ବଳେ କୌଶଳେ ଧନୀ ହେବାର ଅପଚେଷ୍ଟା, ମାନବୀୟ ସମ୍ୱେଦନଶୀଳତାକୁ ହଜାଇ ସାରିଥିବା ମଣିଷମାନଙ୍କ ଦ୍ୱାରା ସମତାପୂର୍ଣ୍ଣ ସମାଜ ନିର୍ମାଣ ସମ୍ଭବ ନୁହେଁ। ଆମମାନଙ୍କର କର୍ମର ପ୍ରତିଫଳ ଆମକୁ ହିଁ ଭୋଗିବାକୁ ପଡିବ। ସାଧାରଣ ଲୋକଙ୍କ ଝାଳବୁହା ଧନରେ ଅୟସ କରୁଥିବା ବଡବାବୁମାନେ ନିଜ ମଣିଷ ପଣିଆ ଆଡକୁ ଟିକେ ଅନାନ୍ତୁ। କୋଟିକୋଟି ଦାନ ମାଝିର ଦାନାକୁ ଛଡାଇ ଆମେ ଚାଲାକ ବୋଲି ଫୁଲି ଫୁଲି ବଞ୍ଚୁଛେ।   ସଂସାରରୁ ଶାଗୁଣା ଭଳି ଅନେକ ଜୀବ ଧ୍ୱଂସ ପାଇ ପାଇ ଯାଉଛନ୍ତି। ଏଥିପାଇଁ ସେମାନେ ଦାୟୀ ନୁହଁନ୍ତି। ଏ ସବୁ ପାଇଁ ମଣିଷ ହିଁ ଦାୟୀ। ମଣିଷ ବିରୋଧୀ ବ୍ୟବସ୍ଥା ହିଁ ଦାୟୀ। ନକାରାତ୍ମକ ମାନସିକତା ହିଁ ଦାୟୀ। ଆସନ୍ତୁ, ଆମ ଭିତରେ ହଜିଯାଉଥିବା ମଣିଷ ପଣିଆକୁ ମନେ ପକେଇ ଦେଇଥିବା ଦାନ ମାଝିକୁ ପ୍ରଣାମ କରି ମଣିଷ ଭଳି ବଞ୍ଚିବାକୁ ଆରମ୍ଭ କରିବା। ଲୋକଘାତୀ ବ୍ୟବସ୍ଥା ମାଧ୍ୟମରେ ମଣିଷ ସମାଜକୁ ଖିନଭିନ‌୍‍ କରି ପକାଉଥିବା ବ୍ୟବସ୍ଥାକୁ ବିରୋଧ କରିବା। ମଣିଷ ପଣିଆକୁ ଆଖି ଆଗରେ ରଖି ଭଲ ସମାଜଟିଏ ଗଢିବା ପ୍ରକ୍ରିୟାରେ ସାମିଲ ହେବା। ଲୋକଘାତୀ ବ୍ୟବସ୍ଥାର ଚକ୍ରାନ୍ତରେ ତଳେ ରହିଯାଇଥିବା ଲୋକମାନଙ୍କୁ ସାଥୀରେ ନେଇ ଚାଲିବା।   ୩୪, ଲକ୍ଷ୍ମୀବିହାର, ସୈନିକ ସ୍କୁଲ, ଭୁବନେଶ୍ୱର – ୭୫୧୦୦୫, ମୋ: ୯୪୩୭୬୩୦୧୨୪

Share :