ଅଦା ବେପାରୀଙ୍କ ଜାହାଜ ଭାଉ!

ଅଦା ବେପାରୀଙ୍କ ଜାହାଜ ଭାଉ!

Share :

ବଟକୃଷ୍ଣ ଦାସ   ବନ୍ଦର ନଗରୀ ପାରଦୀପରେ ଏବେ ପୋଲିସ ଛାଉଣିରେ ପରିଣତ ହୋଇଛି। ଷ୍ଟିଭେଡୋରିଂ ଓ ଡମ୍ଫର ବିବାଦରେ ହିଂସା ଓ ଅପ୍ରୀତିକର ପରିସ୍ଥିତିର ମୁକାବିଳା କରିବାକୁ ବନ୍ଦରାଂଚଳରେ ୨୦ ପ୍ଳାଟୁନ ଫୋର୍ସ ସଜବାଜ ହୋଇ ବିଭିନ୍ନ ଛକ, ବଜାର, ଗଳିକନ୍ଦି, ନିଷିଦ୍ଧାଞ୍ଚଳରେ ମୁତୟନ କରାଯାଇଛି। ପାରାଦୀପରେ ଓଡ଼ିଆ ଓ ଅଣଓଡ଼ିଆ ବ୍ୟାବସାୟିକ ଯୁଦ୍ଧରେ ଆଇନଶୃଙ୍ଖଳା ପରିସ୍ଥିତି ଉଜୁଡ଼ି ଯିବାର ଆଶଙ୍କା ଦେଖାଦେଇଛି।   ପାରାଦୀପେର ପୁଲିସ ଛାଉଣିକୁ ନେଇ ନେଇ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ- ପ୍ରକୃତରେ ପାରାଦୀପ ପୋଲିସର ଡର କାହାକୁ ଓ ପୋଲିସକୁ ପୁଣି ଡରାଉଛି କିଏ? ସାମ୍ଭାବ୍ୟ ଗଣ୍ଡଗୋଳକୁ ଆଶଙ୍କା କରି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମାଳ ମାଳ ପୋଲିସ ବନ୍ଦର ନଗରୀରେ ଡେରା ପକାଇଛନ୍ତି। ପାରାଦୀପ ବନ୍ଦରରେ ବର୍ଥରେ ଲାଗିବ ଷ୍ଟିଲ ଅଥରଟି ଅଫ‌୍‍ ଇଣ୍ଡିଆ ଲିମିଟେଡ ବା ସେଲର ଜାହାଜ ଏମ‌୍‍.ଭି କୁମାରୀ। ପ୍ରାୟ ୧୫ ହଜାରେ ମେଟ୍ରିକ‌୍‍ ଟନ‌୍‍ ଚୂନ ପଥର ଖଲାସ କରିବାକୁ ଜାହାଜ ପାରାଦୀପ ଆସୁଛି। ଏହାର ଷ୍ଟିଭେଡୋରିଂ ଦାୟିତ୍ୱ ନେଇଛି ବିବାଦୀୟ ଷ୍ଟିଭେଡୋର ସି େୱଜ ସିପିଂ। ଯାହାକୁ ନେଇ ଜଗତସିଂହପୁର ପୋଲିସର ଏ ପ୍ରକାର ପ୍ରସ୍ତୁତି।   ଏନେଇ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମରେ ଜଗତସିଂହପୁର ଏସ‌୍‍.ପି ଜୟନାରାୟଣ ପଙ୍କଜ ଓ ପାରାଦୀପ ଏ.ଏସ‌୍‍.ପି ଗଦାଧର ପ୍ରଧାନୀଙ୍କ ସମେତ ପ୍ରାୟ ୪୦ ଜଣ ଅଧିକାରୀ ରଣନୀତି ପ୍ରସ୍ତୁତ କରିଥିଲେ। ଯଦି ଯେ କେହିବି ଆଇନ‌୍‍ ଅମାନ୍ୟ କରେ ତାର ପରେ କଣ ଓ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ରଣନିତୀ ପ୍ରସ୍ତୁତ ହୋଇଥିଲା। କେତେବେଳେ କିଏ ଓ କିଏ କେଉଁ ପ୍ରକାର ଆକ୍ରମଣ କରିବ ଏବଂ ସେମାନଙ୍କୁ କିପରି ସାବାଡ କରାଯିବ ସେନେଇ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ। ତେବେ ଏଥର ଜାହାଜ କମାରୀ ଲାଗିବା ପରେ ଏହାର ପଣ୍ୟ ଖଲାସ ଓ ପରିବହନକୁ ନେଇ କିଛି ନା କିଛି ଗଣ୍ଡଗୋଳ ଆଶଙ୍କା କରାଯାଉଥିବା ବିବାଦ ଯୋଗୁଁ କିପରି ପଣ୍ୟ ଶାନ୍ତି ଶୃଙ୍ଖଳା ସହିତ ଜାହାଜରୁ ଖଲାସ ହେବ ଏବଂ ତାହା ସୂଚାରୁ ରୂପେ ଗନ୍ତବ୍ୟ ସ୍ଥାନକୁ ପରିବହନ ହେବ ସେନେଇ ପୋଲିସର ମୁଖ୍ୟତଃ ନଜର ରହିବ ବୋଲି ପାରାଦୀପ ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ କହିଛନ୍ତି। ସମସ୍ତ ଅଧିକାରୀ ଓ ଫୋର୍ସଙ୍କୁ ନେଇ ଅପରାହ୍ନରେ ଫ୍ଲାଗ ମାର୍ଚ୍ଚ ମଧ୍ୟ କରାଯାଇଥିଲା। କିନ୍ତୁ କିଏ କେଉଁ ପ୍ରକାର ବିଶୁଙ୍ଖଳା କରିବ ସେନେଇ କିଛି ଚିତ୍ର ସ୍ପଷ୍ଟ ହୋଇନାହିଁ।   ପାରଦୀପ ବନ୍ଦରରେ ଏହି ବିବାଦ ନୂଆ ନୁହେଁ। ଗତ ବର୍ଷ ମଧ୍ୟ ଏହି ସି େୱଜ‌୍‍ ସିପିଂର ପ୍ରଭୁଗୋପାଳ ଜାହାଜର ପଣ୍ୟକୁ ନେଇ ଏହିପରି ବିବାଦ ଦେଖା ଦେଇଥିଲା ଯାହାକୁ ନେଇ ପ୍ରାୟ ୭ ଦିନ ପାରାଦୀପ ବନ୍ଦର ଅଚଳ ହୋଇ ପଡିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। କିନ୍ତୁ ଏହା ମଧ୍ୟରେ ଉତ୍କଳ ଷ୍ଟିଭେଡୋର୍ସ ଆସୋସିଏସନ ନାମରେ ଆଉ ଏକ ଷ୍ଟିଭେଡୋର ଆସୋସିଏସନ ଗଢି ଉଠିଛି ଓ ଏହି ଆସୋସିଏସନ ଜରିଆରେ ବହୁ କାର୍ଯ୍ୟ ସି େୱଜ‌୍‍ ସିପିଂ ହାସଲ କରୁଛି। ଏଥିଯୋଗୁଁ ପୂର୍ବରୁ ବନ୍ଦରରେ ଏକପ୍ରକାର ଏକଛତ୍ର ଷ୍ଟିଭେଡୋରିଂ କରୁଥିବା କମ୍ପାନୀର କ୍ଷତି ହୋଇଛି।   ପୂର୍ବ ବିବାଦରେ ପାରାଦୀପ ଷ୍ଟିଭେଡୋର ଆସୋସିଏସନ ସହିତ ଅନୁବନ୍ଧିତ ସମସ୍ତ ଷ୍ଟେକ ହୋଲଡର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ, ଯେଉଁଥିରେ ସି େୱଜ‌୍‍ ସିପିଂ ବାହାରୁ ଶତାଧିକ ଡମ୍ଫର ନେଇ ନିଜର କାର୍ଯ୍ୟ ସମ୍ପାଦନ କରିଥିଲା। ସେହି ବିବାଦର ସମାଧାନ କରିବାକୁ ଯାଇଁ ଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଥିଲେ। ସେହି ଅନୁସାରେ ବନ୍ଦର ମଧ୍ୟରେ ହେଉଥିବା ଆନ୍ତଃ ପରିବହନ କ୍ଷେତ୍ରରେ ପାରାଦୀପ ଡମ୍ଫର ଆସୋସିଏସନର ଡମ୍ଫର ସବୁ ନିୟୋଜିତ ହେବା କଥା। ଯଦି ସଙ୍ଘ ଏଥିରେ ଅକ୍ଷମ ହୁଏ ତାହେଲେ ଷ୍ଟିଭେଡୋର କମ୍ପାନୀମାନେ ବାହାରୁ ଡମ୍ଫର ମଗାଇ କାମ କରିପାରିବେ।   ଏ ସଂପର୍କରେ ସି ୱେଜ କମ୍ପାନୀର ସାଧାରଣ ପରିଚାଳକ ମହେନ୍ଦ୍ର ସ୍ବାଇଁ କହିଛନ୍ତି ଯେ ଗତଥର ବାହାରୁ ଯାଇଥିବା ଡମ୍ଫରମାନେ ଉତ୍କଳ ଆସୋସିଏସନ ଜରିଆରେ ଭିତରକୁ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଓ ଏଥି ନିମନ୍ତେ ବନ୍ଦର ପକ୍ଷରୁ ଅନୁମତି ମଧ୍ୟ ମିଳି ସାରିଛି। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କୌଣସି ବିବାଦ ସାମ୍ନାକୁ ଆସି ନାହିିଁ। ଆମେ ସମ୍ପୁର୍ଣ୍ଣ ନୀତି ନୀୟମ ମାନି କାମ କରୁଛୁ। ଆମେ ଯେମିତି କାମ କରିବା କଥା ସେମିତି ମଧ୍ୟ କାମ କରିବୁ ଯଦି କେହି ବିଶୁଙ୍ଖଳା କରେ ସେଥିପାଇଁ ପୋଲିସ ଓ ପ୍ରଶାସନ ସଜାଗ ଅଛି।   ବନ୍ଦର ପରିଚାଳନା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ କେତେକ ଗାଇଡ‌୍‍ ଲାଇନ‌୍‍ ରହିଛି। ସେ ସବୁକୁ ବ୍ୟବସାୟୀ ଓ ବନ୍ଦର ବ୍ୟବହାରକାରୀ ମାନେ ମାନିବା କଥା। ତେଣୁ କୌଣସି ପ୍ରକାର ବିଶୃଙ୍ଖଳା ଆଚରଣ ନ କରି କିପରି ଶାନ୍ତି ଶୃଙ୍ଖଳା ସହିତ ସମସ୍ତ କାର୍ଯ୍ୟ ନୀତି ନିୟମ ଅନୁସାରେ ସମ୍ପାଦନ ହେବ ସେନେଇ ସମସ୍ତେ ଯତ୍ନବାନ ଆବଶ୍ୟକ ବୋଲି ବନ୍ଦର ଟ୍ରାଫିକ‌୍‍ ମ୍ୟାନେଜର ଦାମୋଦର ନାୟକ କହିଛନ୍ତି।   ଗୋଟିଏ ପଟେ ପୋଲିସର ରଣସଜ୍ଜା ଅପରପକ୍ଷେ ପ୍ରତିପକ୍ଷ ବ୍ୟବସାୟୀଙ୍କ ଗୋଟି ଚାଳନା ଯୋଗୁଁ ଆଗାମୀ ଦିନରେ ପାରାଦୀପରେ ଭୟଙ୍କର ବ୍ୟାବସାୟିକ ସଂଘର୍ଷ ଘଟିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ପରିସ୍ଥିତିର ବନ୍ଦରର ଅଫିସର, କର୍ମଚାରୀ ଓ ଶ୍ରମିକ ସଂଘଗୁଡ଼ିକ ବନ୍ଦର କର୍ତ୍ତୃପକ୍ଷଙ୍କ ସପକ୍ଷରେ ବାହାରିଛନ୍ତି। ସରକାରୀ ନୀତିନିୟମ ମାନି ବ୍ୟବସାୟ ଚଳାଇବାକୁ ସେମାନେ ବିବାଦ ସୃଷ୍ଟି କରୁଥିବା ଗୋଷ୍ଠୀକୁ ଚେତାବନୀ ଦେଇଛନ୍ତି।   ପାରାଦୀପ ବନ୍ଦରକୁ ଅଦା ବିକିବାକୁ ଆସି ଜାହାଜ କିଣିବା ଯୋଜନା ନ କରନ୍ତୁ। ଶାନ୍ତି ଶୃଙ୍ଖଳାରେ ନୀତିନିୟମ ମାନି ବ୍ୟବସାୟ କରନ୍ତୁ। କିନ୍ତୁ ବ୍ୟବସାୟ କରିବା ସହିତ ମାଫିଆଗିରି କରି ଅଯଥା ବିଶୃଙ୍ଖଳା ସୃଷ୍ଟି କଲେ ପରିସ୍ଥିତି ଭୟାଭୟ ହେବ। ପାରାଦୀପ ବନ୍ଦରର ଷ୍ଟିଭେଡୋରିଂକୁ ନେଇ ବିବାଦ ସୃଷ୍ଟି କରୁଥିବା ଗୋଷ୍ଠୀକୁ ଏହିପରି କଡା ଚେତାବନୀ ଦେଇଚନ୍ତି ବନ୍ଦର ଅଧିକାରୀ, କର୍ମଚାରୀ ଓ ଶ୍ରମିକ ସଂଗଠନ।   ଏସବୁ ସଂଘ ଏନେଇ ସେଣ୍ଟ୍ରାଲ ସ୍କୁଲ‌୍‍ ଛକ ନିକଟରୁ ଏକ ମିଳିତ ବିଶାଳ ଶୋଭାଯାତ୍ରା ବାହାରି ପାରାଦୀପ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ପହଞ୍ଚିଥିଲା, ସେଠାରେ ଅଧିକାରୀ କର୍ମଚାରୀ ଓ ଶ୍ରମିକ ନେତାମାନେ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିବାଦ ସଭା ମଧ୍ୟ କରିଥିଲେ। ଗତ କିଛି ଦିନ ହେବ ପାରାଦୀପ ବନ୍ଦରରେ ବିଭିନ୍ନ ବିବାଦ ନେଇ ଅସ୍ଥିରତା ଦେଖା ଦେଇଛି। କେତେକ ସଂଗଠନ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଆନ୍ଦୋଳନ ମାଧ୍ୟମରେ ନିଜର ଦାବି ହାସଲ କରିବାକୁ ଚାହୁଁଛନ୍ତି। ବିଭିନ୍ନ ପ୍ରକାର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି, ଯେଉଁଥିପାଇଁ  ବନ୍ଦରର ବ୍ୟାପକ କ୍ଷତି ହେବା ସହ ପଣ୍ୟ କାରାବାର ମଧ୍ୟ ହ୍ରାସ ପାଉଛି।   ବର୍ତ୍ତମାନ ଯେଉଁ ଷ୍ଟିଭେଡୋର ଓ ଡମ୍ଫର ଆସୋସିଏସନ‌୍‍ ବିବାଦ ଦେଖା ଦେଇଛି ଏହାକୁ ନେଇ ମଧ୍ୟ ବିଭିନ୍ନ ସଂଗଠନ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ପାରାଦୀପ ବନ୍ଦରରେ ଅଚଳାବସ୍ଥା ସୃଷ୍ଟି କରିବା ପାଇଁ ଧମକ ଦେଉଛନ୍ତି। ସେଦୃଷ୍ଟିରୁ ଏହାର ଦୃଢ ମୁକାବିଲା କରିବା ପାଇଁ ପାରାଦୀପ ବନ୍ଦର ଅଧିକାରୀ, କର୍ମଚାରୀ ଓ ଶ୍ରମିକ ସଂଘମାନେ ଏହି ପ୍ରତିବାଦ ସଭା କରିବା ସହ ବନ୍ଦର ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଯେଉଁଥିରେ ସ୍ପଷ୍ଟ ଭାବେ ଲିଖିତ ଯେଉଁମାନେ ବ୍ୟବସାୟ କରବାକୁ ଆସି ଏଠାରେ ବିଶୃଙ୍ଖଳା କରୁଛନ୍ତି ସେମାନଙ୍କୁ ତୁରନ୍ତ ଏଠାରୁ ବହିଷ୍କାର କରାଯାଉ ଓ ସବୁ କ୍ଷେତ୍ରରେ ଶାନ୍ତି ବଜାୟ ରହୁ, ଅଯଥା ବିଶୃଙ୍ଖଳା କରାନଯାଉ।   ପାରାଦୀପ ବନ୍ଦର ବର୍ତ୍ତମାନ ଦେଶର ସର୍ବଶ୍ରେଷ୍ଠ ବନ୍ଦର ହେବାକୁ ଯାଉଛି। ଏଥିପାଇଁ ସମସ୍ତଙ୍କ ଉଦ୍ୟମ ମଧ୍ୟ ଜାରି ରହିଛି। କିନ୍ତୁ ବିଶୃଙ୍ଖଳାକାରୀମାନେ ସେମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ପାଇଁ ବିଭିନ୍ନ ଚକ୍ରାନ୍ତ କରୁଛନ୍ତି। ତେଣୁ ଏଥି ପ୍ରତି ଗୁରୁତର ସହ ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି।   ଏନେଇ ବନ୍ଦର କର୍ତ୍ତୃପକ୍ଷ ଅବଗତ ଅଛନ୍ତି ଓ କେନ୍ଦ୍ର ସରକାରଙ୍କର ଜାହାଜ ଚଳାଚଳ ମନ୍ତ୍ରଣାଳୟର ନୀତିନିୟମ ଅନୁସାରେ ବନ୍ଦର ପରିଚାଳନା କରାଯାଉଛି। ପାରାଦୀପ ବନ୍ଦର ୧ ନମ୍ବର ବନ୍ଦର ହେବା ପାଇଁ ଯେଉଁ ଉଦ୍ୟମ ଜାରୀ ରହିଛି ତାହା ଅବ୍ୟାହତ ରହିବ ଓ ଦାବିପତ୍ର ନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି। ବନ୍ଦରରେ ପ୍ରଥମକରି ଅଧିକାରୀ, କର୍ମଚାରୀ ଓ ଶ୍ରମିକଙ୍କ ମିଳିତ ସମାବେଶ ବନ୍ଦର ମଧ୍ୟରେ ଏକତା ଓ ଦୃଢ ମନୋବଳ ଥିବା ନେଇ ଦର୍ଶାଉଛି।

Share :