ସରକାର କା ମାଲ୍‌, ଦରିଆ ମେଁ ଡାଲ୍‌!

ସରକାର କା ମାଲ୍‌, ଦରିଆ ମେଁ ଡାଲ୍‌!

Share :

କୋଣାର୍କ ଏନଏସିରେ ଦୀର୍ଘ ଦିନ ଧରି ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷୋଟ ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଖୋଲା ଆକାଶ ତଳେ ପଡି ଖତ ହେବାରେ ଲାଗିଛି। ଦାୟିତ୍ୱରେ ଥିବା ଅଧିକାରୀମନଙ୍କର ଖାମଖିଆଲୀ ନୀତି ଯୋଗୁଁ  କୋଣାର୍କ ଏନଏସି ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଭିନ୍ନକ୍ଷମ ବ୍ୟକ୍ତିମାନେ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଏଠାରେ ସ୍ପଷ୍ଟ ବାରି ହେଉଛି।   ଭିନ୍ନକ୍ଷମ ବ୍ୟକ୍ତି ବା ଅଙ୍ଗପ୍ରତ୍ୟଙ୍ଗ କାମ କରୁ ନ ଥିବା ବ୍ୟକ୍ତିମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ଟ୍ରାଇସାଇକଲ ବା ହୁଇଲ‌୍‍ଚେୟାର ଯୋଗାଇ ଦେବାପାଇଁ  ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛିନ୍ତି। କିନ୍ତୁ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟାଳୟ ପରିସରରେ ଦୀର୍ଘ ଦିନ ଧରି  ପଡିରହିଥିବା ଟ୍ରାଇସାଇକେଲ ବା ହୁଇଲ‌୍‍ଚେୟାର ଖତ ଖାଉଥିବା ବେଳେ ଏହି ସବୁ ଟ୍ରାଇସାଇକେଲର ସିଟ‌୍‍, ଚକ, ଅଖ ସମେତ ଏହାର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଏଣେ ତେଣେ ହୋଇ ପଡି ରହିଛି। ଏ ଅଞ୍ଚଳରେ ଆଉ ଭିନ୍ନକ୍ଷମ ବ୍ୟକ୍ତି ଟ୍ରାଇସାଇକଲ ପାଇ ନାହାନ୍ତି।  କୋଣାର୍କ ଏନଏସି ଓ ଗୋପ ବ୍ଲକରେ ଥିବା ସମସ୍ତ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ  ଟ୍ରାଇସାଇକଲ ବା ହୁଇଲ‌୍‍ଚେୟାର ଯୋଗାଇ ଦେବା ପରେ ଏଗୁଡିକ ବଳକା ରହିଯାଇଛି। ଏହି ବଳକା ଟ୍ରାଇସାଇକଲ ବା ହୁଇଲ‌୍‍ଚେୟାର ଯଥା ସ୍ଥାନକୁ ଫେରାଇ ନେବା ତ ଦୂରର କଥା ଖୋଲା ଆକାଶ ତଳେ ଖରା, ବର୍ଷା ଓ କାକର ସଂସ୍ପର୍ଶରେ ଆସି ମାଟିରେ ମିଶିବାରେ ଲାଗିଛି। ଯାହାବି କିଛି ଅଛି ଉପଯୁକ୍ତ ସଂରକ୍ଷଣ କରାନ ଗଲେ ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ମାଟିରେ ମିଳାଇ ଯିବା ନିଶ୍ଚିତ।   ଖାଲି ଏତିକି ନୁହେଁ ଖୋଲା ଆକାଶ ତଳେ ପଡିରହିଥିବା ଟ୍ରାଇଇସାଇକେଲ, ଜିପ‌୍‍, ଟ୍ରାକ୍ଟର, କ୍ରେନ, ଅଳିଆ ବୁହା ଗାଡି ଓ ଲକ୍ଷ ଲକ୍ଷ ଟଙ୍କାର ଅନ୍ୟାନ୍ୟ ଯନ୍ତ୍ରାଂଶ ଅକାମି ହୋଇଯାଇଥିବା ବେଳେ ଅନାବନା ଗଛଲତା ମାଡି ଯାଇ ବ୍ୟବହାର ଅନୁପଯୋଗ ହୋଇଗଲାଣି। ଏନଏସି କର୍ତ୍ତୃପକ୍ଷ ନିଜ ସ୍ୱାର୍ଥ ପାଇଁ ଏହି ସବୁ ଯନ୍ତ୍ରାଂଶ ନ ସଜାଡି ବିଭିନ୍ନ ସମୟରେ ବାହାରୁ ଭଡାରେ ଆଣି କାର୍ଯ୍ୟ କରିଥାନ୍ତି। ସାମନ୍ୟ ଅର୍ଥ ଖର୍ଚ୍ଚ କଲେ ଜିପ‌୍‍, ଟ୍ରାକ୍ଟର, କ୍ରେନ, ଅଳିଆ ବୁହା ଗାଡି ସଜଡା ହୋଇ ପାରନ୍ତା ଏନଏସି କର୍ତ୍ତୃପକ୍ଷ ତାହା ନ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନୂଆ ଯନ୍ତ୍ରାଂଶ କିଣି ନିଜ ପକେଟ ଗରମ କରୁଥିବା ସାଧାରଣରେ ଅଭିଯୋଗ ହେଉଛି।   ଶିଶୁମାନଙ୍କ ମନୋରଞ୍ଜନ ଓ ଖେଳ କୁଦ କରିବା ନିମନ୍ତେ ନଗର ଉନ୍ନୟନ ବିଭାଗ ପକ୍ଷରୁ ୩୨ ଲକ୍ଷ ୫୨ ହଜାର ଟଙ୍କାର ବ୍ୟୟରେ କରାଯାଇଥିଲା ଶିଶୁ ଉଦ୍ୟାନ। ଏହି ଶିଶୁ ଉଦ୍ୟାନଟି ଗତ ୨୦୧୪ମସିହା ଅଗଷ୍ଟ ମାସ ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସ ଅବସରରେ କାକଟପୁର ବିଧାୟକ ସୁରେନ୍ଦ୍ରନାଥ ସେଠୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଶିଶୁ ଉଦ୍ୟାନରେ ଲିଗିଥିବା ଖେଳ ଉପକରଣ ନଷ୍ଟଟ ହେବା ସହ ପରିତ୍ୟକ୍ତ ଅବସ୍ଥାକୁ ଆସିଗଲାଣି। ଉଦ୍ୟାନ ମଧ୍ୟରେ ରହିଥିବା ବିଲୁପ୍ତ ଡାଇନୋସର, ହାତୀ, ଘୋଡା,  ଓଟ, ଜେବ୍ରା, ହରିଣ ଓ ଜିରାଫ ଆଦି ପଶୁମାନଙ୍କର ପ୍ରତିଛବିରୁ ରଙ୍ଗ ଛାଡିଯାଇ ବିକୃତ ଦେଖାଗଲାଣି। ଜଗୁଆଳି ନ ଥିବାରୁ ସନ୍ଧ୍ୟାପରେ ଏହି ଶିଶୁ ଉଦ୍ୟାନଟି ବିଳମ୍ୱିତ ରାତି ପର୍ଯ୍ୟନ୍ତ ମଦ୍ୟପଙ୍କ କବଜାରେ ରହୁଥିବା ବେଳେ ମଦ ବୋତଲ, ପଲିଥିନ, ଅନ୍ୟାନ୍ୟ ବର୍ଜ୍ୟ ବସ୍ତୁ ପଡିରହି ପରିବେଶ ପ୍ରଦୂଷିତ କରୁଛି।   ଏତଦ ବ୍ୟତିତ ଏନଏସି ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ମୌଳିକ ସୁବିଧା ମଧ୍ୟରେ ଆଲୋକ ଓ ପରିମଳ ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି କରାଯାଇଥିବା ସାଧାରଣରେ ଅଭିଯୋଗ ହେଉଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। କୋଣାର୍କ ଏନଏସିର ଏପରି ଅବସ୍ଥା ଉପରେ ସରକାରୀ ବାବୁମାନଙ୍କର ଦୃଷ୍ଟି ପଡୁନାହିଁ। ତାଙ୍କର ବା ଯାଏ ଆସେ କ’ଣ? ସରକାର କା ମାଲ‌୍‍ ଦରିଆ ମେଁ ଡାଲ‌୍‍ ନୀତିରେ ଏଠି ସବୁକିଛି ଚାଲିଛି।

Share :