ଅସରନ୍ତି ଅବହେଳାର ନାଁ ଦାନ ମାଝୀ!

ଅସରନ୍ତି ଅବହେଳାର ନାଁ ଦାନ ମାଝୀ!

Share :

ସ୍ନେହଲତା ମିଶ୍ର   ଓଡିଶାର ପଛୁଆ ଅଞ୍ଚଳ ଭାବେ ପରିଚିତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଦାନ ମାଝୀଙ୍କ କାନ୍ଧରେ ସ୍ତ୍ରୀର ଶବ ବୁହା ଘଟଣା ରାଜନୈତିକ ଅପାରଗତା, ପ୍ରାଶାସନିକ ସ୍ଥାଣୁତା, ସାମାଜିକ ଓ େସ୍ୱଚ୍ଛାସେବୀ ଅନୁଷ୍ଠାନଗୁଡିକର ଆନ୍ତରିକତାର ଅଭାବ ତଥା ଭିତ୍ତିଭୂମି ଦୁଃସ୍ଥିତିର ପ୍ରତିଫଳନ। ଏହା ବୃଦ୍ଧିଜୀବୀଙ୍କ ନଜରକୁ ଜଳଜଳ ହୋଇ ଦିଶୁଛି। ଏହାକୁ  ସାଧାରଣ ଲୋକଙ୍କ ନଜରରୁ ଦୂରେଇବା ଓ ନ୍ୟାୟ ସଙ୍ଗତ ଦେଖାଇବାକୁ ନିଜନିଜ କ୍ଷେତ୍ରରେ ସମସ୍ତେ ଉଦ୍ୟମରତ। ମରୁଡି, ଅନାହାର ଓ ପିଲାବିକ୍ରି ଭଳି ସମ୍ୱେଦନଶୀଳ ପ୍ରସଙ୍ଗ ପାଇଁ ଏକଦା ଅଶି ଦଶକରେ କଳାହାଣ୍ଡି ଜିଲ୍ଲା ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା। ଦୀର୍ଘ ୩୫ ବର୍ଷ ପରେ ଏବେ ଆଉ ଏକ ସ୍ପର୍ଶକାତର ପ୍ରସଙ୍ଗ ପାଇଁ ପୁଣି କଳାହାଣ୍ଡି ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଜିଲ୍ଲାର ଥୁଆମୁଳ ରାମପୁର ଭଳି ଏକ ଦୁର୍ଗମ ଅଞ୍ଚଳର ଜଣେ ଅସହାୟ ଆଦିବାସୀ ଅର୍ଥାଭାବ ଓ ପ୍ରାଶାସନିକ ସହଯୋଗ ନପାଇ ମୃତ ସ୍ତ୍ରୀର ଶବକୁ କାନ୍ଧରେ ବୋହି ୧୦ କି.ମି ଚାଲିଚାଲି ଯିବା ଘଟଣା ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଛି। ପ୍ରାଶାସନିକ ଅବହେଳା ଓ ସମ୍ୱେଦନହୀନ ମନୋଭାବ ଯୋଗୁଁ ଜଣେ ଗରିବ ଆଦିବାସୀ ଅସହାୟ ଅବସ୍ଥାରେ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହିନେବା ଘଟଣା ପାଇଁ କେବଳ କଳାହାଣ୍ଡି ଜିଲ୍ଲା ନୁହେଁ ରାଜ୍ୟ ଓ ସମଗ୍ର ଦେଶ ମଧ୍ୟ ଆଜି ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି, ସମାଲୋଚନାର ଶରବ୍ୟ ହୋଇଛି। ଏହି ହୃଦୟ ବିବାଦକ ଘଟଣା ଆଜି ସଭିଙ୍କ ହୃଦୟକୁ ଦୋହରାଇ ଦେଇଛି। ପୁଣିଥରେ କଳାହାଣ୍ଡିର ଭାଗ୍ୟାକାଶରେ ନିନ୍ଦା, ଲାଞ୍ଛନା, ଅପବାଦ ଭଳି କଳଙ୍କର ଛିଟା ଲାଗିଛି। ଏକବିଂଶ ଶତାଦ୍ଦୀରେ  ଭୋକର ଭୂଗୋଳ ଆଜି ପୁଣି ବିଶ୍ୱ ଦରବାରରେ କଳାହାଣ୍ଡି ସାଜିଛି ଚର୍ଚ୍ଚା ଓ ଅପବାଦର କେନ୍ଦ୍ରବିନ୍ଦୁ।   ମିଳିନି ମନରେଗା ମଜୁରୀ   ମେଲଘରା ଗ୍ରାମ ବିଭିନ୍ନ ଦିଗକୁ ଅବହେଳିତ ହୋଇ ଚାଳିଥିବା ବେଳେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମଯୋଗାଣ ଯୋଜନାରେ ମଧ୍ୟ ଏହି ଗାଁର ଲୋକମାନେ ଶୋଷଣର ଶିକାର ହୋଇଛନ୍ତି। ମୃତ ଅମାଙ୍ଗ ଦେଇଙ୍କ ସମେତ ଦାନ ମାଝି ଓ ଗ୍ରାମର ୫୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ମନରେଗା ଯୋଜନାରେ ୨୦୧୫ ମସିହା ଡିସେମ୍ୱର ମାସରେ ୧୪ ଦିନ ଲେଖାଏଁ କାମ କରିଥିଲେ ହେଁ ସେମାନଙ୍କୁ ମାତ୍ର ୨ ଦିନର ମଜୁରୀ ମିଳିଛି। ୯ ମାସ ହେଲା ଅବଶିଷ୍ଟ ମଜୁରୀ ଅର୍ଥ ପାଇଁ ବାରମ୍ୱାର କହି ଆସୁଥିଲେ ହେଁ ଆଜି ଯାଏଁ ମଜୁରୀ ଅର୍ଥ ମିଳିନାହିଁ। ଏପରି ମଜୁରୀ ଅର୍ଥ ନପାଇ ଅମାଙ୍ଗ ଦେଇ ମାଝିଙ୍କ ମୃତ୍ୟୁ ଘଟିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।   ଚାପରେ ମୁଣ୍ଡ ନୁଆଁଇଲେ   ଦାନ ମାଝୀ ଚିକିତ୍ସା ଅବହେଳା ଯୋଗୁଁ ସ୍ତ୍ରୀ ଅମାଙ୍ଗ ଦେଇଙ୍କ ମୃତ୍ୟୁ ହେଲା ବୋଲି ଘଟଣାଦିନ ଅର୍ଥାତ ଅଗଷ୍ଟ ୨୫ ତାରିଖ ସକାଳେ ଶଗଡାଠାରେ ଗଣମାଧ୍ୟମକୁ କହିଥିଲେ। ଡାକ୍ତରଖାନାରେ ଶବବାହକ ଗାଡି ଯୋଗାଡ କରିବାକୁ ନେହୁରା ହେବା ସତ୍ତ୍ୱେ ସ୍ୱାସ୍ଥ୍ୟ କର୍ମଚାରୀ କେହି ଶୁଣିଲେନି। ଓଲଟି ଶୀଘ୍ର ଶଯ୍ୟାଖାଲି କରି ମୃତ ଦେହ ନେଇଯାଆ ବୋଲି ନର୍ସ ତାଗିଦ କରିଥିଲେ। ମାତ୍ର ଘଟଣାର ଦୁଇଦିନ ପରେ ଭବାନୀପାଟଣାରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ତଦନ୍ତ ପରେ ଦାନ ନିଜ ବୟାନ ବଦଳାଇ ଦେଇଥିଲେ। ସେ କହିଥିଲେ, ମୁଁ ଗରିବ ଆଦିବାସୀ ଲୋକ, କେବେ ଭବାନୀପାଟଣା ଡାକ୍ତରଖାନା ମୁଁ ଆସିନଥିଲି। ସ୍ତ୍ରୀ ମରିଗଲା ପରେ କାହାକୁ କିଛି ନଜଣାଇ ମୁଁ ଶବକୁ କାନ୍ଧରେ ବୋହି ଗାଁ ଅଭିମୁଖେ ବାହାରିଲି। ତେବେ ଜିଲ୍ଲାପାଳଙ୍କ ତଦନ୍ତ ପରେ ଦାନ ମାଝିଙ୍କ ବୟାନ ବଦଳାଇବା ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ପ୍ରଲୋଭନ ଓ ପ୍ରଶାସନିକ ଚାପ ଯୋଗୁଁ ଦାନ ମାଝୀ ବୟାନ ବଦଳାଇଥିବା ନେଇ ଆଲୋଚନା ଜୋର‌୍‍ ଧରିଥିବା ବେଳେ ଖୋଦ ଜିଲ୍ଲାପାଳ ଦାନ ମାଝୀଙ୍କୁ ସ୍ତ୍ରୀର ହତ୍ୟାକାରୀ କହିବା ଦାନ ମାଝୀଙ୍କୁ ଦୋହଲାଇ ଦେଇଛି।   ରାଜନୈତିକ ପ୍ରୟୋଗଶାଳା ମେଲଘରା   ଦାନ ମାଝୀ ତାଙ୍କ ସ୍ତ୍ରୀର ଶବକୁ କାନ୍ଧରେ ବୋହିନେବା ଘଟଣା ସମଗ୍ର ବିଶ୍ୱରେ ଚହଳ ପକାଇ ଥିବାବେଳେ ବିରୋଧୀ ଦଳମାନେ ଏହି ପ୍ରସଙ୍ଗରେ ଶାସକ ବିଜେଡି ଦଳ ଓ ଜିଲ୍ଲା ପ୍ରଶାସନକୁ ଘେରିବା ଆରମ୍ଭ କରିଛନ୍ତି। ଏହି ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ପୂର୍ବତନ ସାଂସଦ ତଥା ଏଆଇସିସି ସଂପାଦକଙ୍କ ନେତୃତ୍ୱରେ ସିଡିଏମ‌୍‍ଓ ଅଫିସ‌୍‍ ଓ ଉପଜିଲ୍ଲାପାଳ ଅଫିସ‌୍‍ ଘେରାଉ କରାଯାଇ ଘଟଣାରେ ଦୋଷୀ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଦାବି କରାଯାଇଛି। ସେହିପରି କଂଗ୍ରେସର ଏକ ତଥ୍ୟ ଅନୁସନ୍ଧାନ କରି ମେଲଘରା ଗାଁ ଗସ୍ତ କରିଥିବା ବେଳେ ଯୁବକଂଗ୍ରେସ ପକ୍ଷରୁ ଘୋଡାଘାଟ ଛକରେ ପ୍ରାୟ ଅଧଘଣ୍ଟା ଧରି ରାସ୍ତାରୋକ କରାଯାଇଥିଲା। କଂଗ୍ରେସ ପକ୍ଷରୁ ମେଲଘରା ଗାଁରୁ ପଦଯାତ୍ରା ମଧ୍ୟ ହୋଇଥିଲା। ରାଜ୍ୟ ବିଜେପିର ୫ ଜଣିଆ ପ୍ରତିନିଧି ମଣ୍ଡଳ ମେଲଘରା ଗସ୍ତ କରିଥିବା ବେଳେ ବିଜେପି ପକ୍ଷରୁ ସିଡିଏମ‌୍‍ଓ ଅଫିସ‌୍‍ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା ଦିଆଯାଇଥିଲା। ଆମ ଆଦମୀ ପାର୍ଟି  ଓ ଏନଜେପି ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଏବଂ ସଂପୃକ୍ତ ଦୋଷୀ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଉଚିତ‌୍‍ କାର୍ଯ୍ୟାନୁଷ୍ଠାନ ଦାବିକରି ଜିଲ୍ଲାପାଳଙ୍କ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଘଟଣାକୁ ନିନ୍ଦା କରିବା ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି କଳାହାଣ୍ଡି ଓକିଲ ସଂଘ।   ଦାନ ମାଝୀଙ୍କ ଦୁଃଖଭରା ପରିବାର   ଦାନ ମାଝୀଙ୍କ ୪ଟି ଝିଅ ଓ ଗୋଟିଏ ପୁଅ। ବଡଝିଅ ଚାପୁରୀ(୨୧) ଗତ ଦେଢ ବର୍ଷ ତଳେ କାଶିପୁରରେ ବିବାହ କରିଛନ୍ତି। ଦ୍ୱିତୀୟଟି ପୁଅ ସୁଶାନ୍ତ (୧୮)। ସେ ମାତ୍ର ଦ୍ୱିତୀୟ ତୃତୀୟ ଶ୍ରେଣୀ ପାଠ ପଢିଛି। ଚାଷ ଓ କାମଧନ୍ଧା କରି ବାପାକୁ ସହଯୋଗ କରୁଛି। ଝିଅ ଚାନ୍ଦିନୀ (୧୫) ଯିଏ ତା ମା’ର ଚିକିତ୍ସା ପାଇଁ ବାପାଙ୍କ ସାଙ୍ଗରେ ଭବାନୀପାଟଣା ଡାକ୍ତରଖାନା ଆସିଥିଲା ଓ ମା’ର ଶବକୁ କାନ୍ଧରେ ବୋହି ବାପା ଆସୁଥିବା ବେଳେ ସେ ଜିନିଷପତ୍ର ବ୍ୟାଗ ଧରି କାନ୍ଦି କାନ୍ଦି ଶବସହ ଫେରୁଥିଲା। ଚାନ୍ଦିନୀ ମଧ୍ୟ ପାଠ ପଢିନାହିଁ। ଚାନ୍ଦିନୀ ତଳେ ଆହୁରି ୨ ଭଉଣୀ ସୋନାଲି (୧୦) ଓ ପ୍ରମିଳା (୭)। ଏହି ଦୁଇ ଭଉଣୀ ମଧ୍ୟ ଅଧାରୁ ପାଠ ଛାଡି ଦେଇଛନ୍ତି। ମେଲଘରା ଗ୍ରାମର ଅଧିକାଂଶ ପୁଅଝିଅ ଅଧାରୁ ପାଠ ପଢା ବନ୍ଦ କରିଛନ୍ତି। ସବୁ ଶିଶୁ ପୁଷ୍ଟିହିନତାର ଶିକାର। ପ୍ରାୟ ଦୁଇବର୍ଷ ହେବ ଅମାଙ୍ଗ ଦେଇ ଯକ୍ଷ୍ମା ରୋଗରେ ପୀଡିତ ଥିଲେ। ନାକାରୁଣ୍ଡିରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଔଷଧ ଆଣି ଖାଉଥିଲେ। କିନ୍ତୁ ଭଲ ହେଉନଥିଲା। ପୂର୍ବରୁ ସେ  କେବେ ମଧ୍ୟ ଭବାନୀପାଟଣା ଡାକ୍ତରଖାନା ଯାଇ ନଥିଲେ।   ସରକାରୀ ସୁରକ୍ଷା ଢିଲା   ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସମୁଦାୟ ୧୬୬ଟି ଶଯ୍ୟା ରହିଛି। ମାତ୍ର ସେଠାରେ ଦିନକୁ ପ୍ରାୟ ୩୫୦ରୁ ୪୦୦ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୁଅନ୍ତି। ଏଣୁ ସେଠାରେ ଶଯ୍ୟା ଅଭାବ ଏକ ବଡ ସମସ୍ୟା। ରାତି ୧୦ଟାରୁ ସକାଳ ୮ଟା ଯାଏଁ  ଇନ‌୍‍ଡୋର ରୋଗୀଙ୍କ ଚିକିତ୍ସା ପାଇଁ ଦାୟିତ୍ୱରେ ରୁହନ୍ତି ଜଣେମାତ୍ର ଡାକ୍ତର। ତେଣୁ ଜରୁରୀ ରୋଗୀଙ୍କ ଅବସ୍ଥା କହିଲେ ନର୍ସଙ୍କ ଭରସା। ଏଭଳି ସ୍ଥିତିରେ ଅମାଙ୍ଗ ଦେଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିିତ ହେଉଥିବାବେଳେ ବିଳମ୍ୱିତ ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଗାଡିର ବନ୍ଦୋବସ୍ତ ନହେବାରୁ ଦାନ ନିଜ ସ୍ତ୍ରୀର ଶବକୁ କାନ୍ଧେଇ ଗାଁ ଅଭିମୁଖେ ଯାଇଥିଲେ। ଘଟଣା ଲୋକଲୋଚନକୁ ଆସିବା ପରେ ସିଡିଏମ‌୍‍ଓ ନିଜ ମୁଣ୍ଡରୁ ଅଠା ଛଡାଇବା ପାଇଁ ଅମାଙ୍ଗ ଦେଇଙ୍କୁ ମୃତ ଘୋଷଣା କରାଯାଇନଥିଲା କିମ୍ୱା ତାଙ୍କୁ ଡିସ‌୍‍ଚାର୍ଜ କରାଯାଇ ନଥିବା କହିଥିଲେ। ରୋଗୀ କଲ୍ୟାଣ ସମିତି ପକ୍ଷରୁ ଡାକ୍ତରଖାନାରେ ୧୨ ଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ଦାନ  ନିଜ ପତ୍ନିଙ୍କ ଶବ ବୋହିନେଲା ବେଳେ ଡାକ୍ତରଖାନା ପରିସରରେ ଥିବା ସୁରକ୍ଷା କର୍ମୀମାନେ କିଭଳି ଦେଖି ପାରିଲେ ନାହିଁ କିମ୍ୱା କୌଣସି ଯାଞ୍ଚ ହୋଇ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।   ନାକରୁଣ୍ଡିଠାରେ ଅପହଞ୍ଚ ସ୍ୱାସ୍ଥ୍ୟସେବା ଆଦିବାସୀ ଅଧ୍ୟୁସିତ ଥୁଆମୂଳ ରାମପୁର ବ୍ଲକର ନାକରୁଣ୍ଡିଠାରେ ରହିଛି ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର। ପୂର୍ବରୁ ଏହା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପରିଚାଳିତ ହେଉଥିଲା। କିନ୍ତୁ ଗମନାଗମନର ସୁବିଧା ନଥିବାରୁ ଏଠାରେ କୌଣସି ସରକାରୀ ଡାକ୍ତର କିମ୍ୱା ନର୍ସ ରହୁନଥିଲେ। ଫଳରେ ସେବା ମିଳୁ ନଥିଲା। ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ପଦ୍ଧତିରେ ଏକ ସେଚ୍ଛାସେବୀ ସଂସ୍ଥାକୁ ପରିଚାଳନା ପାଇଁ ଦିଆଯାଇଛି। ଏହା ସତ୍ତ୍ବେ ବର୍ତ୍ତମାନ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର ସମାନ ଅବସ୍ଥା। ସେଠାରେ  ଡାକ୍ତର ନିୟମିତ ରୁହନ୍ତି ନାହିଁ। ଜଣେ ଫାର୍ମାସିଷ୍ଟ ଦ୍ୱାରା ଚାଳିଛି ନାକରୁଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର। ମୋବାଇଲ‌୍‍ ନେଟ‌୍‍ୱାର୍କ ନଥିବାରୁ ଏହି ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ଜନନୀ ସୁରକ୍ଷା ଯୋଜନା ଓ ମାଗଣା ଆମ୍ୱୁଲାନ୍ସ ସେବା ଅପହଞ୍ଚ ରହିଛି। ଖଟିଆ ବା ଦୋଳିରେ ରୋଗୀକୁ ୨୦ କି.ମି ସାଇସୁରୁନି ପର୍ଯ୍ୟନ୍ତ ବୋହି ଆଣିଲେ ଯାଇ ବସ‌୍‍ଯୋଗେ ୫୦ କିମି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇପାରିବ। ମ୍ୟାଲେରିଆ ନିରାକରଣ, ଯକ୍ଷ୍ମା ନିୟନ୍ତ୍ରଣ ଓ ମମତା ଯୋଜନା ଏହି ଅଞ୍ଚଳବାସୀଙ୍କ ପାଇଁ ଅପହଞ୍ଚ ହୋଇ ରହିଛି।   ଦାନଙ୍କ ପାଇଁ ପରିଚିତ ମେଲଘରା   ଭବାନୀପାଟଣା-ଥୁଆମୂଳ ରାମପୁର ରାସ୍ତାରେ ୪୨ କି.ମି ଗଲାପରେ ପଡେ ସାଇସୁର‌୍‍ନି ଛକ। ସାଇସୁର‌୍‍ନିରୁ ବାମପଟେ ଜଙ୍ଗଲି ଖାଲଢିପ ରାସ୍ତାରେ ୧୫ କି.ମି ଗଲେପଡେ ନାକରୁଣ୍ଡି। ନାକରୁଣ୍ଡିଠାରୁ ଆହୁରି ୬ କି.ମି ଅଙ୍କାବଙ୍କା ରାସ୍ତା ଗଲାପରେ ପଡେ ମେଲଘରା ଗାଁ। ଭବାନୀପାଟଣାଠାରୁ ୬୦ କି.ମି ଦୂରରେ ପାହାଡ ପର୍ବତ ପରିବେଷ୍ଟିତ ଦୁର୍ଗମ ଅଞ୍ଚଳରେ ରହିଛି ମେଲଘରା ଗାଁ। ମେଲଘରା ଗାଁରେ ରହନ୍ତି ସମୁଦାୟ ୫୫ ଆଦିବାସୀ ପରିବାର, ଏହି ଗାଁର ଜନସଂଖ୍ୟା ୨୦୪। ଗାଁରେ ରହିଛି ଏକ ପ୍ରଥମିକ ବିଦ୍ୟାଳୟ।୩୮ ଜଣ ପିଲା ସେଠାରେ ନାମ ଲେଖାଇଛନ୍ତି। ସ୍କୁଲକୁ ନିୟମିତ ଶିକ୍ଷକ ଆସନ୍ତି ନାହିଁ। ସେଠାରେ ନିୟମିତ ପାଠପଢା ହୁଏନାହିଁ। କେବଳ ଗାଁର ପାଚିକା ମଧ୍ୟାହ୍ନ ଭୋଜନ ରୋଷେଇ କରି ପିଲାଙ୍କୁ ଖାଇବାକୁ ଦିଅନ୍ତି ବୋଲି ପ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଦାନ ମାଝୀଙ୍କ ପାଇଁ ଏବେ ରାଜନୈତିକ ପ୍ରୟୋଗଶାଳା ପାଲଟିଛି ମେଲଘରା ଗାଁ। ଦାନ ମାଝୀର ଦୁର୍ଦ୍ଦଶା ଦେଖିବା ପାଇଁ ଏବେ ନେତା ଓ ସରକାରୀ କର୍ମଚାରୀଙ୍କ ଭିଡ। ସ୍ୱାଧୀନତାର ୭୦ ବର୍ଷ ପରେ ଦାନ ମାଝିର ସାହସ ଓ ବଡପଣ ଯୋଗଁୁ ପ୍ରଶାସନ ଚେତିଛି ଓ ରାଜନେତା ଜାଗିଛନ୍ତି।

Share :