ଲୁଟେରାଙ୍କ ପ୍ରତି ତହସିଲଦାର ଦୟାବାନ!

ଲୁଟେରାଙ୍କ ପ୍ରତି ତହସିଲଦାର ଦୟାବାନ!

Share :

ଦର୍ପଣ ତହସିଲର ପଶ୍ଚିମ ବଡ଼ଚଣା ଅଞ୍ଚଳରେ ବିଭିନ୍ନ ମୌଜାରୁ ବର୍ଷାଧିକ କାଳ ହେଲା ନିର୍ଦ୍ଦିଷ୍ଟ କେତେଜଣ ଲୁଟେରାଙ୍କ ଦ୍ୱାରା ଲୁଟ‌୍‍ ହୋଇ ଆସିଥିବା କୋଟି କୋଟି ଟଙ୍କାର ମାଙ୍କଡ଼ା ପଥର ଘଟଣାରେ ତହସିଲଦାରଙ୍କ ଲୁଟେରାଙ୍କ ପ୍ରତି ରହି ଆସିଥିବା ଅହେତୁକ ଅନୁକମ୍ପା ଓ  ନିୟମିତ ରେଡ଼‌୍‍ କରି ଲୁଟେରାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ ଗଣମାଧ୍ୟମକୁ ବିଭିନ୍ନ ସମୟରେ ସେ ଦେଇଆସିଥିବା ବୟାନ ସଂପୂର୍ଣ୍ଣ ମିଥ୍ୟା ବୋଲି ଧରାପଡ଼ିଛି। ଆଇନଜୀଜୀବୀ ଉଦୟନାଥ ସାହୁ ଯାଜପୁର ଜିଲ୍ଲା ଦପ୍ତରରୁ ସୂଚନା ଅଧିକାର ଆଇନ ବଳରେ ହାସଲ କରିଥିବା ତହସିଲଦାରଙ୍କ ଗସ୍ତ ବିବରଣୀରୁ ଜଣାପଡ଼ିଛି ଯେ, ତହସିଲଦାର ଶ୍ରୀ ବିଶ୍ୱାଳ ୨୦୧୬ ମସିହାରେ ମେ ମାସ ସୁଦ୍ଧା ୫ ମାସ ମଧ୍ୟରେ ଅପ୍ରେଲ ମାସ ୧୮ ତାରିଖ ସକାଳ ୭ଟା ବେଳେ ସମିଆଁ ଆରଆଇ ସର୍କଲ ଅଞ୍ଚଳର ବେଆଇନ‌୍‍ ଖନନ ସ୍ଥାନମାନଙ୍କରେ ଚଢ଼ାଉ କରି ୨ ଗୋଟି ଟ୍ରକ‌୍‍ ଜବତ କରିଥିବା ଏବଂ ସେହିମାସ ୨୭ ତାରିଖ ସକାଳ ୬ଟା ବେଳେ ଦର୍ପଣ ଗଡ଼ ଆରଆଇ ସର୍କଲ ଅଞ୍ଚଳରେ ଚାଲିଥିବା ବେଆଇନ‌୍‍ ଖନନ ସ୍ଥାନମାନଙ୍କରେ ଚଢ଼ାଉ କରିଥିଲେ।   ସେହିଭଳି ମେ ମାସ ୧୭ ତାରିଖରେ ସେ ଦର୍ପଣ ଗଡ଼ ଆରଆଇ ସର୍କଲରେ ଚାଲିଥିବା ବିଭିନ୍ନ ବେଆଇନ‌୍‍ ଖାଦାନମାନଙ୍କରେ ଚଢ଼ାଉ କରି ଗୋଟିଏ ଜେସିବି ମେସିନ‌୍‍ ଓ ଗୋଟିଏ ହାଇୱା ଟ୍ରକ‌୍‍ ଜବତ‌୍‍ କରିଥିଲେ। ଠିକ‌୍‍ ସେମିତି ୨୦୧୫ ମସିହା ବର୍ଷକ ମଧ୍ୟରେ ସେ କେବଳ ଅକ୍ଟୋବର ୧୭ ତାରିଖ ସକାଳ ସାଢ଼େ ୧୦ ଟା ବେଳେ ସମିଆଁ ଆର‌୍‍ଆଇ ସର୍କଲ ଅଞ୍ଚଳର ବନ୍ଧପାଲୀ ଓ ବାଉଁଶମୂଳୀ ଠାରେ ଚାଲିଥିବା ବେଆଇନ‌୍‍ ଖନନ ସ୍ଥାନରେ ଚଢ଼ାଉ କରିଥିବା ଓ ପୁନଶ୍ଚ ସେହିମାସ ୧୯ ତାରିଖ ଅପରାହ୍ନ ୨ ଟା ୩୦ ମିନିଟ‌୍‍ରେ ସେହି ବନ୍ଧପାଲୀ ଓ ବାଉଁଶମୂଳୀ ମୌଜାର ବେଆଇନ‌୍‍ ଖନନ ସ୍ଥାନରେ ଚଢ଼ାଉ କରି ଏଥିରେ ନିୟୋଜିତ ଥିବା ଏକ ଜେସିବି ମେସିନକୁ ଜବତ‌୍‍ କରିଥିଲେ ବୋଲି ତାଙ୍କ ଗସ୍ତ ବିବରଣୀରେ ଉଲ୍ଲେଖ ରହିଛି। ମାତ୍ର ସମିଆଁ ଆରଆଇ ଶ୍ୟାମସୁନ୍ଦର ବିଶ୍ୱାଳ କହିଛନ୍ତି ଯେ ଅପ୍ରେଲ ମାସ ୧୮ ତାରିଖ ଦିନ ତହସିଲଦାର ନୁହଁନ୍ତି ବରଂ ସେ ନିଜେ ସେହି ୨ ଗୋଟି ଟ୍ରକ‌୍‍ ଜବତ କରି ବୈରୀ ପୋଲିସ‌୍‍କୁ ହସ୍ତାନ୍ତର କରିଥିଲେ।   ଏହା ହିଁ ପ୍ରମାଣିତ କରୁଛି ତହସିଲଦାର ଶ୍ରୀ ବିଶ୍ୱାଳ କେବଳ ଗଣମାଧ୍ୟମକୁ ନୁହେଁ ବରଂ ସରକାରଙ୍କୁ ମଧ୍ୟ ଦେଇଥିବା ତାଙ୍କର ଗସ୍ତ ବିବରଣୀ ସଂପୂର୍ଣ୍ଣ ଭାବେ ମିଥ୍ୟା ଅଟେ। ତାଙ୍କର ଗସ୍ତ ବିବରଣୀ ବୟାନ କରୁଛି ଯେ, ବ୍ୟାପକ ଭାବେ ଚାଲିଆସିଥିବା ବେଆଇନ‌୍‍ ମାଙ୍କଡ଼ା ପଥର ଲୁଟ‌୍‍ରେ ସରକାର ହରାଇ ଆସିଥିବା କୋଟି କୋଟି ଟଙ୍କାର ରାଜସ୍ୱକୁ ସୁରକ୍ଷା ଦେବାକୁ ସେ କେବେ ବି ସମ୍ୱେଦନଶୀଳ ନଥିଲେ। ବରଂ ତାଙ୍କର ସେ ସର୍ବଦା ଲୁଟେରାମାନଙ୍କ ବେଆଇନ‌୍‍ କାର୍ଯ୍ୟ ପ୍ରତି ଅନୁକମ୍ପା ମନୋଭାବ ପୋଷଣ କରିଆସିଥିଲେ ଓ ସେମାନଙ୍କ ସ୍ୱର୍ଥର ସୁରକ୍ଷା ପାଇଁ ଅଧିକ ଯତ୍ନବାନ‌୍‍ ଥିଲେ। ଯଦି ସ୍ଥାନୀୟ ବାସିନ୍ଦା କେବେ କେବେ ଅଭିଯୋଗ କରୁଥିଲେ ମଝିରେ ମଝିରେ ସେ ଲୋକ ଦେଖାଣିଆ ଚଢ଼ାଉ କରି ନିଜର ପାରିବା ପଣିଆ ଦେଖାଉଥିଲେ। ମାତ୍ର ସେ ନିୟମିତ ଚଢ଼ାଉ କରି ନାନା ପ୍ରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ନେଇ ବିଭିନ୍ନ ସମୟରେ ଗଣମାଧ୍ୟମ ନିକଟରେ କିଭଳି କଞ୍ଚା ମିଛ ବୟାନ ରଖୁଥିଲେ, ତାହା ସାଧାରଣରେ ଜଣେ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀଙ୍କ ସ୍ୱଚ୍ଛତା ନେଇ ବିସ୍ମୟ ପ୍ରକାଶ ପାଇଛି। ଏ କଥା ଅସତ୍ୟ ନୁହେଁ କି ଅତିରିକ୍ତ ତହସିଲଦାରଙ୍କ ସମେତ ବଡ଼ଚଣା ଓ ବୈରୀ ଥାନା ପୁଲିସ‌୍‍ ପକ୍ଷରୁ ଅନେକ ସମୟରେ ବେଆଇନ‌୍‍ ମାଙ୍କଡ଼ା ପଥର ପରିବହନ କାର୍ଯ୍ୟରେ ନିୟୋଜିତ ଅନେକ ଟ୍ରକ‌୍‍ ଓ ପାୱାର ଟିଲର‌୍‍ ଜବତ ହୋଇଛି।   ଉଲ୍ଲେଖ ଥାଉକି, ଏହି ତହସିଲ ଅନ୍ତର୍ଗତ ବୈରୀ, ବରୁଣିଆ, ଖଜୁରିଆ, ନଳୀଦା, ବନ୍ଧାପାଲୀ, ସମିଆଁ, ରାଇଝର, ଗୋପାଳପୁର, ବାଉଁଶମୂଳୀ, ସିହା, ପଥରକଟା, କୋଲସାହି, କୁମ୍ଭାରଖାତ, ଯୋରାବାଟି, କପାଷ୍ଟିକିରୀ ଭଳି ବହୁ ମ୍ଭୋଜାରେ ଲୁଟେରାମାନେ ଦିନ ଦିପ୍ରହରରେ ଜେସିବି ମେସିନ‌୍‍ ଓ ପାୱାର ଟିଲର ବ୍ୟବହାର କରି ଦୈନିକ ଶତାଧିକ ଟ୍ରକ‌୍‍ ମାଙ୍କଡ଼ା ପଥର ବିଭିନ୍ନ ସ୍ଥାନକୁ ପରିବହନ କରି ଏଥିରୁ କୋଟି କୋଟି ଟଙ୍କା ଆୟକରି ଗର୍ଭସ୍ଥ କରିଛନ୍ତି। ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଭାବେ ପରିବେଶ ପ୍ରଦୂଷିତ ହେବା ଓ ବଡ଼ ବଡ଼ ଖାଲମାନ ସଷ୍ଟି ହୋଇ ଜନ ଜୀବନକୁ ପ୍ରଭାବିତ କରି ଆସିଛି। ଏଥିନେଇ ଯେତେ ଅଭିଯୋଗ ହେଲେ ମଧ୍ୟ ତହସିଲ କତ୍ତୃର୍ପକ୍ଷଙ୍କ ଏଭଳି ବେଆଇନ‌୍‍  କାର୍ଯ୍ୟ ପ୍ରତି ସର୍ବଦା ନରମ ମନୋଭାବ ପୋଷଣ  ଲୁଟେରାମାନଙ୍କୁ ଉତ୍ସାହିତ କରିଆସିଛି। ଏହାକୁ ବନ୍ଦ କରିବା ଓ ଲୁଟେରାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାରମ୍ୱାର ଅଭିଯୋଗ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଇନଜୀବୀ ଉଦୟନାଥ ସାହୁ ଗତ ଜୁନ‌୍‍ ୧ ତରିଖରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଥିଲେ। ଜୁନ‌୍‍ ୭ ତାରିଖରେ ଏହା ଉପରେ ସେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଓ ସସ୍ତାହକ ମଧ୍ୟରେ ଯେଉଁ ସରକାରୀ ଜମିରେ ବେଆଇନ‌୍‍ ଖନନ ହେଉଛି ସେଠାରେ ୧୪୪ ଧାରା ଜାରି କରିବେ ବୋଲି ତହସିଲଦାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଶ୍ରୀ ସାହୁ ଆମରଣ ଅନଶନ ଭଙ୍ଗ କରିଥିଲେ ମଧ୍ୟ ତହସିଲଦାର ପରିବର୍ତ୍ତି ସମୟରେ ଏଥିନେଇ ତତ୍ପରତା ପ୍ରକାଶ କରି ନଥିବା ଦେଖିବାକୁ ମିଳିଥିଲା। ପ୍ରତିଶ୍ରୁତିର ଦେଢ଼ମାସ ପରେ ଜୁଲାଇ ୨୩ ତାରିଖ ଦିନ ତହସିଲଦାର  କେତୋଟି ମ୍ଭୋଜାରେ ୧୪୪ ଧାରା ଜାରି କରିବାକୁ ଆଦେଶ ଦେଇଥିଲେ ବି ଏହାକୁ କାର୍ଯ୍ୟକାରୀ କରିବାରେ ମଧ୍ୟ ଅନ୍ତରିକତା ଦେଖାଇ ନଥିଲେ।   ଅଦେଶ ହେବାର ୨୮ ଦିନ ପରେ ଅଗଷ୍ଟ ୧୯ ତାରିଖ ଦିନ ୧୪୪ ଧାରା ଜାରୀ ନାମରେ କର୍ମଚାରୀମାନେ କେତୋଟି ବେଆଇନ‌୍‍ ଖନନ ସ୍ଥାନରେ ନାଲି ପତାକା ଉଡ଼ାଇ ଥିବା ଦେଖାଯାଇଛି। ମାତ୍ର ଯେତେବେଳେ ଏହି ସ୍ଥାନମାନଙ୍କରେ ଏବେ ପାଣି ଭର୍ତ୍ତି ହେବା ଯୋଗଁୁ ଲୁଟେରାମାନେ ସେମାନଙ୍କର ଲୁଟ‌୍‍ପାଟ‌୍‍କୁ ବନ୍ଦ ରଖିଛନ୍ତି। ତେଣୁ ପ୍ରଶାସନର ଏଭଳି ପଦକ୍ଷେପ ଅଧିକାରୀଙ୍କ ସ୍ୱଚ୍ଛତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି। ପ୍ରଶାସନର ଏହି ପଦକ୍ଷେପକୁ ଲୁଟେରାମାନେ ବେଖାତିର କରି ଏବେ ବି ବାଘୁଆ, ଯୋରାବାଟୀ ଓ କୋଲସାହି ମୌଜାର କେତୋଟି ଉଚ୍ଚାଳିଆ ସ୍ଥାନରେ ବେଆଇନ‌୍‍ ମାଙ୍କଡ଼ା ପଥର ଖନନ କାର୍ଯ୍ୟ ଜାରୀ ରଖିଥିବା ଅଭିଯୋଗ ହୋଇଛି।

Share :