ଇଏ କ’ଣ ସମୃଦ୍ଧିର ଚିତ୍ର?

ଇଏ କ’ଣ ସମୃଦ୍ଧିର ଚିତ୍ର?

Share :

ଆସ୍କାର ସପ୍ତମ ଶ୍ରେଣୀ ଛାତ୍ରୀ ଜୟନ୍ତୀ ପରେ ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକର ଦଶମ ଶ୍ରେଣୀ ଛାତ୍ରୀ କନକଲତା ଭତ୍ରାର ଆତ୍ମହତ୍ୟା ଉଦ୍ୟମ ଖବରକୁ ଅନେକ ଲୋକ ଭୁଲିଯିବେଣି | ଏପରି ସେମାନଙ୍କ ବାପାମା’ ମଧ୍ୟ ଏହି ଦୁଃଖଦ ଘଟଣାକୁ ପଛରେ ଛାଡ଼ି ଜୀବନଯୁଦ୍ଧରେ ଆହୁରି କିଛି ବାଟ ଆଗେଇ କିମ୍ବା ପଛେଇ ଯିବେଣି | ଏ ଘଟଣା କିନ୍ତୁ ଥିଲା ରାଜ୍ୟ ସରକାରଙ୍କ ବିକାଶ ଓ ସୁଶାସନ ଦାବି ପ୍ରତି ଶକ୍ତ ଉପହାସ | ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଜୟନ୍ତୀ ଯେମିତି ବାପାମା’ଙ୍କ ଦାରିଦ୍ର୍ୟ ଯୋଗୁଁ ମାତ୍ର କେଇ ଟଙ୍କାର ଖାତା ଓ ପେନ୍ସିଲ୍ କିଣି ନପାରି ସ୍କୁଲରେ ଅପମାନିତ ହେବା ଆଶଙ୍କାରେ ଦେହରେ କିରୋସିନ୍ ଢାଳି ଆତ୍ମଦାହ କଲା ସେହିପରି ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକର କନକ ଭତ୍ରା ନାମ୍ନୀ ଜଣେ ଦଶମ ଶ୍ରେଣୀର ଛାତ୍ରୀ ସ୍କୁଲରେ 148 ଟଙ୍କା ଦରମା ଦେଇ ନପାରି ଅପମାନିତ ହେବା ଆଶଙ୍କାରେ ଆତ୍ମଦାହ ଉଦ୍ୟମ କରି ଅନେକ ଦିନ ଯାଏଁ ହସପିଟାଲରେ ଛଟପଟ ହୋଇଥିଲା | ତା’ ବାପାମା’ ମଧ୍ୟ ଏହି ଦରମା ଟଙ୍କା ଦେଇ ପାରିନଥିଲେ | ଏ ଦୁଇଟି ଯାକ ଘଟଣା କ’ଣ କାଳ୍ପନିକ ? ଏହା ପଛରେ କ’ଣ କିଛି ବି ସତ୍ୟତା ନାହିଁ ? ଆସ୍କାର ଜୟନ୍ତୀ କଥା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ଚେତିଥିଲା | କିନ୍ତୁ ସେତେବେଳକୁ ନେଡ଼ି ଗୁଡ଼ କହୁଣୀକୁ ବୋହି ଗଲାଣି | ତେଣୁ କନକ ଭତ୍ରା ଘଟଣାରେ ଦୋଷଛଡ଼ା ହେବା ପାଇଁ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ହସ୍ପିଟାଲ୍ ଯାଇ ତାଙ୍କୁ ଦେଖା କରିଥିଲେ | ମୁଖ୍ୟମନ୍ତ୍ରୀ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ | ଏହା ଥିଲା ଗଣମାଧ୍ୟମରେ ପ୍ରଚାର ପାଇଁ ଉଦ୍ଦିଷ୍ଟ | କନକ ଭତ୍ରା ଆତ୍ମଦାହ ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ କାହିଁକି ଏତେ ତତ୍ପର ହୋଇଥିଲେ ? ସେମାନଙ୍କ ଶାସନ କାଳରେ ଲୋକେ ଘିଅମହୁରେ ଭାସୁଛନ୍ତି ବୋଲି ପ୍ରଚାର ଚାଲିଥିବାବେଳେ ଖାତା ପେନ୍ସିଲ୍ କିଣିବା ପାଇଁ ଟଙ୍କା କୋଡ଼ିଏଟା ନପାଇ ବିଚାରୀ ଜୟନ୍ତୀ ଏବଂ ଦେଢ଼ ଶହ ଟଙ୍କା ସ୍କୁଲ ଦରମା ଦେଇ ନପାରି କନକଙ୍କ ଆତ୍ମଦାହ ଘଟଣା ତାହାକୁ ଫୁତ୍କାରରେ ଉଡ଼ାଇ ଦେଇଥିଲା | ୨୦୧୫ ବର୍ଷରେ ରାଜ୍ୟ ସାରା ଘଟିଥିବା ପ୍ରାୟ ୨୦୦ ଚାଷୀଙ୍କ ଆତ୍ମହତ୍ୟା ଘଟଣା ମଧ୍ୟ ରାଜ୍ୟର ସର୍ବଙ୍ଗୀନ ବିକାଶର ସ୍ଲୋଗାନ କିପରି କେବଳ ଏକ ପମ୍ପା ଆବାଜ ତାହା ପ୍ରମାଣିତ କରିଛି | ଲୋକେ ଯଦି ଭଲରେ ଥାଆନ୍ତେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ସବୁ ଯଦି ସେମାନଙ୍କ ନିକଟରେ ପହଞ୍ଚୁଥାଆନ୍ତା, ସେମାନେ ଯଦି ଉପଯୁକ୍ତ ଉପାର୍ଜନ କରିବାର ଉପଯୁକ୍ତ ସୁଯୋଗ ଓ ସୁବିଧା ପାଉଥାନ୍ତେ, ସେମାନଙ୍କର ପ୍ରକୃତ ମଙ୍ଗଳ ପାଇଁ ଯଦି ଶାସନ ଓ ପ୍ରଶାସନ ନିଷ୍ଠାପର ଭାବରେ କାର୍ଯ୍ୟ କରୁଥାଆନ୍ତେ ତେବେ ଜୟନ୍ତୀ ଓ କନକ ଆତ୍ମଦାହ କରିବା ଭଳି ଘଟଣା ଘଟି ନଥାନ୍ତା | ଏ ଦୁଇଟି ଘଟଣା ଉପରେ ରାଜ୍ୟ ସରକାରଙ୍କର ଚେତନା ଉଦୟ ହେଲା କି ନାହିଁ କହିହେବ ନାହିଁ | ରାଜ୍ୟରେ ଶାସନ ଓ ପ୍ରଶାସନ କିଭଳି ଚାଲିଛି, ଦାରିଦ୍ର୍ୟ ଦୂରୀକରଣ ଯୋଜନା ସବୁ କିଭଳି କାର୍ଯ୍ୟକାରୀ ହେଉଛି, ଲୋକଙ୍କ ରୋଜଗାର ବଢ଼ୁଛି ନା ଖର୍ଚ୍ଚ ବଢ଼ୁଛି, ସେମାନଙ୍କର କ୍ରୟଶକ୍ତି ବୃଦ୍ଧି ପାଉଛି ନା କମୁଛି, ସେମାନଙ୍କର ସମୃଦ୍ଧି ଓ ସ୍ବାଭିମାନ ଶକ୍ତିଶାଳୀ ହେଉଛି ନା ଦୁର୍ବଳ ହେଉଛି- ଏସବୁ ବିଷୟରେ ସଠିକ୍ ଚିତ୍ର ପାଇବା ପାଇଁ ସରକାର ଏକ ନିରପେକ୍ଷ ଆକଳନ କରିବା ଉଚିତ | ସେଥିପାଇଁ ଦରକାର ହେଲେ ରାଜ୍ୟର ବେସରକାରୀ ସ୍ତରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନଙ୍କୁ ଦାୟିତ୍ବ ଦିଆଯିବା ଉଚିତ | କେବଳ ଏଇ ଦୁଇଟି ଘଟଣା ନୁହେଁ, ଏଇ ସରକାରଙ୍କର ୧୫ ବର୍ଷ ଭିତରେ ଘଟିଥିବା ଆଉ ଦୁଇଟି ଘଟଣା ମଧ୍ୟ ରାଜ୍ୟବାସୀଙ୍କ ମାନସିକ ଓ ଆର୍ଥତ୍କ ଅବସ୍ଥାର ଚିତ୍ର ପ୍ରଦାନ କରିଛି | ଛବି ବର୍ଦ୍ଧନ ନାମକ ବିଜେଡିର ଜଣେ ସକ୍ରିୟ କର୍ମୀ କେଇ ବର୍ଷ ତଳେ ତାଙ୍କ ଅଞ୍ଚଳର ବିଧାୟକ ଅରୁଣ ସାହୁଙ୍କ ସରକାରୀ କ୍ବାର୍ଟରେ ରହସ୍ୟଜନକ ଭାବେ ପ୍ରାଣ ହରାଇଥିଲେ | ସେ ଆତ୍ମହତ୍ୟା କରିଥିଲେ ବୋଲି କୁହାଗଲା | ବିଜେଡିର ଅନେକ ବିଧାୟକଙ୍କ ସଂପତ୍ତି ପ୍ରତି 5 ବର୍ଷରେ ଥରେ କେଇ ଗୁଣ ବୃଦ୍ଧି ପାଉଥିବାବେଳେ ଏହି ଦଳର ଛାମୁଆ କର୍ମୀମାନେ ଅର୍ଥାଭାବ ଓ ମାନସିକ ଦୁଶ୍ଚିନ୍ତାରୁ ସେମାନଙ୍କ ନେତାଙ୍କ ଘରେ ଆତ୍ମହତ୍ୟା କରିବା କି ସଙ୍କେତ ପ୍ରଦାନ କରୁଛି ? ସେହିପରି ବିଜୁ ମହିଳା ଜନତା ଦଳର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ସରକାରୀ କ୍ବାର୍ଟରେର ତାଙ୍କ ନିର୍ବାଚନ ମଣ୍ଡଳୀ ବିଞ୍ଝାରପୁର ଜଣେ ସକ୍ରିୟ ଦଳୀୟ କର୍ମୀ ସୁରେନ୍ଦ୍ର ରାଉତରାୟ ଆତ୍ମହତ୍ୟା କରିବା ଖବର ମଧ୍ୟ ଚର୍ଚ୍ଚାକୁ ଆସିଥିଲା | ତାଙ୍କ ଆତ୍ମହତ୍ୟାର କାରଣ ମଧ୍ୟ ଦାରିଦ୍ର୍ୟ ଓ ଅସହାୟତା | ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଥିଲା | ସେ ଜଣେ ରାଜନୀତିକ କର୍ମୀ ହୋଇଥିବାରୁ ତାଙ୍କ ବିରୋଧରେ ଏପରି ମାମଲା ଦାଏର ହୋଇଥିଲା ବୋଲି ତାଙ୍କ ବିଧବା ପତ୍ନୀ କହିଛନ୍ତି | ଏହି କେସ୍ ଦଫାରଫା କରିବା ପାଇଁ ଅଭିଯୋଗକାରୀମାନେ ଏକ ଲକ୍ଷ ଟଙ୍କା ଦାବି କରୁଥିଲେ | ଅର୍ଥାତ, ସୁଶାସିତ ଏକ ରାଜ୍ୟର କେତେକ ଲୋକ ଶାସନ କ୍ଷମତାରେ ଥିବା ଦଳର କର୍ମୀଙ୍କୁ ମଧ୍ୟ ବ୍ଲାକ୍ ମେଲ୍ କରି ଅର୍ଥ ରୋଜଗାର କରିବାକୁ ସାହସ ପାଇଛନ୍ତି ବୋଲି ଧରିବାକୁ ହେବ | ସେହିପରି ତାଙ୍କ ପିଲାର ଜନ୍ମଦିନ ପାଳିବା ପାଇଁ ମଧ୍ୟ ସୁରେନ୍ଦ୍ରଙ୍କ ନିକଟରେ ଅର୍ଥାଭାବ ଥିଲା | ଏହି ଦୁଃଖ ଜଣେଇବାକୁ ସେ ବିଧାୟିକାଙ୍କ ଘରକୁ ଆସି ନିରାଶ ହେବା ପରେ ଆତ୍ମହତ୍ୟା କରିଥିଲେ ବୋଲି କଥା ଉଠିଥିଲା | ଏ ଘଟଣାର ସଂକେତ କ’ଣ ? ଏତିକି କେବଳ ନୁହେଁ, ରାଜଧାନୀ ଭୁବନେଶ୍ବରରେ ଶିଶୁବିକ୍ରିରୁ ଆରମ୍ଭ କରି ବରଗଡ଼, ସମ୍ବଲପୁର, କଳାହାଣ୍ଡି, ଖୋର୍ଦ୍ଧା, ଯାଜପୁର, ସୁନ୍ଦରଗଡ଼, ବଲାଙ୍ଗୀର, ନୂଆପଡ଼ା, ଗଂଜାମ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଜିଲ୍ଲାରେ ଘଟି ଚାଲିଥିବା କୃଷକ ଆତ୍ମହତ୍ୟା ଘଟଣା ଇତ୍ୟା କ’ଣ ବିକାଶ ଓ ସୁଶାସନର ଚିତ୍ର ପ୍ରଦର୍ଶନ କରେ ? ତଥାପି ଶାସନ ଓ ପ୍ରଶାସନରେ ଏଭଳି ଦାବି କରୁଥିବା ଲୋକଙ୍କ ସଂଖ୍ୟା କିଛି କମ୍ ନୁହେଁ | ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳା ସଶକ୍ତିକରଣ ଯେପରି ଏକ ମରିଚୀକାରେ ପରିଣତ ହୋଇଛି ସେହିପରି ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନା ସତ୍ତ୍ବେ ଏହି ଲକ୍ଷ୍ୟ ମଧ୍ୟ ହାସଲ ହୋଇନାହିଁ | ଦ୍ରୁତ ଶିଳ୍ପାୟନ, ସହରାୟନ, ପ୍ରଦୂଷଣ, ଚାଷଜମି ହସ୍ତାନ୍ତର, ଜଳ ଓ ଜଙ୍ଗଲ ଏବଂ ଖଣି ପରି ସଂପଦର ଶାଗମାଛ ମୂଲ୍ୟରେ ନିଲାମ ସତ୍ତ୍ବେ ଓଡ଼ିଶାର ଗାଁରୁ ଆରମ୍ଭ କରି ସହରରେ ଯଦି ଏପରି ସବୁ ଘଟଣା ଘଟେ ତେବେ ସମୃଦ୍ଧି ଓ ସ୍ବାଭିମାନର ସ୍ଲୋଗାନର ଦମ୍ କେତେ ତାହା କ’ଣ କେହି ଜାଣିପାରୁ ନାହାନ୍ତି ବୋଲି ଧରାଯିବ ?

Share :