ଦାନ ମାଝୀ

ଦାନ ମାଝୀ

Share :

ମୃତ୍ୟୁଞ୍ଜୟ ବେହେରା   ଦାନ ମାଝୀର କାନ୍ଧରେ କାହାର ଏ ଶବ? ଗୋଟେ ଅସହାୟ ଦାରିଦ୍ର୍ୟର? ଗୋଟେ ନିର୍ଯ୍ୟାତିତ ଭାଗ୍ୟର? ଗୋଟେ ପ୍ରତାରିତ ବିଶ୍ୱାସର? ଗୋଟେ ନିଷ୍ପେଷିତ ମଣିଷପଣିଆର? ନା ତାର ସ୍ତ୍ରୀ ଅମାଙ୍ଗ ଦେଈର?   ଦୂରରୁ କେମିତି ଦିଶେ ଦାନ ମାଝୀ? ନିଜର ଭାଗ୍ୟକୁ ବେତାଳ ପରି କାନ୍ଧରେ ଝୁଲେଇ ବୀରଦର୍ପରେ ଚାଲୁଥିବା ବିକ୍ରମାଦିତ୍ୟ ପରି? ନା ସତୀର ଶବକୁ କାନ୍ଧରେ ବୋହି ବାଚାଳ ପରି ଘୂରି ବୁଲୁଥିବା ଶିବଙ୍କ ପରି? ଜଙ୍ଗଲରୁ କାଠଗୋଛା ଧରି ଫେରୁଥିବା କ୍ଳାନ୍ତ ମଣିଷଟିଏ ପରି? ନା ଲହୁ ଲୁହ ନିଗିଡି ପଡୁଥିବା ଭାରତର ମାନଚିତ୍ରଟିଏ ପରି?   ଆହା! ଦାନ ମାଝୀର ସରଳ ମୁହଁଟି କ’ଣ କହେ ସତରେ? କ’ଣ କହେ ତାର ଲୁହ ଡବଡବ ଚାହାଣୀ? ସେଥିରେ କ’ଣ ଭରି ରହିଥାଏ ଗୋଟେ ମାନବିକତାହୀନ ସମାଜ ପ୍ରତି ତାଚ୍ଛଲ୍ୟ? ଗୋଟେ ସ୍ୱାର୍ଥସର୍ବସ୍ୱ ସେବା ପ୍ରତି ଘୃଣା? ଗୋଟେ ସମ୍ୱେଦନାହୀନ ଶାସନ ପ୍ରତି କଟାକ୍ଷ? ନା ଗୋଟେ ହୃଦୟହୀନ ବ୍ୟବସ୍ଥା ପ୍ରତି ନୀରବ ପ୍ରତିବାଦ?   ହୁଏତ ଦାନ ମାଝୀ ଅନେକ ଅସମାହିତ ପ୍ରଶ୍ନର ଗୋଟେ ବିରାଟ ପ୍ରଶ୍ୱବାଚୀ, ଯିଏ କାହାର ଦରଦ କି ଦୟାକୁ ଅପେକ୍ଷା କରେ ନାହିଁ, ଯିଏ ନିଜର ସ୍ୱାଭିମାନକୁ ବିକିପାରେ ନାହିଁ, ଯିଏ ନିଜର ପ୍ରେମ ଓ ପ୍ରତିବଦ୍ଧତାକୁ ଡାକ୍ତଖାନା ବାରଂଡାରେ ଛାଡିଦେଇ ଚାଲିଯାଇପାରେ ନାହିଁ, ପୁଣି ଯିଏ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ଭବାନୀପାଟଣାରୁ ଥୁଆମୂଳ ରାମପୁର ୬୦ କିଲୋମିଟର ଦୂର ଗାଁକୁ ପାଦରେ ଚାଲିଯିବାକୁ ସାହାସ କରିପାରେ।   ଆହା! ଦାନ ମାଝୀ ପରି ସରଳ ମଣିଷଟିର କ’ଣ ବା ଅଭିଯୋଗ ଥାଇପାରେ ଏ ସମାଜ ପାଖରେ? ଏ ଶାସନ ପାଖରେ? ଏ ବ୍ୟବସ୍ଥା ପାଖରେ? କିଏ ବା ଦେବ ତାକୁ ସେ ଅଧିକାର?   mrutyunjaya.behera@gmail.com

Share :