ଦାନ ମାଝୀ କିଏ ଯେ?

ଦାନ ମାଝୀ କିଏ ଯେ?

Share :

ପରଂବ୍ରହ୍ମ ତ୍ରିପାଠୀ   ଚାରି ଦିନ ହେଲାଣି ଗୋଟେ ପାଲା ଚାଲିଛି। କ’ଣ ନା ଦାନ ମାଝୀ, ଦାନ ମାଝୀ, ଦାନ ମାଝୀ? କିଏ ଯେ ସିଏ? ଅଲମ୍ପିକରେ ପଦକ ଜିତିଲା, ପାକିସ୍ତାନରୁ ବେଲୁଚିସ୍ତାନକୁ ଅଲଗା କଲା ନା ମଙ୍ଗଳକୁ ଉପଗ୍ରହ ପଠେଇଲା? କିଏ ସିଏ? ଆଇଆଇଟି, ଆଇଆଇଏମରୁ ପଢି, କେତେ କ’ଣ ଡିଗ୍ରୀ କରି ଆମ ନାଁ ଥରେ ବି ଖବର କାଗଜରେ ବାହାରି ପାରୁନି! ଆଉ ଚାରି ଦିନ ହେଲା ବିବିସି, ସିଏନଏନଠାରୁ ଆରମ୍ଭ କରି ସବୁଠି ଦାନ ମାଝୀ? ଯାତ୍ରା ଚାଲିଛି ନା କ’ଣ?   ଏଇଟା ନିଶ୍ଚିତ ଗୋଟାଏ ଚକ୍ରାନ୍ତ! ନହେଲେ ଦେଖୁ ନାହାନ୍ତି, ସେଇ ଦିନ ପରା ଆମ ମୁଖ୍ୟ ନବେ, ବିଦ୍ୟା ରାଣ, ନବେ ହଜାର କୋଟି ଟଙ୍କା ଆଣିଲେ ରାଜ୍ୟର ଶିଳ୍ପ ବିକାଶ ପାଇଁ। ତାଙ୍କ ମୁଖିଆ, ମାନେ ଆମ ପ୍ରଧାନ ସେବକ, କୁଆଡେ ସେଇ ଦିନର ରିପୋର୍ଟ ଅନୁସାରେ ହେଉଛନ୍ତି ପୃଥିବୀର ସପ୍ତମ ଧନୀ ଦେଶର ପ୍ରଧାନ। ମୁଖିଆଙ୍କ ପୂର୍ବରୁ ଯିଏ ଥିଲେ, ମହାତ୍ମାଙ୍କ ବଂଶଧର ମ, ସିଏ ପରା ଦାନ ମାଝୀ ଆଉ ତାଙ୍କ ଭାଇ କୁଟୁମ୍ବଙ୍କ ପାଇଁ କାହିଁ କେତେ ହଜାର କୋଟି ଫୋପାଡି ଦେଇଛନ୍ତି!   ଉତ୍କଳ ଜନନୀ ଆଉ ଭରତ ମାତାର ସମ୍ମାନ ତଳିତଳାନ୍ତ କରିବାକୁ ଗୋଟେ ପାଲା ଚାଲିଛି ଆଜ୍ଞା! ଟିଭିରେ, ଖବର କାଗଜରେ, ଫେସବୁକରେ ଯେଉଁଠି ଦେଖ ଦାନ ମାଝୀ! ସବୁ ଚକ୍ରାନ୍ତ ଆଜ୍ଞା, ସବୁ ଚକ୍ରାନ୍ତ!   ହେଇ ପାରେ ଆଜ୍ଞା!   ଦାନ ମାଝୀ ଗୋଟେ ମଦୁଆ। ଦାନ ମାଝୀ ବୁଝେନି କ’ଣ କରିବାକୁ ହେବ। ଦାନ ମାଝୀ ହେଉଛି କେନ୍ଦ୍ର ଅବହେଳାର ନମୁନା, ନହେଲେ ବିରୋଧୀଙ୍କ ଚାଲା! ଦାନ ମାଝୀ ବୋଧ ହୁଏ ମାଓବାଦୀ ହେବାକୁ ମନସ୍ଥ କରିସାରିଥିଲା- ଏଇଆ ବାକି ରହିଲା ନା କହିବାକୁ ଆଜ୍ଞା! କହି ଦିଅନ୍ତୁ, ଓରିମାନ ମେଣ୍ଟି ଯିବ!   ହେଲେ କେତେ ଦିନ? କେତେ ଦିନ ଭୁଆଁ ବୁଲେଇ ଚାଲିଥିବେ? ଆଉ କାହାକୁ ବୁଲେଇବେ? ସେଇମାନଙ୍କୁ ନା ଯେଉଁମାନଙ୍କ ପାଇଁ ଆପଣ ତିଆରି କରିଛନ୍ତି ଗରିବୀ ହଟାଓ, ସବକା ସାଥ, ଓଡିଶା ଲୋକଙ୍କ ବଳ ଭଳି ଲୋଭନୀୟ ସ୍ଲୋଗାନ? ସେମାନେ ତ ମୂର୍ଖ, ଆଦିବାସୀ, ଦଳିତ, ଗରିବ, ସଂଖ୍ୟାଲଘୁ। ସେମାନେ ଆଉ ଥରେ ଭୁଆଁ ବୁଲିଯିବେ। ହେଲେ ଆପଣ ପରା ପଢୁଆ! କେବେ ଭାବିଛନ୍ତି ଦାନ ମାଝୀ କ’ଣ ଉଠେଇ କି ଯାଉଥିଲା?   ମାଲିକେ, ସେଇଟା କେବଳ ତା ସ୍ତ୍ରୀର ଶବ ନୁହେଁ। ମନେ ରଖନ୍ତୁ, ସେଇଟା ହେଉଛି ଯକ୍ଷ୍ମା ନିରାକରଣ ଯୋଜନାରେ ଖର୍ଚ ହେଇଥିବା ହଜାର ହଜାର କୋଟି ଟଙ୍କା ପୋଷ୍ଟ ମୋର୍ଟମ ରିପୋର୍ଟ। ଯାହାକୁ ଆପଣ, ଆପଣଙ୍କ ବାବୁ ଆଉ ଏବର ନୂଆ ନୂଆ ଧୋବଧଉଳିଆ ଏନଜିଓ ସାର୍‌ ମାନେ ମର୍ଡର କରିଥିଲେ। ଦାନ ମାଝୀ ଉଠେଇ କି ଯାଉଥିଲା ଭୁଲୁଣ୍ଠିତ ମାନବିକତାର ସେଇ ବୋଝଟି, ଯାହା ଆମକୁ ଇଂରାଜୀ କି ଓଡିଆ କୌଣସି ମାଧ୍ୟମ ବିଦ୍ୟାଳୟର ବସ୍ତାନିରେ କେବେ ବି ଦିଆଯାଇନି। ମାଝୀ ଉଠେଇ ଚାଲିଥିଲା ସେଇ ନ୍ୟୁନତମ ଉତ୍ତର ଦାୟିତ୍ଵକୁ  ଯାହା ପ୍ରଭୁତ୍ଵ ସାଙ୍ଗରେ ରାମାୟଣ ଓ ମହାଭାରତ ଯୁଗରେ ବି ରାମ କୃଷ୍ଣ ଆଉ ଦଶରଥଙ୍କ ପାଖେ ଥିଲା, ହେଲେ ଆମ ନୂଆ ରାଜା ତାଙ୍କ ମନ୍ତ୍ରୀ ଅମାତ୍ୟଙ୍କ ପାଖେ ନାହିଁ।   ଦାନ ମାଝୀ ଓଡିଶାର ଇଜ୍ଜତ ସାରିଦେଲା। ଆଜ୍ଞା ହଁ, ଟଙ୍କିକିଆ ଚାଉଳ ଆଉ ପାଞ୍ଚ ଟଙ୍କିଆ ଆହାର ହିଁ ଓଡିଶାର ଗର୍ବ ଓ ଗୌରବ। ସେଇଟା ନିଶ୍ଚିତ ତଳେ ପଡିଗଲା।   ହେଲେ ଇଏ କ’ଣ ଶେଷ ଦାନ ମାଝୀ? ଦାନ ମାଝୀ କଣ ଜାତି, ଜିଲ୍ଲା, ଧର୍ମ ଓ ଲିଙ୍ଗର ବନ୍ଧନୀ ଭିତରେ ଆବଦ୍ଧ? ଏଠି ଫନସ ପୁଞ୍ଜି ଜନ୍ମ ଦିଏ ବନିତା ପୁଞ୍ଜିକୁ, ଯିଏ ତାର ଛୁଆକୁ ୨୦ ଟଙ୍କା ନୁହେଁ ୨୦୦ ଟଙ୍କାରେ ବିକ୍ରି କରେ। ସେମାନେ କ’ଣ ମହିଳା ଦାନ ମାଝୀ ନୁହନ୍ତି କି? ସୁରଟ, ଆନ୍ଧ୍ର, ତାମିଲନାଡୁକୁ ଖଟିବା ପାଇଁ ଗଲା ବେଳେ ନିଜ ବସ୍ତାନି ଉଠାଉଥିବା ଯେ କୌଣସି ଦାଦନକୁ ଟିକେ ନିରେଖି ଦେଖନ୍ତୁ, ତା ମୁହଁ କ’ଣ ଦାନ ମାଝୀ ସହ ମିଶେନି? ମମତା କି ଜନନୀ ସୁରକ୍ଷା ଯୋଜନାରେ ଟଙ୍କା ହଜାରେ ପାଇଁ ତିନିଶ କି ଇନ୍ଦିରା ଆବାସ ପାଇଁ ପାଞ୍ଚ ହଜାର ଦଉଥିବା ରାମ, ଶାମ, ମଢିଆଙ୍କୁ ଦେଖ, ସେମାନେ ଉଠାଉଥିବା ବୋଝର ପ୍ରତୀକ କ’ଣ ଦାନ ମାଝୀ ନୁହେଁ? ୫୬ ବର୍ଷର ବ୍ଲକ ଗ୍ରାଣ୍ଟ ଅଧ୍ୟାପକ, ଯାହା ମୁଣ୍ଡ ଉପରେ ତିନି ତିନିଟା ଝିଅ ବାହାଘର ବୋଝ, ହେଲେ ହକ ପାଇଁ ଆନ୍ଦୋଳନ କଲାବେଳକୁ ଯେତେବେଳେ ସାରା ରାଜ୍ୟର ହାଇ ହାଇ ଥୁ ଥୁର ବୋଝ ଉଠାଏ- ସିଏ କ’ଣ ଦାନ ମାଝୀ ପାଲଟେନି? କମେଇବା ବୟସରେ ଗାଁ ମୁଣ୍ଡ ସରକାରୀ ଦେଶୀ ଦୋକାନରୁ ଆସ୍କା ଫର୍ଟି ପିଇ ବାପାର ବାର୍ଦ୍ଧକ୍ୟ ଭତ୍ତା ଲୁଟୁଥିବା ପୁଅର ବୋଝ କ’ଣ ଦାନ ମାଝୀର ବୋଝ ସହ ସମାନ ନୁହେଁ? ନଗଡା କ’ଣ ସବୁ ଦାନ ମାଝୀଙ୍କ ଗୋଟେ ସମ୍ମିଳିତ କୁତ୍ସିତ ଚେହେରା ନୁହେଁ?    ବଡ ବାବୁ, ଆପଣ ବି ଜାଣନ୍ତି, ଫନସ ପୁଞ୍ଜି ବଞ୍ଚୁ, କାଶୀପୁର ଥାଉ, ନଗଡା ଓ ଦାନ ମାଝୀମାନେ ଏମିତି ମଝିରେ ମଝିରେ ଅଦିନିଆ ବର୍ଷା ଭଳି ଆସନ୍ତୁ। ଆଉ ସେ ଅଦିନ ବର୍ଷାରେ ଫୁଟୁ ଯୋଜନାର ଛତୁ, ଲକ୍ଷେ କୋଟିର ଯୋଜନା ଛତୁ। ଗୋଟେ ଭଲ ମରୁଡି ସମସ୍ତଙ୍କୁ ଦରକାର ଯେ!

Share :