ଧନ କାନ୍ଧରେ ସମୃଦ୍ଧିର ଶବ!

ଧନ କାନ୍ଧରେ ସମୃଦ୍ଧିର ଶବ!

Share :

ଦେବେନ୍ଦ୍ର ପୃଷ୍ଟି   କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ଅଂଚଳରେ ଘଟିଥିବା ପୁରାଣର ରାଜା ହରିଶ୍ଚନ୍ଦ୍ରଙ୍କ ଭଳି ଅନ୍ୟ କାହାଣୀ ଆଜି କି ପୁରୁଣା। କିନ୍ତୁ ଏଇ ନବୀନ ଯୁଗର ପୁରାଣରୁ ଏକବିଂଶ ଶତାବ୍ଦୀର ମଣିଷ ସମାନ ଓ ସରକାର କିଭଳି ମାନବିକ ସମ୍ବେଦନ ରହିତ ନିଷ୍ଠର ଆଚରଣ ପ୍ରଦର୍ଶନ କରିପାରେ ତାହା ଧରାପଡ଼ିଛି। ଆଉ ଏହା ବି ଧରାପଡ଼ିଛି ଯେ ଗରୀବ ଲୋକଙ୍କ ପାଇଁ ହେଉଥିବା ଯୋଜନା ସବୁ ଧନୀ ଓ ମଧ୍ୟବିତ୍ତ ଲୋକଙ୍କ ପକେଟ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ।   ଗରବୀଙ୍କ ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସ ନେଇ ଡାକ୍ତର ଘରଣୀ ସପିଂ କରି ଯାଇପାରିବେ। କିନ୍ତୁ ଧନ ମାଝୀ ତା’ ସ୍ତ୍ରୀର ଶବକୁ ୬୦ କିଲୋମିଟର ଦୂର ନିଜ ଗାଁକୁ ନେବା ପାଇଁ ଗାଡ଼ି ପାଇବ ନାହିଁ, ଚାଲିଚାଲି କାନ୍ଧରେ ବୋହିବ। ନିଜର ଏକାଧିକ ଗାଡ଼ି ଥିଲେ ବି ସଚିବାଳୟର ଅଫିସରଙ୍କ ପାଇଁ ଖଂଜାଯାଇ ପାରିବ ଏକାଧିକ ବିଳାସପୂର୍ଣ୍ଣ ଗାଡ଼ି, ମନ୍ତ୍ରୀମାନେ ଚଢ଼ି ପାରିବେ ଅଲଗା ଅଲଗା ବିଭାଗର ଅଲଗା ଅଲଗା ଗାଡ଼ି, ଶିଳ୍ପପତି ଓ ବ୍ୟବସାୟୀମାନେ ପ୍ରତି ମାସରେ ନୂଆ ନୂଆ ମଡେଲର ଗାଡ଼ି କିଣି ପାରିବେ, କିନ୍ତୁ ଧନ ମାଝୀର ପତ୍ଦୀର ଶବ ବୋହିବାକୁ ଗାଡ଼ିଟିଏ ମିଳିବ ନାହିଁ। କାରଣ ସେ ଆଦିବାସୀ, ଗରୀବ ଓ ଅତ୍ୟନ୍ତ ସରଳ। ସେ କାହାକୁ ଧମକ ଦେଇପାରିବ ନାହିଁ। କାହାକୁ ଛୁରୀ କି ବନ୍ଧୁକ ଦେଖେଇ ପାରିବ ନାହିଁ। କାହା ପକେଟ କାଟି ପାରିବ ନାହିଁ କି କାହା ମୁହଁରେ ଜବାବ ଦେଇପାରିବ ନାହିଁ। ସେ ସତ କହିବ, ଦୁନିଆ ଯେତେ ମିଛ ହେଉ ପଛେ।   ଅଗଷ୍ଟ ୨୪ ତାରିଖ ବୁଧବାର, ୨୦୧୬  ମସିହା। ପୁଣି ଥରେ ଦେଶ ଓ ବିଶ୍ବର ଦୃଷ୍ଟି ଆକର୍ଷଣ କଲା କଳାହାଣ୍ଡି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ ମୁଦ୍ରଣ, ଇଲେକ୍‌ଟ୍ରୋନିକସ ଓ ଡିଜିଟାଲ ମାଧ୍ୟମରେ ଖେଳିଗଲା ଧନ ମାଝୀର ହୃଦୟ ବିଦାରକ କାହାଣୀ। ଫେସବୁକ, ଟୁଇଟର ଓ ଅନ୍ୟନ୍ୟ ସାମାଜିକ ଗଣମାଧ୍ୟମରେ ଭର୍ତ୍ତି ହୋଇଗଲା ଲଜ୍ଜା ଲଜ୍ଜା ଭଳି ଶବ୍ଦ। ପୁଣି ଥରେ ପଦାରେ ପଡ଼ିଲା ଓଡ଼ିଶା ନଗ୍ନଚିତ୍ର। ଧରାପଡ଼ିଲା ବିକାଶର ମୁହଁ ଫୁଟାଣି।   କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତର ମେଲଘର ଗାଁ। ଏଇ ଗାଁର ଆମ୍ୱାଙ୍ଗ ଦେଇ ମାଝୀ ଚିକିତ୍ସା ପାଇଁ ଭବାନୀପାଟଣା ସରକାରୀ ହେଡକ୍ୱାର୍ଟର ହସପିଟାଲକୁ ଆସିଥିଲେ ହେଁ ଚିକିତ୍ସା ଅବହେଳାରୁ ଅଗଷ୍ଟ ୨୪ ତାରିଖ ବିଳମ୍ୱିତ ରାତିରେ ଆଖି ବୁଜିଥିଲେ। ସ୍ତ୍ରୀ ମରିଯିବା ପରେ ସ୍ୱାମୀ ଧାନ ମାଝୀ ପାରମ୍ପାରିକ ରୀତିରେ ଶବସତ୍କାର କରିବା ପାଇଁ ସ୍ତ୍ରୀ ମୃତଦେହ ନିଜ ଗାଁକୁ ନେବାକୁ ଆମ୍ବୁଲାନ୍ସ ଗୋଟେ ପାଇଁ ହସପିଟାଲ କର୍ତ୍ତୃପକ୍ଷ ଏବଂ ଅନ୍ୟ ବହୁ ଲୋକଙ୍କୁ ନେହୁରା ହୋଇଥିଲେ। ମାତ୍ର କେହି ଶୁଣିନଥିଲେ। ଓଲଟା ମୃତ ଦେହକୁ ୱାର୍ଡରୁ ବାହାରକୁ ନେଇଯିବାକୁ ହସପିଟାଲ କର୍ମଚାରୀ ବାରମ୍ୱାର ତାଗିଦ କରିଥିଲେ। ଘରୋଇ ଗାଡ଼ି ଭଡ଼ା କରିବା ପାଇଁ ଧନ ପାଖରେ ଧନ ନଥିଲା।   ଆଦିବାସୀ ଧନର କିନ୍ତୁ ଥିଲା ମଣିଷ ପରି ମନ। ମାନବିକ ମାନ ଓ ମର୍ଯ୍ୟାଦାବୋଧ କ’ଣ ସେ ଜାଣିଥିଲା। ଜାଣିଥିଲା ସ୍ତ୍ରୀ ପ୍ରତି ତା’ କର୍ତ୍ତବ୍ୟ କ’ଣ? ବୁଝିଥିଲା ୧ର ବର୍ଷର ନାବାଳିକ ଝିଅ ପ୍ରତି ଥିବା ତା’ ଉତ୍ତର ଦାୟିତ୍ବ। ଆଦିବାସୀ ସୁଲଭ ସରଳତା ସହିତ ଧନ ମନରେ ଥିଲା ଅହିଂସ୍ର ଓ ଅକପଟ ସାହସ। ସ୍ତ୍ରୀକୁ ଉଚିତ ସମ୍ମାନ ଦେବା ପାଇଁ କାନ୍ଧରେ ଶବ ଧରି ଭବାନୀପାଟଣା ହସପିଟାଲରୁ ପ୍ରାୟ ୬୦ କିଲୋମିଟର ଦୂର ନିଜ ଗାଁକୁ ପାଦରେ ଚାଲିଚାଲି ବାହାରିଲା ଧନ। ସାଙ୍ଗରେ ଥାଏ ମାତ୍ର ୧୨ ବର୍ଷ ବୟସର ଝିଅ। ଏମିତି ଦଶ କିଲୋମିଟର ଯିବା ଭିତରେ ବାଟଗଲା ଲୋକେ ଧନର ଦୁର୍ଦ୍ଦଶା ଦେଖି ଅନେକ ଲୋକଙ୍କୁ ଖବର କଲେ। ଶଗଡ଼ା ଗାଁର ଜଣେ ଯୁବକ ତାକୁ ଅଟକାଇ ସହାୟତା କରିବାର ସମସ୍ତ ପ୍ରତିଶ୍ରୁତି ଦେଲେ। ସେଇ ଉଦାର ଯୁବକଙ୍କଠାରୁ ଖବର ବ୍ୟାପିଲା। ଗୋଟିଏ ଘରୋଇ ଟିଭି ଚାନେଲର ସାମ୍ବାଦିକ ଏକଥା ଜାଣିଲେ। ଜିଲ୍ଲାପାଳଙ୍କ ଯାଏଁ ବି କଥା ଗଲା।   ଜିଲ୍ଲାପାଳ ଡି ବୃନ୍ଦାଙ୍କ ନିର୍ଦ୍ଦେଶରେ ଆମ୍ବୁଲାନ୍ସ ପହଂଚିଲା। ଧନ ମାଝୀର ପତ୍ନୀ ଆମ୍ୱାଙ୍ଗ ଦେଇଙ୍କ ଶବ ସେଇ ଆମ୍କୁଲାନ୍ସରେ ଗଲା ମେଲଘର।   ଏ ଘଟଣା କିନ୍ତୁ ସରକାରଙ୍କ ଚରିତ୍ର ସହିତ ଆଧୁନିକ ସମାଜର ଲୋକଚରିତ୍ରକୁ ଉଲଗ୍ନ କରିଦେଲା। ଜଣେ ନିରୀହ ଗରୀବ ଆଦିବାସୀ କାହାକୁ ଖାଇବାକୁ ମାଗି ନଥିଲା। କେବଳ ନିଜ ସ୍ତ୍ରୀର ଶବକୁ ନିଜ ଗାଁ ପର୍ଯ୍ୟନ୍ତ ନେବା ପାଇଁ ଶତାଧିକ ଲୋକଙ୍କ ପାଖରେ ନେହୁରା ହୋଇଥିଲା। କିନ୍ତୁ କେହି ଶୁଣି ନଥିଲେ। ବରଂ ମୋବାଇଲରେ ଫୋଟ ଉଠାଇ ଅନେକ ଲୋକ ଗରୀବର ଦୁଃଖରୁ ମଜା ନେଇଥିଲେ। ଆଜିର ସଭ୍ୟ ସମାଜରେ ଏଭଳି ଘଟଣା କେବଳ ଶାସନ କଳ ଓ ଜନ ପ୍ରତିନିଧିଙ୍କ ନିଷ୍ଠୁରତାକୁ ପଦାରେ ପକାଇ ନାହିଁ। ସାଧାରଣ ଲୋକଙ୍କ ମାନବିକତାକୁ ମଧ୍ୟ ନଙ୍ଗଳା କରିଦେଇଛି।   ଏଇ ଘଟଣାରେ ବି ଆଉ ଥରେ ନଙ୍ଗଳା ହୋଇଯାଇଛି ରାଜ୍ୟ ସରକାର। ପଦାରେ ପଡ଼ିଛି ବିକାଶର ଧୂଆଁବାଣ। ଫୁସକି ଯାଇଛି। ସରକାରଙ୍କ ଯୋଜନା ଓ ଉଦ୍ୟମରେ ଯଦି ଧନ ମାଝୀର ଦାରିଦ୍ର୍ୟ ଘୁଂଚି ନାହିଁ, ସେ ତା’ ପତ୍ନୀକୁ ଉତ୍ତମ ଚିକିତ୍ସା ସୁବିଧା ଦେଇପାରି ନାହିଁ, ଅଧିକନ୍ତୁ ତା’ର ମୃତଦେହକୁ ଗାଁକୁ ନେବା ପାଇଁ ଟଙ୍କା ଯୋଗାଡ଼ କରିପାରିନି ତେବେ କି ବିକାଶ ଘଟିଛି ଆଦିବାସୀ ଗାଁରେ? କି ସଂସ୍କାର ଆସିଛି ଡାକ୍ତରଖାନାରେ? କି ପରିବର୍ତ୍ତନ ଆସିଛି ଲୋକମାନଙ୍କର ମାନସିକତାରେ? ଏକ ନିଷ୍ଠୁର ଓ ସ୍ବାର୍ଥପର ସମାଜ ଗଢ଼ିବା ଯଦି ସଫଳତା ହୁଏ ତେବେ ଏହା ନିଶ୍ଚୟ ଏ ସରକାରର ଏକ ସଫଳତା।   କେବଳ ଏଇ ଘଟଣା ନୁହେଁ, ଇତିମଧ୍ୟରେ ଓଡ଼ିଶାର ଅନେକ ଅଂଚଳରେ ଘଟିଯାଇଛି ଏହିପରି ଅନେକ ଘଟଣା।   ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଲୋକ ୧୦୮ ଆମ୍ବୁଲାନ୍ସ ନପାଇ ଦୋଳାରେ ହସ୍‌ପିଟାଲ ନେଇଛନ୍ତି ରୋଗୀ। କୋରାପୁଟରେ ଆମ୍ବୁଲାନ୍ସ ଅଭାବରୁ ଠିକଣା ସମୟରେ ଡାକ୍ତରଖାନାରେ ପହଂଚିପାରିନି ଆସନ୍ନ ପ୍ରସବା ପ୍ରସୂତି। ରାସ୍ତରେ ପ୍ରସବ କରିଛି। ଇନ୍ଦ୍ରାବତୀ ଜଳବନ୍ଦୀ ଅଂଚଳରେ ଡାକ୍ତର ଓ ଡାକ୍ତରଖାନା ଅଭାବରୁ ଚିକିତ୍ସା ସେବା ଓ ଔଷଧ ନପାଇ ଅକାଳରେ ଝଡ଼ିଯାଇଛି ୨୦ ଜୀବନ। ଯାଜପୁର ନଗଡ଼ାରେ ଖାଦ୍ୟ ଓ ପୁଷ୍ଟି ଅଭାବରୁ ପ୍ରାଣ ହରାଇଛନ୍ତି ୧୭ ଶିଶୁ।   ଜଗତସିଂହପୁରରେ ଦାରିଦ୍ର୍ୟର କଷାଘାତରେ ମା’ ନିଜର ଦୁଇ ପୁଅଙ୍କୁ ବିଷ ଦେଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି ତ ନବରଙ୍ଗପୁରରେ ଦୁଇ ଶିଶୁଙ୍କୁ ନେଇ କୂଅକୁ ଡେଇଁ ପ୍ରାଣ ହରାଇଛି ଅନ୍ୟ ଜଣେ ମା’। ଅନାହାର ମୃତ୍ୟୁ, ପିଲାବିକ୍ରି, ଦାରିଦ୍ର୍ୟ ଜନିତ ଆତ୍ମହତ୍ୟା ଆଦି ଘଟଣା ବଢ଼ି ଚାଲିଛି। ଠିକ ଯେମିତି ବଢ଼ି ଚାଲିଛି ସରକାରଙ୍କ କଲ୍ୟାଣମୂଳକ ଯୋଜନାର ସଂଖ୍ୟା। କାହିଁକି ଏତେ ଯୋଜନା? ଲୋକେ ସମର୍ଥ ନାହାନ୍ତି ବୋଲି ତ? ଲୋକଙ୍କୁ ସମର୍ଥ କରାଇବା ଦାୟିତ୍ବ କାହାର? ସେମାନଙ୍କୁ ଭିକାରୀ ସଜାଇଛି କିଏ? (ତଥ୍ୟ- ସ୍ନେହଲତା ମିଶ୍ର)

Share :