ଶାହା ଅନସାରୀଙ୍କୁ ଯୁକ୍ତରାଷ୍ଟ୍ର ଫେଲୋସିପ

ଶାହା ଅନସାରୀଙ୍କୁ ଯୁକ୍ତରାଷ୍ଟ୍ର ଫେଲୋସିପ

Share :

  ସାମାଜିକ କର୍ମୀ ତଥା ବରିଷ୍ଟ ସାମ୍ୱାଦିକ ଏନ‌୍‍. ଏ. ଶାହା ଅନସାରୀଙ୍କୁ ମିଳିଛି ଯୁକ୍ତରାଷ୍ଟ୍ର ବିଧାନ ଫେଲୋସିପ। ପ୍ରତିବର୍ଷ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନ ଦ୍ୱାରା ଭାରତରେ ବିଭିନ୍ନ ସାମାଜିକ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଓ ପ୍ରଶାସନିକ ତଥା ବୈଧାନିକ ଦକ୍ଷତା ଥିବା ଯୁବକର୍ମୀମାନଙ୍କୁ ଏହି ସମ୍ମାନଜନକ ଫେଲୋସିପ ଦିଆଯାଇଥାଏ। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଶାସନିକ ବ୍ୟବସ୍ଥା ଓ ବିକାଶଧାରାକୁ ଅନୁଧ୍ୟାନ କରି ନିଜ ଦେଶରେ ଆବଶ୍ୟକସ୍ଥଳେ ବ୍ୟବହାର କରିବା ହିଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଚଳିତ ବର୍ଷ ଶ୍ରୀ ଅନସାରୀଙ୍କ ସହ ଭାରତର ୧୦ ଜଣ ଯୁବ ପ୍ରତିଭା ଏହି ଫେଲୋସିପ ପାଇଛନ୍ତି।   ପୂର୍ବ ଓଡିଶାରୁ ଏକମାତ୍ର ପ୍ରତିଭା ଭାବେ ଅନସାରୀ ଏହି ଗୈାରବର ଅଧିକାରୀ ହୋଇ ପାରିଛନ୍ତି। ଏହି ଫେଲୋସିପ ମାଧ୍ୟମରେ ଅନସାରୀ ଆମେରିକୀୟ ଦେଶମାନଙ୍କରେ ଆସନ୍ତା ଅକ୍ଟୋବର ଓ ନଭେମ୍ୱର ଦୁଇ ମାସ ଭ୍ରମଣ କରି ନିଜର ଅନୁଭୂତି ବାଣ୍ଟିବା ସହ ଆମେରିକୀୟ ପ୍ରଶାସନିକ ତଥା ବୈଧାନିକ ବ୍ୟବସ୍ଥା ସଂପର୍କରେ ଅନୁଭୂତି ହାସଲ କରିବେ। ଏଥିପାଇଁ ଅନସାରୀଙ୍କୁ ବିଭିନ୍ନ ସାମାଜିକ ସଂଗଠନ ଓ ଗଣମାଧ୍ୟମ ସଂସ୍ଥା ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।   ସୂଚନାଯୋଗ୍ୟ ଯେ ଗତ ୨୭ ବର୍ଷ ଧରି ଅନସାରୀ ୟଙ୍ଗ ଇଣ୍ଡିଆ ସାମାଜିକ ସଂଗଠନ ମାଧ୍ୟମରେ ଓଡିଶା ତଥା ଅନ୍ୟ ରାଜ୍ୟରେ ସାମାଜିକ କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଦେଶର ବିଭିନ୍ନ ସ୍ଥାନରେ ଅନେକ ସାମାଜିକ ସଂଗଠନ ପ୍ରତିଷ୍ଠା ହୋଇ କାର୍ଯ୍ୟରତ ଅଛନ୍ତି। ବିଶେଷତଃ  ସ୍ୱଶାସନ, ମାନବିକ ଅଧିକାର ଓ ଗୋଷ୍ଠୀଭିତ୍ତିକ ଗଣମାଧ୍ୟମର ପ୍ରଚାର ପ୍ରସାର କ୍ଷେତ୍ରରେ ଜଣେ ବିଶେଷଜ୍ଞ ଭାବେ ଦକ୍ଷିଣ ଏସିଆ ଦେଶମାନଙ୍କରେ ଅନସାରୀଙ୍କର ପରିଚିତି ରହିଛି।   ଅନସାରୀଙ୍କ ଦ୍ୱାରା ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାର ଓ ଦେଶର ପ୍ରଥମ ଗୋଷ୍ଠୀ ଖବରକାଗଜ ନମସ୍କାର ପ୍ରତିଷ୍ଠା ହୋଇ ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ନିଜର ପ୍ରଭାବଶାଳୀ ପଦକ୍ଷେପ ନିମନ୍ତେ ଏଥି ପୂର୍ବରୁ ଅନସାରୀଙ୍କୁ ଜାତୀୟ ଯୁବ ସମ୍ମାନ, ଇନ୍ଦିରାଗାନ୍ଧୀ ଜାତୀୟ ସେବା ସମ୍ମାନ, ଅନ୍ତଜାର୍ତୀୟ ଗୋଷ୍ଠୀ ସହଭାଗୀ ସମ୍ମାନ ଆଦି ସମ୍ମାନଜନକ ସମ୍ମାନ ମିଳିଛି। ଯୁକ୍ତରାଷ୍ଟ୍ର ବିଧାନ ଫେଲୋସିପ ତାଙ୍କ କାର୍ଯ୍ୟଧାରାରେ ଏକ ମାଇଲଖୁଣ୍ଟ ହେବ ବୋଲି କୁହନ୍ତି ଅନସାରୀ। 

Share :