ବ୍ରହ୍ମପୁର-କିଡ଼ନୀ ରୋଗରେ ୩୧ ମୃତ

ବ୍ରହ୍ମପୁର-କିଡ଼ନୀ ରୋଗରେ ୩୧ ମୃତ

Share :

ହେମାଙ୍ଗ ପ୍ରସାଦ ରାଉଳ   ବ୍ରହ୍ମପୁର ମହାନଗର ନିଗମ ଅଧୀନସ୍ଥ ୧ ନଂ ୱାର୍ଡ଼ରେ କିଡ଼ିନୀ ରୋଗ ଆତଙ୍କ ଖେଳାଇ ଦେଇଛି। ୧ ନଂ ୱାର୍ଡ଼ ଅନ୍ତର୍ଗତ ଗୋଲା ରଘୁନାଥପୁରରେ ଗତ ଏକ ବର୍ଷ ମଧ୍ୟରେ ୩୧ ଜଣଙ୍କ କିଡ଼ିନୀ ରୋଗରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୋଲା ରଘୁନାଥପୁରର ଏନ‌୍‍.ରାମୁ ଏବଂ ତାଙ୍କ ପୁଅଙ୍କ କିଡ଼ିନୀ ରୋଗରେ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଅଗଷ୍ଟ ୧୭ ତାରିଖ ପତ୍ନୀ ଏନ‌୍‍. ଲକ୍ଷ୍ମୀ(୫୦)ଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଛି।   ଉକ୍ତ ଅଞ୍ଚଳରେ ଦୂଷିତ ପାଣି କିଡ଼ିନୀ ରୋଗରେ କାରଣ ହୋଇଛି। ନଳକୂପରେ କଳଙ୍କି ପାଣି ଆସୁଥିବା ବେଳେ ଏଠାକାର ବାସିନ୍ଦା କଳଙ୍କି ପାଣି ପିଉଥିବା ଅଭିଯୋଗ ହୋଇଛି। ପାଣିର ନମୂନା ପରୀକ୍ଷା ପାଇଁ ଯାଇଥିବା କୁହାଯାଉଛି। ପରୀକ୍ଷା ସରିଲା କି ନାହିଁ, ଯଦି ସରିଲା ସେଥିରୁ କ’ଣ ବାହାରିଲା, ତାହାର ପ୍ରତିକାର କାହିଁକି ହେଲାନି, ଏସବୁ ପ୍ରଶ୍ନର ଉତ୍ତର କାହାକୁ ଜଣାନାହିଁ। ସେଇ ପରୀକ୍ଷାରେ ଅଟକି ଯାଇଛି ପ୍ରଶାସନ ଓ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।   ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଂଜାମର ପ୍ରଧାନ ସହର ବ୍ରହ୍ମପୁର ମହାନଗରରେ ଯଦି ଏହି ଅବସ୍ଥା ତେବେ ଗ୍ରାମାଞ୍ଚଳରେ କିଭଳି ଶାସନ ବ୍ୟବସ୍ଥା ଚାଲିଛି ତାହା ସ୍ପଷ୍ଟ ଅନୁମେୟ। ଏସଂପର୍କରେ ମହାନଗର ନିଗମ କର୍ତ୍ତୃପକ୍ଷ ସବୁଜାଣି ମଧ୍ୟ ନଜାଣିବା ଭଳି ରହିଛନ୍ତି। ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଥିବା ଏହି ୱାର୍ଡ଼କୁ ଦେଖିଲେ ଏହା ସହର ବୋଲି କହିବା ବାହୁଲ୍ୟ ହେବ। ସମସ୍ତ ମୌଳିକ ସୁବିଧାରୁ ଏଠାକାର ବାସିନ୍ଦା ବର୍ଷବର୍ଷ ଧରି ବଞ୍ଚିତ ହୋଇ ରହିଛନ୍ତି। ଗ୍ରାମରେ ୨ ଟି ସାହି ରହିଥିବା ବେଳେ ଏଠାରେ ୨୫୦ରୁ ଉର୍ଦ୍ଧ୍ୱ ଘର ରହିଛି। ପାନୀୟ ଜଳ, ଶୌଚାଳୟ ଏବଂ କୂଅର ବ୍ୟବସ୍ଥା ଏଠାରେ ନାହିଁ। ଚାରି ପାଞ୍ଚ ଗୋଟି ବୋର‌୍‍େୱଲ ରହିଥିବା ବେଳେ ଗ୍ରାମରେ ଗଭୀର ନଳକୂପ ଯୋଜନାରେ ଲୋକଙ୍କୁ ବୋରେୱଲ‌୍‍ ଦ୍ୱାରା ପାଣି ଦିଆଯାଉଛି।   ଏହି ପମ୍ପ ହାଉସ ୨୦୦୩ ମସିହାରେ ନିର୍ମାଣ ହୋଇଥିଲେ ସୁଦ୍ଧା ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏହାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଉକ୍ତ ପମ୍ପ ହାଉସ ଚାରିପଟେ ଅଳିଆ ଆବର୍ଜନା ଏବଂ ପାଣି ଜମି ରହୁଛି। ଏହା ବ୍ୟତୀତ ଏହି ଗ୍ରାମରେ ପାନୀୟ ଜଳର ଅନ୍ୟ କୗଣସି ବ୍ୟବସ୍ଥା ନାହିଁ। ବିଶୁଦ୍ଧ ପାନୀୟ ଜଳ ପାଇଁ  ଲୋକଙ୍କୁ ଗ୍ରାମରୁ ୪ କିମି ଦୂରକୁ ଆସିବାକୁ ପଡ଼ୁଛି। ଉକ୍ତ ଗଭୀର ନଳକୂପରୁ କେବଳ କଳଙ୍କି ପାଣି ଆସୁଥିବା ସ୍ଥଳେ ଏହି ପାଣି ପିଇ ବିଗତ ୧ ବର୍ଷ ମଧ୍ୟରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ କିଛିମାସ ମଧ୍ୟରେ ୧୦ ଜଣ ଜଣ କିଡ଼ିନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି କେବଳ ଚଳିତ ମାସରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୧ ବର୍ଷ ମଧ୍ୟରେ ମୃତ୍ୟୁ ସଂଖ୍ୟା ୩୧ ହୋଇଥିଲେ ସୁଦ୍ଧା ବେସରକାରୀ ଭାବେ ଏହା ୫୦ ଟପିଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ।   ଏହି ଗ୍ରାମର ଜି. ତ୍ରିପତି ପାତ୍ରଙ୍କ ମା’ ଅଗଷ୍ଟ ୧୯ ତାରିଖରେ କିଡ଼ିନୀ ରୋଗରେ ମୃତ୍ୟୁ ବରଣ କରିଥିବା ବେଳେ ଜି. ତ୍ରିପତିଙ୍କ କହିବାନୁଯାୟୀ ଗ୍ରାମରେ ପାଣି ସମସ୍ୟା ଗତ ୩୦ ବର୍ଷ ହେଲା ଲାଗି ରହିଛି। ତ୍ରିପତିଙ୍କ ପରିବାରେ ୫ ଜଣ ସଦସ୍ୟ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ କିଛିଦିନ ତଳେ ମା’ କିଡ଼ିନୀ ରୋଗରେ ମୃତ୍ୟୁ ବରଣ କରିଛନ୍ତି। ସେହିଭଳି ଗ୍ରାମର ଜି. ଆପନ୍ନା ନାମକ ଜଣେ ବ୍ୟକ୍ତି ଗତବର୍ଷ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ପତ୍ନୀ ଜି. ଗୁଡ୍ଡାମ୍ମା ସ୍ୱାମୀଙ୍କ ମୃତ୍ୟୁ ଜନିତ ସହାୟତା ପାଇଁ ସରକାରଙ୍କ ଉପରେ ଭରଷା ରଖି ଦିନ କାଟୁଛନ୍ତି। କିନ୍ତୁ ସହାୟତା ମିଳିନାହିଁ। ଆପନ୍ନାଙ୍କ ୨ ପୁଅ ଏବଂ ୨ ଝିଅ ରହିଛନ୍ତି। ବଡ଼ ବୋହୂ ଗ୍ରାମରେ ମାଟି କାମ କରୁଥିବା ବେଳେ ସେ ମଧ୍ୟ କିଡ଼ିନୀ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଚିକିତ୍ସିିତ ଥିବା ସୂଚନା ମିଳିଛି।   ସେହିଭଳି ଗତ ୧୭ ତାରିଖରେ ଏହି ଗ୍ରାମର ଏନ‌୍‍.ଲକ୍ଷ୍ମୀ ଆମ୍ମା କିଡ଼ିନୀ ରୋଗରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ୩ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ପୁଅ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଝିଅମାନେ ପାଠ ପଢ଼ୁ ନଥିବା ଜଣାପଡ଼ିଛି। ସେହିଭଳି ଗ୍ରାମର ଅନ୍ୟ ଜଣେ ଏନ‌୍‍. ଆପ୍ପାୟା ଗତ ୩ ବର୍ଷ ହେଲା କିଡ଼ିନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି। କିନ୍ତୁ ତାଙ୍କ ଚିକିତ୍ସା ଏବଂ ଓୗଷଧ ପାଇଁ ଅର୍ଥ ବାଧକ ସାଜିଛି। ଆପ୍ପାୟା ମୂଲ ଲାଗି ପେଟ ପୋଷୁଥିବା ବେଳେ ତାଙ୍କ ପୁଅ ମାଟିକାମ କରିବା ପାଇଁ ସହରକୁ ଯାଆନ୍ତି। ଗତ ୩ ବର୍ଷ ହେଲା ଆପ୍ପାୟା ବ୍ରହ୍ମପର ଏବଂ ବିଶାଖାପାଟଣାରେ ଚିକିତ୍ସା କରାଇ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିବା ବେଳେ ବର୍ତ୍ତମାନ ସର୍ବସ୍ୱାନ୍ତ ହୋଇପଡ଼ିଛନ୍ତି। ତାଙ୍କର ଏକମାତ୍ର ପୁଅ ତାଙ୍କ ଦେଖାଶୁଣା କରୁଛନ୍ତି।   ସେହିଭଳି ଗ୍ରାମର କାଞ୍ଚିଆମ୍ମା ନାମକ ଆଉ ଜଣେ ମହିଳା ୩ ମାସହେଲା ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ସ୍ୱାମୀ ଡ଼ି. ଦଣ୍ଡପାଣି ମଧ୍ୟ କିଡ଼ିନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଶୌଚାଳୟ ନଥିବା ବେଳେ ଦଣ୍ଡପାଣି ଏକ ଛୋଟ କୁଡ଼ିଆରେ ବସବାସ କରୁଛନ୍ତି। ଗ୍ରାମରେ କେବଳ ପାନୀୟ ଜଳ ସମସ୍ୟା ନୁହେଁ ଏଠାରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଛି। ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଭଡ଼ାରେ ଚାଲିଥିବା ବେଳେ ଏଠାରେ ଶୌଚାଳୟ ନଥିବାରୁ ପିଲାମାନେ ବାହାରେ ହିଁ ଝାଡ଼ା ପରିବା ସହ ପରିଶ୍ରା କରୁଛନ୍ତି। ଯାହାଫଳରେ ପରିବେଶ ଦୂଷିତ ହେବା ସହ ବିଭିନ୍ନ ରୋଗ ବ୍ୟାପୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ସେହିଭଳି ଗ୍ରାମରେ ପ୍ରାୟ ୨୫୦ ଘର ରହିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ରରେ ମାତ୍ର ୩୦ ଜଣ ପିଲା ପାଠ ପଢ଼ୁଛନ୍ତି। କିଛିଦିନ ତଳେ କିଛି ଅଧିକାରୀ ଆସି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ସ୍ଥାନ ଚିହ୍ନଟ କରି ଯାଇଥିବା ଜଣାପଡ଼ିଛି।   ଗ୍ରାମକୁ ଯାଇ ଅନୁସନ୍ଧାନ ସମୟରେ ବହୁ ସମସ୍ୟା ରହିଥିବା ଜଣାପଡ଼ିଥିବା ବେଳେ ଗତ କିଛିବର୍ଷ ମଧ୍ୟରେ ଆହୁରି ଅନେକ ବ୍ୟକ୍ତି ମୃତ୍ୟୁର ଶିକାର ହୋଇଥିବା ଜଣାପଡ଼ିଛି। କିନ୍ତୁ ସମସ୍ୟା କାଲି ଯେମିତି ଥିଲା ଆଜି ମଧ୍ୟ ସେମିତି ରହିଛି। ଏହା ମହାନଗର ନିଗମ ଅଧୀନରେ ଥିଲେ ସୁଦ୍ଧା ଗ୍ରାମ ବୋଲି କୁହାଯାଉଛି। କିନ୍ତୁ ସ୍ୱାଧୀନତାର ୭୦ ବର୍ଷରେ ମଧ୍ୟ ଜିଲ୍ଲାରେ ଏଭଳି ପଛୁଆ ରହିଥିବା ଗୋଲା ରଘୁନାଥପୁର ଗୋଟିଏ ଗ୍ରାମ ନୁହେଁ, ଏହିଭଳି ଅନେକ ଗ୍ରାମ ରହିଛି, ଯେଉଁଠାରେ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ସରକାରଙ୍କ କୌଣସି ଯୋଜନା ଏଠାକୁ  ପହଞ୍ଚିପାରୁନାହିଁ।   ଗୋଲା ରଘୁନାଥପୁର ଗ୍ରାମରେ ସମସ୍ୟା ଜଟିଳ ରୂପ ଧାରଣ କରିଛି। କିନ୍ତୁ କେହି ମଧ୍ୟ ସମାଧାନର ବାଟ ଖୋଜିବା ପାଇଁ ଯାଇନଥିବା ଅଭିଯୋଗ ହୋଇଛି। ଏଯାଏଁ ୧ ନଂ ୱର୍ଡ଼ର କର୍ପୋରେଟର, କୌଣସି ଉଚ୍ଚପଦସ୍ଥ ଅଧିକାରୀ କିମ୍ୱା ଡ଼ାକ୍ତର ୱାର୍ଡ଼ର ଏହି ସମସ୍ୟା ସଂପର୍କରେ ଅନୁଧ୍ୟାନ କରି ନାହାନ୍ତି। ଦୁଇ ମାସ ତଳେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ‌୍‍ ଯାଇ ପାନୀୟ ଜଳର ନମୂନା ସଂଗ୍ରହ କରି ଆଣିଥିବା ବେଳେ ତାହାର ରିପୋର୍ଟ ଆଜିସୁଦ୍ଧା ଆସିନାହିଁ। ତେଣୁ ସମସ୍ୟାକୁ ନେଇ ପ୍ରଶାସନ କେତେ ତତ୍ପର ତାହା ସ୍ପଷ୍ଟ। କିଛି ଗତ କିଛିଦିନ ହେଲା ଏହି ଗ୍ରାମକୁ ନେଇ ରାଜନୀତି ଜୋର ଧରିଥିବା ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି।

Share :