ପିଏମଓ ଜାଣିଲା ସିଏମଓ କୀର୍ତ୍ତି!

ପିଏମଓ ଜାଣିଲା ସିଏମଓ କୀର୍ତ୍ତି!

Share :

  ଦ୍ୱାଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ କେନ୍ଦ୍ର ସରକାରଙ୍କ ନିକଟରୁ ଯାଜପୁର ଜିଲ୍ଲାର ମାଓବାଦୀ ଉପଦ୍ରୁତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଇଣ୍ଟିଗ୍ରେଟେଡ଼‌୍‍ ଆକ୍ସନ‌୍‍ ପ୍ଳାନ‌୍‍ (ଆଇ.ଏ.ପି.) ଯୋଜନାରେ ୨୦୧୦-୧୧ ଠାରୁ ୨୦୧୪-୧୫ ଚାରି ଗୋଟି ଆର୍ଥିକ ବର୍ଷରେ ଆସିଥିବା ମୋଟ‌୍‍ ୧୧୭ କୋଟି ଟଙ୍କାର ଅନୁଦାନ ମଧ୍ୟରୁ ୬୧.୫୬ ପ୍ରତିଶତ ଅର୍ଥ ଦୁରୁପଯୋଗ ହେବା ଅଭିଯୋଗରେ ଏହାର ସିବିଆଇ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ହୋଇଥିବା ଦାବିକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗ୍ରହଣ କରିଛନ୍ତି। ଏହା ସହିତ ଏହି ଅଭିଯୋଗ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।   ଉଲ୍ଲେଖଯୋଗ୍ୟ ଯେ, ଯାଜପୁର ଜିଲ୍ଲାର ସୁକିନ୍ଦା ଓ ଦାନଗଦି ବ୍ଲକ‌୍‍ ସେତେବେଳେ ମାଓବାଦୀଙ୍କ ଦ୍ୱାରା ପ୍ରଭାବିତ ଥିବା କାରଣରୁ ଏହାକୁ ପ୍ରତିହତ କରିବାକୁ କେନ୍ଦ୍ର ସରକାର ସେହି ଅଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ ଯାଜପୁର ଜିଲ୍ଲାକୁ ଆଇ.ଏ.ପି. ଯୋଜନାରେ କୋଟି କୋଟି ଟଙ୍କାର ଅନୁଦାନ ଦେଇଥିଲେ। ନିର୍ଦ୍ଦେଶ ଥିଲା ଏହି ଅନୁଦାନର ସର୍ବନିମ୍ନ ୬୫ ପ୍ରତିଶତ ଅର୍ଥ ମାଓବାଦୀ ଉପଦ୍ରୁତ ଅଞ୍ଚଳରେ ଖର୍ଚ୍ଚହେବ ଓ ବଳକା ଅର୍ଥ ଆବଶ୍ୟକ ଅନୁଯାୟୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଏସ.ପି. ଓ ଡ଼ି.ଏଫ.ଓ.ଙ୍କୁ ନେଇ ଗଠିତ କମିଟି ଯୋଜନା ପ୍ରସ୍ତୁତ କରି ଖର୍ଚ୍ଚ କରିବେ। ମାତ୍ର ଏହି କମିଟି ଉପରୋକ୍ତ ଦୁଇଗୋଟି ବ୍ଳକ‌୍‍ରେ କେବଳ ୩୮.୪୪ ପ୍ରତିଶତ ଅନୁଦାନ ଖର୍ଚ୍ଚ କରି ବାକି ଅର୍ଥକୁ ଅଣ-ମାଓବାଦୀ ପ୍ରଭାବିତ ବ୍ଲକ‌୍‍ ଗୁଡ଼ିକରେ ଖର୍ଚ୍ଚ କରି ଏହାର ଦୁରୁପଯୋଗ କରିଥିବା ନେଇ ଆଇନିଜୀବୀ ଉଦୟନାଥ ସାହୁ ଗତମାସ ୨୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ, ଅର୍ଥ ମନ୍ତ୍ରୀ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି ଏହାର ସିବିଆଇ ତଦନ୍ତ ପାଇଁ ଦାବୀ କରିଥିଲେ।   ଏହି ଅନୁଦାନର ସଠିକ‌୍‍ ବିନିଯୋଗ କରାଯାଇଥିଲେ ସେତେବେଳେ ମାଓବାଦୀଙ୍କ ଆଡ଼‌୍‍ଡ଼ା ସ୍ଥଳୀ ଥିବା ସୁକିନ୍ଦାର ନଗଡ଼ା ଗ୍ରାମର ସାମଗ୍ରିକ ବିକାଶ କରାଯାଇ ପାରିଥା’ନ୍ତା ଏବଂ ଆଜି ଅପପୁଷ୍ଟିରେ ଏହି ଗାଁର ୧୯ ଜଣ ଶିଶୁଙ୍କ ମୂଲ୍ୟବାନ‌୍‍ ଜୀବନ ହାନୀ ହୋଇନଥା’ନ୍ତା ବୋଲି ଶ୍ରୀ ସାହୁ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଏବେ ଦେଖିବାକୁ ବାକି ରହିଛି ମୁଖ୍ୟ ଶାସନ ସଚିବ ଏଭଳି ଏକ ସମ୍ୱେଦନଶୀଳ ପ୍ରସଙ୍ଗ ଜଡ଼ିତ ଆର୍ଥିକ ଦୁରୁପଯୋଗର ତଦନ୍ତ କରି କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି ଯୋଜନା ପାଣ୍ଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଖର୍ଚ୍ଚ ହୋଇଛି। ତାଙ୍କରି ଦଳର ବିଧାୟକମାନେ ନିଜନିଜ ନିର୍ବାଚନ ମଣ୍ଡଳୀକୁ ପାଣ୍ଠି ନେଇଯାଇଛନ୍ତି। ଖାସ୍ ଆଇଏପି ପାଣ୍ଠି ଆଣି ବିକାଶ ନାଁର ବାଟମାରଣା କରିବା ଉଦ୍ଦେଶ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ରାଜ୍ୟର ବହୁ ଜିଲ୍ଲା ଓ ବ୍ଲକକୁ ମାଓବାଦୀ ଉପଦ୍ରୁତ ଭାବେ ଘୋଷଣା କରୁଛନ୍ତି ଓ ମାଓବାଦୀ ଏନକାଉଣ୍ଟର ଆଳରେ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି ବୋଲି ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ରହିଛି।

Share :