ବାପ ପୁଅ ଦି’ ଭାଇ!
 

ବାପ ପୁଅ ଦି’ ଭାଇ!  

Share :

ଓଡ଼ିଶାର ଗାଁ ଗହଳରେ ଗୋଟେ ତେଢ଼ା କଥା ଚଳେ- ବାପ ପୁଅ ଦି’ ଭାଇ | ଅନେକ ସମୟରେ ସରକାରୀ ସୁବିଧା ଓ ସଂପତ୍ତି ପାଇଁ କିଛି ଲୋକ ଏକାନ୍ନବର୍ତ୍ତୀ ପରିବାରରେ ଥିଲେ ମଧ୍ୟ ରେକର୍ଡ଼ପତ୍ରରେ ଭିନ୍ନ ପରିବାର ବୋଲି ଦର୍ଶାଇଥାନ୍ତି | ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଭତ୍ତା, ବିପିଏଲ ଚାଉଳ, ଏମଜିଏନଆରଇଜିଏସର ଜବକାର୍ଡ଼ ଆଦି ସରକାରୀ ସୁବିଧା ପାଇବା ଆଶାରେ ଏକାଠି ଥିବା ବିବାହିତ ଓ ଅବିବାହିତ ଭାଇମାନେ ଭିନ୍ନେ ହୋଇଯାଇଥିବା ଦର୍ଶାଇଥାନ୍ତି | ବାପମା’ ବି ପୁଅଙ୍କଠାରୁ ଅଲଗା ହୋଇଥିବା ଦାବି କରନ୍ତି | ଏମିତି କରି ସେମାନେ ସରପଞ୍ଚ ଓ ପଞ୍ଚାୟତିରାଜ ସଂସ୍ଥାର ଅନ୍ୟ କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ବାଟରେ ସନ୍ତୁଷ୍ଟ କରି ଘରକା ଏକାଧିକ ଇନ୍ଦିରା ଆବାସ ଓ ବିପିଏଲ କାର୍ଡ଼ ହାସଲ କରନ୍ତି | ବିଶେଷ କରି ଉପକୂଳ ଓଡ଼ିଶାରେ ଏଭଳି ଅନେକ ଅବିଭକ୍ତ ପରିବାର ସରକାରୀ ସୁବିଧା ପାଇଁ ରେକର୍ଡ଼ପତ୍ରରେ ଅଲଗା ହୋଇଯାଇଛନ୍ତି | କିନ୍ତୁ ସେମାନେ ଏକାଠି ରହିଥାନ୍ତି | ଗୋଟିଏ ଚୁଲିରେ ଚଳନ୍ତି | କେବଳ ସରକାରୀ ଖାତାକୁ ଛାଡ଼ିଦେଲେ ଆଉ ସବୁ କାମରେ ସେମାନେ ଗୋଟିଏ ପରିବାର | ଆଦିବାସୀ ଅଞ୍ଚଳରେ ଏମିତି ଅନେକ ପରିବାର ଭିନ୍ନ କାରଣରୁ ଅଲଗା ହୋଇଯା’ନ୍ତି | ତାହା ସେମାନଙ୍କ ଚଳଣି | ଆଦିବାସୀ ଘରେ ପୁଅ ବାହା ହେଲା ମାନେ ତା’ ପରିବାର ଅଲଗା | ବାପମା’ମାନେ ପୁଅକୁ ବାହା ଦେଲା ପରେ ତା’ ପାଇଁ ଅଲଗା ଘର ତୋଳି ଦିଅନ୍ତି | ସେମାନେ ସେଠାରେ ରୁହନ୍ତି ଓ ନିଜ କଥା ନିଜେ ବୁଝନ୍ତି | ସେମାନେ ବାପାମା’ଙ୍କ ଉପରେ ନିର୍ଭର କରନ୍ତି ନାହିଁ କି ବାପମା’ ସେମାନଙ୍କ ଉପରେ ନିର୍ଭର କରନ୍ତି ନାହିଁ | ସେମାନଙ୍କ ପରିବାର ବାସ୍ତବରେ ଭିନ୍ନ ଓ ଅଲଗା | କିନ୍ତୁ ପଶ୍ଚିମ ଓଡ଼ିଶାରେ କେତେକ ଲୋକ ଅନ୍ୟ କାରଣରୁ ରେକର୍ଡ଼ପତ୍ରରେ ଅଲଗା ହୋଇଯାଇଛନ୍ତି | ସେ ଅଞ୍ଚଳର ଅନେକ ଲୋକଙ୍କର ବିପୁଳ ପରିମାଣର ଜମି ରହିଛି | ଲ୍ୟାଣ୍ଡ ସିଲିଂ ଆଇନ ଅନୁସାରେ କାଳେ ସେମାନଙ୍କର ବଳକା ଜମିକୁ ସରକାର ନେଇଯିବେ ଆଶଙ୍କାରେ ସେହି ଲୋକମାନେ ଘରେ ଥିବା ସମସ୍ତ ପୁରୁଷଙ୍କୁ ଅଲଗା ଅଲଗା ପରିବାର ଭାବେ ବହୁ ପୂର୍ବରୁ ରେକର୍ଡ଼ଭୁକ୍ତ କରିଛନ୍ତି | ଏମିତିକି ନାବାଳକମାନଙ୍କୁ ମଧ୍ୟ ଭିନ୍ନ ପରିବାର ଦର୍ଶାଇ ସେମାନଙ୍କ ନାଁରେ କିଛି କିଛି ଜମି ଲେଖି ଦେଇଛନ୍ତି | ମାତ୍ର ଉପକୂଳ ଓ ଓଡ଼ିଶାର ଅନ୍ୟ ଅଂଚଳରେ ଅନେକ ଲୋକ କେବଳ ସରକାରୀ ସୁବିଧା ପାଇଁ ଏପରି କରିଥାନ୍ତି | ଏହା ମୁଖ୍ୟତଃ ଗ୍ରାମାଞ୍ଚଳର ଗରୀବ ଓ ନିମ୍ନ ମଧ୍ୟବିତ୍ତ ପରିବାରର କାହାଣୀ | କିନ୍ତୁ ସହରରେ ରହୁଥିବା ଅନେକ ଧନୀ ଲୋକ ମଧ୍ୟ ଭିନ୍ନ କାରଣରୁ ନିଜ ପରିବାରକୁ ରେକର୍ଡ଼ପତ୍ରରେ ଅଲଗା କରିଦେଇଛନ୍ତି | ଯେଉଁ ଲୋକମାନେ ଆୟକର ଫାଙ୍କିବାକୁ ଚାହାନ୍ତି, ସଂପତ୍ତି କର ଫାଙ୍କିବାକୁ ଚାହାନ୍ତି, ଅଧିକ ପରିମାଣର ସରକାରୀ ପ୍ଲଟ୍ ଓ ଘର ଅକ୍ତିଆର କରିବାକୁ ଚାହାନ୍ତି, ସେମାନେ ଏଭଳି ଉପାୟ ବାହାର କରିଛନ୍ତି | ମନେକରନ୍ତୁ ଜଣେ ଲୋକ ଆଇନଗତ ହେଉ କି ବେଆଇନ ଭାବେ ବର୍ଷକୁ କୋଟିଏ ଟଙ୍କା ରୋଜଗାର କରୁଛନ୍ତି | ସେ ଜଣେ ଲୋକ ହିସାବରେ ଆୟକର ବିଭାଗରେ ଏହାର ହିସାବ ଦାଖଲ କଲେ କେତେ ଖର୍ଚ୍ଚ ଦର୍ଶାଇପାରିବେ ? ଗାଡ଼ି ଖର୍ଚ୍ଚ, ଘର ଖର୍ଚ୍ଚ, ପିଲାଙ୍କ ପଢ଼ା ଖର୍ଚ୍ଚ, ଗସ୍ତ ଖର୍ଚ୍ଚ, ଜିନିଷପତ୍ର କିଣା, ସ୍ବାସ୍ଥ୍ୟ ଖର୍ଚ୍ଚ ଆଦି ସବୁ ସମ୍ଭାବ୍ୟ ବାବଦରେ ଖର୍ଚ୍ଚ ଦର୍ଶାଇଲେ ବି ସଂପୂର୍ଣ୍ଣ ଆୟ ସଂପୂର୍ଣ୍ଣ ଖର୍ଚ୍ଚରେ ଅନ୍ତର୍ଭୁକ୍ତ ହୋଇପାରେନା | ଖର୍ଚ୍ଚ ବାଦ ଯାହା ନିଟ୍ ଆୟ ବଳେ ତା’ ଉପରେ ଆୟକର ଦାଖଲ କରିବାକୁ ପଡ଼େ | ଏହା ଫାଙ୍କିବା ପାଇଁ କିଛି ଅସାଧୁ ପ୍ରକୃତିର ଲୋକ ନିଜ ଆୟକୁ ନିଜ ଭାଇ, ସ୍ତ୍ରୀ ବା ପିଲାଙ୍କ ଆୟରେ ଭାଗ ଭାଗ କରି ଦିଅନ୍ତି  ସେମାନଙ୍କୁ ଅଲଗା ପରିବାର ଭାବେ ଦର୍ଶାନ୍ତି | ସେମାନେ ସାବାଳକ ହୋଇଥିଲେ ସେମାନଙ୍କ ନାଁରେ ଅଲଗା ଅଲଗା ପ୍ୟାନ୍ କାର୍ଡ଼ ବାହାର କରି ବାଷିର୍କ ଆୟକର ରିଟର୍ଣ୍ଣ ଦାଖଲ କରନ୍ତି | ସେମାନଙ୍କୁ ଅଲଗା ପରିବାର ଦର୍ଶାଇ ସେମାନଙ୍କ ନାମରେ ଅନେକ ଖର୍ଚ୍ଚ ହିସାବ ପକେଇ ଦିଅନ୍ତି | କେଇ ମାସ ତଳେ ରାଜ୍ୟ ଜଣେ ରାଜ୍ୟସଭା ସଦସ୍ୟ ମଧ୍ୟ ଏହି କୌଶଳରେ ନିଜ ପରିବାର ନାମରେ କେତେକ ସରକାରୀ ପ୍ଲଟ୍ ଓ ଘର ନେଇ ଚର୍ଚ୍ଚାକୁ ଆସିଥିଲେ | ପୂର୍ବରୁ ରାଜ୍ୟ ମନ୍ତ୍ରିମଣ୍ଡଳର ଜଣେ ସଦସ୍ୟ ବିକ୍ରମ ଆରୁଖ ନିଜ ନାଁ ଓ ପତ୍ନୀଙ୍କ ନାଁରେ ସରକାରୀ ସଂସ୍ଥାରୁ ଦୁଇଟି ଘର ନେଇଥିବା ଧରାପଡ଼ିବା ପରେ ଆଇନ ଅନୁଯାୟୀ ସେଥିରୁ ଗୋଟିଏ ଫେରାଇବାକୁ ବାଧ୍ୟ ହୋଇଥିଲେ | କାରଣ ଆଇନ ଅନୁସାରେ ଭୁବନେଶ୍ବରରେ ଯାହାର ଅର୍ଥାତ ଯେଉଁ ପରିବାରର ସରକାରୀ ଘରନଥିବ କେବଳ ସେହି ଲୋକମାନଙ୍କୁ ବିଡିଏ ବା ହାଉସିଂ ବୋର୍ଡ଼ ପରି ସଂସ୍ଥା ଘର ବା ପ୍ଲଟ୍ ଦେଇପାରିବେ | ସେହିପରି ସ୍ବାମୀଙ୍କ ନାଁରେ ଘର ବା ପ୍ଲଟ ଥିଲେ ପତ୍ନୀ ବା ପୁଅଙ୍କୁ ମିଳିବ ନାହିଁ | ଏହି କାରଣରୁ ବିଡିଏ ଓ ହାଉସିଂ ବୋର୍ଡ଼ ତରଫରୁ ଅନେକ ଲୋକଙ୍କ ଉପରେ ନୋଟିସ୍ ଜାରି ହୋଇଛି | ଇତିମଧ୍ୟରେ ବିଡିଏ ତରଫରୁ ପ୍ରାୟ ତିନି ଡଜନ ଲୋକଙ୍କ ବିରୋଧରେ ମାମଲା ମଧ୍ୟ ଦାଏର ହେଲାଣି | ଏଭଳି ବେନିୟମ କାମର ସୁବିଧା ପାଇଥିବା ଲୋକଙ୍କ ଭିତରେ କେବଳ ନେତା ନାହାନ୍ତି, ଅନେକ ଆଇଏଏସ୍ ଅଫିସର, ଶିଳ୍ପପତି, ବ୍ୟବସାୟୀ ଓ ସାମ୍ବାଦିକ ମଧ୍ୟ ଅଛନ୍ତି | ଏହା ଧରାପଡ଼ିବା ପରେ ଏହି ଲୋକମାନେ ନିଜନିଜ ସଂପତ୍ତି ବଞ୍ଚାଇବା ପାଇଁ ପରିବାରର ସଂଜ୍ଞା ବଦଳାଇବାକୁ ମଧ୍ୟ ଭୁଲୁ ନାହାନ୍ତି | ଏମାନଙ୍କ ପାଇଁ ହିନ୍ଦୁ ଯୌଥ ପରିବାରର ସଂଜ୍ଞା ବଦଳି ଯାଇଛି | ଏଇ ଯେମିତି ସ୍ବର୍ଗତ ସାଂସଦ କଳ୍ପତରୁ ଦାସ ତାଙ୍କ ପତ୍ନୀ ଓ ପୁଅ ସାବାଳକ ହୋଇଥିବାରୁ ଅଲଗା ଅଲଗା ପରିବାର ବୋଲି ଯୁକ୍ତି କରିଥିଲେ ! ତାଙ୍କ ପତ୍ନୀ ଓ ପୁଅ ଆୟକର ଦାଖଲ କରୁଥିବାରୁ ଆଇନତଃ ଅଲଗା ଅଲଗା ପରିବାର ଭାବେ ପରିଗଣିତ ହେବେ ବୋଲି ସେ ଯୁକ୍ତି କରିଥିଲେ | ତେଣୁ ସେମାନେ ଅଲଗା ଅଲଗା ସରକାରୀ ପ୍ଲଟ୍ ବା ଘର ପାଇବାରେ କିଛି ବେଆଇନ କାର୍ଯ୍ୟ ହୋଇନାହିଁ ! କଳ୍ପତରୁଙ୍କ ଏହି ଯୁକ୍ତିକୁ ଓଡ଼ିଶା ସରକାର ଗ୍ରହଣ ନକରି କରିଥିଲେ | ଏ ବିଷୟ ଯଦି କୋର୍ଟକୁ ଯାଇଥାନ୍ତା ତେବେ କୋର୍ଟ କ’ଣ କହିଥାନ୍ତେ? ସାଂସଦ କଳ୍ପତରୁ, ତାଙ୍କର ବିଧାୟକ ପୁଅ, ଟ୍ରଷ୍ଟ ନାଁରେ ବ୍ୟାବସାୟିକ ଶିକ୍ଷାନୁଷ୍ଠାନ ଖୋଲିଥିବା ପତ୍ନୀ, ଖଣିଜ ପରିବହନ ଓ ଟ୍ରେଡିଂ କମ୍ପାନୀ ଖୋଲିଥିବା ଦୁଇ ପୁଅଙ୍କୁ କୋର୍ଟ ଅଲଗା ଅଲଗା ପରିବାର ଭାବେ ଧରିଥାନ୍ତେ ନା ହିନ୍ଦୁ ଏକାନ୍ନବର୍ତ୍ତୀ ପରିବାର ଭାବେ ଗ୍ରହଣ କରିଥାନ୍ତ ତାହା ସ୍ପଷ୍ଟ ହୋଇଥାନ୍ତା | ଏହା କେବଳ କଳ୍ପତରୁ ଦାସଙ୍କ ପରିବାରର କଥା ନୁହେଁ, ଏହା ଅଧକାଂଶ ଦୁର୍ନୀତିଖୋର ଓ କଳାଧନ ଜମାକାରୀଙ୍କ ପରିବାରର କଥା |

Share :