ମହାନଦୀ ଯଦି ହଜିଯାଏ...

ମହାନଦୀ ଯଦି ହଜିଯାଏ...

Share :

ଆଜାଦ ଭାରତେନ୍ଦୁ ସୁନ୍ଦର   ଜାଣିବାକୁ ମନରେ ଆଗ୍ରହ ଆସେ, ମହାନଦୀ ଜଳକୁ ନେଇ କେବେ, କେମିତି ବିବାଦୀୟ ପରିସ୍ଥିତି ସୃଷ୍ଟି ହେଲା ଓ କେବେଠାରୁ ଆରମ୍ଭ ହେଲା ବିବାଦ? ଜାଣିବାର ଆଗ୍ରହ ଏଇଥି ପାଇଁ ଯେ, ବିରୋଧୀ ରାଜନୈତିକ ଦଳଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମ, ସିଭିଲ ସୋସାଇଟି ଓ ବୁଦ୍ଧିଜୀବୀ ରାଜ୍ୟ ସରକାରଙ୍କୁ ଅବହେଳା, ଅପାରଗ ଓ ଅଦକ୍ଷ ଇତ୍ୟାଦି ବିଶେଷଣରେ ବିଭୂଷିତ କରି ରାଜ୍ୟ ପ୍ରତି ନିଜ ନିଜର ଅନୁରକ୍ତି ପ୍ରକାଶ କରୁଛନ୍ତି ଓ ରାଜ୍ୟର ଶାସନ ମୁଖ୍ୟ ସମସ୍ତଙ୍କ ଠାରୁ ଆଉ ପାଦେ ଆଗକୁ ଯାଇ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମହାନଦୀ ନେଇ ସଂଗ୍ରାମ ଜାରି ରଖିବା ପାଇଁ ଘୋଷଣା କରିଛନ୍ତି। ରାଜ୍ୟ ଶାସନ ମୁଖ୍ୟଙ୍କ ପ୍ରତିଜ୍ଞାରୁ ଅବଶ୍ୟ ଉଭୟ ବିବାଦର ଗଭୀରତା ଓ ରାଜ୍ୟପ୍ରତି ଅନୁରକ୍ତି ସ୍ପଷ୍ଟ।   ସ୍ୱଭାବରେ ଓଡ଼ିଆ ସ୍ୱପ୍ନ ପ୍ରିୟ। ଶୋଇ ରହିଲେ ହିଁ ସ୍ୱପ୍ନ ଆସେ। ନିଦ ଯେତେ ଗଭୀର, ସ୍ୱପ୍ନର ଅମୋଦତା ସେତେ ଅଧିକ। ସ୍ୱପ୍ନ ଦେଖିବା ଓ କେତେବେଳେ ଆଉ କାହାର ସ୍ୱପ୍ନକୁ କାୟ-ମନ-ବାକ୍ୟରେ ସାକାର କରିବାକୁ ଓଡ଼ିଆ ପ୍ରାଣ, ବାସ୍ତବତାଠାରୁ ଦୂରେଇ ଯାଏ କି ବାସ୍ତବତା ତା’ ଠାରୁ ଦୂରେଇ ଯାଏ ତାହା ଅନୁଶୀଳନ ସାପେକ୍ଷ। ଏହି ଶୋଇ ରହିବା ଦେଖି ଡାକି ଉଠାଇବାକୁ ଚାହିଁଥିଲେ ମଧୁ ବାରିଷ୍ଟର। ଦାସେ ଆପଣେ ଶୁପ୍ତ ଅବସ୍ଥା ମଉକାରେ ଉତ୍କଳର ନେତା କରିଦେଇ ଗଲେ ନାରାୟଣଙ୍କୁ। କବି ରାଥାନାଥ ଏ ଅବସ୍ଥା ଦେଖି ଦୋଷ ଦେଲେ ନିୟତିକୁ ତାଙ୍କ ଚିଲିକା କାବ୍ୟରେ ଚେଷ୍ଟାରେ କେତେବେଳେ ଶୋଇଥିଲେ ଓ କେତେବେଳେ ଚେଇଁଥିଲେ ତା’ର ଅତୀତ ଇତିହାସ ଖୋଜୁଛନ୍ତି ରାତି ଅନିଦ୍ରା ହୋଇ ସମ୍ମାନୀୟ ହରପ୍ରସାଦ।     ବିକାଶ ନାମକ ସ୍ରୋତରେ କେତେ ଘର, ଗାଁ, ହ୍ରଦ, ବଣ ଓ ପାହାଡ଼ ହଜାଇ ଦିଆଯାଇଛି। ଏବେ ପାଳି ପଡ଼ିଛି ଏକ ନଦୀ ଯାହା ମହାନଦୀ ନାମରେ ଖ୍ୟାତ। ସୁଦୂର ଅମରକଣ୍ଟକରୁ ବାହାରି ୮୫୧ କିମି ଅତିକ୍ରମ କରି ଲୀନ ହୋଇଯାଇଛି ବଙ୍ଗୋପସାଗରରେ। କେତେ ଜନପଦ, ସହର, ଶିଳ୍ପ, ସାହିତ୍ୟ, ସଂସ୍କୃତି ଓ ଧର୍ମ ସହିତ ଯୋଡ଼ି ହୋଇରହିଛି ଏହି ନଦୀ। ଯେଉଁମାନେ ନଦୀର ଜଳ ବଙ୍ଗୋପସାଗରରେ ମିଶି ନଷ୍ଟ ହେଉଛି ବୋଲି ଅଭିଯୋଗ ବାଢ଼ୁଛନ୍ତି ସେମାନେ କ’ଣ ବୁଝିଛନ୍ତି ଜଳର ଲଗାମହୀନ ବ୍ୟବହାର ସଲିଳହୀନ ହୋଇ ନଦୀଟି ବାଲି ପ୍ରାନ୍ତରେ ପରିଣତ ହୋଇଯିବ।   ଲୋକଙ୍କ ଶୋଇବା ଦେଖି ତାଙ୍କ ସ୍ୱପ୍ନରେ ରଙ୍ଗ ଦେବା ପାଇଁ ସହଜ ହୁଏ ସରକାରମାନଙ୍କୁ।   ବର୍ଷେ କିମ୍ୱା ଦୁଇବର୍ଷ ନୁହେଁ, ପ୍ରାୟ ଅର୍ଦ୍ଧ ଶତାଦ୍ଦୀର ସମୟ ଅତିକ୍ରାନ୍ତ କରି ମହାନଦୀ ଆସିଛି ଆଜିର ଅବସ୍ଥାକୁ। ଏହି ସମୟ ଅବଧି ମଧ୍ୟରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କ୍ଷମତାକୁ ଆସିଛନ୍ତି କଂଗ୍ରେସ, ଜନତା, ବିଜେପି, ବିଜେଡ଼ି ପରି ଦଳଙ୍କୁ ନେଇ ଗଠିତ ଉପା ଓ ଏନ‌୍‍ଡିଏ ଭଳି ମେଣ୍ଟ। ହେଲେ କାହାରି ନିଦ ଭାଙ୍ଗୁ ନଥିଲା। ହଠାତ ଏକ ଦୁଃସ୍ୱପ୍ନ ଦେଖିବା ଭଳି ସମସ୍ତେ ଆଜି ଚେଇଁ ଉଠିଛନ୍ତି। ରାଜ୍ୟ ଯେତେବେଳେ କେନ୍ଦ୍ର ଅବହେଳାର ଶିକାର ହେଉଥିଲା, ଖଣିଜ ପଦାର୍ଥର ଯେତେବେଳେ ଚୋରା ଚାଲାଣ ଚାଲିଥିଲା, ଚିଟ‌୍‍ଫଣ୍ଡ ସଂସ୍ଥାମାନେ ଯେତେବେଳେ ଲୋକଙ୍କୁ ଭଣ୍ଡାଉ ଥିଲେ, ଶ୍ରୀମନ୍ଦିରରୁ ଯେତେବେଳେ ପଥର ଖଣ୍ଡ ଖସି ପଡୁଥିଲା ଓ ମହାନଦୀର ପ୍ରବାହ ଯେତେବେଳେ ଏହାର ପ୍ରଖରତା ହରାଉଥିଲା ସେତେବେଳେ ସମସ୍ତେ ଶୋଇଥିଲେ।   ବର୍ତ୍ତମାନ ଏକ ଦୁଃସ୍ୱପ୍ନ ଦେଖିବା ଭଳି ସମସ୍ତେ ଚିତ୍କାର କରୁଛନ୍ତି। ମହାନଦୀ ଶୁଖିଯିବ, ମରୁଭୂମି ପାଲଟିଯିବ ଓଡ଼ିଶା। ସ୍ୱାର୍ଥ ହାସଲ ପାଇଁ ଲଢ଼େଇ ହେବ। ହେଲେ କାହା ସାଥୀର ଲଢ଼େଇ?   ମହାନଦୀର ଯେଉଁ ଅବସ୍ଥା ପାଇଁ ଆଜି ଚର୍ଚ୍ଚା ଜୋର ଧରିଛି ଓ ଆନ୍ଦୋଳନ ଆରମ୍ଭ ହୋଇଛି ଏହା ସ୍ୱଳ୍ପ ସମୟ ମଧ୍ୟରେ ଘଟିନାହିଁ ଓ ଅଜଣାରେ ମଧ୍ୟ ହୋଇନାହିଁ।   ଉପଳବ୍ଧ ତଥ୍ୟ ଅନୁଯାୟୀ ବହୁମୁଖୀ ହୀରାକୁଦ, ନଦୀବନ୍ଧ ଯୋଜନାର ନିର୍ମାଣ କାର୍ଯ୍ୟ ଶେଷ ହୁଏ ୧୯୫୭ ମସିହାରେ। ନିର୍ମାଣ କାର୍ଯ୍ୟ ସରିବାର ବହୁ ବର୍ଷ ପରେ ୧୫ ଜୁନ‌୍‍ ୧୯୭୩ ମସିହାରେ ପ୍ରଥମ ଥର ପାଇଁ ମହାନଦୀ ଜଳ ଓ ହୀରାକୁଦ ଜଳ ବିଦ୍ୟୁତ ଆବଣ୍ଟନ ନେଇ ଉଭୟ ଓଡ଼ିଶା ଓ ମଧ୍ୟପ୍ରଦେଶ ସରକାରଙ୍କ ଅଫିସରସ୍ତରୀୟ ଆଲୋଚନା ଅନୁଷ୍ଠିତ ହୁଏ ପଚମହାରୀଠାରେ। ହୀରାକୁଦ ନଦୀବନ୍ଧ ନିର୍ମାଣର ବହୁ ପୂର୍ବରୁ ମହାନଦୀ ଉପରେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ମୁରାରସିଲି ଓ ଦୁଧୱା ଠାରେ ଜଳସେଚନ ପାଇଁ ଦୁଇଟି ସେଚ ପ୍ରକଳ୍ପ ନିର୍ମାଣ ସରିଥାଏ। ପରବର୍ତ୍ତୀ ପର୍ଯ୍ୟାୟରେ ଭିଲାଇ ଇସ୍ପାତ କାରଖାନାକୁ ଜଳ ଯୋଗାଣ ପାଇଁ ନିର୍ମାଣ ହୋଇଥିଲା ଗଙ୍ଗରେଲ ବ୍ୟାରେଜ‌୍‍। ୧୯୭୬ ମସିହା ମଇ ମାସରେ ହୋଇଥିବା ଏହି ବୈଠକରେ ଯୋଗଦେଇଥିବା ଓଡ଼ିଶାର ଅଫିସରମାନେ ହୀରାକୁଦର ଉପରମୁଣ୍ଡରେ ଜଳ ବ୍ୟବହାରର ଚାହିଦା ପର୍ଯ୍ୟାୟକ୍ରମେ ବଢ଼ୁଥିବା ଯୋଗୁଁ ଜଳଭଣ୍ଡାରର ମୂଳ ଆକଳନ ଅନୁଯାୟୀ ନିଆଯାଇଥିବା କାର୍ଯ୍ୟକ୍ରମ ବ୍ୟାହତ ହେଉଥିବା ନେଇ ଅଭିଯୋଗ ବାଢ଼ିଥିଲେ। ବୈଠକରେ ଗୃହୀତ ହୋଇଥିବା ବିବରଣୀର ଭାଷାରେ “Orissa officers expressed their apprehension that by progressive development of consumptive use of Mahanadi water upstream of Hirakud, the use and operation of the Hirakud Reservoir as was originally envisaged is getting seriously disturbed. They stated that it was necessary that the pattern of use from the Hirakud Reservoir that has developed during these years is protected and the upstream projects are planned, executed and operated accordingly. It was particularly mentioned by them that the non-monsoon flow into the reservoir has got substantially reduced and to that extent, the utility of the project is getting progressively limited.”   ଏ ଅଭିଯୋଗ ଓ ଆଶଙ୍କା ୧୯୭୬ ମସିହାରେ। ଆଜିର ଦିନରେ ଏହା ପୁରୁଣା ନିଶ୍ଚୟ।   ଏହାର ପ୍ରତ୍ୟୁତ୍ତରରେ ମଧ୍ୟପ୍ରଦେଶ ଅଫିସରମାନେ ଓଡ଼ିଆ ଅଫିସରଙ୍କୁ ଶୁଣାଇଥିଲେ ପ୍ପମହାନଦୀର ଉତ୍ପତିସ୍ଥଳ ଠାରୁ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ୩୨ ହଜାର ୨୦୦ ବର୍ଗ ମାଇଲ ଜଳଧାରଣ ଅଞ୍ଚଳ ମଧ୍ୟରୁ ୨୭ ହଜାର ୯୦୦ ବର୍ଗ ମାଇଲ ମଧ୍ୟ ପ୍ରଦେଶର। ମହାନଦୀରେ ପ୍ରବାହିତ ହେଉଥିବା ୩୩ ନିୟୁତ ଏକର ଫୁଟ (ଏମ‌୍‍ଏଏଫ‌୍‍) ଜଳ ମଧ୍ୟରୁ ୨୮.୬ ଏମ‌୍‍ଏଏଫ ଜଳ ମଧ୍ୟ ପ୍ରଦେଶରୁ ହିଁ ସଂଗୃହୀତ ହୋଇଥାଏ। ଏହି ତଥ୍ୟ ଭିତ୍ତିରେ ମହାନଦୀ ଅବବାହିକାରେ ୫୦ ଭାଗ କୃଷି ଉପଯୋଗୀ ଜମି ଜଳସେଚିତ ହୋଇପାରିବ। ମହାନଦୀ ହେଉଛି ଛତିଶଗଡ଼ ଅଞ୍ଚଳର ଜୀବନରେଖା ଓ ରାଜ୍ୟର ଭାତହାଣ୍ଡି। (ଛତିଶଗଡ଼ ମଧ୍ୟପ୍ରଦେଶରୁ ବିଭାଜିତ ହୋଇ ସ୍ୱତନ୍ତ୍ର ରାଜ୍ୟ ହେଲା ୨୦୦୦ ମସିହା ନଭେମ୍ୱର ମାସରେ)। ମଧ୍ୟପ୍ରଦେଶ ସୀମା ମଧ୍ୟରେ ମହାନଦୀ ଅବବାହିକାରେ ତୃଷାର୍ତ୍ତ ଛତିଶଗଡ଼ ଅଞ୍ଚଳର ଚାଷ ଜମିକୁ ଜଳ ଯୋଗାଇ ଦେବା ପାଇଁ ମହାନଦୀ ମାଷ୍ଟର ପ୍ଲାନ ପ୍ରସ୍ତୁତ ଚାଲିଛି। ଏକଥା ଶୁଣିବା ପରେ ଓଡ଼ିଶା ସରକାରଙ୍କ ଅଫିସରଙ୍କ ଅନୁରୋଧ ଥିଲା, ମାଷ୍ଟର ପ୍ଲାନ ସରିବା ପରେ ଆମକୁ ଏହାର କପିଟିଏ ଦେବ, କାରଣ ତଳ ଅବବାହିକାର ରାଜ୍ୟ ହିସାବରେ ଏହା ଜାଣିବା ପାଇଁ ଆମେ ଆଗ୍ରହୀ।   ଏହାର ୩ ବର୍ଷ ପରେ ପୁଣି ଥରେ ଉଭୟ ରାଜ୍ୟର ଅଫିସରଙ୍କୁ ନେଇ ୧୯୭୬ ମସିହା ମଇ ମାସରେ ଏକ ଦୁଇଦିନିଆ ବୈଠକରେ ପଚମାହାରୀ ଆଲୋଚନାର କାର୍ଯ୍ୟକାରୀତା ନେଇ ଆଲୋଚନା ହୁଏ। ଏହି ବୈଠକରେ ମଧ୍ୟପ୍ରଦେଶ ଅଫିସରମାନେ ଆହୁରି ସ୍ପଷ୍ଟ ଭାବରେ ଶୁଣାଇଥିଲେ ଯେ, ହୀରାକୁଦ ବନ୍ଧ ପ୍ରକଳ୍ପ ରିପୋର୍ଟରେ ଆକଳିତ ହୋଇଥିବା ଜଳ ପରିମାଣ ବ୍ୟତୀତ ଉଦ‌୍‍ବୃତ୍ତ ଜଳ ମଧ୍ୟ ପ୍ରଦେଶ ବ୍ୟବହାର କରିବାରେ ଓଡ଼ିଶା ସରକାରଙ୍କର କୌଣସି ଆପତ୍ତି ରହିବା ଉଚିତ ନୁହେଁ।   ଏହାର ୬ ବର୍ଷ ପରେ, ପୁଣି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେଲା ୧୯୮୩ ମସିହାରେ। ଭୁବନେଶ୍ୱରରେ ଅନୁଷ୍ଠିତ ଏହି ବୈଠକରେ ଉଭୟ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ବୈଠକରେ ମହାନଦୀ ବ୍ୟତୀତ ଏହାର ଶାଖା ଓ ଉପନଦୀ ଗୁଡ଼ିକରେ ସେଚପ୍ରକଳ୍ପ ପ୍ରତିଷ୍ଠା ନେଇ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ହେବା ସହିତ ମହାନଦୀ ପାଇଁ ଏକ ଆନ୍ତଃରାଜ୍ୟ ନିୟନ୍ତ୍ରଣ ବୋର୍ଡ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ୧୯୮୩ ମସିହାରୁ ୨୦୦୦ ମସିହା ଏହି ୧୭ ବର୍ଷ ମଧ୍ୟରେ ଓଡ଼ିଶାରେ ୪ଟି ସରକାର ଆସିଲେ ଓ ଗଲେ। ନିଷ୍ପତ୍ତି ଅନୁଯାୟୀ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ କରାଗଲା ନାହିଁ। ମଧ୍ୟ ପ୍ରଦେଶ ସରକାରଙ୍କ ଆଚରଣ ଓ ଉଚ୍ଚାରଣ ଜାଣିବା ସତ୍ତ୍ୱେ ବି କାହିଁକି କୌଣସି ତତ୍ପରତା ପ୍ରକାଶ ପାଇଲା ନାହିଁ?     ଜୁଲାଇ ୭, ୨୦୦୦ ମସିହା ଓଡ଼ିଶାର ଶାସନ ମୁଖ୍ୟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପାଞ୍ଚଟି ଦାବି ଉପସ୍ଥାପିତ କଲେ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀଙ୍କ ପାଖରେ। ୧). ଓଡ଼ିଶାରେ ଜଳସେଚନ ଓ ବିଦ୍ୟୁତ‌୍‍ ଉତ୍ପାଦନ ପାଇଁ ଅଣ-ମୌସୁମୀ ଋତୁରେ ୨ ଏମ‌୍‍ଏଏଫ‌୍‍ ଜଳ ମଧ୍ୟ ପ୍ରଦେଶ ସରକାର ମହାନଦୀରେ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଉ। ୨). ଏକ ଲକ୍ଷ କ୍ୟୁସେକ‌୍‍ରୁ ଅଧିକ ଜଳ ହୀରାକୁଦ ଜଳଭଣ୍ଡାରକୁ ଛାଡ଼ିବା ପୂର୍ବରୁ ଓଡ଼ିଶାକୁ ପୂର୍ବ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଉ। ୩). ଇବ‌୍‍ ଜଳଭଣ୍ଡାର ନିର୍ମାଣ ସମାପ୍ତ ନହେବା ପର୍ଯ୍ୟନ୍ତ ମଧ୍ୟ ପ୍ରଦେଶ ସରକାର ପିଇବା ପାଣିର ଆବଶ୍ୟକତା ମେଣ୍ଟାଇବା ପାଇଁ ଇବ‌୍‍ ନଦୀରେ ଜଳ ଛାଡ଼ିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦିଅନ୍ତୁ। ୪). ମଧ୍ୟପ୍ରଦେଶ ସରକାରଙ୍କର କୌଣସି ନୂତନ ଜଳପ୍ରକଳ୍ପ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ହେବା ପୂର୍ବରୁ ଓଡ଼ିଶା ସରକାରଙ୍କର ସହମତି ନିଆଯାଉ। ୫). ହୀରାକୁଦ ତଳ ଅବବାହିକାରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରିବା ସମ୍ଭବ ନୁହେଁ। ହୀରାକୁଦ ବନ୍ଧର ଉଚ୍ଚତା ୬୨୦ ଫୁଟ ଓ ଅଧିକ ପରିମାଣ ଜଳ ଭଣ୍ଡାରରେ ଗଚ୍ଛିତ ରଖିବା ବନ୍ଧ ପ୍ରତି ବିପଦ ସୃଷ୍ଟି କରିବ। ଏହି କାରଣରୁ, ରାୟପୁର ଠାରେ ୨୩.୦୬.୨୦୦୦ ମସିହାରେ ମଧ୍ୟ ପ୍ରଦେଶ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଅନୁଯାୟୀ ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ ଅଧିକ ଜଳ ସେମାନଙ୍କ ଜଳ ଭଣ୍ଡାରରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଉ। ଅତିଶୀଘ୍ର ଏସବୁ ଦାବିଗୁଡ଼ିକ କାର୍ଯ୍ୟକାରୀ କରାଯାଉ।   ଏଥିରୁ କ’ଣ ପ୍ରମାଣ ମିଳେ? ୨୦୦୦ ମସିହା ପରଠାରୁ ୨୦୧୬ ମସିହା ପର୍ଯ୍ୟନ୍ତ କାହିଁକି ଆମେ ଅନ୍ଧାରରେ ରହିଲେ? ଏଥିପାଇଁ କ’ଣ ଆଜି ସଂଗ୍ରାମର ଡ଼ାକରା?   ୧୯୭୩ ମସିହାଠାରୁ ଓଡ଼ିଶା, ମଧ୍ୟ ପ୍ରଦେଶ ସରକାର ଓ ପରବର୍ତ୍ତୀ ପର୍ଯ୍ୟାୟରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ବ୍ୟାରେଜ ନିର୍ମାଣ ଯୋଗୁଁ ମହାନଦୀରେ ଜଳ ପ୍ରବାହ କମିଯିବା ଅଭିଯୋଗ କରି ଆସୁଛନ୍ତି ଓ ସେଠିକାର ସରକାର ମହାନଦୀ ଜଳକୁ ବ୍ୟବହାର ପୂର୍ଣ୍ଣମାତ୍ରାରେ କରାଯିବ ବୋଲି କହି ଆସୁଛନ୍ତି।   ୧୯୮୩ ମସିହାରେ ଉଭୟ ମୁଖ୍ୟମନ୍ତ୍ରୀ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ପାଇଁ ନିଷ୍ପତ୍ତି ନେଇଥିବାବେଳେ ଏହା କାହିଁକି ପରବର୍ତ୍ତୀ ପର୍ଯ୍ୟାୟରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ? ୨୦୦୦ ମସିହାରେ ରାଜ୍ୟ ଶାସନ ମୁଖ୍ୟଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପିତ କରାଯାଇଥିବା ଦାବି ଉପରେ ଏପର୍ଯ୍ୟନ୍ତ କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? ଏହି ଦାବି ହାସଲ ପାଇଁ ଦୀର୍ଘ ୧୬ ବର୍ଷ ମଧ୍ୟରେ କି କି ଉଦ୍ୟମ ହୋଇଛି? ଏମିତି କିଛି ଅସମାହିତ ପ୍ରଶ୍ନର ଉତ୍ତର ଆଶା କରାଯାଉଥିବା ରାଜନୈତିକ ସଂଗଠନମାନେ ନିଜ ନିଜର ଦୋଷ ଘୋଡ଼ାଇବା ପାଇଁ ହେଉ କିମ୍ୱା ରାଜ୍ୟ ପ୍ରତି ବିଳମ୍ୱିତ ଅନୁରକ୍ତି କାରଣ ଯୋଗୁଁ ହେଉ ମହାନଦୀରେ ପ୍ରବାହିତ ଜଳଠାରୁ ଅଧିକ ପରିମାଣର ଲୁହ ଗଡାଉଛନ୍ତି। ମହାନଦୀ ହଜିଲେ ହଜିଯାଉ। ହେଲେ ଏମାନଙ୍କୁ ସାନ୍ତ୍ୱନା ଦରକାର। ସାନ୍ତ୍ୱନା, ମହାନଦୀ ନୁହେଁ ସଚିବାଳୟ ପାଇଁ।   ଥାନେ, ମୁମ୍ୱାଇ, azadindiahome@gmail.com

Share :