ପାରାଦୀପରେ ଆମ ପୁଲିସ!

ପାରାଦୀପରେ ଆମ ପୁଲିସ!

Share :

  ବନ୍ଦର ସହର ପାରାଦୀପ ଅଞ୍ଚଳରେ ଏବେ ପୋଲିସର କଡା ପ୍ରସ୍ତୁତି। ଇତିମଧ୍ୟରେ ପ୍ରାୟ ସମସ୍ତ ଥାନାରେ ଅଧିକାରୀଙ୍କ ଅଦଳ ବଦଳ ହୋଇଯାଇଛି। ଏପରିକି ନୂଆ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି। ତେବେ ଏହା ପରେ ପୋଲିସ ଅପରାଧ ଓ ଅପରାଧୀ ଦମନ କରିବା ସହ ଗୁରୁତର ହୋଇପଡିଥିବା ଟ୍ରାଫିକ ସମସ୍ୟା ସୁଧାରିବାକୁ ଅଣ୍ଟା ଭିଡିଛି।   ବର୍ତ୍ତମାନ ବନ୍ଦର ନିଷିଦ୍ଧାଞ୍ଚଳକୁ ପଣ୍ୟ ପରିବହନ ବୃଦ୍ଧି ପାଇଥିବାରୁ ଭୂତମୁଣ୍ଡାଇ ଠାରୁ ଅଠରବାଙ୍କୀ ପର୍ଯ୍ୟନ୍ତ ନାହିଁ ନଥିବା ଟ୍ରାଫିକ ସମସ୍ୟା ଉପୁଜୁଛି। ଏହାକୁ ଦୃଷ୍ଟିରେ ରଖି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗଦାଧର ପ୍ରଧାନୀ କଡା ନିୟମ ଲାଗୁ କରିଛନ୍ତି। କୌଣସି ଗାଡି ଡାହାଣ ପଟେ ଓଭରଟେକ‌୍‍ ନକରି ଆସିବା ପରି ନିୟମ ଲାଗୁ କରି କିପରି ସୂଚାରୁ ରୂପେ ଲାଇନ‌୍‍ରେ ଆସିବ ସେ ନେଇ ବିଭିନ୍ନ ସ୍ଥାନରେ ପୋଲିସ ନିୟୋଜିତ କରିଛନ୍ତି। ସେହିପରି ରାସ୍ତାର ଦୁଇ ପାର୍ଶ୍ୱରେ ବେଆଇନ‌୍‍ ଭାବେ ପାର୍କିଂ କରୁଥିବା ଗାଡିଗୁଡିକ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଦ୍ଦେର୍ଶ ଦିଆଯାଇଛି। ଏପରିକି ଦରକାର ପଡିଲେ କ୍ରେନ‌୍‍ ଲଗାଇ ଗାଡିଗୁଡିକ ଉଠାଇ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।   ଅପରାଧ ଓ ଅପରାଧୀଙ୍କୁ ସାବାଡ କରିବାକୁ ବିଭିନ୍ନ ଛକରେ କଣ୍ଟେନର ପୋଷ୍ଟ ରଖାଯିବା ପାଇଁ ବନ୍ଦୋବସ୍ତ କରାଯାଇଛି। ୨୪ ଘଣ୍ଟିଆ ପ୍ୟାଟ୍ରୋଲିଂ ବ୍ୟବସ୍ଥା ସହ ୨୪ ଘଣ୍ଟା କଡା ପ୍ରହରା ମଧ୍ୟ ଦିଆଯିବା ପାଇଁ ପ୍ରତିଦିନ କନେଷ୍ଟବଳ, ହାବିଲ‌୍‍ଦାର ଓ ହୋମଗାର୍ଡମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇ ନିୟୋଜିତ କରାଯାଇଛି। ଯଦି କୌଣସି ଅପରାଧ ମୂଳକ ଘଟଣା ଘଟେ ତାହେଲେ କେଉଁ ଟିମ‌୍‍ କ’ଣ କରିବ ଓ ଏହାର କଣ ରୋଲ‌୍‍ ରହିବ ସେ ନେଇ ଏକ ବ୍ଳୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି। ସେହିପରି ଷ୍ଟେସନ ରୋଡରେ କାମ କରୁଥିବା ଟ୍ୟାଙ୍କର ଉପରେ କଡା ଅଙ୍କୁଶ ଲଗାଯାଇଛି। ସେମାନେ ଅଯଥାଟାରେ ଟର୍ମିନାଲ ନିକଟରେ ଜାମ ନଲଗାଇ ପିପିଏଲ ରୋଡରେ ଲାଇନ ହୋଇ ଛିଡା ହେବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଯାହାର ଯେତେବେଳେ ନମ୍ୱର ପଡିବ ସେ ସେତିକିବେଳେ ହିଁ ଆସି ଲୋଡ ନେବ ଓ ଲୋଡ ନେଇ ସାରିବା ପରେ ତୁରନ୍ତ ଟର୍ମିନାଲ ଛକ ଦେଇ ରାଜପଥକୁ ବାହାରିବା ପାଇଁ ନିୟମ ହୋଇଛି। ନିୟମ ବହିର୍ଭୁତ କାର୍ଯ୍ୟ ପାଇଁ ଜୋରିମାନା ସହ ତା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି।   ତେବେ ବାଉରିଆ ପାଳନ୍ଦା ନିକଟରେ କେତେକ ଚୋରା ତେଲ ମାଫିଆ ଗାଡି ରଖି ତେଲ ବାହାର କରୁଥିବାରୁ ତାଙ୍କ ଉପରେ କଡା ଦୃଷ୍ଟି ରଖାଯିବ ବୋଲି ସୂଚନା ମିଳିଛି। ତେବେ ପ୍ରଥମେ ଟ୍ରାଫିକ‌୍‍ ନିୟନ୍ତ୍ରଣ କରି ତା’ପରେ ଅପରାଧୀମାନଙ୍କୁ ସାବାଡ କରି ପାରାଦୀପ ସହରକୁ ଏକ ଅପରାଧ ମୁକ୍ତ ସହର ଭାବେ ଗଢିତୋଳିବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗଦାଧର ପ୍ରଧାନୀ କହିଛନ୍ତି। ଏନେଇ ସମସ୍ତ ଥାନା ଅଧିକାରୀଙ୍କୁ ନେଇ ଏକ ମିଳିତ ଟିମ‌୍‍ କରି ସ୍ୱତନ୍ତ୍ର ନେଟ‌୍‍ୱାର୍କ ଚାଲୁକରିବାକୁ ପରାମର୍ଶ ଦିଆଯାଇଛି। ତା’ଛଡା ନିୟମିତ ବ୍ୟବଧାନରେ କେବଳ ପୋଲିସ ଷ୍ଟେସନରେ ଆମ ପୋଲିସ କାର୍ଯ୍ୟକ୍ରମକୁ ସୀମିତ ରଖା ନଯାଇ ଏହାକୁ ବିଭିନ୍ନ ବସ୍ତି ଓ କଲୋନୀ ଅଞ୍ଚଳରେ ବ୍ୟାପକ କରିବାକୁ ବନ୍ଦୋବସ୍ତ କରାଯାଇଛି। ଯାହାକୁ ନେଇ ସାଧାରଣ ଲୋକେ କିଛିଟା ଭିନ୍ନ ଅନୁଭବ କରିବେ ବୋଲି ପୋଲିସ ପ୍ରଶାସନ ଆଶା କରିଛି।

Share :