ଗାଇଡ଼ ସମସ୍ୟାର ସମାଧାନ ନିର୍ଦ୍ଦେଶ

ଗାଇଡ଼ ସମସ୍ୟାର ସମାଧାନ ନିର୍ଦ୍ଦେଶ

Share :

ସୂର୍ଯ୍ୟ ମନ୍ଦିର ପରିସରରେ ଅଣସ୍ବୀକୃତିପ୍ରାପ୍ତ ଟୁରିଷ୍ଟ ଗାଇଡ଼ଙ୍କ ପ୍ରାଦୁର୍ଭାବକୁ ନାପସନ୍ଦ କରି ରାଜ୍ୟ ପର୍ଯ୍ୟଟନ ବିଭାଗରୁ ତାଲିମ ଗ୍ରହଣ କରିଥିବା ସ୍ବୀକୃତିପ୍ରାପ୍ତ ଗାଡି ଜୟଦେବ ରାଉତରାୟଙ୍କ ସମେତ ୧୫ ଜଣ ଟୁରିଷ୍ଟ ଗାଇଡ଼ ହାଇକୋର୍ଟରେ ଗତ ୨୦୧୦ ମସିହାରେ ଏକ ମାମଲା ରୁଜୁ କରିଥିଲେ। ରୁଜୁ ହୋଇଥିବା ଏହି ମାମଲାଟି ୨୦୧୦ ମସିହା ଅପ୍ରେଲ ମାସ ୧୯ ତାରିଖରେ ଡବ୍ଲୁପି(ସି) ନଂ ୪୨୬୫/୨୦୧୦ରେ ଏଏସଆଇ ଭୁବନେଶ୍ୱର ମଣ୍ଡଳର ଅଧିକ୍ଷଣ ପୁରାତତ୍ତ୍ୱବିତ, ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକକଙ୍କୁ ପକ୍ଷଭୁକ୍ତ କରାଯାଇ ୪ ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ହାଇ କୋର୍ଟଙ୍କ ନିର୍ଦ୍ଦେଶନାମାକୁ ତତ୍କାଳୀନ ଅଧିକାରୀମାନେ ଅବମାନନା କରି ଆସିଥିଲେ।   ପୁନର୍ବାର ସୂର୍ଯ୍ୟ ମନ୍ଦିରର ସରକାରୀ ସ୍ବୀକୃତିପ୍ରାପ୍ତ ଗାଇଡ଼ମାନେ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ଏହି ମାମଲାର ରାୟ ଅଗଷ୍ଟ ୮ ତାରିଖ ୨୦୧୬ରେ ପ୍ରକାଶ ପାଇଛି। ହାଇ କୋର୍ଟ ଏହି ସମସ୍ୟାର ସମାଧାନ ପାଇଁ  ପୁରୀ ଜିଲ୍ଲାପାଳ, ପୁରୀ ଆରକ୍ଷୀ ଅଧିକାରୀ, ଏଏସଆଇ ଭୁବନେଶ୍ୱର ମଣ୍ଡଳର ଅଧୀକ୍ଷଣ ପୁରାତତ୍ତ୍ୱବିତ, କୋଣାର୍କ ଥାନାାଧିକାରୀ, ସୂର୍ଯ୍ୟମନ୍ଦିର ସଂରକ୍ଷଣ ଦାୟିତ୍ୱରେଥିବା ଏଏସ‌୍‍ଆଇର ସଂରକ୍ଷଣ ସହାୟକ, ଗୋପ ତହସିଲଦାର, କୋଣାର୍କ ପର୍ଯ୍ୟଟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।   ସରକାରୀ ସ୍ବୀକୃତିପ୍ରାପ୍ତ ଗାଇଡମାନେ ହାଇକୋର୍ଟରେ କରିଥିବା ଅଭିଯୋଗରୁ ଜଣା ପଡିଛି ଯେ ସୂର୍ଯ୍ୟମନ୍ଦିର ପରିସରରେ ଅଣତାଲିମପ୍ରାପ୍ତ ଓ ସରକାରୀ ସ୍ବୀକୃତି ନ ଥିବା ଗାଇଡ଼ମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ଯୋଗୁଁ ଏଠାରେ ପର୍ଯ୍ୟଟନ ବିଭାଗର ସ୍ଲୋଗାନ ଅତିଥି ଦେବ ଭବଃ ନୀତି ସଂପୂର୍ଣ୍ଣ ଫେଲ ମାରିଛି। ସୂର୍ଯ୍ୟମନ୍ଦିର ଭ୍ରମଣରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନେ ଏମାନଙ୍କ ଦୁର୍ବ୍ୟବହାର ଓ ଅର୍ଥ ଶୋଷଣର ଶିକାର ହେଉଥିବା ସ୍ବୀକୃତିପ୍ରାପ୍ତ ଗାଇଡମାନେ ଅଭିଯୋଗ କରିଛନ୍ତି। ସୂର୍ଯ୍ୟମନ୍ଦିର ପରିସର ଭାରତୀୟ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର କର୍ତ୍ତୃତ୍ବାଧୀନ ଥିଲେ ମଧ୍ୟ ଏମାନଙ୍କୁ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ବାହାରେ ବୋଲି କହି ଏଏସଆଇର କକର୍ତ୍ତୃପକ୍ଷ ଖସି ଯିବାକୁ ଚେଷ୍ଟା କରି ଆସିଛନ୍ତି।   ହାଇକୋର୍ଟଙ୍କ ନିଦ୍ଦେର୍ଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ଉପରୋକ୍ତ ୭ ଜଣ ଅଧିକାରୀଙ୍କ ପାଖକୁ ଗତ ଅଗଷ୍ଟ ୮ ତାରିଖ ୨୦୧୬ ରେ ଚିଠି ନଂ ୭୮୮୭ରେ ସୂର୍ଯ୍ୟମନ୍ଦିର ପରିସରରେ ଅଣସ୍ବୀକୃତି ପ୍ରାପ୍ତ ଗାଇଡମାନଙ୍କୁ ତୁରନ୍ତ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶନାମା ଆସିଛି। ଅଣସ୍ବୀକୃତିପ୍ରାପ୍ତ ଗାଇଡମାନେ ପର୍ଯ୍ୟଟକମାନଙ୍କୁନେଇ ସୂର୍ଯ୍ୟମନ୍ଦିର ପରିସରକୁ ନ ଯିବା ପାଇଁ ନିର୍ଦ୍ଦେଶନାମା ରହିଥିବା ବେଳେ  ପର୍ଯ୍ୟଟକମାନେ ଯେପରି ସୁରୁଖୁରରେ ମନ୍ଦିର ପରିସରରେ ଭ୍ରମଣ କରିପାରିବେ ସେଥିପାଇଁ ଆବଶ୍ୟକ ମୁତାବକ ପୁଲିସ ଯୋଗାଇଦେବାକୁ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share :