ଜିଆଙ୍ଗ ଓ ଦିନାରା ଚାମ୍ପିଅନ‌୍‍

ଜିଆଙ୍ଗ ଓ ଦିନାରା ଚାମ୍ପିଅନ‌୍‍

Share :

  କିଟ‌୍‍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲୁଥିବା ଫିଡେ ବିଶ୍ୱ ଜୁନିଅର ଚେସ‌୍‍ ଚାମ୍ପିଅନ‌୍‍ସିପ‌୍‍-୨୦୧୬ (୨୦ବର୍ଷରୁ କମ‌୍‍ ବାଳକ ଓ ବାଳିକା ବର୍ଗ) ରବିବାର ଉଦ‌୍‍ଯାପିତ ହୋଇଯାଇଛି। ଓଡ଼ିଶା ରାଜ୍ୟପାଳ ଡ. ଏସ‌୍‍. ସି. ଜମିର‌୍‍ ଉଦ‌୍‍ଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ବାଳକ ଓ ବାଳିକା ବିଭାଗର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।   ଅଗଷ୍ଟ ୨୦ ଶନିବାର ଶେଷ ହୋଇଥିବା ବାଳକ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଆମେରିକାର ଜିଆଙ୍ଗ ଜେଫେରିଙ୍କୁ ଡ. ଜମିର ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିବା ବେଳେ ଅଗଷ୍ଟ ୨୧ ରବିବାର ବାଳିକା ବିଭାଗରେ ଶେଷ ହୋଇଥିବା ଫାଇନାଲ‌୍‍ ମ୍ୟାଚ‌୍‍ରେ ଶ୍ରେଷ୍ଠପ୍ରଦର୍ଶନ କରିଥିବା କାଜାଖାସ୍ଥାନର ଦିନାରା ସାଦୁଆକାସୋଭାଙ୍କୁ ରାଜ୍ୟପାଳ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ଜିଆଙ୍ଗ ଫିଲିପାଇନ‌୍‍ସର ଆଇଏମ‌୍‍ ପାଉଲୋ ବରସାମିନାଙ୍କୁ ହରାଇ ୧୦.୫ ପଏଁଟ ହାସଲ‌୍‍ କରିବା ସହ ଶ୍ରେଷ୍ଠ ସ୍ଥାନ ବଜାୟ ରଖିଥିଲେ। ସେହିପରି ଋଷର ଭ୍ଲାଦିସ୍ଲାଭ ଆର୍ତେମିଭ‌୍‍ ଓ ପୋଲାଣ୍ଡର ନାସୁତା ଗ୍ରେଗର୍ଜ ଯଥାକ୍ରମେ ୯.୫ ଓ ୯.୦ ପଏଁଟ ହାସଲ‌୍‍ କରି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ।   ବାଳିକା ବିଭାଗରେ ଦିନାରା ସର୍ବାଧିକ ୯.୫ ପଏଁଟ ପାଇ ଶ୍ରେଷ୍ଠ ସ୍ଥାନରେ ଥିବା ବେଳେ ଭାରତର ପି ଭି ନନ୍ଦିତା ଓ ଋଷର ଦିନାରା ଦୋର୍ଦଜିଭା ଉଭୟ ୯.୦ ପଏଣ୍ଟ ହାସଲ‌୍‍ କରିଥିଲେ। ପରେ ଟାଇରେ ନନ୍ଦିତା ରୌପ୍ୟ ଓ ଦୋର୍ଦଜିଭା ବ୍ରୋଞ୍ଜ ପଦକ ପାଇଥିଲେ।   ଓଡ଼ିଶାରେ ବିଶେଷ କରି କିଟ‌୍‍ ବିଶ୍ୱବିଦ୍ୟାଳୟରେ ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାରୁ ଡ. ଜମିର କିଟ‌୍‍ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଲ‌୍‍ ଓଡ଼ିଶା ଚେସ‌୍‍ ଆସୋସିଏସନ‌୍‍ର ଉପଦେଷ୍ଟା ଏସ‌୍‍. ଶ୍ରୀନିବାସନ‌୍‍, ଅଲ୍ ଇଣ୍ଡିଆ‌୍‍ ଚେସ‌୍‍ ଆସୋସିଏସନ‌୍‍ର ଅଧ୍ୟକ୍ଷ ଭରତ ସିଂହ ଚୌହାନ, ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଟୁର୍ଣ୍ଣାମେଂଟ ନିର୍ଦ୍ଦେଶକ ଶେଖର ଚନ୍ଦ୍ର ସାହୁ (ଆଇଏମ‌୍‍), କିଟ‌୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ, ଅଲ‌୍‍ ଓଡ଼ିଶା ଚେସ‌୍‍ ଆସୋସିଏସନ‌୍‍ର ସଂପାଦକ କେ. କେ. ଶର୍ମା ଓ ଉପସଭାପତି ରଞ୍ଜନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।   ପ୍ରଥମ ଥର ଲାଗି ପୂର୍ବଭାରତ ତଥା ଓଡ଼ିଶାର କିଟରେ ସର୍ବଭାରତୀୟ ଚେସ‌୍‍ ମହାସଂଘ ଓ ଫିଡେର ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ନିଖିଳ ଓଡ଼ିଶା ଚେସ‌୍‍ ଆସୋସିଏସନ‌୍‍ ସହଯୋଗରେ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଥିଲା। ଏହି ଚାମ୍ପିଅନ‌୍‍ସିପ‌୍‍ରେ ୫୫ଟି ଦେଶରୁ ୨୦୦ରୁ ଊର୍ଦ୍ଧ୍ୱ ଖେଳାଳି ଓ ଅଫିସିଆଲ‌୍‍ ଯୋଗଦେଇଥିଲେ। 

Share :