ବଦଳିବନି ମୁଦ୍ରା ନୀତି

ବଦଳିବନି ମୁଦ୍ରା ନୀତି

Share :

  ଡକ୍ଟର ଉର୍ଜିତ ଆର ପଟେଲ ହେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ପରବର୍ତ୍ତୀ ଗଭର୍ଣ୍ଣର। ଏନେଇ ଲାଗି ରହିଥିବା ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ କେନ୍ଦ୍ର ସରକାର ଡକ୍ଟର ପଟେଲଙ୍କ ନାମରେ ମୋହର ମାରିଛନ୍ତି। ବର୍ତ୍ତମାନ ଗଭର୍ଣ୍ଣର ରଘୁରାମ ରାଜନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ତାଙ୍କ ସ୍ଥାନ ଗ୍ରହଣ କରିବେ। ସେପ୍ଟେମ୍ୱର ୪ ତାରିଖରେ ଡକ୍ଟର ରାଜନଙ୍କ କାର୍ଯ୍ୟକାଳ ପୂରି ଯାଉଛି।   ଡକ୍ଟର ପଟେଲ ଏବେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଅଛନ୍ତି। ସେ ଡକ୍ଟର ରଘୁରାମ ରାଜନଙ୍କ ଟିମ‍୍‌ର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ମୁଦ୍ରାସ୍ଫୀତି ରୋକିବା ଦିଗରେ ଡକ୍ଟର ରାଜନ ଡକ୍ଟର ପଟେଲଙ୍କ ପରାମର୍ଶ ଉପରେ ନିର୍ଭର କରୁଥିଲେ। ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦରୁ ଗଭର୍ଣ୍ଣର ପଦକୁ ଉନ୍ନୀତ ହେବାରେ ଡକ୍ଟର ପଟେଲ ହେବେ ଅଷ୍ଟମ ବ୍ୟକ୍ତି। ସରକାରଙ୍କ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ୨୦୧୬ ସେପ୍ଟେମ୍ୱର ୪ ତାରିଖରୁ ପରବର୍ତ୍ତୀ ୩ ବର୍ଷ ପାଇଁ ଡକ୍ଟର ଉର୍ଜିତ ଆର ପଟେଲ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତ ହେଲେ। କ୍ୟାବିନେଟ‍୍‌ର ନିଯୁକ୍ତି ସଂକ୍ରାନ୍ତ କମିଟି ତାଙ୍କ ନାମ ଚୂଡ଼ାନ୍ତ କରିଛି। କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ଚ୍ଚ କମିଟିରୁ ସୁପାରିଶ ଅନୁସାରେ ଡକ୍ଟର ପଟେଲଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ସେ ହେବେ ରିଜର୍ଭ ବ୍ୟାଙ୍କର ୨୪ତମ ଗଭର୍ଣ୍ଣର।   ୧୯୬୩ ଅକ୍ଟୋବର ୨୮ ତାରିଖରେ କେନିଆରେ ଜନ୍ମଗ୍ରହଣ କରିଥିବା ଡକ୍ଟର ପଟେଲ ୧୯୮୪ ମସିହାରେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ବିଏସସି କରିବା ପରେ ୧୯୮୬ରେ ଅକ୍ଟଫୋର୍ଡ଼ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଏମଫିଲ ଡିଗ୍ରୀ ହାସଲ କରିଥିଲେ। ପରେ ସେ ୟାଲେ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ‍୍‌ ଡିଗ୍ରୀ ହାସଲ କରିଥିଲେ। ୨୦୧୩ ଜାନୁଆରୀ ୧୧ ତାରିଖରେ ସେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଥିଲେ। ଡକ୍ଟର ରାଜନ ପରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହୋଇଥିଲେ।   ଏହା ପୂର୍ବରୁ ଡକ୍ଟର ପଟେଲ ବୋଷ୍ଟନ କନ‍୍‌ସଲ‍୍‌ଟିଂ ଗ୍ରୁପର ଶକ୍ତି ଓ ଭିତ୍ତିଭୂମି ସଂକ୍ରାନ୍ତ ଉପଦେଷ୍ଟା ଥିଲେ। ଅତିତରେ ରିଲାଏନ୍ସ ଶିଳ୍ପ ଗୋଷ୍ଠୀ ପାଇଁ କାର୍ଯ୍ୟ କରିଥିବା ଡକ୍ଟର ପଟେଲ ୧୯୯୦-୯୫ ମଧ୍ୟରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରେ କାର୍ଯ୍ୟ କରିଥିଲେ। ସେ କେନିଆର ନାଗରିକ ଭାବେ ଏହି ନିଯୁକ୍ତି ପାଇଥିଲେ। ସେତେବେଳେ ସେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଆମେରିକା, ଭାରତ, ବାହାମାସ ଓ ମ୍ୟାଁମାର ଡେସ୍କ ଦାୟିତ୍ୱରେ ଥିଲେ। ଡକ୍ଟର ପଟେଲ କେନିଆରେ ଜନ୍ମ ହୋଇଥିଲେ ବି ତାଙ୍କ ପୂର୍ବପୁରୁଷ ହେଉଛନ୍ତି ଗୁଜରାଟର ମୂଳବାସିନ୍ଦା। ଏହି ସଂପର୍କ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ବାଛିଥିବା ବୋଧ ହେଉଛି।   ତାଙ୍କ ନିଯୁକ୍ତିକୁ ବ୍ୟାଙ୍କ, ଶିଳ୍ପ ଓ କର୍ପୋରେଟ କ୍ଷେତ୍ର ସ୍ୱାଗତ କରିଛି। ଏହି ନିଯୁକ୍ତି ଜରିଆରେ ରିଜର୍ଭ ବ୍ୟାଙ୍କର ବର୍ତ୍ତମାନ ନୀତି ଅବ୍ୟାହତ ରହିବ ବୋଲି ସରକାର ସଂକେତ ଦେଇଛନ୍ତି। ଡକ୍ଟର ରଘୁରାମ ରାଜନଙ୍କର ବିଶ୍ୱସ୍ତ ସହକର୍ମୀ ଭାବେ ଡକ୍ଟର ପଟେଲ ମୁଦ୍ରା ନୀତି ଦାୟିତ୍ୱରେ ଥିଲେ। ଏହି ନୀତି ବଜାୟ ରହିବ ବୋଲି ଶିଳ୍ପ ଓ ବ୍ୟବସାୟ ଜଗତ ଆଶା ପ୍ରକାଶ କରିଛନ୍ତି।

Share :