ଝୁଲଣ-କୋଣାର୍କର ଜୀବନ୍ତ ସ୍ୱାକ୍ଷର

ଝୁଲଣ-କୋଣାର୍କର ଜୀବନ୍ତ ସ୍ୱାକ୍ଷର

Share :

ଅଜିତ କୁମାର ମଲ୍ଲିକ   ଉତ୍କଳୀୟ କଳା, ସ୍ଥାପତ୍ୟ ଓ ସଂସ୍କୃତିର  ଚରମ ନିଦର୍ଶନ ବିଶ୍ୱ ଐତିହ୍ୟ କୋଣାର୍କ। ସୂର୍ଯ୍ୟମନ୍ଦିର ଗାତ୍ରରେ ଖୋଦିତ ପ୍ରତିଟି ଭାସ୍କର୍ଯ୍ୟରେ ଓଡ଼ିଆ ଜନଜୀବନର ନିଛକ ଛବି ପ୍ରତିଫଳିତ। କାଳର କରାଳ ସ୍ରୋତରେ କୋଣାର୍କର କଥାକୁହା ସୂକ୍ଷ୍ମ କାରୁକାର୍ଯ୍ୟ ଆଜି ଭୂଲୁଣ୍ଠିତ। ଓଡ଼ିଆ ସଂସ୍କୃତିର ମହାକାବ୍ୟ ସୂର୍ଯ୍ୟମନ୍ଦିରର ଭଗ୍ନ ଅବୟବ ତାର ପୂର୍ବ ଚମକ ହରାଇ ସ୍ମୃତିଚିହ୍ନ ସଦୃଶ ପ୍ରତୀୟମାନ।   ଏହି ଅପରୂପ ଭାସ୍କର୍ଯ୍ୟର ମହନୀୟ ସନ୍ଦେଶକୁ  ବାସ୍ତବ ରୂପଦେବାର ସ୍ୱପ୍ନ ଦେଖିଥିଲେ ସ୍ୱର୍ଗୀୟ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଡଃ. ଗୁରୁ ଗଙ୍ଗାଧର ପ୍ରଧାନ। ଗଙ୍ଗାଧରଙ୍କର ଅନ୍ୟଏକ କଥାକୁହା ଜୀବନ୍ତ କୋଣାର୍କର ପରିକଳ୍ପନାରୁ  ୧୯୭୮ ମସିହାରେ ଜନ୍ମନେଲା କୋଣାର୍କ ନାଟ୍ୟମଣ୍ଡପ। ଗୁରୁ ଗଙ୍ଗାଧର ଓ ତାଙ୍କର କେତେକ ସହଯୋଗୀଙ୍କ ଅକ୍ଳାନ୍ତ ପରିଶ୍ରମରେ ଏକ ଅପନ୍ତରା ଭୂଇଁ ସୁଶୋଭିତ ହେଲା ସବୁଜିମାଭରା ବୃକ୍ଷରାଜିରେ। ଜୀବନ୍ତ କୋଣାର୍କର ସ୍ୱପ୍ନକୁ ସାକାର କରି ୧୯୮୫ ମସିହା ପେଂବୃୟାରୀ ୧୯ରୁ୨୧ ତାରିଖ ତିନିଦିନ ବ୍ୟାପି ଏହି ମୁକ୍ତାକାଶ ନାଟ୍ୟମଣ୍ଡପରେ ଆୟୋଜିତ ହେଲା ପ୍ରଥମ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ। ମୁକ୍ତାକାଶ ରଙ୍ଗମଞ୍ଚରେ ଭାରତୀୟ ଶାସ୍ତ୍ରୀ ନୃତ୍ୟ ଓ ସଂଗୀତ ଉତ୍ସବ ଆୟୋଜନର ଏହାଥିଲା ଓଡ଼ିଶାର ପ୍ରଥମ କାର୍ଯ୍ୟକ୍ରମ।   ଏହି ଉତ୍ସବକୁ ଅନୁକରଣ କରି ୧୯୮୯ ମସିହାରେ ଓଡ଼ିଶା ସରକାର ଆରମ୍ଭ କଲେ କୋଣାର୍କ ନୃତ୍ୟ ଉତ୍ସବ (ଡ଼ିସେମ୍ୱର ୧ରୁ ୫), ଯାହାକୁ ପରବର୍ତ୍ତୀ ଅବସ୍ଥାରେ କୋଣାର୍କ ଉତ୍ସବ ନାମରେ ନାମିତ କରାଯାଇଛି। ସରକାରୀ ପ୍ରାୟୋଜିତ ଉତ୍ସବ ୧୯୯୯ ମସିହାରେ ମହାବାତ୍ୟା ଯୋଗୁଁ ବର୍ଷକ ପାଇଁ ବନ୍ଦ ହୋଇଥିବା ବେଳେ ଉତ୍ସବର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ମାତ୍ର ଗୁରୁ ଗଙ୍ଗାଧରଙ୍କର ମାନସ ପ୍ରସୂତ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ ନିର୍ଦ୍ଧାରିତ ସମୟରେ ପ୍ରାରମ୍ଭରୁ ଏଯାବତ ନିରବଛିନ୍ନ ଭାବରେ ଚାଲୁରହିଛି। ସମୟକ୍ରମେ ୨୦୦୭ ମସିହାରୁ ଏହି ଉତ୍ସବର ଅବଧି ୩ ଦିନରୁ ୫ ଦିନକୁ ବୃଦ୍ଧିପାଇଲା। ୨୦୧୦ ମସିହାରେ ଏହି ଉତ୍ସବର ରୌପ୍ୟ ଜୟନ୍ତୀ ପାଳନ ପରେ ଅକ୍ଟୋବର ୧୦ ତାରିଖରେ ଗୁରୁ ଗଙ୍ଗାଧର ଇହଲୀଳା ସମ୍ୱରଣ କଲେ।  ଗୁରୁଙ୍କ ଅନୁପସ୍ଥିତିରେ ତାଙ୍କର ପୁତ୍ର ତଥା ନାଟ୍ୟମଣ୍ଡପର ସଂପାଦକ ଶିବାଶିଷ ପ୍ରଧାନ ଏହି ଉତ୍ସବର ମାନ ଓ ମର୍ଯ୍ୟାଦାକୁ ବଜାୟ ରଖିଛନ୍ତି।   ଗଙ୍ଗାଧରଙ୍କ ଗୁରୁ  ତଥା ପ୍ରଥିତଯଶା ଗୋଟିପୁଅ ନୃତ୍ୟଗୁରୁ ବୀରବର ସାହୁ, କୋଣାର୍କ ନାଟ୍ୟମଣ୍ଡପର ସ୍ଥାୟୀ ସଭାପତି ସ୍ୱାମୀ ଶଙ୍କରାନନ୍ଦ ଗିରି, ଯୁଗ୍ମ ସଂପାଦକ ପ୍ରତାପ ରାଉତଙ୍କ ସମେତ ନାଟ୍ୟ ମଣ୍ଡପର ଅନ୍ତେବାସୀ ଗୁରୁ ଓ ଶିଷ୍ୟମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଆନ୍ତରିକତା ମଧ୍ୟ ଏହି ଉତ୍ସବକୁ ପରିପୁଷ୍ଟ କରିଆସିଛି। ଉତ୍ସବ ପ୍ରାରମ୍ଭରୁ ଏଯାବତ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଦେଶ ତଥା ବିଦେଶର ବହୁ ନୃତ୍ୟ ଓ ସଂଗୀତ ଶିଳ୍ପୀ ଏହି ମୁକ୍ତାକାଶ ରଙ୍ଗଗ ମଞ୍ଚରେ ପ୍ରତିଭା ପ୍ରଦର୍ଶନ କରି ଉତ୍ସବର ଗରିମା ବୃଦ୍ଧିରେ ସହାୟକ ହୋଇଛନ୍ତି। ଏତଦ ବ୍ୟତିତ ୧୯୮୭ ମସିହାଠାରୁ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ୨୯ ବର୍ଷ ଧରି ନିରବଛିନ୍ନ ଭାବରେ ଆୟୋଜିତ ହୋଇ ଆସୁଛି ୫ ଦିନିଆ ଝୁଲଣ ଉତ୍ସବ। ଏହି ଉତ୍ସବରେ ଦେଶ ବିଦେଶର ଲବ୍ଧ ପ୍ରତିଷ୍ଠିତ କଳାକାରମାନେ ନୃତ୍ୟ ଓ ସଂଗୀତ ପ୍ରଦର୍ଶନ କରିସାରିଛନ୍ତି।   ଚଳିତ ବର୍ଷ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ଗତ ଅଗଷ୍ଟ ୧୪ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଆୟୋଜିତ ହୋଇଯାଇଛି ଝୁଲଣ ଛତ୍ସବ-୨୦୧୬। ଉଦଯାପନୀ ଦିବସରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଂଗୀତ ଓ ଯନ୍ତ୍ର ସଂଗୀତର ଅପୂର୍ବ ସମାରୋହରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଚିତ୍ତାକର୍ଷକ ଥିଲା। କୋଣାର୍କ ନାଟ୍ୟମଣ୍ଡପର ମୁଖ୍ୟମଞ୍ଚ ପାର୍ଶ୍ୱରେ ଥିବା ଅନ୍ୟଏକ ଛୋଟ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତ୍ୟହ ସନ୍ଧ୍ୟା ୬ଟା ୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଶାସ୍ତ୍ରୀୟ ନୃତ୍ୟ ସଂଗୀତର ଚାରୋଟି ପର୍ଯ୍ୟାୟରେ ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା। ଉଦଯାପନୀ ଦିବସର ପ୍ରଥମ ସନ୍ଧ୍ୟାରେ ଆୟୋଜିତ ଶାସ୍ତ୍ରୀୟ ନୃତ୍ୟ, ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଭୁବନେଶ୍ୱରର ବିଦ୍ୟାଧର ଶତପଥୀଙ୍କ ଦ୍ୱାରା ହୀନ୍ଦୁସ୍ଥାନୀ କଣ୍ଠ ସଂଗୀତ ପରିବେଷଣ କରାଯାଇଥିଲେ। ଦ୍ୱିତୀୟ ଚରଣରେ କୋଲକତାର ନୃତ୍ୟାଙ୍ଗନା ମୋହୁଲ ମୁଖାର୍ଜୀ ଭାରତନାଟ୍ଟ୍ୟମ ପରିବେଷଣ କରିଥିବା ବେଳେ ପ୍ରଥମ ଦିବସର ଶେଷ କାର୍ଯ୍ୟକ୍ରମରେ କୋଣାର୍କ ନାଟ୍ୟମଣ୍ଡପର ନୃତ୍ୟଶିଳ୍ପୀମାନେ ଚିତ୍ତାକର୍ଷକ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ଅଗଷ୍ଟ ୧୫ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରର ସତ୍ୟବାନ ସେଠୀ ସୀତାର ବାଦନ, ରାଉରକେଲାର ନୃତ୍ୟାଙ୍ଗନା ବି. ଗାୟତ୍ରୀ ଓଡିଶୀ ନୃତ୍ୟ, ବାଙ୍ଗାଲୋରର ନୃତ୍ୟଶିଳ୍ପୀ ଅଞ୍ଜନ ରମେଶ ଭାରତ ନାଟ୍ଟ୍ୟମ ନୃତ୍ୟ, ରାୟପୁରର ନୃତ୍ୟାଙ୍ଗନା ରୁଚି କୃଷ୍ଣା କୁଚିପୁଡି ନୃତ୍ୟ ଓ କୋଳକତାର ନୃତ୍ୟାଙ୍ଗନା ଶ୍ରେୟା ଭଟ୍ଟାଚାର୍ଜ୍ୟ କଥକ ନୃତ୍ୟ, ୧୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରର ସୌମ୍ୟରଞ୍ଜନ ନାୟକ ମର୍ଦ୍ଦଳ ବାଦନ, ବାଙ୍ଗାଲୋରର ନୃତ୍ୟଶିଳ୍ପୀ ଜୟୀତା ଦତ୍ତ କଥକ ନୃତ୍ୟ, ଭୁବନେଶ୍ୱରର ନୃତ୍ୟଶୀଳ୍ପି ଗୋକୁଲଶ୍ରୀ ଦାଶ ଓଡିଶୀ ନୃତ୍ୟ, ଭିଲ୍ଲାଇର ନୃତ୍ୟଶୀଳ୍ପି ତନୟା ରେଡ୍ଡି କୁଚ୍ଚିପୁଡି ନୃତ୍ୟ, ୧୭ ତାରିଖ ସନ୍ଧ୍ୟାରେ ବଲାଙ୍ଗିରର ଦିପାଲୀ ମିଶ୍ର ତବଲା ବାଦନ, ଭୁବନେଶ୍ୱରର କଣ୍ଠଶିଳ୍ପୀ ଯାଜ୍ଞଶୀନି ବିଶ୍ୱାଳ ଓଡିଶୀ କଣ୍ଠ ସଂଗୀତ, କୋଲକତାର ମାନବ ପରାଇ କଥକ, କୋଣାର୍କର ନୃତ୍ୟାଙ୍ଗନା କଳ୍ପନା ଛାେଟ୍ଟାଇ ଓ ଭକ୍ତିପୂଷ୍ପା ନାୟକ ଓଡିଶୀ ନୃତ୍ୟ, ୧୮ ତାରିଖ ସନ୍ଧ୍ୟାରେ ନିମାପଡାର ନୃତ୍ୟାଙ୍ଗନା ସେୟାଶ୍ରୀ ପଟ୍ଟନାୟକ ଓ ଇତିଶ୍ରୀ ରାୟଙ୍କ ଜୁଗଳ ବନ୍ଦିରେ ଓଡିଶୀ ନୃତ୍ୟ, ଭୁବନେଶ୍ୱରର ବଂଶୀବାଦକ ରୁଦ୍ରପ୍ରସାଦ ପରିଡା ବଂଶୀବାଦନ ଓ ଝୁଲଣ ଉତ୍ସବର ଶେଷ କାର୍ଯ୍ୟକ୍ରମରେ କୋଣାର୍କ ନାଟ୍ୟମଣ୍ଡପର ଗୁରୁ ବାସୁଦେବ ବିଶ୍ୱାଳ ଓ ସାଥୀଙ୍କ ଦ୍ୱାରା ବୈଠକି ସଂଗୀତ ପରିବେଷଣ କରାଯାଇଥିଲା।   ଏହି ସଂାସ୍କୃତିକ କାର୍ଯ୍ୟକ୍ରମରେ ଆମ ରାଜ୍ୟ ସମେତ କୋଲକତା, ବାଙ୍ଗାଲୋର, ଛତିଶଗଡ, ରାୟପୁର ଓ ଭିଲ୍ଲାଇ ପ୍ରଭୁତି ଅଞ୍ଚଳରୁ ୧୯ଜଣ ପ୍ରତିଷ୍ଠିତ କଳାକାର ନୃତ୍ୟ, ସଂଗୀତ ଓ ଯନ୍ତ୍ର ସଂଗୀତ ପରିବେଷଣ କରିଥିଲେ। କୋଣାର୍କ ନାଟ୍ୟମଣ୍ଡପ ପକ୍ଷରୁ ଅତିଥିମାନଙ୍କ ଦ୍ୱାରା ସମସ୍ତ କଳାକାରଙ୍କୁ ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ କୋଣାର୍କ ନାଟ୍ୟମଣ୍ଡପର ଏହି ଉଦ୍ୟମ ପ୍ରଶଂସା ଯୋଗ୍ୟ ହୋଇଥିବା ବେଳେ ପ୍ରଥିତଯଶା ଗୁରୁମାନେ ଆଗାମୀ ପିଢିର କଳାକାରଙ୍କମାନଙ୍କ ପାଇଁ  ଯତ୍ନବାନ ହେବା ଜରୁରି ହୋଇପଇଛି  ବୋଲି କଳାପ୍ରେମୀମାନେ ମତ ପ୍ରକାଶ କରିଥିଲେ।   ଏହି ଅବସରରେ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ରାଧାକୃଷ୍ଣଙ୍କର ରାସଲୀଳାର ଝୁଲଣ ଝାଙ୍କି ପ୍ରଦର୍ଶିତ ହେବା ସହ ପ୍ରତ୍ୟହ ସନ୍ଧ୍ୟାରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେବାପରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସଂଗୀତର ସଂାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଥିଲା।   ପାଞ୍ଚଦିନିଆ ଏହି ଶାସ୍ତ୍ର ନୃତ୍ୟ, ସଂଗୀତ ଓ ଯନ୍ତ୍ରସଂଗୀତର ସଂାସ୍କୃତିକ କାର୍ଯ୍ୟକ୍ରମକୁ କୋଣାର୍କ ନାଟ୍ୟମଣ୍ଡପର ସହ ସଂପାଦକ ପ୍ରତାପ ରାଉତ  ସଂଯୋଜନା ଓ ଉପସ୍ଥାପନା କରିଥିବାବେଳେ ନାଟ୍ୟମଣ୍ଡପର ସଂପାଦକ ଶିବାଶିଷ ପ୍ରଧାନ ଓ ସୁଲୋଚନା ପ୍ରଧାନ, ଗୁରୁ ଜୟକୃଷ୍ଣ ନାୟକ, ବାମଦେବ ଆଳୁକ ଓ ଅନ୍ତେବାସୀ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।   ମୋ-୯୨୩୭୫୫୮୮୫୦/୯୦୪୦୬୦୦୨୩୩ 

Share :