୨୦ ମୃତ୍ୟୁ ପରେ ନେତାଙ୍କ ଧାଡ଼ି!

୨୦ ମୃତ୍ୟୁ ପରେ ନେତାଙ୍କ ଧାଡ଼ି!

Share :

  ଅଗଷ୍ଟ ୧୫ ତାରିଖରେ ସମଗ୍ର ଦେଶ ପାଳନ କରିଛି ୭୦ତମ ସ୍ୱାଧୀନତା ଦିବସ। ଏହି ଦିନ ପତାକା ଉତ୍ତୋଳନ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଯାଏଁ ଅନେକ ନେତା ବିକାଶର ଡିଣ୍ଡିମ ପିଟିଛନ୍ତି। ହେଲେ ଓଡିଶାର ପଛୁଆ ଅଞ୍ଚଳ ଭାବେ ପରିଚିତ କେବିକେର ଅନାହାର, ଅର୍ଦ୍ଧାହାର ଏବଂ ମହାମାରୀ ପାଇଁ ସର୍ବାଧିକ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ତଳନାଗୀ ଗ୍ରାମ ପଞ୍ଚାୟତବାସୀ ଏଯାଏଁ ସ୍ୱାଧୀନତା ଓ ବିକାଶର ଅର୍ଥ କ’ଣ ଜାଣି ନାହାନ୍ତି।   ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ଏହି ପଞ୍ଚାୟତବାସୀଙ୍କୁ ଘାରିଛି ଏବେ ମହାମାରୀର  ଆତଙ୍କ।   କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ତଲନାଗୀ ଗ୍ରାମ ପଞ୍ଚାୟତ। ଏହି ପଞ୍ଚାୟତର କାରବାଡି, ଲିଟିମସ୍କା, ଭିତରଡୁଙ୍ଗା, ଭୂରଭୁରୀ, ଟେମରା, ଭଗଡାପଦର ଓ ପୁଡା ପଦର ଆଦି ଗାଁ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଅବସ୍ଥିତ। ଇନ୍ଦ୍ରାବତୀର ଏହି ଟାପୁ ଅଞ୍ଚଳ ଏସବୁ ଗାଁରେ ୭୪୭ ପରିବାରର ପ୍ରାୟ ୨୮୯୪ ଲୋକ ବସବାସ କରନ୍ତି। ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ହୋଇ ଏହି ଲୋକମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଏବଂ ମାଛଧରି ଜୀବିକା ନିର୍ବାହ କରିଥାନ୍ତି। ସ୍ୱାଧୀନତାର ୬୯ ବର୍ଷ ପରେ ମଧ୍ୟ ଏହି ଲୋକମାନଙ୍କ ପାଇଁ ସରକାରୀ ଯୋଜନା ସାଜିଛି ସାତ ସପନ। ବିଜୁଳି, ସଡ଼କ ଓ ପିଇବା ପାଣି କଥା କିଏ ପଚାରେ ଜଳବନ୍ଦୀ ଏହି ଲୋକଙ୍କୁ ମୁଖ୍ୟ ସ୍ଥଳଭାଗ ସହିତ ଯୋଡ଼ିବା ପାଇଁ ସରକାରୀ ମଟର ଲଞ୍ଚ ବ୍ୟବସ୍ଥା ମଧ୍ୟ ହୋଇନାହିଁ। ଫଳରେ ଦେଶୀ ଡଙ୍ଗାରେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରିଥାନ୍ତି ଏମାନେ।   ଜାତୀୟ ଖାଦ୍ୟ ସୁରକ୍ଷା ଆଇନଠୁ ଆରମ୍ଭ କରି ସବୁ ସରକାରୀ ଯୋଜନାରୁ ବଞ୍ଚିତ ଏହି ଅନ୍ଧାରୀ  ମୂଲକର ଲୋକେ ଅନାହାର ଓ  ଅର୍ଦ୍ଧାହାର ଯୋଗୁଁ  ଅଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି। ଏହିଭଳି ଅଖାଦ୍ୟ ଖାଇ ଗତ ମାସକ ମଧ୍ୟରେ ଏଠାରେ ୨୦ ଜଣଙ୍କର ମୃତ୍ୟୁ ହୋଇଯାଇଚି। ଏତେ ଲୋକଙ୍କ ମୃତ୍ୟୁ ପରେ ପରେ ଏବେ ଚେଇଁଛି ପ୍ରଶାସନ। ଘନଘନ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମେଡିକାଲ‌୍‍ ଟିମ ସହ ସମବେଦନା ଜଣାଇବା ପାଇଁ ଛୁଟୁଛି ଡଜନ ଡଜନ ନେତାଙ୍କ ସୁଅ। ଯେଉଁ ଜନ ପ୍ରତିନିଧିମାନେ କଳାହାଣ୍ଡି ଜିଲ୍ଲାରେ ଏମିତି ଅଂଚଳଅଛି ବୋଲି ବି ଜାଣନ୍ତି ନାହିଁ ସେମାନେ ଏବେ ଗଣମାଧ୍ୟମରେ ଫଟୋ ଛାପିବାକୁ ଶାଢ଼ୀ ଓ କମ୍ବଳ ଧରି ହାଜର। ଏହିପରି ବହୁ ନେତା ଏବେ ଲୋକଙ୍କ ପ୍ରତି ନିଜର ଦରଦ ଅଛି ବୋଲି ଦେଖେଇ ହେବାକୁ ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହୋଇ ଶାଢ଼ୀ ଓ କମ୍ୱଳ ବାଣ୍ଟିବାକୁ ଧାଡ଼ି ବାନ୍ଧିଛନ୍ତି।   ସ୍ଥାନୀୟ ବିଧାୟକ ବଳଭଦ୍ର ମାଝି କେବଳ ନିର୍ବାଚନ ସମୟକୁ ଛାଡିଦେଲେ ଏବଳି ଦୁର୍ଗମ ଅଞ୍ଚଳକୁ କେବେ ପାଦ ପାକାନ୍ତି ନାହଁି। କିନ୍ତୁ ଗଣମାଧ୍ୟମରେ ୨୦ ଜଣଙ୍କ ମୃତ୍ୟୁ ଖବର ପ୍ରକା ପାଇବା ପରେ ଘଟଣାସ୍ଥଳକୁ ଆସି ମୃତକଙ୍କ ପରିବାରକୁ ଦୁଇ ହଜାର ଠଙ୍କା ଦେଇ ନିଜର ଦାୟିତ୍ୱ ସାରିଦେଇଛନ୍ତି ବିଧାୟକ। ସେହିପରି ନଗଡା ଭଳି ଏଅଞ୍ଚଳର ଦୁଃଖ ବୋଲି ଟିଭି ଓ ଖବର କାଗଜରୁ ଖବର ପାଇବା ପରେ ପୂର୍ବତନ ସାଂସଦ ତଥା ଏଆଇସିସି ସଂପାଦକ ଭକ୍ତଚରଣ ଦାସ ଶାଢ଼ୀ, କମ୍ୱଳ ଓ ବିସ୍କୁଟ ଧରି ପହଞ୍ଚି ଯାଇଥିଲେ ପୀଡିତଙ୍କ ପରିବାର ପାଖରେ। ଜନପ୍ରତିନିଧି ହୋଇ ନିଜ ଅଞ୍ଚଳର କୋକଙ୍କ ପ୍ରତି ଏଭଳି ପ୍ରତାରଣା ନେଇ ଆଗାମୀ ନିର୍ବାଚନରେ ଉଚିତ ଜବାବ ଦିଆଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି। ଇନ୍ଦ୍ରାବତୀ ଟାପୁ ଅଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି  ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ସ୍ୱାଧୀନତାର ୬୯ ବର୍ଷ ପରେ ମଧ୍ୟ ଏହି ବୁଢି ଅଞ୍ଚଳ ସରକାରଙ୍କ ଉଦାସୀନତା ଓ ଅପାରଗତାକୁ ପଦାରେ ପକାଇଛି।

Share :