ଶାସକ-ମାଫିଆ ଅସାଧୁ ମେଣ୍ଟ!

ଶାସକ-ମାଫିଆ ଅସାଧୁ ମେଣ୍ଟ!

Share :

ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଞ୍ଚଳରେ ବର୍ଷାଧିକ କାଳ ହେଲା ଚାଲି ଆସିଥିବା ବେଆଇନ ମାଙ୍କଡ଼ାପଥର ଖନନ ବନ୍ଦ କରିବା କିମ୍ୱା ଏହି କାର୍ଯ୍ୟ କରୁଥିବା ମାଫିଆମାନଙ୍କ ବିରୁଦ୍ଧରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନର ସାହସ ହେଉ ନଥିବା ପ୍ରମାଣିତ ହୋଇଛି। ଅଥବା ଖୋଦ ଶାସନ କଳ ଏଭଳି ବେଆଇନ କାମରୁ ବିପୁଳ ପରିମାଣର ଲାଞ୍ଚଟଙ୍କା ପାଉଥିବ ବୋଲି ଅନୁମାନ କରାଯାଏ।   ଏଭଳି ବେଆଇନ କାର୍ଯ୍ୟ ବନ୍ଦ କରିବା ଓ ମାଫିଆମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀ ନେଇ ଆଇନଜୀବୀ ଉଦୟନାଥ ସାହୁ ଗତ ଜୁନ‌୍‍ ୧ ତାରିଖରୁ ଦର୍ପଣ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଥିଲେ। ଜୁନ ୭ ତାରିଖ ଦିନ ତହସିଲଦାର ଅରୁଣ କୁମାର ବିଶ୍ୱାଳ ୭ ଦିନ ମଧ୍ୟରେ ବେଆଇନ ଖନନ ହେଉଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ସେ ସବୁ ସ୍ଥାନରେ ୧୪୪ ଧାରା ଜାରି କରିବା ଓ ବେଆଇନ ଖନନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଲିଖିତ ପ୍ରତିଶୃତି ଦେଇଥିଲେ। ଏହା ପରେ ଶ୍ରୀ ସାହୁ ତାଙ୍କର ଆମରଣ ଅନଶନ ପ୍ରତ୍ୟାହାର କରିଥିଲେ। କିନ୍ତୁ ଏହା ପରେ ଏହି ପ୍ରତିଶ୍ରୁତି ପାଳନ କରିବାକୁ ପ୍ରାଶାସନ କୌଣସି ଆଗ୍ରହ ନ ଦେଖାଇବାରୁ ତହସିଲର ବିକ୍ଷିପ୍ତ ଅଞ୍ଚଳରେ ପୂର୍ବବତ ବେଆଇନ ଖନନ କାର୍ଯ୍ୟ ଅବ୍ୟାହତ ରହିଛି।   ତହସିଲଦାର ପ୍ରତିଶ୍ରୁତି ଦେବାର ୪୫ ଦିନ ପରେ ଗତ ଜୁଲାଇ ୨୩ ତାରିଖରେ ୭ ଗୋଟି ମୌଜାର ୧୪ ଗୋଟି ପ୍ଲଟରେ ହେଉଥିବା ବେଆଇନ ଖନନ ଉପରେ ରୋକ‌୍‍ ଲଗାଇବାକୁ  ୧୪୪ ଧାରା ଲାଗୁ କରିବାକୁ ଆଦେଶ ଦେଇଥିଲେ। କୋଲସାହି ମୌଜାର ପ୍ଲଟ‌୍‍ ନମ୍ୱର ୧୩୯୨, ୧୩୯୩ ଓ ୧୪୨୫, ଜୋରାବାଟି  ମୌଜାର ପ୍ଲଟ‌୍‍ ନମ୍ୱର ୧୧ ଓ ୧୮୬, କୁମ୍ଭାରଖାତ ମୌଜାର ପ୍ଲଟ ନମ୍ୱର ୫୦୬ , ୬୦୮, ୬୭୦ ଓ ୭୨୬, ଖଜୁରୀଆ ମୌଜାର ପ୍ଲଟ‌୍‍ ନମ୍ୱର ୫୭ ଓ ୫୮, ରାଇଝର ମୌଜାର ପ୍ଲଟ ନମ୍ୱର ୫୦୧ ଓ ୫୦୨ ଏବଂ ସମିଆ ମୌଜାର ପ୍ଲଟ ନମ୍ୱର ୩୭୯୧ ଉପରେ ୧୪୪ ଧାରା ଜାରି କରିବା ପାଇଁ ତହସିଲଦାର ଆଦେଶ ଦେଇଥିବା ବେଳେ କେଉଁ ଅଜଣା ଭୟ କିମ୍ୱା ନିହିତ ସ୍ୱାର୍ଥର ବଶବର୍ତ୍ତୀ ହୋଇ ଏହାକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ୱନ କରାଯାଇଥିବା ପରିଲକ୍ଷିତ ହୋଇଛି। ଯେଉଁ ପ୍ଲଟ‌୍‍ ଗୁଡ଼ିକ ଉପରେ ୧୪୪ ଧାରା ଜାରି କରିବା ପାଇଁ ଆଦେଶ ହୋଇଥିଲା ଅଗଷ୍ଟ ୧୯ ତାରିଖରେ ସେଠାରେ ତହସିଲ ପକ୍ଷରୁ କର୍ମଚାରୀମାନେ ନାଲି ପତାକା ଉଡ଼ାଇଥିବା ଦେଖିବାକୁ ମିଳିଛି। ଅର୍ଥାତ ଜୁନ ୭ ତାରିଖରେ ପ୍ରତିଶ୍ରୁତି, ଜୁଲାଇ ୨୩ ତାରିଖରେ ଆଦେଶନାମା ଜାରି ଓ ଅଗଷ୍ଟ ୧୯ ତାରିଖରେ ନାଲି ପତାକା ପୋତା। ଦୁର୍ନୀତିଗ୍ରସ୍ତ ଓ ସର୍ବସାଧାରଣ ସଂପତ୍ତି ଲୁଟେରାଙ୍କ ବିରୋଧରେ ଏ ସରକାରର ଏହିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ସବୁ କିଛି ଲୁଟ୍ ହବା ପରେ।   ଗତ କିଛି ଦିନ ହେବ ଏହି ସବୁ ମାଙ୍କଡ଼ା ପଥର ଖାଦାନରେ ବର୍ଷାଜଳ ଭର୍ତ୍ତି ହୋଇଯିବା ଯୋଗୁଁ ସ୍ବାଭାବିକ ଭାବେ ଖନନ କାର୍ଯ୍ୟ ବନ୍ଦ ରହିଛି। ଏବେ ସେଠାରେ ନାଲି ପତାକା ଉଡ଼ାଇ ପ୍ରଶାସନ ଦାୟିତ୍ବ ଓ କର୍ତ୍ତବ୍ୟ ସଂପାଦନ କଲା ବୋଲି ଦାବି କରୁଥିବାବେଳ ଏହା କେବଳ ଧର୍ମକୁ ଆଖିଠାର ବୋଲି ସାଧାରଣରେ ଆଲୋଚନା ହେଉଛି। ଏବେ କେବଳ କୋଲସାହି, ଜୋରାବାଟି ଓ ବାଘୁଆ ମୌଜାର କେତୋଟି ସ୍ଥାନରେ ବେଆଇନ ମାଙ୍କଡ଼ା ପଥର ଖନନ ଚାଲିଥିବା ବେଳେ ବାକି ସବୁ ସ୍ଥାନରେ ବନ୍ଦ ରହିଛି। ପ୍ରଶାସନର ଯଦି ବେଆଇନ ମାଙ୍କଡ଼ା ପଥର ଖନନ କାର୍ଯ୍ୟ ବନ୍ଦ କରିବାର ଆନ୍ତରିକତା ଥା’ନ୍ତା ତେବେ ଜୁଲାଇ ୨୩ ତାରିଖର ଆଦେଶକୁ କାର୍ଯ୍ୟକାରୀ କରିବାରେ ୨୮ ଦିନ ସମୟ ଗଡ଼ାଇଥାନ୍ତା କାହିଁକି?   ସେହିଭଳି ସିହା ମୌଜାର ୨୭୬ ନମ୍ୱର ପ୍ଲଟରେ ୧୪୪ ଧାରା ଜାରି କରିବାକୁ ଦର୍ପଣଗଡ଼ ଆର.ଆଇ.ଙ୍କ ରିପୋର୍ଟ ଭିତ୍ତିରେ ଯେଉଁ କେସ‌୍‍ ରେକର୍ଡ଼ ପ୍ରସ୍ତୁତ ହୋଇଥିଲା ତହସିଲଦାର ତାହାକୁ ଖାରଜ କରିଦେବା ଏବଂ ବିନା କୌଣସି ଆଦେଶ ଆଧାରରେ ଗତକାଲି ତହସିଲ କର୍ମଚାରୀମାନେ ସିହା ମୌଜାର ତିନି ଗୋଟି ବେଆଇନ ଖନନ ସ୍ଥାନରେ ନାଲି ପତାକା ପୋତିବା ଅନ୍ୟ ଏକ ଆଶ୍ଚର୍ଯ୍ୟର ବିଷୟ ହୋଇଛି। ଇତି ମଧ୍ୟରେ ୧୪୪ ଧାରା ଜାରି କରିବାର ଆଦେଶକୁ ୩୦ ଦିନ ବିତିବାକୁ ବସିଥିବା ବେଳେ ଏହାର ଅବଧି ଆଉ ମାତ୍ର ୩୦ ଦିନ ବଳବତ୍ତର ରହିବ। ଅନ୍ୟପକ୍ଷରେ ଏହି ଅବଧି ସରିବା ପରେ ପରେ ଏବଂ ବର୍ଷାଋତୁ ପରେ ମାଫିଆମାନେ ପୂର୍ବବତ ଏହିସବୁ ସ୍ଥାନମାନଙ୍କରେ ପୁନଶ୍ଚ ଖନନ କରିବାକୁ ଯୋଜନା ପ୍ରସ୍ତୁତ କରି ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି।   ତେଣୁ ପ୍ରଶାସନର ଯେ ବେଆଇନ ମାଙ୍କଡ଼ା ପଥର ଖନନକୁ ରୋକିବା କିମ୍ୱା ବେଆଇନ ଖନନକାରୀଙ୍କ ଉପରେ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆନ୍ତରିକତା ନାହିଁ ଏସବୁ ଘଟଣା ତାହାକୁ ପ୍ରମାଣିତ କରୁଛି। କେତେକ ପ୍ରଶାସନିକ ଅଧିକାରୀ ଅବଶ୍ୟ ପରିଚୟ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ସେମାନେ ଚାହିଁଲେ ବି କିଛି କରିପାରିବେ ନାହିଁ। କାରଣ ଏସବୁ କାର୍ଯ୍ୟରେ ଶାସକ ବିଜୁ ଜନତା ଦଳର ବଡ଼ବଡ଼ ନେତାଙ୍କ ସଂପୃକ୍ତି ଅଛି। ପ୍ରଶାସନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କହି ଅଫିସରଙ୍କ ବିରୋଧରେ ଭିଜିଲାନ୍ସ କୁକୁର ଲଗାଇଦେବେ ନହେଲେ ବାରମ୍ବାର ବଦଳି କରିବେ।

Share :