କଂଗ୍ରେସ ଅନାସ୍ଥାକୁ ବିଜେଡିର ସମର୍ଥନ!

କଂଗ୍ରେସ ଅନାସ୍ଥାକୁ ବିଜେଡିର ସମର୍ଥନ!

Share :

  ରାଜ୍ୟ ଶାସନଗାଦିରେ ବସିଥିବା ବିଜେଡ଼ି ମହାନଦୀ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡ଼ି ମହାନଦୀକୁ ଏକ ପ୍ରସଙ୍ଗ କରିଛି ବୋଲି ବିରୋଧୀ ଦଳ ଅଭିଯୋଗ କରୁଛନ୍ତି। ମହାନଦୀ ପ୍ରସଙ୍ଗ କ’ଣ ତାହା ଗାଁ ଗଣ୍ଡାରେ ଥିବା ଲୋକେ ମଧ୍ୟ ଭଲଭାବେ ଅବଗତ ନୁହନ୍ତି। କିନ୍ତୁ ବିଜେଡ଼ି ଏଥିରୁ ଫାଇଦା ନେବାକୁ ପୂରାପୂରି ଲାଗିପଡ଼ିଛି। ଅଥଚ ଏଣେ ୧୬ ବର୍ଷ ହେଲା ଶାସନ ଡ଼ୋରି ଧରିଥିବା ବିଜେଡ଼ି ଘରେ ଫାଟ ବଢିବାରେ ଲାଗିଛି। ଅନ୍ୟ ଘର ଭାଙ୍ଗିବାକୁ ଚେଷ୍ଟା କଲେ ନିଜ ଘର ଭାଙ୍ଗେ ପରି ପ୍ରାକୃତିକ ନ୍ୟାୟର ଦଣ୍ଡ ଏବେ ବିଜୁ ଜନତା ଦଳକୁ ଭୋଗିବାକୁ ପଡ଼ୁଛି ବୋଲି ଚର୍ଚ୍ଚା ଚାଲିଛି।   କେନ୍ଦୁଝର, ଢେଙ୍କାନାଳ ଓ କେସିଙ୍ଗା ପରି ଯାଜପୁର ଜିଲ୍ଲା ବ୍ୟାସନଗର ପୌରପାଳିକାର ବିଜେଡି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୬ ୱାର୍ଡ଼ ବିଶିଷ୍ଟ ବ୍ୟାସନଗର ପୌର ପରିଷଦର ବିଜେଡି ଅଧ୍ୟକ୍ଷା ସବିତା ରାଉତଙ୍କୁ ହଟାଇବାକୁ କଂଗ୍ରେସର ୮ ଓ ଜଣେ ସ୍ୱାଧୀନ ପରିଷଦଙ୍କୁ ମିଶାଇ ୯ ଜଣ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପରେ ପୌର ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି। ବିଶେଷ କରି କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଗତ ପଛରେ ବିଜେଡ଼ିର ସର୍ବାଧିକ କାଉନସିଲରଙ୍କ ଭିତିରି ସମର୍ଥନ ରହିଥିବା ଯାଜପୁର ରୋଡ଼ ଗଳିକନ୍ଦିରେ ଚର୍ଚ୍ଚା ଚାଲିଛି। ଏହି ଅନାସ୍ଥା ପ୍ରସ୍ତାବ ଜରିଆରେ ବିଜୁ ଜନତା ଦଳରେ ରହିଥିବା ଗୋଷ୍ଠୀ ବିବାଦ ପଦାକୁ ଫୁଟି ବାହାରିଛି।   ଗୋଷ୍ଠୀ ବିବାଦ ଉପରେ ଅନୁଧ୍ୟାନ କରିବା ସହ ସମାଧାନ ବାଟ ଫିଟାଇବାକୁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ବରିଷ୍ଠ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଦାୟିତ୍ୱ ଦେଛନ୍ତି। ତେବେ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ କଂଗ୍ରେସ ଅନାସ୍ଥା ଆଣିଥିଲେ ହେଁ ବିଜେଡ଼ିର ଅସନ୍ତୁଷ୍ଟ ଗୋଷ୍ଠୀ ଅତି ମାତ୍ରାରେ ସକ୍ରୀୟ ହୋଇପଡ଼ିଛନ୍ତି। ଯେକୌଣସି ମୂଲ୍ୟ ଦେଇ ଅଧ୍ୟକ୍ଷା ଶ୍ରୀମତୀ ରାଉତଙ୍କୁ ହଟାଇବାକୁ ପଣ କରିଥିବା ବିରୋଧୀ ଗୋଷ୍ଠୀ ଦଳୀୟ ନେତାଙ୍କ ଡକରା ଏଡ଼ାଇବା ପାଇଁ ବ୍ୟାସନଗରରୁ ଉଭାନ ହୋଇଯାଇଛନ୍ତି। ସମର୍ଥକ ମହଲରେ ହେଉଥିବା ଆଲୋଚନା ଅନୁଯାୟୀ ବିରୋଧୀ ଗୋଷ୍ଠୀର ଜଣକୁ ଛାଡ଼ିଦେଲେ ଅନ୍ୟମାନେ ପଶ୍ଚିମ ବଙ୍ଗ ପଳାଇଛନ୍ତି।   ଅନ୍ୟପକ୍ଷରେ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ଯାଉଥିବା ଅଧ୍ୟକ୍ଷା ଶ୍ରୀମତୀ ରାଉତ ଓ ତାଙ୍କ ସମର୍ଥନରେ ଠିଆ ହୋଇଥିବା ଉପାଧ୍ୟକ୍ଷ ଏବଂ ପାରିଷଦ ଗୋଷ୍ଠୀ ମଧ୍ୟ ଓଡ଼ିଶା ଛାଡ଼ି ପାର। ସେମାନେ ଏବେ ଗୋଆରେ ଥିବା ଜଣାପଡ଼ିଛି। ସେମାନେ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କୀତ ଏକ ସରକାରୀ କାର୍ଯ୍ୟକ୍ରମରେ ଗୋଆର ପାନାଜୀ ଠାରେ ୧୯ ତାରିଖରୁ ୨୧ ତାରିଖ ଯାଏ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାକୁ ଯାଇଛନ୍ତି। ଏହି ପ୍ରଶିକ୍ଷଣ ଶିବିରେ ରାଜ୍ୟର ବିଭିନ୍ନ ପୌରାଞ୍ଚଳର ନିର୍ବାଚିତ କାଉନସିଲର ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଛନ୍ତି।   ତେବେ ଏହି ପ୍ରଶିକ୍ଷଣ ଶିବିର ଶେଷ ହେବା ପରେ ଅଧ୍ୟକ୍ଷା ଏବଂ ତାଙ୍କ ସମର୍ଥକ କାଉନସିଲର ସେଠାରୁ ଅନ୍ୟତ୍ର ଯିବାର କାର୍ଯ୍ୟକ୍ରମ ରହିଥିବା ତାଙ୍କ ସମର୍ଥକ ମହଲରେ ଆଲୋଚନା ହେଉଛି। କିନ୍ତୁ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା କଂଗ୍ରେସ କାଉନସିଲରମାନେ ନିଜନିଜ ଘରେ ରହିଛନ୍ତି, ମାନେ ବ୍ୟାସନଗର ଛାଡ଼ି କେଉଁ ଆଡେ଼ ଯାଇନଥିବାର ଦେଖିବାକୁ ମିଳିଛି। ଅନାସ୍ଥା ପ୍ରସ୍ତାବ ଉପରେ କୌଣସି ସମୟରେ ଜିଲାପାଳଙ୍କ ପକ୍ଷରୁ କିଛି ବି ନିର୍ଦ୍ଦେଶ ପୌର ପ୍ରଶାସନକୁ ଆସିବା ବା ନୋଟିସ‌୍‍ ହେବାର ସମ୍ଭାବନା ଉପରେ କଂଗ୍ରେସ କାଉନସିଲର ଦୃଷ୍ଟି ରଖିଥିବାର ସମର୍ଥକ ମହଲରେ ଆଲୋଚନା ହେଉଛି।   ଅନ୍ୟପକ୍ଷରେ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ବିଜେଡ଼ିର ବିଭିନ୍ନ ଫୋରମରେ ଆଲୋଚନା ଆରମ୍ଭ ହୋଇଯାଇଛି। ଏ ଅନାସ୍ଥା ପ୍ରସ୍ତାବ ଆସିବା ପଛରେ କି କାରଣ ରହିଛି ଫୋରମରେ ଚର୍ଚ୍ଚା ହେଉଛି। ଚର୍ଚ୍ଚାରେ ଅଧ୍ୟକ୍ଷାଙ୍କ ସପକ୍ଷରେ ମତ ଆସୁଥିବା ବେଳେ ବିରୋଧୀଙ୍କ ସପକ୍ଷରେ ମଧ୍ୟ ମତ ରଖାଯାଉଥିବାର ଜଣାପଡ଼ିଛି। କିନ୍ତୁ ଫୋରମରେ ହେଉଥିବା ଆଲୋଚନା ଯେପରି ବାହାରେ ପରିପ୍ରକାଶ ନହୁଏ ସେଥିନିମନ୍ତେ ଆଦେଶନାମା ଜାରି କରାଯାଇଥିବାର ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏଠାରେ ପ୍ରକାଶ ଥାଉକି ୨୬ ୱାର୍ଡ଼ ବିଶିଷ୍ଟ ବ୍ୟାସନଗର ପୌରସଭାରେ ବିଜୁ ଜନତା ଦଳର ୧୬ ଜଣ ପାରିଷଦ ରହିଥିବା ବେଳେ କଂଗ୍ରେସର ୯ ଜଣ ଏବଂ ଜଣେ ସ୍ୱାଧୀନ ପାରିଷଦ ରହିଛନ୍ତି।

Share :