କୋଣାର୍କରେ ରକ୍ଷାବନ୍ଧନ ଉତ୍ସବ

କୋଣାର୍କରେ ରକ୍ଷାବନ୍ଧନ ଉତ୍ସବ

Share :

  କୋଣାର୍କର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର କୋଣାର୍କ ସେବାକେନ୍ଦ୍ର ପକ୍ଷରୁ ସକାଳ ୬ଟା ୩୦ ମିନିଟରୁ ୧୨ଟା ଓ ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ କୋଣାର୍କସ୍ଥିତ ମାଧିପୁର ଛକଠାରେ ଥିବା ରାଜଯୋଗ ଶିକ୍ଷାକେନ୍ଦ୍ର ପରିସରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ ରାଜଯୋଗ ଶିକ୍ଷା ଶିବିରରେ ସ୍ଥାନୀୟ ସେବା କେନ୍ଦ୍ରର ସଂଚାଳିକା ବ୍ରହ୍ମାକୁମାରୀ ଦମୟନ୍ତୀ ପରମପିତା ପରମାତ୍ମା ଶିବଙ୍କର ମୁଖ ନିଃସୃତ ବାଣୀ ‘ମୂରଲୀ’ ପଠନ କରିବା ସହ ବିକେ ଭାଇଭଉଣୀମାନଙ୍କୁ ରାଜଯୋଗ ଶିକ୍ଷା ଦେଇଥିଲେ।   ବ୍ରହ୍ମାକୁମାରୀ ଭଉଣୀମାନେ ସେବାକେନ୍ଦ୍ରଠାରେ ସମବେତ ଭାଇଭଉଣୀଙ୍କ ହାତରେ ରାଖୀ ବାନ୍ଧିବା ସହିତ ପବିତ୍ର ରକ୍ଷାବନ୍ଧନର ଆଧ୍ୟାତ୍ମିକ ମହତ୍ବ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହାପରେ ବ୍ରହ୍ମାକୁମାରୀ ଭାଇଭଉଣୀମାନେ କୋଣାର୍କର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନକୁ ଯାଇ ରାକ୍ଷୀ ବାନ୍ଧିଥିଲେ। ସେହିପରି କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମ ପରିସରେରେ ଅଧ୍ୟକ୍ଷା ରୁକ୍ମିଣୀ ଦେବୀଙ୍କ ପୌରୋହିତ୍ୟରେ ଆୟୋଜିତ ରକ୍ଷାବନ୍ଧନ ଉତ୍ସବରେ ଅନ୍ତେବାସୀ ଛାତ୍ରଛାତ୍ରୀମାନେ ପରସ୍ପର ହାତରେ ରାକ୍ଷୀ ବାନ୍ଧିବା ସହ ଗୁରୁଜୀ ଗୁରୁମା’ଙ୍କ ହାତରେ ମଧ୍ୟ ରାକ୍ଷୀ ବାନ୍ଧିଥିଲେ।   ଏହି ଅବସରରେ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ସଚେତନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କୋଣାର୍କସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡି. ମାଲେଶ୍ୱର ରାଓଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଅନ୍ତେବାସୀ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ପରସ୍ପରକୁ ରାକ୍ଷୀ ବାନ୍ଧିଥିଲେ। କେଣାର୍କସ୍ଥିତ ସରସ୍ୱତୀ ଶିଶୁମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟଙ୍କ ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ବିଦ୍ୟାର୍ଥୀମାନେ ପରମ ପବିତ୍ର ଗୈରିକ ଧ୍ୱଜରେ ରାକ୍ଷୀ ବାନ୍ଧିବା ସହ ଶିଶୁମନ୍ଦିର ପରିସର ଏବଂ ବାହାରେ ଘର ଘର ବୁଲି ବିଭିନ୍ନ ବର୍ଗର ଲୋକଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ।   ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ କୋଣାର୍କରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଥିଲା। ଏଥିରେ ସଂଘର କୋଣାର୍କ ଶାଖାର ସମସ୍ତ ସ୍ୱୟଂସେବକଙ୍କ ସମେତ ସଂଘର ଶତାଧିକ ଶୁଭେଚ୍ଛୁ ଯୋଗଦେଇ ରକ୍ଷାବନ୍ଧନ ଉତ୍ସବ ପାଳନ ଅବସରରେ ରାଷ୍ଟ୍ରର ସୁରକ୍ଷା ଓ ଜାତୀୟ ସଂହତିକୁ ସୁଦୃଢ କରିବା ନିମନ୍ତେ ସଂକଳ୍ପ କରିଥିଲେ। ପବିତ୍ର ରକ୍ଷା ବନ୍ଧନ ଉତ୍ସବ ସହ ଗହ୍ମା ପୂର୍ଣ୍ଣମା, ଗୁରୁ ପୂର୍ଣ୍ଣମା ଓ ବଳଭଦ୍ରଙ୍କ ଜନ୍ମ ଦିନ ଥିବାରୁ ପୁର ପଲ୍ଳି ଉତ୍ସବ ମୁଖରେ ହୋଇଉଠିଥିଲା। ପ୍ରତ୍ୟକ ଚାଷୀ ନିଜ ଘରେ ଗୋରୁ ଗାଈଙ୍କୁ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ଦେବାଳୟକୁ ଯାଇ ପରିବାରର ସୁଖ ଶାନ୍ତି ପାଇଁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା। 

Share :