କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା

କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା

Share :

  କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନରେ ବିଜୁ ଜନତା ଦଳର ଅସାଧୁ ରାଜନୀତି ଫେଲ ମାରିଛି। ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ରହିଥିବା ପାର୍ଥକ୍ୟ ଓ ଶତ୍ରୁତାରୁ ଫାଇଦା ନେବାକୁ ଉଦ୍ୟମ କରି ଦଳ ଦୁଇ ଥର ପରାସ୍ତ ହୋଇଛି। ଏହି ବିଜ୍ଞାପିତ ଅଂଚଳ ପରିଷଦ ବା ଏନଏସିରେ ବିଜେଡିକୁ ହରାଇ କଂଗ୍ରେସ ଦଳ ଅଧ୍ୟକ୍ଷା ପଦ ହାସଲ କରିଛି। ଦଳର ତପସ୍ବିନୀ ମାଝୀ ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି। ଗତ ପୌର ନିର୍ବାଚନରେ ୧୨ଟି ୱାର୍ଡ ବିଶିଷ୍ଟ କେସିଙ୍ଗା ଏନ‌୍‍ଏସି ପରିଷଦରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଦଳର ପାଞ୍ଚ ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ଅନ୍ୟପକ୍ଷରେ ସେହି ନିର୍ବାଚନରେ ବିଜେପିର ଚାରି ଜଣ ପ୍ରର୍ଥୀ ଓ ବିଜେଡିର ତିନି ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏଭଳି ପରିସ୍ଥିତିରେ ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ରହିଥିବା ତୀବ୍ର ରାଜନୀତିକ ଶତ୍ରୁତାର ଫାଇଦା ନେଇଥିଲା ବିଜେପି। ବିଜେଡିର ସବୁଠୁଁ କମ ପ୍ରାର୍ଥୀ ଜିତିଥିଲେ ମଧ୍ୟ ବିଜେପି ସହଯୋଗରେ ଏହି ଦଳ ଅଧ୍ୟକ୍ଷା ପଦ ଅକ୍ତିଆର କରିଥିଲା। ଦଳର ଗୀତାଞ୍ଜଳି ବରିହା  ନିଜ ଦଳର ୩ ଓ ବିଜେପିର ୪ ପାରିଷଦଙ୍କ ସମର୍ଥନରେ ଜିତିଥିଲେ।   କିନ୍ତୁ ଅଧ୍ୟକ୍ଷା ନିର୍ବାଚିତ ହେବା ପରେ ଦଳୀୟ କର୍ତ୍ତୃପକ୍ଷଙ୍କ କଥାରେ ପଡ଼ି ଅଧ୍ୟକ୍ଷା କେବଳ ବିଜେଡି ଅଫିସର ଭାବେ କାର୍ଯ୍ୟ କଲେ। ତାଙ୍କର ଦଳବାଦୀ ମନମୁଖି ଶାସନକୁ ନେଇ ଅସନ୍ତୁଷ୍ଟ କଂଗ୍ରେସ ଓ ବିଜେପି ମିଳିତ ଭାବେ ଗତ ୨ ମାସ ତଳେ ଆନାସ୍ଥା ପ୍ରସ୍ତାବ ଆଣିଥିଲେ। ସେଥିରେ ଅଧ୍ୟକ୍ଷା ନିଜର ଆସ୍ଥା ପ୍ରମାଣ ନଦେଇପାରି ପଦ ହରାଇଥିଲେ। ଏହା ପରେ ନୂଆ ଅଧ୍ୟକ୍ଷା ମନୋନୟନ ପାଇଁ ଅଗଷ୍ଟ ୧୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲେ। ପ୍ରଶାସନ ପକ୍ଷରୁ ଅଧ୍ୟକ୍ଷା ପଦ ପାଇଁ କଡା ସୁରକ୍ଷା ବଳୟ ମଧ୍ୟରେ ଅନୁଷ୍ଠିତ ନିର୍ବାଚନରେ ବିଜେଡି ତରଫରୁ ପୁଣି ପ୍ରାର୍ଥୀ ହୋଇଥିଲେ ଅନାସ୍ଥାରେ ହାରି ପଦ ହରାଇଥିବା ପୂର୍ବତନ ଅଧ୍ୟକ୍ଷା ଗୀତାଞ୍ଜଳି ବରିହା।   ଏହି ନିର୍ବାଚନରେ ବିଜେପି ଉଭୟ କଂଗ୍ରେସ ଓ ବିଜେଡିକୁ ନିଜ ବିରୋଧୀ ବୋଲି କହି ଭୋଟଦାନରୁ ଅନୁପସ୍ଥିତ ରହିଥିଲା। ଦଳର ୪ ଜଣ ପାରିଷଦ ଭୋଟ ନଦେବା ଫଳରେ କଂଗ୍ରେସର ୫ ଜଣ ପାରିଷଦ ସଂଖ୍ୟାଗରିଷ୍ଠ ସାବିତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ତପସ୍ବିନୀ ମାଝି ଦଳର ସମସ୍ତ ଭୋଟ ପାଇ ବିଜୟୀ ହୋଇଥିଲେ। ନିର୍ବାଚନ ପରେ ଧର୍ମର ଜୟ ହେଲା ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। କେସିଙ୍ଗା ଏନ‌୍‍ଏସିର ଉନ୍ନତି ମୁଳକ କାର୍ଯ୍ୟ ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଥିଲେ।   ଏହା ଜିଲ୍ଲାରେ ବିଜୁ ଜନତା ଦଳ ସଂଗଠନ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି।

Share :