ପାରାଦୀପ କଂଗ୍ରେସ ଦି’ ଭାଗ

ପାରାଦୀପ କଂଗ୍ରେସ ଦି’ ଭାଗ

Share :

ମହାନଦୀ ପ୍ରସଙ୍ଗକୁ ନେଇ ଓଡିଶା କଂଗ୍ରେସ ତରଫରୁ ଅଗଷ୍ଟ ୧୬ ମଙ୍ଗଳବାର ଦିନ ଯେଉଁ ବନ୍ଦ ଡାକରା ଦିଆଯାଇଥିଲା ତାହା ପାରାଦୀପରେ ଆଂଶିକ ସଫଳ ହୋଇଛି। ପାରାଦୀପ ନଗର କଂଗ୍ରେସର ବନ୍ଦ ରାଜନୀତି ଅପେକ୍ଷା ସମାନ୍ତରାଳ ଭାବେ ୨ ଗୋଷ୍ଠୀ ଭିନ୍ନ ଭାବେ ଯେଉଁଭଳି ନିଜର ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରିଥିଲେ ତାହା ଦଳର ଆଭ୍ୟନ୍ତରୀଣ ବିବାଦକୁ ପଦାରେ ପକାଇଛି।   କଂଗ୍ରେସର ଏପରି ସମାନ୍ତରାଳ ବନ୍ଦ ରାଜନୀତିକୁ ବିପକ୍ଷ ରାଜନୈତିକ ଦଳମାନେ କଟାକ୍ଷ କରିଛନ୍ତି। ଏହା କଂଗ୍ରେସର ଔଷଧ ବିକଳରେ ତାଟିଆ କାମୁଡିବା ଭଳି ବିଜେଡି କହିଛି। ବିଜେପି ଏହାକୁ (ଲୋକହସା) ବୋଲି ଦର୍ଶାଇଛି। ଓଡିଶା କଂଗ୍ରେସ ଯେଉଁ ବନ୍ଦ ଡାକରା ଦେଇଥିଲା ମଙ୍ଗଳବାର ପାରାଦୀପରେ କେତେକ ସ୍ଥାନରେ ସଫଳ ହୋଇଥିବା ବେଳେ ସମସ୍ତ ଶିଳ୍ପସଂସ୍ଥା ଓ ବନ୍ଦର ସ୍ୱଭାବିକ ଭାବେ ଚାଲିଥିଲା। କେତେକ ବିଦ୍ୟାଳୟ ବନ୍ଦଥିବା ଦେଖିବାକୁ ମିଳିଥିଲା। ସଂକ୍ରାନ୍ତି ଯୋଗୁଁ ସେଦିନ ପାରାଦୀପ ବଡପଡିଆ ବଜାର ସ୍ୱତଃ ବନ୍ଦରହିଥିଲା। ରେଳ, ବସ, ଟ୍ରକ ଚଳାଚଳ କିଛି ମାତ୍ରାରେ ବନ୍ଦ ଯୋଉଁ ପ୍ରଭାବିତ ହୋଇଥିଲା।   ପାରାଦୀପ ନଗର କଂଗ୍ରେସରେ ୨୦୧୪ ସାଧାରଣ ନିର୍ବାଚନ ପରଠାରୁ ଦୁଇଭାଗରେ ସଂଗଠନ ଚାଲିଛି। ୨୦୧୪ ନିର୍ବାଚନର ବିଧାୟକ ପ୍ରାର୍ଥୀ ବାପି ସର୍ଖେଲ ଓ ୨୦୦୯ ବିଧାୟକ ପ୍ରାର୍ଥୀ ପ୍ରମୋଦ ଜେନା ନିଜର ଆଧିପତ୍ୟ ଜାହିର କରିବାପାଇଁ ଅଲଗା ଭାବେ ସଂଗଠନ ଚଳାଇଛନ୍ତି। ଓଡିଶା ବନ୍ଦ ପ୍ରସଙ୍ଗରେ ଦୁଇନେତାଙ୍କ ଆନୁଗତ୍ୟମାନେ ଅଲଗାଭାବେ ବନ୍ଦ କରୁଥିବା ଦେଖିବାକୁ ମିଳିଥିଲା। ଦଳର ପୁରୁଖା କମୀର୍ମାନେ କାହା ସପକ୍ଷରେ ଯିବେ ସେ ନେଇ ଦ୍ୱନ୍ଦ୍ବରେ ପଡିଥିଲେ। ପ୍ରମୋଦ କୁମାର ସପକ୍ଷରେ ମଣ୍ଡଳ ଓ ଜିଲ୍ଲା ନେତାଙ୍କ ସମର୍ଥନ ଅଧିକ ଦେଖିବାକୁ ମିଳିଥିଲା। ବାପି ସର୍ଖେଲଙ୍କ ରାଲିରେ ଲୋକସଂଖ୍ୟା ଅଧିକ ରହିଥିଲା।   ବିରୋଧୀଙ୍କ ମନ୍ତବ୍ୟ ରହିଛି ସର୍ଖେଲ ଭଡାରେ ଲୋକଙ୍କୁ ଆଣି ଏପରି କରୁଛି। ଦଳ ଯେଉଁ ମହାନଦୀ ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ସରକାରଙ୍କୁ ଘେରିବା ପାଇଁ ଉଦ୍ୟମ କରୁଛି ତାହା ପାରାଦୀପରେ ଦେଖିବାକୁ ମିଳିନାହଁି। ଅସ୍ତଗାମୀ ସୂର୍ଯ୍ୟ ଭଳି ଦଳ କର୍ମୀ ଓ ନେତାଙ୍କ କଳି ଯୋଗୁଁ ତଳକୁ ତଳ ଖସିବାରେ ଲାଗିଛି। ମହାନଦୀର ଶେଷ ତଥା ପାରାଦୀପ ନେହେରୁ ବଙ୍ଗଳା ମୁହାଁଣ ଦୀର୍ଘ ବର୍ଷ ହେଲା ପୋତି ହୋଇଗଲାଣି। ସେ ପ୍ରସଙ୍ଗରେ ଦଳ କେବେ ସ୍ଥାନୀୟ ପ୍ରଶାସନକୁ ଟାର୍ଗେଟ କରି ମୁହଁ ଖୋଲିନାହିଁ। ସାମୂହିକ ପ୍ରସଙ୍ଗରେ ନେତାମାନେ ନିଜ ମଧ୍ୟରେ ସମାନ୍ତରାଳ ରାଜନୀତି କରିବା ଯୋଗୁଁ କର୍ମୀ, ଭୋଟର ଦ୍ୱନ୍ଦରେ ପଡିଲେଣି।   ୨୦୧୯ ନିର୍ବାଚନ ବେଳକୁ କିଏ ନେତା ହେବ ସେ ନେଇ ଏବେଠାରୁ ଚର୍ଚ୍ଚା ଚାଲିଲାଣି।

Share :