ରତ୍ନେଶ୍ବର ସାହୁ ବ୍ୟବସାୟିକ ଚିନ୍ତାଧାରାକୁ ସଫଳ କରିବା ପାଇଁ କିଭଳି ଲୋକଂକୁ ଭୟ ଓ ଲୋଭର କୁଣ୍ଡଳି ଭିତରେ ରହିବା ପାଇଁ ବାଧ୍ୟ କରାଯାଉଛି ତାହା ଟିକିଏ ନଜର ଦେବା- ୧. ତୁମକୁ ସୁନ୍ଦରୀ ଝିଅଟିଏ ମିଳିବ ନାହିଁ କାରଣ ତୁମକୁ ଏହି ଗ୍ରହର ଖରାପ ପ୍ରଭାବ ରହିଛି। ୨. ତୁମକୁ ଏହି ପରି ହେବ କାରଣ ତୁମେ ଏହିଭଳି ଖାଦ୍ୟ ଖାଉଛ ତେଣୁ ଏହି ଖାଦ୍ୟ ଖାଅ। ୩. ତୁମକୁ ଜଣ୍ଡିସ୍ ହୋଇଯିବ କାରଣ ତୁମେ ଏହିଭଳି ପାଣି ପିଉଛ। ୪. ତୁମେ ଏହି ସାବୁନ କିମ୍ବା ହାତ ଧୁଆରେ ହାତ ଧୋଉ ନାହଁ, ତେଣୁ ତୁମକୁ କୀଟାଣୁ ସଂକ୍ରମଣ ହୋଇଯାଇଛି। ୫. ତୁମେ ଏହି ସାବୁନ କିମ୍ବା ହାତ ଧୁଆରେ ହାତ ଧୋଉ ନାହଁ, ତେଣୁ ତୁମକୁ ଟାଇଫଏଡ୍ କିମ୍ବା ଡାଇରିଆ ହୋଇଯିବ। ୬. ତୁମେ ଏହି ସାବୁନରେ ଗାଧୋଉ ନାହଁ, ତେଣୁ ତୁମର ଦେହରୁ ଦୁର୍ଗନ୍ଧ ବାହାରୁଛି। ୭. ତୁମକୁ ଅଧିକ ବୟସ ହୋଇଗଲାଣି ଭଳି ଦେଖାଯାଉଛ, ତେଣୁ ତୁମେ ଏହି କ୍ରିମ ଲଗାଅ। ୮ ତୁମର ଚୁଟି ପାଚି ଯାଇଛି, ତେଣୁ ଚୁଟି କଳା କରିନିଅ। ନ ହେଲେ ତୁମକୁ କକା କି ଖୁଡି ବୋଲି ଡାକିବେ। ୯. ତୁମର ମାଢି ଖରାପ ହୋଇଯାଇଛି, ତେଣୁ ଏହି ଦାନ୍ତ ପେଷ୍ଟ ନିଅ। ନହେଲେ ପସ୍ତାଇବ। ୧୦. ତୁମେ ଏହି ଡିଓ ଲଗାଅ। ନ ହେଲେ ଝିଅମାନେ ତୁମକୁ ପଚାରିବେ ନାହିଁ। ୧୧. ତୁମେ ଏହି ଯନ୍ତ୍ର ନିଅ। ନ ହେଲେ ତୁମକୁ ଲକ୍ଷ୍ମୀ, ଶନି, ହନୁମାନ, କୁବେର ଖରାପ ନଜର ରଖିବେ। ୧୨. ତୁମେ ଆମ କଲେଜରେ ପାଠ ପଢ, ଏତିକି ଶତକଡା ମାର୍କ୍ ମିଳିବ। କାରଣ ଗତ ଋତୁରେ ଆମେ ଭଲ କରିଥିଲୁ। ୧୩. ତୁମେ ଆମ କଲେଜରେ ପାଠ ପଢ, ସଙ୍ଗେ ସଙ୍ଗେ ଚାକିରୀ ମିଳିଯିବ। ନ ହେଲେ ପସ୍ତାଇବ। ୧୪. ତୁମେ ଏହି ଜିନିଷ ପରିଧାନ କର, ତୁମ ଉପରେ ସମସ୍ତଙ୍କ ନଜର ରହିବ। ୧୫. ତୁମେ ଏହି ପାଉଡର ଖାଅ, ତୁମକୁ ସଙ୍ଗେ ସଙ୍ଗେ ପୋଲିସ କିମ୍ବା ସୁରକ୍ଷା କର୍ମୀ ଭାବେ ଚାକିରୀ ମିଳିଯିବ। ୧୬. ତୁମେ ଏହି ପାଉଡର ଖାଅ, ତୁମକୁ ପୁଅମାନେ ପସନ୍ଦ କରିବେ। ୧୮. ତୁମେ ଏହି ମୋବାଇଲ ବ୍ୟବହାର କର ତୁମର ଷ୍ଟାଟସ୍ ବଢିଯିବ। ୧୯. ତୁମେ ଏହି ପେଣ୍ଟ ଲଗାଅ ତୁମକୁ ସମସ୍ତେ ସମ୍ମାନ ଦେବେ। ୨୦. ତୁମେ ନିଜ ଛୁଆଙ୍କୁ ଏହି ପାଉଡର ଖୁଆଅ, ତୁମ ପିଲା କ୍ଲାସରେ ପ୍ରଥମ ହେବ। ୨୧. ଭବିଷ୍ୟତ ସୁରକ୍ଷା ପାଇଁ ଆମ ପାଖରେ ଟଙ୍କା ରଖ, ତୁମର ଯଦି କିଛି ହୋଇଗଲା ତାହାହେଲେ ଆପଣଙ୍କ ପରିବାର କଥା ଆମେ ବୁଝିବୁ। ସମୟକ୍ରମେ ସେହି ସାମଗ୍ରୀଟିକୁ ବିକିବା ପାଇଁ ଅନ୍ୟ ଉପାୟ ଆପଣାଇଛନ୍ତି ବ୍ୟବସାୟୀ ଓ ବଜାରବାଲା। ଗତଦିନରେ ସେହି ସାମଗ୍ରୀ ବିକିବା ପାଇଁ କ’ଣ କହୁଥିଲେ ଆଜି କ’ଣ କହୁଛନ୍ତି ଟିକିଏ ନଜର ଦେଲେ ବୁଝିଯିବେ। ବ୍ୟବସାୟ କରିବା ପାଇଁ କେମିତି କେଉଁ ପ୍ରକ୍ରିୟାରେ ଲୋକଙ୍କୁ ଡରାଇ କିମ୍ବା ପ୍ରଲୁବ୍ଧ କରି ସେମାନଙ୍କଠାରୁ ଟଙ୍କାଟି ଆଣି ନିଜ ପେଢିରେ ରଖିବା ପାଇଁ ପ୍ରୟାସ ଚାଲିଛି ତାହା ଟିକିଏ ଧ୍ୟାନ ଦେଲେ ଆହୁରି ଅନେକ ପ୍ରକାର ଉପାୟ ବିଷୟରେ ଜାଣିଯିବେ। ବିଭିନ୍ନ ଶିଳ୍ପ ଜାତ ସାମଗ୍ରୀ ଯେପରିକି ଟେଲିଭିଜନ, ରେଡିଓ, କେବୁଲ କନେକ୍ସନ, ଘରୋଇ ଉପକରଣ ଇତ୍ୟାଦି କିଣିବା ପାଇଁ ଉତ୍ସାହିତ କରାଯାଉଛି। ଘରର ଏହି କୋଣରେ ଏହି ଜିନିଷ ରଖନ୍ତୁ ତାହାହେଲେ ଆପଣଙ୍କ ଘରେ ଶାନ୍ତି ପ୍ରତିଷ୍ଠା ସହ ସମସ୍ତେ ଭାଗ୍ୟବାନ ହୋଇଯିବେ। ଯଦି ଏହିଭଳି ଅନିଶ୍ଚିତ ବ୍ୟବସ୍ଥା ସୃଷ୍ଟି କରାଯାଉଛି ତାହାହେଲେ ସରକାରମାନେ କାହିଁକି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟଗ୍ରହଣ କରୁନାହାନ୍ତି? ଯଦି ସରକାରମାନେ ଏହିଭଳି ହୋଇଗଲେ ସତରେ କିଛି ହୋଇଯାଉଛି ବୋଲି ବିଶ୍ବାସ ରଖୁଛନ୍ତି ତାହାହେଲେ ସମସ୍ତଙ୍କ ଘରେ ଏହିଭଳି କରୁନାହାନ୍ତି କାହିଁକି? ଲୋକମାନଙ୍କର ମାନସିକତା-ଭୟ ଓ ଲୋଭକୁ ନେଇ ବ୍ୟବସାୟ ହେଲେ ସମାଜ କେବେ ବି ଆତ୍ମନିର୍ଭରଶୀଳ ହୋଇ ପାରିବ ନାହିଁ। ସମସ୍ତେ ଭୟରେ ଜୀବନ ଯାପନ କଲେ ସମାଜ ଆଗକୁ ଯାଇ ପାରିବ ନାହିଁ।