ମୁକୁଳ ମିଶ୍ର କିଛି ବି ବଦଳେ ନାହିଁ ଏ ସହରରେ। କାଲି ବି, ଅସୁରକ୍ଷାର ଶୀତ ପୋଉଁଥିଲା ରାତି ଆଜି ବି, ରକ୍ତପାତରେ ମୁହଁଧୁଏ ପ୍ରତିଟି ସକାଳ। ଝଡ଼ ସହିଥିବା ଭୋର୍ର ସକଳ ଶୃଙ୍ଗାର ଦେଇ ଫୁଟି ଉଠୁଥିବା ଯନ୍ତ୍ରଣା, ଘର ପଛ ଗଳିରେ କେଉଁକାଳୁ ମୂର୍ତ୍ତି ଗଢ଼ୁଥିବା ଲୋକର ମସିଆ ମୁହଁପରି। ସେଇ ଶସ୍ତାପଣରେ ସନ୍ତସନ୍ତିଆ ପାଣିପାଗ, ଶଙ୍କୁଚିତ ପଣର ଦୁର୍ବଳ ମାଟିରେ ଗଢ଼ା ଏ ସହରର ଇତିହାସ, ଭୂଗୋଳ। ଭୋକରେ ବି ଚୁମା ମାଗୁଥିବା ସେ ମୂର୍ତ୍ତିକାର ସତେ କି, ଏ ବେତାଳ ସହରର ନଷ୍ଟ ପ୍ରତିବିମ୍ୱ! ଏଠି, ବଜାର ସାରା ଓଢ଼ଣିର ଧ୍ୱଜା ଉଡେ଼ଇ ପ୍ରେମ, ପାଲା ପାଲଟିଗଲା ବେଳେ ବନ୍ଦ କୋଠରିରେ ଆତ୍ମହତ୍ୟା କରେ ଦୀର୍ଘଶ୍ୱାସ। ଏଠି, ଅନାଥପଣରେ ବଳାତ୍କାରିତ ଆତ୍ମୀୟତା ସବୁ ଆଜନ୍ମ ଋଗ୍ଣ। ସମ୍ୱେଦନାର ସବୁଜିମାହରା ଏ ସହର ପ୍ରଶ୍ୱାସ ପାଇଁ ଅଯୋଗ୍ୟ, ବିଶ୍ୱାସ ବିନା ବନ୍ଧ୍ୟା। ଅଭାବିତ ଅମ୍ଳଜାନ ଆଉ ଅଣନିଶ୍ୱାସୀ ଅସହିଷ୍ଣୁତାରେ ଅନ୍ଧକାର ଇଏ ଅସୂର୍ଯ୍ୟ ସହର!! ବଲାଙ୍ଗୀର