ନିରଂଜନ ସେଠୀ ବନ୍ଧନରେ ବାନ୍ଧି ବନ୍ଧକ ରଖିଛ ଛାତି କଲିଜାରୁ ଫାଳେ କେମିତି କାହିଁକି ବନ୍ଧା ମୁଁ ପଡିଲି ସେଇ କଥା ସଦା ଭାଳେ। ମନ ଗହନର ଗହିରୀ ମଥାରେ ଗହ ଗହ ଚଇତାଳି ସପନ ଆକାଶେ ଗହମ ପୀରତି ସତେ କି ଦେଇଛ ବୋଳି। ନିଃଶ୍ବାସେ ନିଃଶ୍ୱାସ ବିଶ୍ୱାସକୁ ଛନ୍ଦି ଛନ୍ଦେ ଛନ୍ଦେ ଛନ୍ଦ ତୋଳି ଛନ୍ଦି ତ ଦେଇଛ ଭୂତ ଭବିଷ୍ୟତ ପାରୁନି ମୁଁ ହଦ କଳି। ପୀରତି ଡାଳରେ ମଦନ ବଇଁଶୀ ସୁର ଶୁଭେ ଘନ ଘନ ଉଚ୍ଚାଟେ ଉଚ୍ଚାଟ ଉଚ୍ଚାଟନ କରି ଚହଲାଏ ତନୁ ମନ। ଝୁରି ଝୁରି ଝୁରେ ଏ ଝରା ପରାଣ ଦିନ ରାତି ଏକାକରି ଝୁରୁ ଥିବ ତମେ ନ ଆସିବା ଯାଏ କପାଳରେ ହାତ ମାରି । ହୃଦୟେ ରହିଛ ରହିଥିବ ସଦା ତୁମେ ଗଣ୍ଠିଧନ ହୋଇ ଜୀବ ଥିବା ଯାଏ ଏ ଚରାଚରରେ ଭୁଲି ମୁଁ ପାରିବି ନାହିଁ। ଭିଏ-୧୦/୧, ୟୁନିଟ-୨, ଭୁବନେଶ୍ବର