ହାରୁନ ରଶିଦଙ୍କୁ ବିଦାୟ ସମ୍ବର୍ଦ୍ଧନା

ହାରୁନ ରଶିଦଙ୍କୁ ବିଦାୟ ସମ୍ବର୍ଦ୍ଧନା

Share :

  ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦରୁ ଅବସର ଗ୍ରହଣ କରିଛନ୍ତି ଓଡ଼ିଶାର ହାରୁନ ରଶିଦ ଖାଁ। ଏହି ପଦ ପାଇବାରେ ସେ ଥିଲେ ପ୍ରଥମ ଓଡ଼ିଆ। ତାଙ୍କୁ ମୁମ୍ବାଇସ୍ଥିତ ଜଗନ୍ନାଥ କର୍କଟ ସହାୟତା ପ୍ରତିଷ୍ଠାନ ବା ଜ୍ୟାକାଫ ନାମକ ଓଡ଼ିଆମାନଙ୍କର ଏକ ଦାତବ୍ୟ ଅନୁଷ୍ଠାନ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୁମ୍ବାଇରେ ଅବସ୍ଥାପିତ ଅନ୍ୟ କେତେ ଜଣ ଉଚ୍ଚ ପଦସ୍ଥ ବ୍ୟାଙ୍କ ଅଧିକାରୀ ମଧ୍ୟ ହାରୁନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।   ଏ ଉପଲକ୍ଷେ ୱାଶିଠାରେ ଥିବା ଓଡ଼ିଶା ଭବନରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ସଭାରେ ପ୍ରାୟ ୧୬୦ ଜଣ ପ୍ରତିଷ୍ଠିତ ଓଡ଼ିଆ ଉପସ୍ଥିତ ଥିଲେ। ଏହି ସଭାରେ ଦେନା ବ୍ୟାଙ୍କର ଉଚ୍ଚ ଅଧିକାରୀ ଗୁରୁପ୍ରସାଦ ମହାନ୍ତି ଓ ତାଙ୍କ ପତ୍ନୀ ଗାୟତ୍ରୀ ମହାନ୍ତିଙ୍କୁ ମଧ୍ୟ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।   ପ୍ରଥମ ଓଡ଼ିଆ ଭାବେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦ ହାସଲ କରିଥିବା ହାରୁନ ରଶିଦ ଖାଁ ବ୍ୟାଙ୍କଗୁଡ଼ିକୁ ଗଣାଭିମୁଖୀ କରିବା କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ବ୍ୟାଙ୍କଗୁଡ଼ିକୁ ଲୋକଙ୍କ ନିକଟରେ ପହଂଚାଇବା ପାଇଁ ସେ ଏକ ରିପୋର୍ଟ ପ୍ରଦାନ କରିଥିଲେ। ତାହା ଖାଁ ରିପୋର୍ଟ ନାମରେ ନାମିତ। ଏହା ସହିତ ତାଙ୍କର ଅନ୍ୟାନ୍ୟ ସଫଳତା ବିଷୟ ଉଲ୍ଲେଖ କରିଥିଲେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଏପି ହୋତା ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଉପ ପରିଚାଳନା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।   ଏହି ସଭାରେ ଅଧ୍ୟକ୍ଷତା କରିଥିବା ଜ୍ୟାକାଫ ଅଧ୍ୟକ୍ଷ ଡକ୍ଟର ଏସ ପଟ୍ଟନାୟକ ଟାଟା ମେମୋରିଆଲ ହସପିଟାଲକୁ ଆସୁଥିବା ଗରୀବ ଓଡ଼ିଆ କର୍କଟ ରୋଗୀଙ୍କୁ କିପରି ଏହି ସଂସ୍ଥା ଖାଦ୍ୟ, ପରିବହନ ଓ ପାରା ମେଡିକାଲ ସେବା ସହାୟତା ଆଦି ଯୋଗାଇ ଦେଉଛି ସେ ସଂପର୍କୀତ ବିବରଣୀ ପ୍ରଦାନ କରିଥିଲେ। ଜ୍ୟାକାଫର ସଦସ୍ୟ ଭାବେ ଗୁରୁ ପ୍ରସାଦ ମହାନ୍ତି ଓ ଗାୟତ୍ରୀ ମହାନ୍ତି କିଭଳି ଏ କ୍ଷେତ୍ରରେ ମହତ୍ତର ଅବଦାନ ଦେଇଛନ୍ତି ସେ ବିଷୟରେ ଡକ୍ଟର ପିକେ ମହାନ୍ତି ଓ ଅନ୍ୟମାନେ ବର୍ଣ୍ଣନା କରିଥିଲେ।   ଆସନ୍ତା ଅକ୍ଟୋବର ମାସରେ ଜ୍ୟାକାଫ ତରଫରୁ ଓଡ଼ିଶାରେ ଏକ କର୍କଟ ଚିହ୍ନଟ ଶିବିର ଅନୁଷ୍ଠିତ ହେବ। ଏଥିରେ ଟାଟା ମେମୋରିଆଲ ହସପିଟାଲର କେତେକ ବିଶେଷଜ୍ଞ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Share :