ନେତା କେମିତି ହେବା ଦରକାର?

ନେତା କେମିତି ହେବା ଦରକାର?

Share :

ରତ୍ନେଶ୍ବର ସାହୁ   ଯେତେବେଳେ ଆମେ କ୍ଷମତା ଏବଂ ଅର୍ଥ ପଛରେ ଗୋଡାଉ ଆମେ ପ୍ରଥମେ ଆମ ଲକ୍ଷ୍ୟ କିପରି ହାସଲ କରିବୁ ସେଥିପ୍ରତି ବେଶ୍ ଯତ୍ନବାନ ହେଉ। ଫଳରେ ଆମ ଉପରେ ଯେଉଁମାନେ ଆଶା ରଖିଥାନ୍ତି ସେମାନେ ହତାଶ ହୁଅନ୍ତି। ଆମେ ନିଜକୁ ଅସୁରକ୍ଷିତ ଅନୁଭବ କରୁ। କାଳେ ଏମିତି କରିଦେଲେ ଲୋକେ ଆମ ଉପରେ ପୁଣିଥରେ ଖୁସି ହୋଇଯିବେ ଏହା ଭାବୁ।   ପ୍ରଥମ କଥା ହେଲା ଆମେ କାହିଁକି କ୍ଷମତା ପାଇଛୁ ତାହା ଆମେ ଜାଣୁ କି? ଆମର ପରିଚୟ କ’ଣ? ଆମେ କ’ଣ କରିବା ଉଚିତ୍ ହେବ? ଆମେ କାହାକୁ ଖୁସି କରିବାକୁ ଚାହୁଁଛୁ? ସେ ଖୁସି ହେଲେ ଆମେ ସବୁଦିନେ ଆତ୍ମନିର୍ଭର ହୋଇ ପାରିବା କି? ଆମର ସମସ୍ୟା କ’ଣ? କେଉଁ ସମସ୍ୟା ଆଜି ସମାଧାନ କରିବା? କେଉଁ ସମସ୍ୟା କାଲି ସମାଧାନ କଲେ ଚଳିବ? ସେହି ବିଷୟରେ ଆମେ ସଚେତନ କି? ଯଦି ସେହି ବିଷୟ ଗୁଡିକ ଆମେ ଧ୍ୟାନ ଦେଉନୁ କିମ୍ବା ଆମେ ଜାଣି ପାରୁନୁ ତାହାହେଲେ ଆମେ କିପରି ପ୍ରଥମେ ଆତ୍ମନିର୍ଭର ବୋଲି କହିବା?   ସମସ୍ତଙ୍କର ସ୍ଥାନ, ସମୟ ଓ ପରିସ୍ଥିତି ଅନୁସାରେ ପରିଚୟ ରହିଛି। ସେହି ପରିଚୟ ଏବଂ ଭୁମିକା ତୁଲାଇ ପାରିଲେ ସମସ୍ତେ ଖୁସି ହୁଅନ୍ତି। ଯଦି ଲୋକମାନେ କହିବେ ବା ଭାବିବେ ଯେ ଏହା କରିଦେଲେ ସେମାନେ ମୋ ଉପରେ ବେଶ୍ ଖୁସି ହେବେ ତାହାହେଲେ ଆମେ ଭୁଲ୍ କରୁଛୁ। କାରଣ ମୁଁ କ’ଣ ଚାହୁଁଛି ତାହା ମୁଁ ଜାଣେ, ଅନ୍ୟମାନେ ଭଗବାନ ନୁହନ୍ତି ଯେ ମୋ ମନର କଥା ଜାଣିଯିବେ! ଯେତେବେଳେ ମୋତେ ଖୁସି କରିବା କଥା ଉଠୁଛି ସେତେବେଳେ ମୋତେ ପଚରାଗଲେ ମୁଁ ମୋ କଥା କହିବି ଏବଂ ସେହି ଅନୁସାରେ କାର୍ଯ୍ୟ ହେବା ଫଳରେ ମୁଁ ଖୁସି ହେବି। ଏହା ହେଉଛି ବାସ୍ତବତା। ଆଉ ଏକ କଥା ହେଲା ମୋ ପାଇଁ କିଏ କହୁଛି ତାହା ସେ ମୋ ପାଇଁ କହୁନି ବରଂ ତାହାର ଆବଶ୍ୟକତା ପୂରଣ କରିବା ପାଇଁ ମୋ ନାଁକୁ ବ୍ୟବହାର କରୁଛି।   ଗଣତନ୍ତ୍ର ରାଷ୍ଟ୍ରରେ ପ୍ରତିନିଧିମାନେ ଲୋକମାନଙ୍କ ଭିତରୁ ହେବା କଥା। ଲୋକମାନେ ନିଜର ଆବଶ୍ୟକତା ପୂରଣ ପାଇଁ ବିଭିନ୍ନ ଉପାୟରେ ବିଭିନ୍ନ ସ୍ଥାନରେ ଜଣାନ୍ତି। ସେହି କଥାଗୁଡିକୁ ଉପଯୁକ୍ତ ସ୍ଥାନରେ ଉତ୍ଥାପନ କରିବା ପାଇଁ ନେତୃତ୍ବର ଆବଶ୍ୟକତା ରହିଛି। ତେଣୁ କୁହାଯାଏ ଯେ ସଂଘର୍ଷରୁ ଲୋକମାନେ ନେତାଙ୍କୁ ଜାଣନ୍ତି। ନେତା କେବେ ବି କୌଣସି ଜଣକୁ ଖୁସି କରିବା ପାଇଁ ଚାହାନ୍ତି ନାହିଁ। ବରଂ କେଉଁ କାମଟି କଲେ ସମସ୍ତେ ଖୁସିରେ ମିଳିମିଶି ରହିବା, ଆତ୍ମନିର୍ଭର ହେବା ଏବଂ କାହା ଦୟାରେ ବଞ୍ଚିବା ନାହିଁ ତାହା ଚିନ୍ତାକରନ୍ତି। ନେତା କେବେ ବି ଅନ୍ୟକୁ ଦୋଷ ଦିଅନ୍ତି ନାହିଁ ବରଂ ଯାହା ସବୁ ଅସୁବିଧା ରହିଛି ତାହା କିପରି କେତେ ଶୀଘ୍ର ସମାଧାନ ହୋଇ ପାରିବ ସେଥିପାଇଁ ଯତ୍ନବାନ ହୁଅନ୍ତି। ନେତା ଯେହେତୁ ଲୋକ ମାନଙ୍କ ମଧ୍ୟରୁ ଜଣେ ତେଣୁ ଲୋକମାନଙ୍କ ସହ ରହିବାକୁ ପସନ୍ଦ କରନ୍ତି।   ନେତା କେବେବି ନିଜ ପଦବୀ ଚାଲିଯିବ ବୋଲି ଭୟ କରନ୍ତି ନାହିଁ। କାରଣ ସେ କୁହନ୍ତି ମୁଁ ଯେତିକି ପାରିଲି କାମ କରିଲି ଯାହା ବଳକା ରହିଗଲା ତୁମେ କର। ଯେତେବେଳେ ନେତା ପଦବୀ ଚାଲିଯିବ ବୋଲି ଭୟ କରନ୍ତି ସେହି ସମୟରେ ସନ୍ଦେହ ଆସେ ଯେ କାହିଁକି ଏହିଭଳି କହୁଛନ୍ତି? ଏହା ରାଜତନ୍ତ୍ର ନୁହେଁ, ସମୟ ଅନୁସାରେ ଅନ୍ୟମାନେ ଦାୟିତ୍ବ ନେବେ। ଯଦି ରାଜନୀତି ଏକ ବୃତ୍ତି ହୁଏ ତାହାହେଲେ ଧରିନେବାକୁ ହେବ ଯେ ଏହି ବ୍ୟକ୍ତି ଜଣକ ନିଜେ ପରିଶ୍ରମ କରି ନିଜ ପରିବାରକୁ ଖୁଆଇବାକୁ ନିଜ ପାଖରେ ଯୋଗ୍ୟତା ରଖି ନାହାନ୍ତି। ଦୁନିଆରେ ବହୁତ ଲୋକ ବିଭିନ୍ନ ଉପାୟରେ ନିଜ ପରିବାର ପାଇଁ ଖାଦ୍ୟ ଯୋଗାଡ କରି ପାରୁଛନ୍ତି ତାହାହେଲେ ଏହି ବ୍ୟକ୍ତି ଜଣଙ୍କ କାହିଁକି କରି ପାରିବେ ନାହିଁ?   ଭାରତ ଏକ ଜନ ମଙ୍ଗଳ ରାଷ୍ଟ୍ର। ଜନ ମଙ୍ଗଳ ପାଇଁ ଏଠାରେ ବହୁତ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଚାଲିଛି। ଛୁଆଟି ମାତୃ ଗର୍ଭରେ ରହିବା ଠାରୁ ଆରମ୍ଭ କରି ମଶାଣିକୁ ଗଲା ପର୍ଯ୍ୟନ୍ତ କେବଳ ବଞ୍ଚିବା ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେବାରେ ଲାଗିଛି। ତଥାପି ନେତା ମାନେ ପଦବୀ ଚାଲିଯିବାର ଭୟ ଭିତରେ ଗତି କରନ୍ତି। କିଛି ନେତା କୁହନ୍ତି କିଛି ଫରକ ପଡିବ ନାହିଁ କିନ୍ତୁ କେତେବେଳେ କୌଣସି ନେତା କୁହନ୍ତି ନାହିଁ ଯେ ଯିଏ ବି କ୍ଷମତାରେ ରହୁ କିନ୍ତୁ ଲୋକମାନଙ୍କ କାମ ହେବା ଆବଶ୍ୟକ। ଆମେ ମଧ୍ୟ ଯେଉଁମାନେ କ୍ଷମତାରେ ରହିବେ ସେମାନେ କିପରି ଲୋକମାନଙ୍କ କାମ କରିବେ ସେଥିପାଇଁ ଚାପ ସୃଷ୍ଟି କରିବୁ। ପରଷ୍ପର ଭିତରେ କ୍ଷମତା ପାଇଁ ଲଢେଇ କରିବା ଏବଂ ଲୋକମାନଙ୍କୁ ବ୍ୟବହାର କରିବା ଦ୍ବାରା ଉତ୍ତମ ନେତୃତ୍ବ ସୃଷ୍ଟି ହୁଏ ନାହିଁ। ଯେଉଁମାନେ ଭାବନ୍ତି ଯେ କେବଳ କ୍ଷମତାରେ ରହିଲେ ହିଁ ଲୋକମାନଙ୍କ କାମ କରି ହେବ ନହେଲେ ହେବ ନାହିଁ ସେମାନେ ନିଜ ଗାଁର ଇତିହାସ ବିଷୟରେ ବୁଝନ୍ତୁ। ସେମାନେ ଉତ୍ତର ପାଇଯିବେ। ସେହି ସମୟରେ ଗାଁର ବିଭିନ୍ନ ଜାନିଯାତରା, କାହାର ବାହାଘର, କାହାର ଶୁଦ୍ଧ କାମ, କଳି ଝଗଡା ସବୁ ସମାଧାନ କିଏ କରୁଥିଲା? ସବୁକାମ ସମସ୍ତେ ନିଜର ଭାବି କରୁଥିଲେ। ଜଣକର ଝିଅ ଗାଁର ଝିଅ, ଜଣକର ଅସୁବିଧା ଗାଁର ଅସୁବିଧା। ସମସ୍ତେ ନିଜ ଜମି ପାଇଁ ପାଣି ବ୍ୟବସ୍ଥା ମିଳିମିଶି କରୁଥିଲେ। ଏହି ସବୁ କଥା ଯଦି କ୍ଷମତା ବିନା ହୋଇ ପାରୁଥିଲା ତାହାହେଲେ ଆଜି କାହିଁକି ସମ୍ଭବ ନୁହେଁ?   ଏଠାରେ କ୍ଷମତା ସହ ଆର୍ଥିକ ବ୍ୟବସ୍ଥା ଯୋଡି ଦିଆଯାଇଛି ଏହାକୁ ପ୍ରାୟ ଅଧିକାଂଶ ରୋଜଗାରର ଏକ ମାଧ୍ୟମ ବୋଲି ଧରି ନେଇଛନ୍ତି। ଫଳରେ ସମସ୍ତେ ସମସ୍ତଙ୍କ ସହ ଛଳନା କରିବା ପାଇଁ ନୁଆ ନୁଆ ଉପାୟ ଚିନ୍ତା କରିବାରେ ଲାଗି ପଡିଛନ୍ତି। ଫଳ ସ୍ବରୁପ କିଏ ନିଜର ବର୍ତ୍ତମାନ ସ୍ଥିତି ସୁରକ୍ଷିତ ବୋଲି ଅନୁଭବ କରି ପାରୁନାହାନ୍ତି। ନେତାମାନେ ମଧ୍ୟ ନିଜେ ନିଜକୁ ଏକ ବିଜ୍ଞାପନ ବୋଲି ଧରି ନେଇଛନ୍ତି। ସମସ୍ତେ ଭାବନ୍ତି ଯେ ନିଜ କଥା ଲୋକମାନେ ଶୁଣିଲେ ହୁଏତ ପୁଣିଥରେ କ୍ଷମତା ପାଇଯିବାରେ ସୁବିଧା ହେବ। ଏଠାରେ ଆମେ କିଛି ଉକ୍ତି ରଖିବାକୁ ଚାହୁଁଛୁ।   ୧. ରାଜନୈତିକ ସ୍ବାଧୀନତା ଦ୍ବାରା ଭୋକିଲା ଲୋକମାନଙ୍କୁ ସନ୍ତୁଷ୍ଟ କରିହେବ ନାହିଁ। କାରଣ ସେମାନଙ୍କ ସମସ୍ୟା ଗୋଟିଏ ଏବଂ ସମାଧାନ ପାଇଁ ଆଉ ଏକ ବ୍ୟବସ୍ଥା ନେଲେ ସେମାନଙ୍କ ଅସୁବିଧା ଦୂର ହେବ ନାହିଁ।   ୨. ଯାହାର କିଛି ବି ନିଜସ୍ବ ସମ୍ବଳ ରହିଛି ସେ କେବେ ବି ଆନ୍ଦୋଳନରେ ଝାସ ଦେବ ନାହିଁ। କାରଣ ଆନ୍ଦୋଳନ ସମୟରେ ଜୀବନ ଚାଲିଯିବାର ଭୟ ଥାଏ, ଜୀବନ ଚାଲିଗଲେ ଥିବା ସମ୍ବଳ ଆଉ କାହାର ହୋଇଯିବ ବା ଅନ୍ୟକିଏ ଉପଭୋଗ କରିନେବ ଏହି ଭୟ ରୁହେ। (ଯଦିଓ ଏହା ସମସ୍ତଙ୍କ କ୍ଷେତ୍ର୍ରେ ନୁହେଁ ତଥାପିଅଧିକାଂଶ)।   ୩. ଯେଉଁମାନଙ୍କ ପାଇଁ ପ୍ରତିନିଧି ହେଉଛନ୍ତି ଯେତେଦିନ ପର୍ଯ୍ୟନ୍ତ ସେହିମାନଙ୍କ ଭିତରୁ ନେତୃତ୍ବ ସୃଷ୍ଟି ହୋଇ ନାହିଁ ସେତେଦିନ ପର୍ଯ୍ୟନ୍ତ ସେହିମାନଙ୍କ ସମସ୍ୟା ଯିବ ନାହିଁ। ଯଦି ଏମିତି ଲାଗି ରହେ ତାହାହେଲେ ଗଣତନ୍ତ୍ର ତିଷ୍ଟି ରହିପାରିବ ତ? ଗଣତନ୍ତ୍ର ଆମ ପାଇଁ ଓ ଆମେ କିନ୍ତୁ ଯେତେବେଳେ ଗଣତନ୍ତ୍ର ଦ୍ବାରା ଆମେ କେବଳ ବ୍ୟବହାର ହେବା ପାଇଁ ନିଜକୁ ପ୍ରସ୍ତୁତ କରିଚାଲିଛୁ ତାହାହେଲେ ଆମେ କେଉଁଠିକୁ ଯାଉଛୁ ତାହା ନିଜେ ନିଜକୁ ପ୍ରଶ୍ନ କରିବାକୁ ପଡିବ। ଯେତେଦିନ ପର୍ଯ୍ୟନ୍ତ ମଧ୍ୟସ୍ଥି ବ୍ୟବସ୍ଥା ରହିଥିବ ସେତେଦିନ ପର୍ଯ୍ୟନ୍ତ ଅନିଶ୍ଚିତତା ଦେଇ ଗତି କରି ଚାଲିଥିବ।   ଏଠାରେ ଆମେ ଆଉ ଏକ କଥା କହିବାକୁ ଚାହୁଁଛୁ ଯେ ଲୋକମାନଙ୍କ ପାଖରେ ରୁହ, ଲୋକମାନଙ୍କ ସମସ୍ୟା ବୁଝ, ସମସ୍ୟାକୁ ସମାଧାନ ପାଇଁ ଯୋଜନା ପ୍ରସ୍ତୁତ କର ଏବଂ ପ୍ରାଥମିକତା ଭିତିରେ ସମାଧାନ କର। କେବେବି ପଦବୀ ଚାଲିଯିବାର ଭୟ ରହିବ ନାହିଁ।

Share :