ସୂର୍ଯ୍ୟମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ

ସୂର୍ଯ୍ୟମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ

Share :

  ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ସୂର୍ଯ୍ୟ ମନ୍ଦିର ସୁରକ୍ଷାରେ  ଏଏସଆଇର ବେପରୁଆ ମନୋଭାବ ଓ ସଂରକ୍ଷଣରେ ଅବହେଳା ଯୋଗୁଁ ଏବେ ପୂର୍ବ ଏସିଆର ଏକମାତ୍ର ବିଶ୍ୱ ଐତିହ୍ୟର ମୁଖ୍ୟ ଆକର୍ଷଣ ଜଗମୋହନ ସମେତ ମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ମନ୍ଦିରର କାରୁକାର୍ଯ୍ୟପୂର୍ଣ୍ଣ ପଥରଖଣ୍ଡ ଖସିପଡିବା ସଂପ୍ରତି ନିତିଦିନିଆଁ ଘଟଣାରେ ପରିଣତ ହୋଇଗଲାଣି। ଜଗମୋହନର ଆମୂଳଚୁଳ ବିଭିନ୍ନ ସ୍ଥାନରେ ଦିନକୁ ଦିନ ନୂଆ ନୂଆ ଫାଟ ସୃଷ୍ଟି ହେବା ଏବଂ ସ୍ଥାନମାନଙ୍କରୁ ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ପଥରଖଣ୍ଡ ତଳକୁ ଖସିପଡୁଥିଲେ ମଧ୍ୟ ଏହାର ସଂରକ୍ଷଣ ଓ ସୁରକ୍ଷା ପ୍ରତି ଏଏସଆଇ କର୍ତ୍ତୃପକ୍ଷ ତିଳେମାତ୍ର ଧ୍ୟାନ ଦେଉ ନାହାନ୍ତି।   ଅଣକୁଶଳି କାରୀଗରଙ୍କ  ଅସାବଧାନତା ଯୋଗୁଁ ଲୁହା ପାଇପ ଭାରା ମାଡ଼ରେ ମନ୍ଦିର ଚକର ଅର, ପଇ, ତୁମ୍ୱର ଓ ବିଭିନ୍ନ ସ୍ଥାନରୁ ସୂକ୍ଷ୍ମ କାରୁକାର୍ଯ୍ୟ ଝଡିପଡିଛି। ଜଗମୋହନର ଉତ୍ତର, ଦକ୍ଷିଣ ଓ ସମ୍ମୁଖ ଭାଗରେ ଶତାଧିକ ଫାଟ ସୃଷ୍ଟି ହୋଇଛି। ୨୦୧୦ ମସିହାରେ ଏଏସଆଇର ମନୁମେଣ୍ଟ ୟୁନିଟ ପକ୍ଷରୁ ଫାଟ ସୃଷ୍ଟି ହୋଇଥିବା ପଥରଗୁଡିକରେ ଡ୍ରିଲିଂ କରାଯାଇ ଆଇରନ କ୍ଲାମ୍ପ ଲଗାଯିବା ସହ ଫାଟଗୁଡିକରେ କେନ୍ଦୁ, ଗୁଡ, ଚୂନ ଓ ପଥରଗୁଣ୍ଡ ମିଶ୍ରଣରେ ପ୍ରସ୍ତୁତ ଏକପ୍ରକାର ପ୍ରଲେପ ଦ୍ୱାରା ପଏଣ୍ଟିଙ୍ଗ କରାଯାଇ ବନ୍ଦ କରାଯାଇଥିଲା। ଏବେ ସେହି ସ୍ଥାନମାନଙ୍କରେ ପୁନର୍ବାର ବଡ ବଡ ଫାଟ ସୃଷ୍ଟି ହୋଇଛି। ଏହି ଫାଟଗୁଡିକରେ ଲୁଣି ଆସ୍ତରଣ, ବାଲିକଣା ଓ ଶିଉଳି ଜମି କାରୁକାର୍ଯ୍ୟ ପୂର୍ଣ୍ଣ ପଥରଗୁଡିକୁ ଦୁର୍ବଳ କରିଦେବା ପରେ ଏଥିରୁ ପଥର ଖଣ୍ଡ ସବୁ ଝଡିବାରେ ଲାଗିଛି।   ଲୁହାପାଇପ ଭାରା ସଂସ୍ପର୍ଶରେ ଆସୁଥିବା ଜଗମୋହନର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ପାର୍ଶ୍ୱସ୍ଥ କାରୁକାର୍ଯ୍ୟପୂର୍ଣ୍ଣ ପଥରଗୁଡିକରେ କ୍ଷତ ସୃଷ୍ଟି ହୋଇ ଅସୁନ୍ଦର ଦେଖାଯାଉଛି। ମନ୍ଦିର ଗାତ୍ରରେ ଚାରିଆଡେ ଭଅଁର ବସା, ମହୁମାଛି ଫେଣା, ବରଗଛ ଓ ଶିଉଳି ପରିଲକ୍ଷିତ ହେଉଛି। ବର୍ଷାଋତୁ ପୂର୍ବରୁ କେମିକାଲ ୟୁନିଟ ପକ୍ଷରୁ ଜଗମୋହନର ଅଗ୍ରଭାଗରୁ ଶିଉଳି ଛଡାଇବା ଓ ରସାୟନ ପ୍ରଲେପ କାର୍ଯ୍ୟ ହୋଇଥିଲେ ମଧ୍ୟ ଏଥିରେ କୌଣସି ସଫଳତା ମିଳି ନାହିଁ। ୧୦ ବର୍ଷ ପୂର୍ବେ ମନ୍ଦିର ଗାତ୍ରରେ ରାସାୟନିକ ପ୍ରଲେପ ଲଗାଯାଇ ଥିବାବେଳେ ବିଭିନ୍ନ ସମୟରେ ରସାୟନିକ ପ୍ରଲେପ ବ୍ୟବହାର ଦ୍ୱାରା କି ଫଳାଫଳ ମିଳିଛି, ସେ ସଂପର୍କିତ କୌଣସି ଲିଖିତ ଦସ୍ତାବିଜ‌୍‍ ଏଏସଆଇ ପାଖରେ ନାହିଁ।   ମନ୍ଦିର ସୂରକ୍ଷା ଆଳରେ ଲୁହା ପାଇପ ଭାରାରେ ଜଗମୋହନକୁ ଚାରିପଟୁ ଆବଦ୍ଧ କରି ରାସାୟନିକ ପ୍ରଲେପ ବୋଳାଯିବା କାର୍ଯ୍ୟ ଜାରିରହିଛି। ଏହା ଦ୍ୱାରା ସୂକ୍ଷ୍ମ କାରୁକାର୍ଯ୍ୟ ଉପରେ ଏହି ରସାୟନର କି ପ୍ରଭାବ ପଡ଼ିଛି? ଏହି ପ୍ରଶ୍ନର କୌଣସି ସ୍ପଷ୍ଟ ଉତ୍ତର ଏଏସଆଇ ଅଧିକାରୀଙ୍କ ନିକଟରେ ନାହିଁ। ସୂର୍ଯ୍ୟମନ୍ଦିର ଲୁହାପାଇପ ଭାରା ଦ୍ୱାରା ଆବଦ୍ଧ ହେବା ଯୋଗୁଁ ଦେଶ ବିଦେଶର ପର୍ଯ୍ୟଟକମାନେ  ମନ୍ଦିର ଗାତ୍ରରେ ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟକୁ  ଦେଖି ନ ପାରି ନିରାଶ ହୋଇ ଫେରୁଛନ୍ତି।    ସିବିଆରଆଇ ପକ୍ଷରୁ ସୂର୍ଯ୍ୟମନ୍ଦିର ମୁଖ୍ୟ ଆକର୍ଷଣ ଜଗମୋହନର ବାହାର ପାର୍ଶ୍ୱର ଲେଜର ସ୍କାନିଂ ସରିଛି। ଲେଜର ସ୍କାନିଂର ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ ଜଗମୋହନର ବାହାର ପାର୍ଶ୍ୱର ଭାସ୍କର୍ଯ୍ୟ ସମ୍ୱଳିତ ପ୍ରସ୍ତରଖଣ୍ଡସମୁହ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଅଛି। ଲୁଣା ପବନ ପ୍ରଭାବରେ ପଥର ଖଣ୍ଡରୁ ସ୍ତର ସ୍ତର ହୋଇ  ଟୁକୁଡା ଝଡିବା ପ୍ରକ୍ରିୟା ଜାରି ରହିଛି। ଜିପିଆର ସର୍ଭେରୁ ଜଣାପଡ଼ିଛି ଯେ ମନ୍ଦିରର ମୂଳଦୁଆ ତଳକୁ ଓସାରିଆ ନ ହୋଇ ସିଧା ତଳକୁ ଯାଇଛି। ଜଗମୋହନ ଗାତ୍ରରେ କୋର କଟିଙ୍ଗ କରାଯାଇ ଭିତର ପଥରର ଅବସ୍ଥା ପରୀକ୍ଷା କରାଯାଥିବା ବେଳେ ଗର୍ଭଗୃହର ଏଣ୍ଡୋସ୍କୋପି କରାଯାଛି।   ୨୦୧୨ ମସିହା ନଭେମ୍ୱର ମାସରେ ଏକ୍ସପର୍ଟ କମିଟି ବୈଠକ ବସିଥିଲା। ସେତେବେଳେ ନିଆଯାଇଥିବା ନିଷ୍ପତ୍ତିଗୁଡିକ ଏଯାବତ କାର୍ଯ୍ୟକାରୀ ହୋଇନାହିଁ। ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଜଗମୋହନ ବେକିରେ ଥିବା ଦକ୍ଷିଣ ପାର୍ଶ୍ୱ ଟନେଲ‌୍‍କୁ ଚଉଡାକରି ଗର୍ଭଗୃହ ଭିତରକୁ ପଶିବା ଉଚିତ ହେବ କି ନାହିଁ ତାହା ଏଯାବତ ହୋଇନାହିଁ। ସୂର୍ଯ୍ୟମନ୍ଦିର ସଂରକ୍ଷଣ ଆଳରେ ଏକ୍ସପର୍ଟ କମିଟି ଗଠନ ଏକରକମ ବିଧି ରକ୍ଷା ସଦୃଶ ହୋଇଛି। ଏହି କମିଟିର ପରାମର୍ଶକୁ ଭିତ୍ତି କରି ସମସ୍ତ କାର୍ଯ୍ୟ କରାଯାଉଛି ବୋଲି ଏଏସଆଇ କତ୍ତୃର୍ପକ୍ଷ ବାହାନା କରି ଆସୁଛନ୍ତି। ବାସ୍ତବତା କିନ୍ତୁ ଭିନ୍ନ ବୋଲି କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶଙ୍କ ସମେତ ଅନ୍ୟ ସଦସ୍ୟମାନେ କହିଛନ୍ତି। 

Share :